Weather Update: ମାର୍ଚ୍ଚ ଆରମ୍ଭରୁ ମୁଣ୍ଡଫଟା ଖରା। ଟାଇଁ ଟାଇଁ ଖରାରେ ଜଳୁଛି ଶରୀର । ମାର୍ଚ୍ଚ ଓ ଏପ୍ରିଲ ମାସରେ ତାପମାତ୍ରା ଅଧିକ ରହିବା ସହ ଲମ୍ବା ସମୟ ଧରି ଜାରି ରହିବ ଗ୍ରୀଷ୍ମପ୍ରବାହ। ୨ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ବଢ଼ିବ ରାଜ୍ୟରେ ତାପମାତ୍ରା ।
ସୂଚନା ଅନୁଯାୟୀ, ଆସନ୍ତା ଦୁଇ ଦିନ ପର୍ଯ୍ୟନ୍ତ ରାଜ୍ୟର ତାପମାତ୍ରାରେ କୌଣସି ପରିବର୍ତ୍ତନ ହେବ ନାହିଁ । ମାତ୍ର ଦୁଇ ଦିନ ପରଠୁ ତାପମାତ୍ରା ୨ରୁ ୩ ଡିଗ୍ରୀ ବୃଦ୍ଧି ପାଇବ । ଅର୍ଥାତ୍ ରାଜ୍ୟରେ ସମସ୍ତ ଜିଲ୍ଲାର ତାପମାତ୍ରା ରବିବାରଠୁ ବୃଦ୍ଧି ହେବ । ଭୁବନେଶ୍ୱରରେ ଆସନ୍ତା ୨୪ ଘଣ୍ଟା ପାଇଁ ଆକାଶ ସଫା ରହିବ । ସର୍ବାଧିକ ତାପମାତ୍ରା ୩୩ ଡିଗ୍ରୀ ଓ ସର୍ବନିମ୍ନ ତାପମାତ୍ରା ୧୬ ଡିଗ୍ରୀ ରହିବ। ଏପରି ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ ।
ତେବେ ଆଗାମୀ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ କରାଯାଇଥିଲା। ଗ୍ରୀଷ୍ମ ପ୍ରବାହ ସମୟରେ ବିଭିନ୍ନ ଟ୍ରାଫିକ ଛକରେ ଗାଡି ଚାଳକଙ୍କୁ ଛାୟା ପ୍ରଦାନ କରିବା ପାଇଁ ସ୍ଥାୟୀ ଓ ଅସ୍ଥାୟୀ ସେଡ୍ ବ୍ୟବସ୍ଥା କରାଯିବା ସହ ସହରର ବିଭିନ୍ନ ସ୍ଥାନରେ ପାନୀୟ ଜଳ ସେବା କେନ୍ଦ୍ର ଖୋଲାଯିବ ।
ସମସ୍ତ ଡାକ୍ତରଖାନାରେ ଅଂଶୁଘାତ ଆକ୍ରାନ୍ତଙ୍କ ପାଇଁ ଶୀତତାପ ନିୟନ୍ତ୍ରିତ ସ୍ୱତନ୍ତ୍ର ରୁମ୍ ଓ ବେଡ୍, ଆବଶ୍ୟକ ମେଡିସିନ, ଓଆରଏସ୍ ଆଦି ମହଜୁଦ୍ ରଖିବାକୁ ସହରାଞ୍ଚଳ ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଏମସି ମୁଖ୍ୟାଳୟଠାରେ ଏପ୍ରିଲ ୧ ତାରିଖରୁ ସ୍ୱତନ୍ତ୍ର ନିୟନ୍ତ୍ରଣ କକ୍ଷ କାର୍ଯ୍ୟକ୍ଷମ ହେବ । ଏଥିପାଇଁ ସ୍ୱତନ୍ତ୍ର ଭାବେ ୧୯୨୯ ଫୋନ୍ ନମ୍ବର ଜାରି କରାଯାଇଛି । ଆବଶ୍ୟକ ସମୟରେ ସାଧାରଣ ଜନତା ଏଥିରେ ଫୋନ କରି ସାହାଯ୍ୟ ନେଇ ପାରିବେ ।
ALSO READ: https://purvapaksa.com/prabhati-parida-appealed-for-lighting-diya-in-7th-feb-before-2nd-installment/