What is Budget for Education in India: କେନ୍ଦ୍ର ବଜେଟ୍ ୨୦୨୫ରେ ଶିକ୍ଷା ଓ ନିଯୁକ୍ତି ପାଇଁ କ’ଣ ମିଳିପାରିବ? ଏହାକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା। ବର୍ଷ ବର୍ଷ ଧରି ଭାରତରେ ଶିକ୍ଷା, ଚାକିରି, ଛାତ୍ରଛାତ୍ରୀଙ୍କୁ କ’ଣ ଦିଆଯାଇଛି ତାହା ଏହି ଲେଖାରେ ବର୍ଣ୍ଣନା କରାଯାଇଛି। କ’ଣ କହୁଛନ୍ତି ବିଶେଷଜ୍ଞ?
- ଫେବ୍ରୁଆରି ୧ରେ ଉପସ୍ଥାପିତ ହେବ ୨୦୨୫-୨୬ ଆର୍ଥିକ ବର୍ଷର ବଜେଟ।.
- ବଜେଟରେ ଛାତ୍ରଛାତ୍ରୀଶିକ୍ଷା ପାଇଁ କ’ଣ ଆଶା କରିପାରିବେ?
- ଗତବର୍ଷର ଶିକ୍ଷା ବଜେଟରେ କ’ଣ ଥିଲା?
ଶିକ୍ଷା, ଦକ୍ଷତା ବିକାଶ ଓ ରୋଜଗାର ଯେକୌଣସି ସରକାରଙ୍କ ବଜେଟର ପ୍ରାଥମିକତା ମଧ୍ୟରେ ରହିଥାଏ। ମୋଦି ସରକାର ୩.୦ର ପ୍ରଥମ ବଜେଟରେ ଦକ୍ଷତା ପ୍ରଶିକ୍ଷଣ, ଇଣ୍ଟର୍ଣ୍ଣସିପ୍, ମାନୁଫାକ୍ଚରିଂ କ୍ଷେତ୍ରରେ ଅତିରିକ୍ତ ନିଯୁକ୍ତି ସୁଯୋଗ ପ୍ରଦାନ ପାଇଁ ନୂଆ ପଦକ୍ଷେପ ନିଆଯାଇଛି। ଛାତ୍ରଛାତ୍ରୀଙ୍କ ପାଇଁ ଋଣ ସୁବିଧାକୁ ସହଜ କରିବା ପାଇଁ ଘୋଷଣା କରାଯାଇଥିଲା। ଏଥିମଧ୍ୟରୁ ଅନେକ ଯୋଜନା ଟ୍ରାକରେ ଥିବାବେଳେ ଅନେକ ପାଇପ୍ ଲାଇନରେ ରହିଛି। ଏବେ ୨୦୨୫ ବଜେଟର ପାଳି। ନିର୍ମଳାଙ୍କ ପେଡ଼ିରେ ଛାତ୍ରଛାତ୍ରୀଙ୍କ ପାଇଁ କ’ଣ ରହିଛି ତାହା ଦେଖିବାକୁ ବାକି ରହିଲା। ତେବେ ଆଶା କରାଯାଉଛି ଯେ,ଶିକ୍ଷା ଋଣ ଉପଲବ୍ଧତାକୁ ସହଜ କରିବେ ଅର୍ଥମନ୍ତ୍ରୀ।
କେତେ ରହିଛି ଶିକ୍ଷା ବଜେଟ?
ବର୍ଷ | ୨୦୨୪ | ୨୦୨୩ | ୨୦୨୨ |
ଶିକ୍ଷା ବଜେଟ୍ | ୧୨୧୧୧୭.୭୭ କୋଟି | ୧୧୨୮୯୯.୪୭ କୋଟି | ୧୦୪୨୭୭.୭୨ କୋଟି |
ବିଦ୍ୟାଳୟଶିକ୍ଷା ବଜେଟ୍ | ୭୩୦.୦୮ କୋଟି | ୬୮୮୦୪.୮୫ କୋଟି | ୬୩୪୪୯.୩୭ କୋଟି |
ଉଚ୍ଚଶିକ୍ଷା ବଜେଟ୍ | ୪୭୬୧୯ କୋଟି | ୪୪,୦୯୪.୬୨ କୋଟି | ୪୦୮୨୮.୩୫ କୋଟି |
ପିଏମ୍ ବିଦ୍ୟାଲକ୍ଷ୍ମୀ ଯୋଜନାରୁ ଛାତ୍ର ଋଣ
କେନ୍ଦ୍ର ବଜେଟ ୨୦୨୪ରେ ଉଚ୍ଚଶିକ୍ଷା ପାଇଁ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ପାଇଁ ଆର୍ଥିକ ସହାୟତା ଘୋଷଣା କରାଯାଇଥିଲା। ୬ ନଭେମ୍ବର ୨୦୨୪ରେ ଏହି ଯୋଜନାକୁ କ୍ୟାବିନେଟ ଅନୁମୋଦନ କରିଛି ଏବଂ ଏହି ଯୋଜନା ପାଇଁ ଏକ ନୂତନ ପୋର୍ଟାଲ ମଧ୍ୟ ପ୍ରସ୍ତୁତ କରାଯାଇଛି। ନୂଆ କେନ୍ଦ୍ରୀୟ ଯୋଜନା ‘ପିଏମ୍ ବିଦ୍ୟାଲକ୍ଷ୍ମୀ’ରେ ଶିକ୍ଷା ଋଣ ଉପରେ କୌଣସି ଉଚ୍ଚ ସୀମା ନାହିଁ। ଋଣ ଉପରେ ଦିଆଯାଇଥିବା ସୁଧ ଉପରେ ରିହାତି ବାବଦରେ ଏଥିପାଇଁ ୧୦ ଲକ୍ଷ ଟଙ୍କାର ସର୍ବୋଚ୍ଚ ସୀମା ଧାର୍ଯ୍ୟ କରାଯାଇଛି।
୧ ଲକ୍ଷ ପ୍ରତିଭାବାନ ଛାତ୍ରଛାତ୍ରୀଙ୍କୁ ସୁଧ ରିହାତିର ଲାଭ ମିଳିବ। ବିନା ଗ୍ୟାରେଣ୍ଟରରେ ଛାତ୍ରଛାତ୍ରୀଙ୍କୁ ଶିକ୍ଷା ଋଣ ମିଳିବ ଏବଂ ୧ ଲକ୍ଷ ଟଙ୍କା, ୧୦ ଲକ୍ଷ ଟଙ୍କା କିମ୍ବା ତା’ଠାରୁ ଅଧିକ ଋଣ ନେଲେ ବି ଛାତ୍ରଛାତ୍ରୀଙ୍କୁ କିଛି ପ୍ରତିଶ୍ରୁତି ଦେବାକୁ ପଡ଼ିବ ନାହିଁ। ପ୍ରତିବର୍ଷ ୨୨ ଲକ୍ଷ ଛାତ୍ରଛାତ୍ରୀ ଏହି ଋଣ ପାଇବାକୁ ଯୋଗ୍ୟ ବିବେଚିତ ହେବେ।
ଏକ ରାଷ୍ଟ୍ର ଏକ ସବସ୍କ୍ରିପସନର ଲାଭ
ଗବେଷଣା ଓ ଉଦ୍ଭାବନ ପାଇଁ ଏକ ବ୍ୟବସ୍ଥା ସୃଷ୍ଟି କରିବାର ପ୍ରତିଶ୍ରୁତିକୁ ମଧ୍ୟ ପୂରଣ କରାଯାଉଛି। ଛାତ୍ରଛାତ୍ରୀ, ଶିକ୍ଷକ ଓ ଗବେଷକଙ୍କ ପାଇଁ ସରକାର ନଭେମ୍ବର ୨୦୨୪ରେ ଏକ ନୂଆ କେନ୍ଦ୍ରୀୟ ଯୋଜନା ୱାନ୍ ନେସନ୍ ୱାନ୍ ସବସ୍କ୍ରିପସନ୍ (ଓଏନ୍ଓଏସ୍) କାର୍ଯ୍ୟକାରୀ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଦେଶର ପ୍ରାୟ ୬୩୦୦ ସରକାରୀ ଉଚ୍ଚ ଶିକ୍ଷାନୁଷ୍ଠାନର ୧.୮ କୋଟି ଛାତ୍ରଛାତ୍ରୀ, ଅଧ୍ୟାପକ, ଗବେଷକ ଓ ବୈଜ୍ଞାନିକଙ୍କ ପାଇଁ ଏହା ଏକ ଉତ୍ତମ ନିଷ୍ପତ୍ତି। ଅନ୍ତର୍ଜାତୀୟ ସ୍ତରରେ କ’ଣ ଗବେଷଣା କରାଯାଉଛି ତାହାର ସୂଚନା ମାତ୍ର ଗୋଟିଏ କ୍ଲିକରେ ଉପଲବ୍ଧ ହେବ। ଏହି ନୂଆ ଯୋଜନାରେ ବର୍ତ୍ତମାନ ୩୦ ଜଣ ପ୍ରମୁଖ ଅନ୍ତର୍ଜାତୀୟ ଜର୍ଣ୍ଣାଲ ପ୍ରକାଶକ ସାମିଲ ଅଛନ୍ତି, ଯେଉଁମାନେ ଗୁରୁତ୍ୱପୂର୍ଣ୍ଣ ଗବେଷଣା ଜର୍ଣ୍ଣାଲ ପ୍ରକାଶ କରନ୍ତି। ଏଥିପାଇଁ ୬ହଜାର କୋଟି ଟଙ୍କାର ବିପୁଳ ବଜେଟ୍ ରଖାଯାଇଛି।
ଇଣ୍ଟର୍ଣ୍ଣସିପ୍ ଓ ଆଇଟିଆଇ
ଦେଶର ଶ୍ରେଷ୍ଠ ୫୦୦ କମ୍ପାନୀ ମଧ୍ୟରେ ଆଗାମୀ ୫ ବର୍ଷ ମଧ୍ୟରେ ୧୦ ନିୟୁତ ଯୁବକଙ୍କୁ ଇଣ୍ଟର୍ନସିପ୍ ସୁଯୋଗ ଯୋଗାଇ ଦେବାକୁ ସରକାର ପ୍ରତିଶ୍ରୁତି ଦେଇଥିଲେ। ଏଥିରେ ମାସିକ ୫ ହଜାର ଟଙ୍କା ଇଣ୍ଟର୍ନସିପ୍ ଭତ୍ତା ଓ ଏକକାଳୀନ ୬ ହଜାର ଟଙ୍କା ସହାୟତା ପ୍ରଦାନ କରାଯିବ। ଇଣ୍ଟର୍ନସିପ୍ କୁ ନେଇ ୟୁଜିସି ଅନେକ ପଦକ୍ଷେପ ନେଇଥିଲେ ମଧ୍ୟ ଏହି ଯୋଜନା ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ରୂପେ କାର୍ଯ୍ୟକାରୀ ହୋଇପାରିନାହିଁ। ସେହିପରି ୧୦୦୦ ଆଇଟିଆଇ ଅର୍ଥାତ୍ ଶିଳ୍ପ ପ୍ରଶିକ୍ଷଣ ଅନୁଷ୍ଠାନକୁ ଦକ୍ଷତା ଶିକ୍ଷା ପାଇଁ ‘ହବ୍ ଆଣ୍ଡ ସ୍ପୋକ୍ ମଡେଲ୍’ରେ ଉନ୍ନୀତ କରାଯାଇନାହିଁ।
ପିଏଲଏଫଏସ ତଥ୍ୟ ଅନୁଯାୟୀ, ଜୁଲାଇ-ସେପ୍ଟେମ୍ବର ମଧ୍ୟରେ ସହରାଞ୍ଚଳରେ ବେକାରୀ ହାର ୬.୪% ଥିଲା। ବାର୍ଷିକ ପିରିଓଡିକ୍ ଲେବର ଫୋର୍ସ ସର୍ଭେ ଅନୁଯାୟୀ, ୨୦୨୩-୨୪ରେ ବେକାରି ହାର ୩.୨% ଥିଲା। ଗତ ବଜେଟରେ ପିଏମ ଇଣ୍ଟର୍ଣ୍ଣସିପ୍ ଯୋଜନା ଘୋଷଣା କରାଯାଇଥିଲା। ଅକ୍ଟୋବର ୩ତାରିଖରୁ ଏହାର ପାଇଲଟ କାର୍ଯ୍ୟ ଆରମ୍ଭ ହୋଇଥିଲେ ହେଁ ଏପର୍ଯ୍ୟନ୍ତ ଆନୁଷ୍ଠାନିକ ଭାବେ ଆରମ୍ଭ ହୋଇପାରିନାହିଁ। ବଜେଟରେ ଘୋଷଣା କରାଯାଇଥିବା ତିନୋଟି ରୋଜଗାର ସଂଯୁକ୍ତ ପ୍ରୋତ୍ସାହନ ଯୋଜନା ମଧ୍ୟ ଏପର୍ଯ୍ୟନ୍ତ ଆରମ୍ଭ ହୋଇନାହିଁ। ଏଥିପାଇଁ ଶ୍ରମ ମନ୍ତ୍ରାଳୟ କ୍ୟାବିନେଟ୍ ଅନୁମୋଦନକୁ ଅପେକ୍ଷା କରିଛି।
‘ଗ୍ରାଜୁଏସନ୍ ଏବେ ଯଥେଷ୍ଟ ନୁହେଁ, ଦକ୍ଷତା ପାଇଁ ବଜେଟ୍ ଜରୁରୀ‘
ଶିକ୍ଷାବିତ୍ ତଥା ଡିୟୁର କଲେଜର ପୂର୍ବତନ ଅଧ୍ୟକ୍ଷ ଡ. ଏସ୍ କେ ଗର୍ଗ କହନ୍ତି, ଗତ ବଜେଟରେ କେନ୍ଦ୍ର ସରକାର ଯୁବବର୍ଗଙ୍କ ପାଇଁ ଇଣ୍ଟର୍ଣ୍ଣସିପ୍ ଏବଂ ନିଯୁକ୍ତିଯୋଗ୍ୟତା ପାଠ୍ୟକ୍ରମ ସମ୍ପର୍କରେ ଯେଉଁ ଘୋଷଣା କରିଥିଲେ ତାହାକୁ ସମ୍ପୂର୍ଣ୍ଣ ରୂପେ କାର୍ଯ୍ୟକାରୀ କରିବା ପାଇଁ ବଜେଟ ଅଭାବ ରହିବା ଉଚିତ ନୁହେଁ। ଏବେ କେବଳ ଜଣେ ସାଧାରଣ ଗ୍ରାଜୁଏଟ୍ ହେବା ଯଥେଷ୍ଟ ନୁହେଁ। କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଓ ସରକାରୀ ଅନୁଦାନପ୍ରାପ୍ତ ଅନୁଷ୍ଠାନରେ ଦକ୍ଷତାଭିତ୍ତିକ ପାଠ୍ୟକ୍ରମ ଅଧିକ ପଢ଼ାଇବା ଜରୁରୀ। ଏଥିପାଇଁ ସରକାରୀ ସହାୟତା ର ଆବଶ୍ୟକତା ରହିଛି। ଯଦି ଏହି ପାଠ୍ୟକ୍ରମଗୁଡ଼ିକ ସେଲ୍ଫ ଫାଇନାନ୍ସିଂ ମୋଡରେ ପରିଚାଳିତ ହୁଏ, ତେବେ ଫି’ ଅଧିକ ହେବା ସହ ଗରିବ ଛାତ୍ରଛାତ୍ରୀଙ୍କ ପାଇଁ ପାଠ୍ୟକ୍ରମରେ ନାମ ଲେଖାଇବା କଷ୍ଟକର ହୋଇପଡ଼େ।
BUDGET-2025: ରୁଷିଛନ୍ତି ମଧ୍ୟବିତ୍ତ, ବୁଝାଇବାକୁ ବଜେଟରେ ହେବ ଉଦ୍ୟମ?
