MSME: ପ୍ରତିଷ୍ଠା ହୋଇଥିବା କ୍ଷୁଦ୍ର ଶିଳ୍ପସଂସ୍ଥା ମଧ୍ୟରୁ ସାଢ଼େ ୩ହଜାର ଶିଳ୍ପସଂସ୍ଥା କାର୍ଯ୍ୟକ୍ଷମ ଥିବାବେଳେ ହଜାରେରୁ ଅଧିକ ବନ୍ଦ ହୋଇଗଲାଣି। ୪ଶହରୁ ଅଧିକ ଶିଳ୍ପସଂସ୍ଥା ସେମାନଙ୍କୁ ଲିଜ୍ ସୂତ୍ରରେ ମିଳିଥିବା ଜମିକୁ ଅନ୍ୟ ଅଣଶିଳ୍ପ କାର୍ଯ୍ୟରେ ବ୍ୟବହାର କରିଛନ୍ତି।
ରାଜ୍ୟର ଆର୍ଥିକ ସ୍ଥିତିକୁ ବଢ଼ାଇବା ପାଇଁ ରାଜ୍ୟ ସରକାର ନୂଆ ନୂଆ ଶିଳ୍ପ ପ୍ରତିଷ୍ଠା ଉଦ୍ଦେଶ୍ୟରେ ଅନୁକୂଳ ବାତାବରଣ ସୃଷ୍ଟି କରୁଛନ୍ତି। ଏଥିପାଇଁ ଅଗ୍ରାଧିକାର ଭିତ୍ତିରେ ଉତ୍କର୍ଷ ଓଡ଼ିଶା ମେଳା ମାଧ୍ୟମରେ ଏମଓୟୁ କରୁଛନ୍ତି। କିନ୍ତୁ ଏହି ବୃହତ୍ ଶିଳ୍ପକୁ ସହାୟକ ହେଉଥିବା ତଥା ନିଯୁକ୍ତି ସୃଷ୍ଟି କରୁଥିବା ଛୋଟ ଛୋଟ ଶିଳ୍ପ ସଂସ୍ଥା ମଧ୍ୟରୁ ହଜାରେରୁ ଅଧିକ ସରକାରୀ ଅବହେଳାରୁ ବନ୍ଦ ହୋଇଯାଇଛି। ଯାହାଫଳରେ ୪ଶହରୁ ଅଧିକ ଶିଳ୍ପସଂସ୍ଥା ସେମାନଙ୍କୁ ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯାଇଥିବା ଜମିକୁ ଅନ୍ୟ କାର୍ଯ୍ୟରେ ଲଗାଇ ଦେଇଥିବା ସୂଚନା ମିଳିଛି।
ରାଜ୍ୟରେ ଏବେ ଉତ୍କର୍ଷ ଓଡିଶା ଶିଳ୍ପ ମହାକୁମ୍ଭ ଚାଲିଥିବାବେଳେ ବଡ଼ ବଡ଼ ଶିଳ୍ପ ସହିତ ଛୋଟ ଛୋଟ ଶିଳ୍ପ ବିଶେଷକରି ଏମଏସଏମଇ ଉପରେ ସରକାର ଗୁରୁତ୍ୱ ଦେଉଛନ୍ତି। କାରଣ ଏହା ଜରିଆରେ ହିଁ ରାଜ୍ୟରେ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ତେବେ ପୂର୍ବରୁ ଯେଉଁସବୁ ଏମଏସଏମଇ ପ୍ରତିଷ୍ଠା ହୋଇଥିଲା ସେଥି ମଧ୍ୟରୁ ୧୦୪୨ଟି ବନ୍ଦ ହୋଇଯାଇଥିବା ସରକାରୀ ସୂଚନାରୁ ଜଣାଯାଇଛି।
ମିଳିଥିବା ସୂଚନା ଅନୁଯାୟୀ ରାଜ୍ୟର ୧୩୫ଟି ଶିଳ୍ପାଞ୍ଚଳରେ ଏମଏସଏମଇ ପାଇଁ ୧୨,୮୦୮ ଏକର ପରିମିତ ଜମି ରହିଛି। ଏଥି ମଧ୍ୟରୁ ୬୫୦୪ଟି ଛୋଟ ଛୋଟ ଶିଳ୍ପସଂସ୍ଥାଙ୍କୁ ୭ହଜାର ଏକର ଜମି ଯୋଗାଇ ଦିଆଯାଇଛି। ଏହିସବୁ ଜମି ଏମଏସଏମଇଗୁଡ଼ିକୁ ଲିଜ୍ ସୂତ୍ରରେ ସରକାର ଯୋଗାଇ ଦେଇଛନ୍ତି। ତେବେ ପ୍ରତିଷ୍ଠା ହୋଇଥିବା କ୍ଷୁଦ୍ର ଶିଳ୍ପସଂସ୍ଥା ମଧ୍ୟରୁ ସାଢ଼େ ୩ହଜାର ଶିଳ୍ପସଂସ୍ଥା କାର୍ଯ୍ୟକ୍ଷମ ଥିବାବେଳେ ହଜାରେରୁ ଅଧିକ ବନ୍ଦ ହୋଇଗଲାଣି। ୪ଶହରୁ ଅଧିକ ଶିଳ୍ପସଂସ୍ଥା ସେମାନଙ୍କୁ ଲିଜ୍ ସୂତ୍ରରେ ମିଳିଥିବା ଜମିକୁ ଅନ୍ୟ ଅଣଶିଳ୍ପ କାର୍ଯ୍ୟରେ ବ୍ୟବହାର କରିଛନ୍ତି। ତେବେ ପାଖାପାଖି ୬ଶହ ଶିଳ୍ପସଂସ୍ଥା କୌଣସି ଉତ୍ପାଦନ ନ କରି ଏକ ପ୍ରକାର ଅଚଳ ସ୍ଥିତିରେ ରହିଛନ୍ତି।
ଶିଳ୍ପାଞ୍ଚଳଗୁଡ଼ିକରେ ଯୋଗାଇଥିବା ଜମିକୁ ଶିଳ୍ପସଂସ୍ଥାମାନେ ଅନ୍ୟ କାର୍ଯ୍ୟରେ ବ୍ୟବହାର କରୁଥିଲେ ତାହାର ଲିଜ୍ ବାତିଲ ପାଇଁ ଇଡକୋ କର୍ତ୍ତୃପକ୍ଷ ପଦକ୍ଷେପ ନେଉଛନ୍ତି। ଏଥିପାଇଁ ମାମଲା ରୁଜୁ ହେଉଥିଲେ ବି ତାହାର ସେଭଳି କୌଣସି ଫରକ୍ ପଡ଼ୁନାହିଁ। ରାଜଧାନୀ ମଧ୍ୟରେ ଥିବା ମଞ୍ଚେଶ୍ୱର ଓ ଚନ୍ଦକା ଶିଳ୍ପାଞ୍ଚଳରେ ଶିଳ୍ପ ବଦଳରେ ଅଣଶିଳ୍ପ ସଂଖ୍ୟା ଅଧିକ। ଏଠାରେ ଏକାଧିକ ଶିକ୍ଷାନୁଷ୍ଠାନ ସହିତ ଗାଡ଼ି ସୋରୁମ୍ମାନ ଗଢ଼ି ଉଠିଛି ।
ତେବେ ଏଠାରେ ଜମି ମୂଲ୍ୟ ସହିତ ଘରଭଡ଼ା ଆକାଶଛୁଆଁ ହୋଇଥିବାରୁ ଶିଳ୍ପ ପ୍ରତିଷ୍ଠାପାଇଁ ଦିଆଯାଇଥିବା ଜମି ଉପରେ ଘର ତିଆରି କରି ଲୋକେ ଭଡ଼ାରେ ଲଗାଇ ଦେଇଛନ୍ତି। ଧର୍ମକୁ ଆଖିଠାର ମାରିଲା ଭଳି ଘର ଆଗରେ ଶିଳ୍ପସଂସ୍ଥାର ନାଁ ଲେଖି ଫଳକଟିଏ ଟଙ୍ଗାଇ ଦେଉଛନ୍ତି।
ବର୍ତ୍ତମାନ ରାଜ୍ୟ ସରକାର ଉତ୍କର୍ଷ ଓଡ଼ିଶାରେ ଶିଳ୍ପ ପ୍ରତିଷ୍ଠା ଉପରେ ବିଶେଷକରି ଏମଏସଏମଇ ଉପରେ ସର୍ବାଧିକ ଗୁରୁତ୍ୱ ଦେଉଥିବାରୁ ତୁରନ୍ତ ବନ୍ଦ ହୋଇ ପଡ଼ିଥିବା ଏମଏସଏମଇ ଓ ଅନ୍ୟ କାର୍ଯ୍ୟରେ ବ୍ୟବହାର ହୋଇଥିବା ଶିଳ୍ପସଂସ୍ଥାରୁ ଜମିର ଲିଜ୍ ବାତିଲ କରି ତାହାକୁ ଯୁବ ଉଦ୍ୟୋଗୀମାନଙ୍କୁ ଯୋଗାଇ ଦେବାକୁ ମତପ୍ରକାଶ ପାଉଛି।
ଇଡ୍କୋ କର୍ତ୍ତୃପକ୍ଷ ଏ ଦିଗରେ ତ୍ୱରିତ ପଦକ୍ଷେପ ନେବା ସହିତ ସମସ୍ତ ଶିଳ୍ପସଂସ୍ଥାର ସ୍ଥିତାବସ୍ଥା ଜାରି କରିବାକୁ ଉଦ୍ୟୋଗୀମାନେ ମତ ଦେଉଛନ୍ତି। କାରଣ ରାଜଧାନୀ ଆଖପାଖରେ ଥିବା ଶିଳ୍ପାଞ୍ଚଳରେ ନିଜ ନିଜର ଉଦ୍ୟୋଗ ବା ଷ୍ଟାର୍ଟ ଅପ୍ ପ୍ରତିଷ୍ଠା ପାଇଁ ଯୁବ ଉଦ୍ୟୋଗୀମାନେ ଯେଭଳି ଆଗ୍ରହ ପ୍ରକାଶ କରୁଛନ୍ତି ତାହା ଅନ୍ୟ ସ୍ଥାନମାନଙ୍କରେ ଲକ୍ଷ୍ୟ କରାଯାଉନାହିଁ।
