Odisha: ଖେଳାଳୀଙ୍କୁ ଗ୍ରାମୀଣ ସ୍ତରରୁ ବାଛି ଅଲମ୍ପିକ ପର୍ଯ୍ୟନ୍ତ ପହଞ୍ଚାଇବା ପାଇଁ ଏକଲ ଅଭିଯାନର ପ୍ରୟାସ
ଏକଲ ଅଭିଯାନ ଆଜି ଭାରତବର୍ଷର ବନାଞ୍ଚଳରେ ରହୁଥିବା ବାଳକ-ବାଳିକାଙ୍କ ଭିତରେ ଶିକ୍ଷା ପ୍ରତି ଜାଗରଣ ସୃଷ୍ଟି କରିଛି । ଏହି ଅଭିଯାନ ଏକ ସଶକ୍ତ ଓ ସମୃଦ୍ଧ ରାଷ୍ଟ୍ର ଗଠନ ପାଇଁ ପିଲାମାନଙ୍କୁ ବିକଶିତ କରିବା ସହିତ ସେମାନଙ୍କ ଭିତରେ ଥିବା ଲୁକ୍କାୟିତ ପ୍ରତିଭାକୁ ଲୋକଲୋଚନକୁ ଆଣିବାରେ ସହାୟକ ହେଉଛି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିଅମଠାରେ ଆୟୋଜିତ ତୃତୀୟ ରାଷ୍ଟ୍ରୀୟ ଏକଲ ଖେଳକୁଦ ସମାରୋହର ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦାନ କରି କହିଛନ୍ତି।
ମୁଖ୍ୟମନ୍ତ୍ରୀ ନିଜ ବକ୍ତବ୍ୟରେ ସ୍ୱାମୀ ବିବେକାନନ୍ଦଙ୍କ ଉଦାହରଣ ଦେଇ କହିଥିଲେଯେ, ଯଦି ବନବାସୀ ବାଳକ ବିଦ୍ୟାଳୟ ଯାଇପାରୁନାହିଁ ତେବେ ବିଦ୍ୟାଳୟକୁ ତା ଦ୍ୱାରକୁ ନେବାକୁ ହେବ । ସ୍ୱାମୀ ବିବେକାନନ୍ଦଙ୍କ ଏହି ବାଣୀକୁ ସାକାର କରିଛି ଏକଲ ବିଦ୍ୟାଳୟ । ଶିକ୍ଷାଦାନ କ୍ଷେତ୍ରରେ ଏହାର ସୁନାମ ରହିଛି । ଏକ ସୁ-ପରିଣାମକାରୀ ଯୋଜନା ଭାବେ ସମଗ୍ର ଦେଶରେ ପାଖାପାଖି ଏକଲକ୍ଷ ବନବାସୀ ଗ୍ରାମରେ ଏହି ଯୋଜନା ମାଧ୍ୟମରେ ଶିକ୍ଷାଦାନ ସହିତ ବିଭିନ୍ନ କାର୍ଯ୍ୟ ଚାଲିଛି ।
ସେ କହିଥିଲେଯେ ଆମ ଓଡ଼ିଶାରେ ୪୫୦୦ ଏକଲ ବିଦ୍ୟାଳୟ ସଞ୍ଚାଳିତ ହେଉଛି । ପ୍ରାଥମିକ ଶିକ୍ଷା ସହିତ ଆରୋଗ୍ୟ, ଗ୍ରାମ ବିକାଶ, ସ୍ୱାଭିମାନ ଜାଗରଣ ତଥା ସଂସ୍କାର ଶିକ୍ଷା ଏଭଳି ପଞ୍ଚମୁଖୀ ଶିକ୍ଷା ମାଧ୍ୟମରେ ଗ୍ରାମାଞ୍ଚଳର ସର୍ବାଙ୍ଗୀନ ବିକାଶ ପାଇଁ ଏହା କାର୍ଯ୍ୟ କରୁଛି । ଶାରୀରିକ କ୍ଷମତାର ବିକାଶ ପାଇଁ ଏକଲ ଅଭିଯାନ ଅଭ୍ୟୁଦୟ ୟୁଥ୍ କ୍ଲବ ମାଧ୍ୟମରେ ଗ୍ରାମାଞ୍ଚଳରେ ଲୁଚିରହିଥିବା ପ୍ରତିଭାର ଅନ୍ୱେଷଣ କରି ଗ୍ରାମସ୍ତରରୁ ରାଷ୍ଟ୍ରୀୟ ସ୍ତର ପର୍ଯ୍ୟନ୍ତ ବିଭିନ୍ନ ପ୍ରକାର ଖେଳକୁଦରେ ଭାଗ ନେବାର ସୁଯୋଗ ପ୍ରଦାନ କରୁଛି ।
ଆଗାମୀ ଦିନରେ ବନବାସୀ ଖେଳାଳୀଙ୍କୁ ଗ୍ରାମୀଣ ସ୍ତରରୁ ବାଛି ଅଲମ୍ପିକ ପର୍ଯ୍ୟନ୍ତ ପହଞ୍ଚାଇବା ପାଇଁ ଏକଲ ଅଭିଯାନର ପ୍ରୟାସ ରହିଛି । ଏଭଳି ମହତ ପ୍ରୟାସ ପାଇଁ ଆଜି ସାରା ଦେଶରେ ବନବାସୀ କ୍ଷେତ୍ରରେ ଏକଲ ଅଭିଯାନର ଉପସ୍ଥିତି ଅନୁଭବ କରିହେଉଛି । ଯଶସ୍ୱୀ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦିଜୀ ଭାରତକୁ କ୍ରୀଡ଼ାକ୍ଷେତ୍ରରେ ଏକ ଅଗ୍ରଣୀ ରାଷ୍ଟ୍ର ଭାବେ ଗଢ଼ି ତୋଳିବାର ସ୍ୱପ୍ନ ଦେଖିଛନ୍ତି । ମୋଜୀଜୀଙ୍କ ଏହି ସ୍ୱପ୍ନକୁ ସାକାର କରିବା ପାଇଁ ଆମ ସରକାର ସଦାସର୍ବଦା ଚେଷ୍ଟାରତ ଅଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।
ସେ ପୁଣି କହିଥିଲେଯେ, ଓଡ଼ିଶାରେ ଆମ ନୂଆ ସରକାର ଆସିବା ପରେ କ୍ରୀଡ଼ା ଓ କ୍ରୀଡ଼ାବିତମାନଙ୍କ ସାମଗ୍ରୀକ ବିକାଶ ସହିତ ତୃଣମୂଳ ସ୍ତରରେ କ୍ରୀଡ଼ା ପ୍ରତିଭାର ବିକାଶ ପାଇଁ ପ୍ରତିବଦ୍ଧତାର ସହ କାର୍ଯ୍ୟ କରୁଛି। ତୃଣମୂଳ ସ୍ତରରୁ କ୍ରୀଡ଼ାପ୍ରତିଭାମାନଙ୍କୁ ଚୟନ କରାଯାଇ ସେମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ ଦ୍ୱାରା ସଶକ୍ତ କରାଇବା ଏବଂ କ୍ରୀଡ଼ାବିତମାନଙ୍କ ସାମଗ୍ରୀକ ବିକାଶ ଦିଗରେ କାର୍ଯ୍ୟ କରିବା ପାଇଁ ଆମ ସରକାରଙ୍କ ପକ୍ଷରୁ ସି.ଏମ୍. ଟ୍ରଫି ଚାମ୍ପିନସିପ୍ ପ୍ରତିଯୋଗିତା ଭଳି କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି । କ୍ରୀଡ଼ା କ୍ଷେତ୍ରରେ ବିକାଶ ଆଣିବା ଓ କ୍ରୀଡ଼ାବିତମାନଙ୍କୁ ଉଚ୍ଚକୋଟୀର ପ୍ରଶିକ୍ଷଣ ପ୍ରଦାନ କରିବାକୁ ଆମେ ଗୁରୁତ୍ୱ ଦେଉଛୁ ।
ରାଜ୍ୟର ଉଦୀୟମାନ କ୍ରୀଡ଼ାବିତ୍ମାନଙ୍କୁ ପ୍ରୋତ୍ସାହିତ କରିବା ପାଇଁ ଆମେ ‘ଖେଳ ରତ୍ନ ଖୋଜା ଅଭିଯାନ’ ଆରମ୍ଭ କରିବା ପାଇଁ ନିଷ୍ପତ୍ତି ନେଇଛୁ । ଚଳିତ ବର୍ଷ କେବଳ କ୍ରୀଡ଼ା ଓ ଯୁବସେବା କ୍ଷେତ୍ରରେ ବଜେଟରେ ୧୩୧୫ କୋଟି ଟଙ୍କାର ବ୍ୟୟ ବରାଦର ବ୍ୟବସ୍ଥା ରହିଛି । ଗ୍ରାମାଞ୍ଚଳରେ କ୍ରୀଡ଼ା ଭିତ୍ତିଭୂମିର ବ୍ୟାପକ ବିକାଶ କରାଯିବ । ତୃଣମୂଳ ସ୍ତରରେ ମିନି ଷ୍ଟାଡିଅମ୍ ଗୁଡ଼ିକୁ ସକ୍ରିୟ କରାଯିବା ସହିତ ଜିଲ୍ଲାସ୍ତରୀୟ କ୍ରୀଡ଼ା ଏକାଡେମୀ ପ୍ରତିଷ୍ଠା କରାଯିବ । ରାଜ୍ୟର ୪ଟି ଜୋନ୍ରେ ଅତ୍ୟାଧୁନିକ କ୍ରୀଡ଼ା ଏକାଡେମୀ ପ୍ରତିଷ୍ଠା କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।
ଏଥି ସହିତ ତୃଣମୂଳ ସ୍ତରରେ କ୍ରୀଡ଼ା ଭିତ୍ତିଭୂମିକୁ ସୁଦୃଢ଼ କରିବା ଉଦ୍ଦେଶ୍ୟ ବିଷୟରେ ଆଲୋକପାତ କରି ସେ କହିଥିଲେଯେ ପ୍ରତ୍ୟେକ ଜିଲ୍ଲାର ଲୋକପ୍ରିୟ କ୍ରୀଡ଼ାଗୁଡ଼ିକୁ ପ୍ରୋତ୍ସାହିତ ମଧ୍ୟ କରାଯିବ । ଏହି କାର୍ଯ୍ୟକ୍ରମରେ କ୍ରୀଡା ଓ ଯୁବସେବା ତଥା ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୁରଜ ଏବଂ ଏକାମ୍ର ଭୁବନେଶ୍ୱର ବିଧାୟକ ଶ୍ରୀ ବାବୁ ସିଂହ ଯୋଗ ଦେଇ ଏକଲ ରାଷ୍ଟ୍ରୀୟ ଖେଳକୁଦ ପ୍ରତିଯୋଗିତାର ସମସ୍ତ ପ୍ରତିଯୋଗୀ ମାନଙ୍କୁ ଉତ୍ସାହିତ କରିବା ସହିତ ପୁରସ୍କାର ମଧ୍ୟ ପ୍ରଦାନ କରିଥିଲେ । ସୂଚନା ଥାଉକି ଭୁବନେଶ୍ୱରରେ ଆୟୋଜିତ ଏହି ତୃତୀୟ ରାଷ୍ଟ୍ରୀୟ ଖେଳକୁଦ ପ୍ରତିଯୋଗିତାରେ ଏକଲ ଅଭିଯାନ ଅଭ୍ୟୁଦୟ କ୍ଲବ ମାଧ୍ୟମରେ ସମଗ୍ର ଦେଶରୁ ପ୍ରାୟ ୧୧୦୦ ଜଣ ଖେଳାଳୀ ଭାଗ ନେଇଥିଲେ । ସେମାନଙ୍କ ମଧ୍ୟରେ ୬୦୦ ଜଣ ବାଳକ ଓ ୪୯୫ ଜଣ ବାଳିକା ଏହି ପ୍ରତିଯୋଗିତାରେ ଭାଗ ନେଇଥିଲେ ।
previous article:https://purvapaksa.com/what-does-delhi-election-result-implies-to-regional-parties/
