- ସୋନମାର୍ଗ ଟନେଲ ଦ୍ୱାରା ଯୋଗାଯୋଗ ଏବଂ ପର୍ଯ୍ୟଟନକୁ ବଡ଼ ପ୍ରୋତ୍ସାହନ ମିଳିବ
- ଏକବିଂଶ ଶତାବ୍ଦୀର ଜମ୍ମୁ-କଶ୍ମୀର ବିକାଶର ନୂଆ ଅଧ୍ୟାୟ ଲେଖୁଛି
- କାଶ୍ମୀର ଦେଶର ମୁକୁଟ, ମୁଁ ଚାହୁଁଛି କାଶ୍ମୀର ଅଧିକ ସୁନ୍ଦର ଓ ସମୃଦ୍ଧ ହେଉ : ପ୍ରଧାନମନ୍ତ୍ରୀ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ଜମ୍ମୁ ଓ କାଶ୍ମୀରରେ ସୋନମାର୍ଗ ଟନେଲକୁ ଉଦଘାଟନ କରିଛନ୍ତି । ଏହି ଅବସରରେ ସମାବେଶକୁ ସମ୍ବୋଧିତ କରି ସେ ଶ୍ରମିକମାନଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ, ଯେଉଁମାନେ ଜମ୍ମୁ-କାଶ୍ମୀର ଓ ଭାରତର ବିକାଶ ପାଇଁ କଠିନ ପରିଶ୍ରମ କରିଛନ୍ତି ଏବଂ ନିଜ ଜୀବନକୁ ବାଜି ଲଗାଇ ଦେଇଛନ୍ତି। ମୋଦି କହିଥିଲେ, ଆହ୍ୱାନ ସତ୍ତ୍ୱେ ଆମର ସଂକଳ୍ପ ଥମିବାର ନାଁ ଧରୁନାହିଁ। ଶ୍ରମିକମାନଙ୍କ ଦୃଢ଼ ସଂକଳ୍ପ ଓ ପ୍ରତିବଦ୍ଧତା ଏବଂ ସମସ୍ତ ବାଧାବିଘ୍ନକୁ ଅତିକ୍ରମ କରି କାର୍ଯ୍ୟ ସମ୍ପନ୍ନ କରିଥିବାରୁ ସେ ତାଙ୍କୁ ପ୍ରଶଂସା କରିଥିଲେ। ୭ ଜଣ ଶ୍ରମିକଙ୍କ ମୃତ୍ୟୁରେ ସେ ଶୋକ ପ୍ରକାଶ କରିଥିଲେ।
କଶ୍ମୀରର ବରଫଘେରା ସୁନ୍ଦର ପର୍ବତ ଏବଂ ଆନନ୍ଦଦାୟକ ପାଣିପାଗକୁ ପ୍ରଶଂସା କରି ସେ କହିଥିଲେ ଯେ ନିକଟରେ ଜମ୍ମୁ-କାଶ୍ମୀର ମୁଖ୍ୟମନ୍ତ୍ରୀ ସୋସିଆଲ ମିଡିଆରେ ସେୟାର କରିଥିବା ଫଟୋ ଦେଖିବା ପରେ ଜମ୍ମୁ-କାଶ୍ମୀର ଗସ୍ତ ପାଇଁ ତାଙ୍କର ଆଗ୍ରହ ବୃଦ୍ଧି ପାଇଛି। ପ୍ରଧାନମନ୍ତ୍ରୀ ତାଙ୍କ ପୁରୁଣା ଦିନଗୁଡ଼ିକୁ ମନେ ପକାଇଥିଲେ, ଯେତେବେଳେ ସେ ତାଙ୍କ ଦଳ ପାଇଁ କାମ କରୁଥିବା ସମୟରେ ବାରମ୍ବାର ଏହି ଅଞ୍ଚଳକୁ ଆସୁଥିଲେ । ସୋନମାର୍ଗ, ଗୁଲମାର୍ଗ, ଗଣ୍ଡରବଲ ଓ ବାରାମୁଲା ଭଳି ଅଞ୍ଚଳରେ ସେ ଅନେକ ସମୟ ବିତାଉଥିବା ବେଳେ ଘଣ୍ଟା ଘଣ୍ଟା ଧରି ଚାଲି ଚାଲି ଅନେକ କିଲୋମିଟର ଦୂରତା ଅତିକ୍ରମ କରୁଥିଲେ। ପ୍ରବଳ ତୁଷାରପାତ ସତ୍ତ୍ୱେ ଜମ୍ମୁ-କାଶ୍ମୀରବାସୀଙ୍କ ଉଷ୍ମତା ଥଣ୍ଡା ଅନୁଭବ ହେବାକୁ ଦେଇନଥିଲା ବୋଲି ସେ କହିଛନ୍ତି।
ଆଜିର ଦିନକୁ ସ୍ୱତନ୍ତ୍ର ବୋଲି ବର୍ଣ୍ଣନା କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ସମଗ୍ର ଦେଶରେ ଉତ୍ସବର ବାତାବରଣ ରହିଛି । ପ୍ରୟାଗରାଜରେ ମହାକୁମ୍ଭ ଆରମ୍ଭ ହୋଇଥିବା କଥା ଉଲ୍ଲେଖକରି ସେ କହିଥିଲେ ଯେ ପବିତ୍ର ସ୍ନାନ ପାଇଁ ଲକ୍ଷ ଲକ୍ଷ ଲୋକ ସେଠାରେ ଏକାଠି ହେଉଛନ୍ତି। ପ୍ରଧାନମନ୍ତ୍ରୀ ପଞ୍ଜାବ ଏବଂ ଉତ୍ତର ଭାରତର ଅନ୍ୟାନ୍ୟ ସ୍ଥାନରେ ଲୋହରୀ ପର୍ବ ସହିତ ଉତ୍ତରାୟଣ, ମକର ସଂକ୍ରାନ୍ତି ଏବଂ ପୋଙ୍ଗଲ ଭଳି ପର୍ବ ବିଷୟରେ ମଧ୍ୟ ଉଲ୍ଲେଖ କରିଥିଲେ । ଏହି ପର୍ବ ପାଳନ କରୁଥିବା ସମସ୍ତଙ୍କୁ ସେ ଶୁଭେଚ୍ଛା ଜଣାଇଥିଲେ। ପ୍ରଧାନମନ୍ତ୍ରୀ ଘାଟିରେ ‘ଚିଲ୍ଲାଇକଲାଁ’ର ୪୦ ଦିନର ଆହ୍ୱାନପୂର୍ଣ୍ଣ ଅବଧିକୁ ସ୍ୱୀକାର କରିଥିଲେ ଏବଂ ଲୋକଙ୍କ ଦୃଢ଼ତାକୁ ପ୍ରଶଂସା କରିଥିଲେ । ଏହି ଋତୁ ସୋନମାର୍ଗ ଭଳି ପର୍ଯ୍ୟଟନସ୍ଥଳୀ ପାଇଁ ନୂଆ ସୁଯୋଗ ଆଣିଛି, ଯାହା ସାରା ଦେଶରୁ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିଥାଏ ଏବଂ ଯେଉଁମାନେ କାଶ୍ମୀରବାସୀଙ୍କ ଆତିଥେୟତା ଉପଭୋଗ କରନ୍ତି ବୋଲି ସେ କହିଥିଲେ।
ପ୍ରଧାନମନ୍ତ୍ରୀ ନିକଟରେ ଜମ୍ମୁ ରେଳ ଡିଭିଜନର ଶିଳାନ୍ୟାସ କଥା ଉଲ୍ଲେଖ କରି ଲୋକଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଉପହାର ଘୋଷଣା କରିଥିଲେ । ଏହା ଲୋକଙ୍କ ଦୀର୍ଘଦିନର ଦାବି ଥିଲା ବୋଲି ସେ କହିଥିଲେ। ସୋନମାର୍ଗ ଟନେଲର ଉଦଘାଟନ ଦ୍ବାରା ଜମ୍ମୁ-କାଶ୍ମୀର ଏବଂ ଲଦାଖର ଲୋକଙ୍କ ଦୀର୍ଘ ଦିନର ଦାବି ପୂରଣ ହୋଇଥିବା ଘୋଷଣା କରି ମୋଦି କହିଥିଲେ ଯେ ଏହି ସୁଡ଼ଙ୍ଗ ନିର୍ମାଣ ଦ୍ୱାରା ସୋନମାର୍ଗ, କାର୍ଗିଲ ଏବଂ ଲେହର ଲୋକଙ୍କ ଜୀବନ ଅଧିକ ସହଜ ହେବ । ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏହି ଟନେଲ ହିମସ୍ଖଳନ, ପ୍ରବଳ ତୁଷାରପାତ ଏବଂ ଭୂସ୍ଖଳନ ସମୟରେ ଦେଉଥିବା ସମସ୍ୟାକୁ ହ୍ରାସ କରିବ, ଯେଉଁ କାରଣରୁ ଅନେକ ସମୟରେ ରାସ୍ତା ବନ୍ଦ ରହିଥାଏ । ସେ ଗୁରୁତ୍ୱାରୋପ କରିଥିଲେ ଯେ ଏହି ଟନେଲ ପ୍ରମୁଖ ଡାକ୍ତରଖାନାଗୁଡିକୁ ଲୋକଙ୍କ ଆଗମନକୁ ସହଜ କରିବ ଏବଂ ଅତ୍ୟାବଶ୍ୟକ ସାମଗ୍ରୀ ଉପଲବ୍ଧତାକୁ ସୁନିଶ୍ଚିତ କରିବ, ଯାହା ଦ୍ୱାରା ବାସିନ୍ଦାମାନେ ସମ୍ମୁଖୀନ ହେଉଥିବା ସମସ୍ୟା କମିବ ।
୨୦୪୭ ସୁଦ୍ଧା ଏକ ବିକଶିତ ରାଷ୍ଟ୍ରରେ ପରିଣତ ହେବା ଦିଗରେ ଭାରତର ଅଗ୍ରଗତି ଉପରେ ଆଲୋକପାତ କରିବା ସହ କୌଣସି ଅଞ୍ଚଳ କିମ୍ବା ପରିବାର ଯେପରି ପଛରେ ନପଡ଼େ ତାଉପରେ ଗୁରୁତ୍ୱାରୋପ କରି ମୋଦି କହିଥିଲେ ଯେ ସରକାର “ସବକା ସାଥ, ସବକା ବିକାଶ”ର ଭାବନା ସହିତ କାର୍ଯ୍ୟ କରୁଛନ୍ତି ଏବଂ ଗତ ୧୦ ବର୍ଷ ମଧ୍ୟରେ ଜମ୍ମୁ-କାଶ୍ମୀର ସମେତ ସମଗ୍ର ଦେଶରେ ୪ କୋଟିରୁ ଅଧିକ ଗରିବ ପରିବାର ପକ୍କା ଘର ପାଇଛନ୍ତି । ଏହା ସହ ଆଗାମୀ ବର୍ଷଗୁଡ଼ିକରେ ଗରିବଙ୍କୁ ଅତିରିକ୍ତ ୩ କୋଟି ନୂଆ ଘର ଯୋଗାଇ ଦିଆଯିବ ବୋଲି ସେ ଘୋଷଣା କରିଥିଲେ। ପ୍ରଧାନମନ୍ତ୍ରୀ କହିଥିଲେ ଯେ ଭାରତରେ ଲକ୍ଷ ଲକ୍ଷ ଲୋକ ମାଗଣା ଚିକିତ୍ସା ଉପଭୋଗ କରୁଛନ୍ତି, ଯାହା ଜମ୍ମୁ-କାଶ୍ମୀରର ଲୋକମାନଙ୍କୁ ମଧ୍ୟ ଉପକୃତ କରୁଛି । ଯୁବପିଢ଼ିଙ୍କ ଶିକ୍ଷାକୁ ସମର୍ଥନ କରିବା ପାଇଁ ସାରା ଦେଶରେ ନୂତନ ଆଇଆଇଟି, ଆଇଆଇଏମ୍, ଏମ୍ସ, ମେଡିକାଲ କଲେଜ, ନର୍ସିଂ କଲେଜ ଏବଂ ପଲିଟେକ୍ନିକ୍ କଲେଜ ପ୍ରତିଷ୍ଠା କରାଯାଉଛି ବୋଲି ସେ ଆଲୋକପାତ କରିଥିଲେ। ଗତ ଏକ ଦଶନ୍ଧି ମଧ୍ୟରେ ଜମ୍ମୁ-କାଶ୍ମୀରରେ ଅନେକ ଶୀର୍ଷସ୍ତରୀୟ ଶିକ୍ଷାନୁଷ୍ଠାନ ପ୍ରତିଷ୍ଠା ହୋଇଛି, ଯାହା ସ୍ଥାନୀୟ ଯୁବକମାନଙ୍କୁ ବହୁତ ଉପକୃତ କରୁଛି ବୋଲି ସେ କହିଥିଲେ।
ଜମ୍ମୁ-କାଶ୍ମୀରରୁ ଅରୁଣାଚଳ ପ୍ରଦେଶ ପର୍ଯ୍ୟନ୍ତ ବ୍ୟାପକ ଭିତ୍ତିଭୂମିର ବିକାଶ ଉପରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଜମ୍ମୁ-କାଶ୍ମୀର ସୁଡ଼ଙ୍ଗ, ଉଚ୍ଚ ପୋଲ ଏବଂ ରୋପୱେର ହବ୍ ପାଲଟିଛି । ବିଶ୍ୱର କେତେକ ସର୍ବୋଚ୍ଚ ଟନେଲ ଏବଂ ସର୍ବୋଚ୍ଚ ରେଳ-ସଡ଼କ ସେତୁ ଏଠାରେ ନିର୍ମାଣ କରାଯାଉଛି । ପ୍ରଧାନମନ୍ତ୍ରୀ ଚେନାବ ସେତୁର ଇଞ୍ଜିନିୟରିଂ ଚମତ୍କାର ବିଷୟରେ ଉଲ୍ଲେଖ କରିଥିଲେ, ଯେଉଁଠାରେ ନିକଟରେ ଏକ ଯାତ୍ରୀବାହୀ ଟ୍ରେନର ପରୀକ୍ଷଣ ଶେଷ ହୋଇଛି । କାଶ୍ମୀରରେ ରେଳ ଯୋଗାଯୋଗ ବୃଦ୍ଧି କରୁଥିବା କେବୁଲ ବ୍ରିଜ୍, ଜୋଜିଲା, ଚେନାନି-ନାଶରୀ ଏବଂ ସୋନମର୍ଗ ଟନେଲ ପ୍ରକଳ୍ପ ଏବଂ ଉଧମପୁର-ଶ୍ରୀନଗର-ବାରାମୁଲା ରେଳ ଲିଙ୍କ୍ ପ୍ରକଳ୍ପ ସମେତ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ବିଷୟରେ ସେ ଉଲ୍ଲେଖ କରିଥିଲେ। ଶଙ୍କରାଚାର୍ଯ୍ୟ ମନ୍ଦିର, ଶିବଖୋଡି ଏବଂ ବାଲତାଲ-ଅମରନାଥ ରୋପ୍ ୱେ ସହିତ କଟ୍ରା-ଦିଲ୍ଲୀ ଏକ୍ସପ୍ରେସୱେ ପାଇଁ ମଧ୍ୟ ପ୍ରଧାନମନ୍ତ୍ରୀ ଯୋଜନା ବିଷୟରେ ଉଲ୍ଲେଖ କରିଥିଲେ । ଜମ୍ମୁ-କାଶ୍ମୀରରେ ୪୨,୦୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ସଡ଼କ ସଂଯୋଗ ପ୍ରକଳ୍ପ ଚାଲିଛି, ଯେଉଁଥିରେ ୪ଟି ଜାତୀୟ ରାଜପଥ ପ୍ରକଳ୍ପ ଏବଂ ୨ଟି ରିଙ୍ଗରୋଡ୍ ଅନ୍ତର୍ଭୁକ୍ତ। ପ୍ରଧାନମନ୍ତ୍ରୀ କହିଥିଲେ ଯେ ସୋନମର୍ଗ ଭଳି ୧୪ରୁ ଅଧିକ ସୁଡ଼ଙ୍ଗ ନିର୍ମାଣ କରାଯାଉଛି, ଯାହା ଜମ୍ମୁ-କଶ୍ମୀରକୁ ଦେଶର ଅନ୍ୟତମ ଉତ୍ତମ ସଂଯୋଗ ହୋଇଥିବା ଅଂଚଳରେ ପରିଣତ କରୁଛି ।
ଏକବିଂଶ ଶତାବ୍ଦୀର ଜମ୍ମୁ-କାଶ୍ମୀର ବିକାଶର ଏକ ନୂଆ ଅଧ୍ୟାୟ ଲେଖୁଛି। ଅତୀତର କଠିନ ଦିନଗୁଡ଼ିକୁ ପଛରେ ପକାଇ ଏହି ଅଞ୍ଚଳ ‘ପୃଥିବୀର ସ୍ୱର୍ଗ’ ଭାବରେ ନିଜର ପରିଚୟ ଫେରିପାଇଛି ବୋଲି ସେ କହିଥଲେ। ସେ କହିଥିଲେ ଯେ ବର୍ତ୍ତମାନ ଲୋକମାନେ ରାତିରେ ମଧ୍ୟ ଲାଲ ଛକରେ ଆଇସକ୍ରିମ୍ ର ମଜା ନେଉଛନ୍ତି ଏବଂ ଏହି ଅଞ୍ଚଳ ଚଳଚଞ୍ଚଳ ହୋଇପଡିଛି । ପୋଲୋ ଭ୍ୟୁ ମାର୍କେଟକୁ ଏକ ନୂତନ ହାବିଟାଟ୍ ସେଣ୍ଟରରେ ପରିଣତ କରିଥିବାରୁ ସେ ସ୍ଥାନୀୟ କଳାକାରମାନଙ୍କୁ ପ୍ରଶଂସା କରିଥିଲେ, ଯେଉଁଠାରେ ସଙ୍ଗୀତଜ୍ଞ, କଳାକାର ଏବଂ ଗାୟକମାନେ ପ୍ରାୟତଃ ସେମାନଙ୍କର କଳା ପ୍ରଦର୍ଶନ କରନ୍ତି ।
ନିଜର ଅଭିଭାଷଣ ଶେଷ କରି ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ଆଶ୍ୱାସନା ଦେଇଥିଲେ ଯେ ସେ ସେମାନଙ୍କର ସମସ୍ତ ପ୍ରୟାସରେ ପୂର୍ଣ୍ଣ ସମର୍ଥନ କରିବେ ଏବଂ ଜମ୍ମୁ ଓ କାଶ୍ମୀରର ପ୍ରତ୍ୟେକ ପରିବାରକୁ ସେମାନଙ୍କର ବିକାଶ ମୂଳକ ପ୍ରକଳ୍ପ ପାଇଁ ହାର୍ଦ୍ଦିକ ଅଭିନନ୍ଦନ ଜଣାଇଥିଲେ । ଏହି ଅବସରରେ ଜମ୍ମୁ-କାଶ୍ମୀର ଉପ-ରାଜ୍ୟପାଳ ମନୋଜ ସିହ୍ନା, ଜମ୍ମୁ-କାଶ୍ମୀର ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା, କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତୀନ ଗଡ଼କରୀ, କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ଡ. ଜିତେନ୍ଦ୍ର ସିଂହ, ଅଜୟ ଟମଟା ଏବଂ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଉପସ୍ଥିତ ଥିଲେ।
previous article:https://purvapaksa.com/odisha-top-in-road-accident-and-death/
