Pakistan: ସବୁ କ୍ଷେତ୍ରରେ ଭାରତଠାରୁ ପରାସ୍ତ ହେବା ପରେ ପାକିସ୍ତାନ ଛଦ୍ମ ଯୁଦ୍ଧର ଏକ ନୂଆ ମାର୍ଗ ସୃଷ୍ଟି କରିଛି। ଏବେ ପାକିସ୍ତାନ ବାଂଲାଦେଶ ଦେଇ ଭାରତକୁ ହଇରାଣ କରିବାକୁ ଚେଷ୍ଟା କରୁଛି। ଢାକା ପାକିସ୍ତାନର କୁଖ୍ୟାତ ଗୁଇନ୍ଦା ସଂସ୍ଥା ଆଇଏସଆଇର ନୂଆ ବେସ୍ ହେବ ବୋଲି ପୂର୍ବରୁ ଯେଉଁ ଆଶଙ୍କା କରାଯାଉଥିଲା ତାହା ଧିରେଧିରେ ସତ ହେଲାଣି।
ସଦ୍ୟତମ ରିପୋର୍ଟରୁ ଜଣାପଡିଛି ଯେ ରୋହିଙ୍ଗ୍ୟା ଶରଣାର୍ଥୀଙ୍କ ମାଧ୍ୟମରେ ଭାରତରେ ହିଂସା ସୃଷ୍ଟି କରିବାକୁ ପାକିସ୍ତାନ ଯୋଜନା ପ୍ରସ୍ତୁତ କରୁଛି । ସିଏନ୍ଏନ୍-ନ୍ୟୁଜ୍ ୧୮ ର ଏକ ରିପୋର୍ଟରେ ଦାବି କରାଯାଇଛି ଯେ ରୋହିଙ୍ଗ୍ୟା ଶରଣାର୍ଥୀ ସଙ୍କଟର ଫାଇଦା ଉଠାଇ ପାକିସ୍ତାନ ବାଂଲାଦେଶୀ ଜିହାଦୀ ଗୋଷ୍ଠୀଙ୍କ ଜରିଆରେ ଭାରତର ଉତ୍ତର-ପୂର୍ବ ସୀମାରେ ଅନୁପ୍ରବେଶ କରିବାକୁ ଚେଷ୍ଟା କରୁଛି। ପାକିସ୍ତାନ, ବାଂଲାଦେଶ ଦେଇ ଆତଙ୍କବାଦୀଙ୍କୁ ଭାରତ ଭିତରକୁ ପ୍ରବେଶ କରାଇବାକୁ ଉଦ୍ୟମ କରୁଛି ।
ଏହି ଯୋଜନାକୁ କାର୍ଯ୍ୟକାରୀ କରିବା ପାଇଁ ଆଇଏସଆଇ ରଣନୀତି ପ୍ରସ୍ତୁତ କରୁଛି । ଏହାର ଉଦ୍ଦେଶ୍ୟ ହେଉଛି ରୋହିଙ୍ଗ୍ୟାମାନଙ୍କୁ ଅସ୍ତ୍ରଶସ୍ତ୍ର ଯୋଗାଇବା, ସେମାନଙ୍କୁ ଭାରତ ପଠାଇବା ଏବଂ ଆତଙ୍କବାଦୀ ଘଟଣା ଘଟାଇବା। ତ୍ରିପୁରା ଓ ମିଜୋରାମ ସୀମା ନିକଟବର୍ତ୍ତୀ ବାଂଲାଦେଶୀ ଅଂଚଳରେ ପ୍ରଶିକ୍ଷଣ କେନ୍ଦ୍ର ଖୋଲାଯାଇପାରିବ, ଯେଉଁଠାରେ ରୋହିଙ୍ଗ୍ୟା ଓ ଅଲକାଏଦା ଆତଙ୍କବାଦୀଙ୍କୁ ପ୍ରଶିକ୍ଷଣ ଦିଆଯାଇପାରିବ ବୋଲି ରିପୋର୍ଟରେ କୁହାଯାଇଛି। ବାଂଲାଦେଶରେ ଥିବା ରୋହିଙ୍ଗ୍ୟା ଏବଂ ଅଲ୍ କାଏଦା ନେଟୱାର୍କର ଫାଇଦା ଉଠାଇ ଭାରତରେ ଆତଙ୍କବାଦୀ ଆକ୍ରମଣ କରିବାକୁ ଆଇଏସଆଇ ଚେଷ୍ଟା କରୁଛି।
ବାଂଲାଦେଶ ଦେଇ ପାକିସ୍ତାନର ଷଡ଼ଯନ୍ତ୍ର !
ଗତବର୍ଷ ଶେଖ୍ ହସିନାଙ୍କ ସରକାରର ପତନ ପରେ ମହମ୍ମଦ ୟୁନୁସଙ୍କ ନେତୃତ୍ବାଧୀନ ଅନ୍ତରୀଣ ସରକାର ବାଂଲାଦେଶର ଜେଲରେ ବନ୍ଦୀ ଥିବା ଶତାଧିକ ଜିହାଦୀଙ୍କୁ ମୁକ୍ତ କରିଛନ୍ତି। କୁହାଯାଉଛି ଯେ ଅଲ୍ କାଏଦା ସହ ଶତାଧିକ ଲୋକଙ୍କ ଘନିଷ୍ଠ ସମ୍ପର୍କ ରହିଛି। ତେଣୁ ହସିନା ସରକାରଙ୍କ ପତନ ଭାରତ ପାଇଁ ଏକ ବଡ଼ ବିପଦ ବୋଲି ଭାରତୀୟ ସୁରକ୍ଷା ଏଜେନ୍ସିମାନେ ବିଶ୍ୱାସ କରୁଛନ୍ତି। ଶେଖ ହସିନାଙ୍କ ସରକାର ମଧ୍ୟ ଭାରତକୁ ଏଭଳି ତତ୍ତ୍ୱ ବିଷୟରେ ବାରମ୍ବାର ଗୁଇନ୍ଦା ସୂଚନା ଦେଉଥିଲେ, ଯାହା ଦ୍ୱାରା ଏଭଳି ଅନେକ ଆତଙ୍କବାଦୀ ନିପାତ ହୋଇଥିଲେ । ଗୁଇନ୍ଦା ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ପାକିସ୍ତାନ ରୋହିଙ୍ଗ୍ୟା ଶରଣାର୍ଥୀ ଶିବିରରେ ଥିବା ଜିହାଦୀଙ୍କୁ ଅସ୍ତ୍ର ଭାବେ ବ୍ୟବହାର କରିବାକୁ ଚାହୁଁଛି।
ବର୍ତମାନ ବାଂଲାଦେଶର କକ୍ସ ବଜାର ଅଞ୍ଚଳରେ ବିଶାଳ ରୋହିଙ୍ଗ୍ୟା ଶରଣାର୍ଥୀ ଶିବିର ରହିଛି। ୨୦୧୭ରେ ସେମାନେ ମିଆଁମାର ଛାଡ଼ି ବାଂଲାଦେଶରେ ପହଞ୍ଚିଥିଲେ। ବାଂଲାଦେଶରେ ୯,୫୦,୦୦୦ରୁ ଅଧିକ ରୋହିଙ୍ଗ୍ୟା ଶରଣାର୍ଥୀ ବସବାସ କରନ୍ତି। ଶେଖ୍ ହସିନା ଅନେକ ଥର ସାର୍ବଜନୀନ ଭାବେ କହିଛନ୍ତି ଯେ ରୋହିଙ୍ଗ୍ୟା ଶରଣାର୍ଥୀମାନେ ନିଶା ଦ୍ରବ୍ୟ ଚାଲାଣଠାରୁ ଆରମ୍ଭ କରି ଲୁଟ୍, ଚୋରି ଏବଂ ଆତଙ୍କବାଦୀ କାର୍ଯ୍ୟକଳାପରେ ସମ୍ପୃକ୍ତ ଅଛନ୍ତି। ଅନେକ ରିପୋର୍ଟରେ କୁହାଯାଇଛି ଯେ ରୋହିଙ୍ଗ୍ୟା ଶରଣାର୍ଥୀମାନେ ମଧ୍ୟ ଗତବର୍ଷ ଶେଖ୍ ହସିନାଙ୍କ ସରକାର ବିରୋଧରେ ହିଂସାତ୍ମକ ବିକ୍ଷୋଭରେ ସମ୍ପୃକ୍ତ ଥିଲେ।
ଭାରତୀୟ ସୂତ୍ରରୁ ପ୍ରକାଶ ଯେ ଆଇଏସଆଇର ଲକ୍ଷ୍ୟ ହେଉଛି ଭାରତରେ ରୋହିଙ୍ଗ୍ୟା ଅନୁପ୍ରବେଶ ବୃଦ୍ଧି କରିବା ଏବଂ ସେମାନଙ୍କ ଦାରିଦ୍ର୍ୟର ଫାଇଦା ଉଠାଇବା । ରୋହିଙ୍ଗ୍ୟା ଶରଣାର୍ଥୀମାନେ ୨୦୦-୪୦୦ ଟଙ୍କାରେ ମଧ୍ୟ ଗୁରୁତର ଅପରାଧ ଘଟାଇବାକୁ ପ୍ରସ୍ତୁତ ଅଛନ୍ତି। ତେଣୁ ଏଭଳି ଲୋକଙ୍କୁ ପ୍ରଶିକ୍ଷଣ ଦେବା ସହ ଅସ୍ତ୍ରଶସ୍ତ୍ର ଯୋଗାଇ ଦିଆଯାଉଛି। ରୋହିଙ୍ଗ୍ୟାଙ୍କ ବ୍ୟତୀତ ହିଜବୁଲ ତାହିର ଭଳି ସଂଗଠନ ମଧ୍ୟ ଏହି ପ୍ରଶିକ୍ଷଣ କେନ୍ଦ୍ରରେ ପ୍ରଶିକ୍ଷଣ ନେଉଛନ୍ତି। କକ୍ସ ବଜାରଠାରୁ ମାତ୍ର ୨୦ କିଲୋମିଟର ଦୂର ନାଇଖୋଙ୍ଗଚାରୀ ନିକଟରେ ଏହାର କେନ୍ଦ୍ର ଅବସ୍ଥିତ ।
ରିପୋର୍ଟ ଅନୁଯାୟୀ, ଏହି ଅଞ୍ଚଳ ମୂଳତଃ ଏକ ବୌଦ୍ଧ ଏବଂ ବଙ୍ଗୀୟ ମୁସଲମାନ ଅଞ୍ଚଳ ଯାହା ବର୍ତ୍ତମାନ ପୂର୍ବତନ ପାକିସ୍ତାନୀ ରେଞ୍ଜର୍ସ ଏବଂ ବାଂଲାଦେଶୀ ବର୍ଡର ଗାର୍ଡସ (ବିଜିବି)ଙ୍କ ନିୟନ୍ତ୍ରଣରେ ରହିଛି। ଭାରତୀୟ ଅଧିକାରୀମାନେ ବିଶ୍ୱାସ କରନ୍ତି ଯେ ସେମାନଙ୍କର ସ୍ୱତନ୍ତ୍ର ପ୍ରଶିକ୍ଷଣ ସୂଚାଉଛି ଯେ ସେମାନେ ଭାରତରେ ବିଶେଷ କରି ମିଜୋରାମ ଏବଂ ତ୍ରିପୁରା ଭଳି ଅଞ୍ଚଳରେ ନିୟୋଜିତ ହେବେ।
ALSO READ: https://purvapaksa.com/how-trumps-gold-card-visa-for-the-super-rich-will-impact-indians/
ଟ୍ରମ୍ପଙ୍କ ‘ଗୋଲ୍ଡ କାର୍ଡ’ ଭିସା ଭାରତୀୟଙ୍କ ଉପରେ କିପରି ପ୍ରଭାବ ପକାଇବ