New water policy :୧୨୨୭ କୋଟି ଟଙ୍କାର ୧୮ଟି ବୃହତ ଉଠାଜଳସେଚନ ପ୍ରକଳ୍ପର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ, ୧୦୦ଟି ଚେକ୍ ଡ୍ୟାମ ଓ ୪ଟି କ୍ଷୁଦ୍ର ଜଳସେଚନ ପ୍ରକଳ୍ପର ଭୂତଳ ପାଇପ୍ ଲାଇନ୍ ଲୋକାର୍ପିତ
ଜଳ ସଂରକ୍ଷଣ, ଜଳ ପରିଚାଳନାରେ ସରକାରଙ୍କର ସବୁଠାରୁ ବଡ ଭୂମିକା ରହିଛି କିନ୍ତୁ ଏଥିରେ ବ୍ୟକ୍ତିଗତ ସ୍ତରରେ ତଥା ଗୋଷ୍ଠୀଗତ ସ୍ତରରେ ସମସ୍ତେ ନିଜ ନିଜ ଯୋଗଦାନ ରଖିବା ନିତାନ୍ତ ଆବଶ୍ୟକ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବିଶ୍ୱ ଜଳ ଦିବସ ଅବସରରେ ଲୋକସେବା ଭବନ ସ୍ଥିତ କନଭେନସନ ସେଣ୍ଟର ଠାରେ ରାଜ୍ୟ ଜଳ ସମ୍ପଦ ବିଭାଗ ପକ୍ଷରୁ ଆୟୋଜିତ ସମାରୋହରେ ଯୋଗ ଦେଇ କହିଛନ୍ତି । ଏହାସହ ରାଜ୍ୟରେ ଖୁବଶୀଘ୍ର ନୂତନ ଜଳ ନୀତି ଆସିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ ବିଭିନ୍ନ ରାଜ୍ୟ ସହିତ ଥିବା ଜଳ ବିବାଦ ବିଷୟରେ ଆଲୋକପାତ କରି କହିଥିଲେ ଯେ, ଓଡିଶା ସହିତ ଜଳକୁ ନେଇ ଯେଉଁଠି ବିବାଦ ଅଛି ତାକୁ ଆମେ ଗୁରୁତ୍ୱର ସହ ନେଇଛୁ । ତାର ତ୍ୱରିତ ସମାଧାନ କରାଯିବ । ମହାନଦୀକୁ ନେଇ ଛତିଶଗଡ଼ ସହ ବିବାଦ ଚାଲିଛି। ଲୋକସେବା ଭବନରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ଅବସରରେ ଏହି ବିଷୟରେ ଆଲୋଚନା ହୋଇଥିଲା। ଯେହେତୁ କେନ୍ଦ୍ର, ଛତିଶଗଡ଼ ଓ ଓଡିଶାରେ ଟ୍ରିପଲ-ଇଂଜିନ ସରକାର ଚାଲିଛି, ତେଣୁ ଏ ବିବାଦର ଆପୋସ ସମାଧାନ ହେବ।
ମୁଖ୍ୟମନ୍ତ୍ରୀ ଏହି ଅବସରରେ କହିଥିଲେ ଯେ, ଜଳ ବିନା ଜୀବନ ସୃଷ୍ଟି ହେବା ଅସମ୍ଭବ। ବିଶ୍ୱ ଜଳବାୟୁ ପରିବର୍ତ୍ତନ ଯୋଗୁଁ ବ୍ୟବହାର ଯୋଗ୍ୟ ଜଳର ଉପଲବ୍ଧତା ନେଇ ବିଶ୍ୱ ପାଣିପାଗ ସଂଘ ଆଶଙ୍କା ପ୍ରକାଶ କରିଛି। ଗତ ୨୦ ବର୍ଷ ଧରି, ମାଟିର ଆର୍ଦ୍ରତା ଏବଂ ଗ୍ଲାସିଆରରେ ଗଚ୍ଛିତ ଜଳର ପରିମାଣ କ୍ରମାଗତ ଭାବେ କମିବାର ଲକ୍ଷ୍ୟ କରାଯାଇଛି। ଏ ସବୁ ଦୃଷ୍ଟିକୋଣରୁ ଆଗାମୀ ଦିନରେ ଜଳ ସଂରକ୍ଷଣ ଓ ଜଳକୁ ପ୍ରଦୂଷଣ ମୁକ୍ତ ରଖିବା ଅପରିହାର୍ଯ୍ୟ।
ସେ କହିଥିଲେ ଯେ ୨୦୨୧ ମସିହା ତଥ୍ୟ ଅନୁଯାୟୀ, ୨୨୦ କୋଟିରୁ ଉର୍ଦ୍ଧ୍ୱ ଲୋକ ଜଳ ସଙ୍କଟ ଦେଖା ଯାଉଥିବା ଦେଶରେ ବାସ କରୁଛନ୍ତି। ବିଶ୍ୱ ଜଳବାୟୁ ପରିବର୍ତ୍ତନ ଓ ଜନସଂଖ୍ୟା ବୃଦ୍ଧି ଯୋଗୁଁ ଏହି ସଂଖ୍ୟା ବଢ଼ିବାରେ ଲାଗିଛି। ବିଶ୍ୱର ପ୍ରତ୍ୟେକ ବ୍ୟକ୍ତିଙ୍କୁ ବିଶୁଦ୍ଧ ଜଳ ଯୋଗାଇଦେବା ସହିତ, ଏହାର ଉପଯୋଗୀତା ବିଷୟରେ ଜନସଚେତନତା ସୃଷ୍ଟି କରିବା ପାଇଁ ବିଶ୍ୱ ଜଳ ଦିବସ ପାଳନ କରାଯାଉଛି। ଏହାର ମୂଳ ଲକ୍ଷ୍ୟ ହେଉଛି ୨୦୩୦ ସୁଦ୍ଧା ନିରନ୍ତର ବିକାଶ ଲକ୍ଷ୍ୟକୁ ହାସଲ କରି ସମସ୍ତଙ୍କୁ ଶୁଦ୍ଧ ଜଳ ଓ ପରିମଳ ବ୍ୟବସ୍ଥା ସୁନିଶ୍ଚିତ କରିବା।
ସେ ପୁଣି କହିଥିଲେ ଯେ ଆଗାମୀ ଦିନରେ କିଭଳି ଜଳ ସଂରକ୍ଷଣ ଓ ଜଳ ପରିଚାଳନାର ସୁବନ୍ଦୋବସ୍ତ ହେଇ ପାରିବ, ତାକୁ ଗୁରୁତ୍ୱ ଦେଇ ସେ ଦିଗରେ ଆମ ସରକାର ଆସିବା ପରେ ବ୍ୟାପକ ପଦକ୍ଷେପ ଗ୍ରହଣ କରୁଛନ୍ତି। କେନାଲର ତଳ ମୁଣ୍ଡରେ ରହୁଥିବା ଚାଷୀ ପାଖରେ କିଭଳି ପାଣି ପହଂଚିବ ସେଥିପ୍ରତି ଆମେ ଧ୍ୟାନ ଦେଉଛୁ । ଆଗାମୀ ୫ ବର୍ଷ ଅର୍ଥାତ ୨୦୨୯ ସୁଦ୍ଧା ଅତିରିକ୍ତ ୧୫ ଲକ୍ଷ ହେକ୍ଟର ଜମିକୁ ଜଳ ସେଚିତ କରିବା ପାଇଁ ଆମେ ଲକ୍ଷ୍ୟ ରଖିଛୁ । ଜଳ ସମ୍ପଦର ସୁରକ୍ଷା ଓ ଏହାର ସୁପରିଚାଳନା ପାଇଁ ଚଳିତ ବର୍ଷ ବଜେଟରେ ୧୪ ହଜାର ୮୪୧ କୋଟି ୭୨ ଲକ୍ଷ ୯୨ ହଜାର ଟଙ୍କାର ବ୍ୟୟ ବରାଦ କରାଯାଇଛି। ଆମ ସରକାରଙ୍କ ଲକ୍ଷ୍ୟ କେବଳ ଜଳସେଚନ ଯୋଗାଇବା ନୁହେଁ, ସାମଗ୍ରିକ ଭାବେ ଜଳ ପରିଚାଳନା କରିବା, ଯାହାଦ୍ୱାରା ରାଜ୍ୟର ପ୍ରତ୍ୟେକ ଲୋକେ ପରିବେଶକୁ କ୍ଷତି ନ ପହଞ୍ଚାଇ ଆବଶ୍ୟକ ଜଳ ପାନୀୟ ତଥା ଅନ୍ୟ କାର୍ଯ୍ୟ ପାଇଁ ହାତ ପାହାନ୍ତାରେ ପାଇ ପାରିବେ।
ସେ ଆହୁରି କହିଥିଲେ, ଆମ ସରକାର, ରାଜ୍ୟରେ ନୂତନ ଜଳ ନୀତି ପ୍ରଣୟନ କରିବାକୁ ଯାଉଛନ୍ତି। ଏଥିସହିତ ପଟୁ ଜମି ଯାଇଥିବା ଓ ପ୍ରଦୂଷିତ ନଦୀ ନାଳ ଗୁଡିକର ପୁନରୁଦ୍ଧାର କରାଯିବା ପାଇଁ ପଦକ୍ଷେପ ନିଆଯାଉଛି । ଜଳ ସଂରକ୍ଷଣ ପାଇଁ ଜଳ ସମ୍ପଦ ବିଭାଗ ଦ୍ଵାରା ଗୋଟି ବୃହତ୍ତ, ୪୮ ଗୋଟି ମଧ୍ୟମ ଓ ୩୮୫୩ ଗୋଟି କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ନିର୍ମାଣ କରାଯାଇ ଅପାତତଃ ୨୪.୬୫ ବିଲିୟନ୍ କ୍ୟୁବିକ୍ ମିଟର ଜଳ ସଂରକ୍ଷଣ କରାଯାଇଛି ।
ଏତଦ୍ ବ୍ୟତୀତ ଆମ ରାଜ୍ୟରେ ୧୬ ହଜାର ୭୦୪ ଗୋଟି ଆଡି ବନ୍ଧ (ଚେକ ଡ୍ୟାମ) ନିର୍ମାଣ କରାଯାଇଛି। ବର୍ତ୍ତମାନ ସୁଦ୍ଧା ବିଭିନ୍ନ ନଦୀ ରେ ୭୨ ଟି ଅନ୍ତଃ ନଦୀ ଜଳାଶୟ ପ୍ରକଳ୍ପ କରି ୬୫ ହଜାର ୭୯୨ ହେକ୍ଟର ମିଟର ଜଳ ସଂରକ୍ଷଣ କରିବା ପାଇଁ ଯୋଜନା କରାଯାଇଛି। ତନ୍ମଧ୍ୟରୁ ୨୨ ଗୋଟି ନିର୍ମାଣାଧୀନ ଅଛି, ୬ ଗୋଟି ଅନ୍ତଃନଦୀ ଜଳାଶୟ ପ୍ରକଳ୍ପ ସମ୍ପୂର୍ଣ୍ଣ କରାଯାଇଛି। ଜଳବାୟୁ ପରିବର୍ତ୍ତନ କୁପ୍ରଭାବକୁ ମୁକାବିଲା କରିବା ପାଇଁ ଏହି ଜଳଭିତ୍ତିଭୂମିଗୁଡିକ ଯଥେଷ୍ଟ ସହାୟକ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।
ସେ ଆହୁରି କହିଥିଲେ ଯେ, ଯଶସ୍ବୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୦୨୧, ମସିହାରେ ବିଶ୍ୱ ଜଳ ଦିବସରେ ଜଳଶକ୍ତି ଅଭିଯାନର ଶୁଭାରମ୍ଭ କରି କହିଥିଲେ, ଜଳ ସୁରକ୍ଷା ଓ ଜଳର ସୁ-ପରିଚାଳନା ବିନା ଦ୍ରୁତ ବିକାଶ ଅସମ୍ଭବ। ଜଳ ଶକ୍ତି ଅଭିଯାନ ୨୦୨୪ ଅନ୍ତର୍ଗତ ବିଭିନ୍ନ ଯୋଜନା ମାଧ୍ୟମରେ ଆମ ରାଜ୍ୟରେ ୧,୮୦,୬୪୩ ଗୋଟି ଜଳ ସଂରକ୍ଷଣ ଷ୍ଟ୍ରକ୍ଚର, ୩୫୮୬୨ ଗୋଟି ପାରମ୍ପରିକ ଜଳାଶୟର ନବୀକରଣ, ୩୪,୫୩୪ ଭୂତଳ ପୁନର୍ଭରଣ ଷ୍ଟ୍ରକ୍ଚର ଏବଂ ୧,୭୮,୧୦୯ ଗୋଟି ଜଳଛାୟା ପ୍ରକଳ୍ପ କରାଯାଇଛି ।
ଶେଷରେ ମୁଖ୍ୟମନ୍ତ୍ରୀ ଜଳ ସଂରକ୍ଷଣ, ଘରୋଇ ବ୍ୟବହାରରେ ଜଳ ଅପବ୍ୟବହାର ରୋକିବା, କୃଷି ଓ ଶିଳ୍ପ କ୍ଷେତ୍ରରେ ଜଳର ସୁବିନିଯୋଗ କରିବାକୁ ସମସ୍ତଙ୍କୁ ଆହ୍ୱାନ ଦେଇଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ୮୦ କୋଟି ଟଙ୍କା ବ୍ୟୟରେ ୨୦ଟି ଜିଲ୍ଲା ପାଇଁ କରାଯାଇଥିବା ୧୦୦ ଟି ଚେକ ଡ୍ୟାମକୁ ଲୋକାର୍ପଣ କରିବା ସହିତ ୪ ଗୋଟି କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ଯଥା କେନ୍ଦୁଝର ଜିଲ୍ଲାର ଘାସିଡ଼ିହି ଏମଆଇପି, ଗଞ୍ଜାମ ଜିଲ୍ଲାର ବିଲୁଆମରା ଏମଆଇପି, ଗଜପତି ଜିଲ୍ଲାର କୁରଲଣ୍ଡା ଏମଆଇପି ଏବଂ ମୟୂରଭଞ୍ଜ ଜିଲ୍ଲାର ବାଘିଆ ଏମଆଇପି ର ୬୧.୫୩ କୋଟି ବ୍ୟୟରେ ହୋଇଥିବା ଭୂତଳ ପାଇପଲାଇନ ନେଟଓ୍ୱାର୍କ ମଧ୍ୟ ଲୋକାର୍ପିତ କରିଥିଲେ।
ଏଥିସହିତ ମୁଖ୍ୟମନ୍ତ୍ରୀ ଅନୁଗୁଳ, କେନ୍ଦୁଝର, ଢେଙ୍କାନାଳ, ମୟୂରଭଞ୍ଜ ଜିଲ୍ଲାର ୨୭,୩୩୭ ହେକ୍ଟର ଉଚ୍ଚ ଚାଷଜମିକୁ ଜଳସେଚନ କରାଯିବା ପାଇଁ ୧,୨୨୭କୋଟି ଟଙ୍କା ମୂଲ୍ୟର ୧୮ଟି ବୃହତ ଉଠା ଜଳସେଚନ ଯୋଜନାର ଶିଳାନ୍ୟାସ କରିଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ, “Go-Water” ERP App ର ଶୁଭାରମ୍ଭ କରିବା ସହିତ ଏହି ସମ୍ପର୍କିତ ସୂଚନା ପୁସ୍ତିକାକୁ ଉନ୍ମୋଚନ କରିଥିଲେ । କାର୍ଯ୍ୟକ୍ରମରେ ରାଜ୍ୟ ଉନ୍ନୟନ କମିଶନର ତଥା ଜଳ ସମ୍ପଦ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ସ୍ୱାଗତ ଭାଷଣ ଦେଇ କହିଥିଲେ ଯେ, ନୂଆ ସରକାର ଜଳସମ୍ପଦର ବିକାଶ ଓ ଜଳ ସଂରକ୍ଷଣକୁ ବିଶେଷ ଗୁରୁତ୍ୱ ଦେଉଛନ୍ତି ।
୨୦୩୬ ସୁଦ୍ଧା ସମୃଦ୍ଧ ଓଡିଶାର ଲକ୍ଷ୍ୟ ରଖି ଜଳ ସମ୍ପଦ ବିଭାଗ ପକ୍ଷରୁ ସମସ୍ତଙ୍କ ପାଇଁ ପାନୀୟ ଜଳ, କୃଷି ପାଇଁ ଜଳ ସେଚନ, ପରିବେଶ ପର୍ଯ୍ୟଟନ ଓ ବିଦ୍ୟୁତ ଶକ୍ତି, ଶିଳ୍ପ ଆଦି ସବୁ କ୍ଷେତ୍ରରେ ଜଳର ଆବଶ୍ୟକତା ପୂରଣ କରିବା ପାଇଁ ଯୋଜନା ଓ କାର୍ଯ୍ୟକ୍ରମ ମାନ ପ୍ରସ୍ତୁତ କରା ଯାଇଛି । କାର୍ଯ୍ୟକ୍ରମରେ ବିଭାଗୀୟ ସର୍ବୋଚ୍ଚ ଯନ୍ତ୍ରୀ ଚନ୍ଦ୍ର ଶେଖର ପାଢୀ ଧନ୍ୟବାଦ ଅର୍ପଣ କରିଥିଲେ, ଅନ୍ୟମାନଙ୍କ ମଧ୍ୟରେ ସର୍ବୋଚ୍ଚ ଯନ୍ତ୍ରୀ ଯୋଜନା ଓ ପରିକଳ୍ପନା ଲିଙ୍ଗରାଜ ଗୌଡ଼ ଏବଂ ସର୍ବୋଚ୍ଚ ଯନ୍ତ୍ରୀ ତଥା ସ୍ୱତନ୍ତ୍ର ଶାସନ ସଚିବ ଆଶୁତୋଷ ଦାଶ ନିଜର ଅଭିଭାଷଣ ରଖିଥିଲେ । କାର୍ଯ୍ୟକ୍ରମରେ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀ, ପାଣିପଞ୍ଚାୟତର ସଦସ୍ୟ ମାନେ ଉପସ୍ଥିତ ଥିଲେ ।
Previous article:https://purvapaksa.com/55-more-flood-and-cyclone-shelters-ahead-of-monsoon/


