ଗଣିବେ ୧.୯୧ କୋଟି ତଣ୍ଡ
ବିଜୁଳି ଚୋରି କରୁଥିଲେ ସାଂସଦ। ଏବେ ଗଣିବେ ୧.୯୧ କୋଟି ଟଙ୍କାର ତଣ୍ଡ। ସାଂସଦଙ୍କ ଘରେ ରହିଛି ଗୋଟିଏ ପରେ ଗୋଟିଏ ଅତ୍ୟାଧୁନିକ ବୈଦୁତିକ ସରଞ୍ଜାମ । ଘରେ ସବୁବେଳେ ଟିଭି, ଏସି, ଫ୍ୟାନ୍, ଲାଇଟ୍ ଜଳୁଛି। ମାତ୍ର ମିଟର ରିଡିଂ ହେଉଛି ଜିରୋ । ଏପରି ଭାବେ ବିଦ୍ୟୁତ୍ ଚୋରି କରିବା ଜଣେ ସମାବବାଦୀ ସାଂସଦଙ୍କୁ ମହଙ୍ଗା ପଡ଼ିଛି। ସପା ସାଂସଦ ଜିୟା ଉର ରେହମାନ ବାରକଙ୍କ ଉପରେ ପଡ଼ିଛି ଜରିମାନା।
ବିଦ୍ୟୁତ ମିଟର ଟାମ୍ପରିଂ ଅଭିଯୋଗରେ ସପା ସାଂସଦ ଜିୟା ଉର ରେହମାନଙ୍କ ଉପରେ ପଡ଼ିଛି ୧ କୋଟି ୯୧ ଲକ୍ଷ ଟଙ୍କାର ଜରିମାନା । ଜଣେ ସାଂସଦ ହୋଇ ଏପରି କାମ କରୁଥିବା ରେହମାନଙ୍କ ଘରର ବିଜୁଳି କାଟି ଦିଆଯାଇଛି। କେବଳ ସେତିକି ନୁହେଁ ରେହମାନଙ୍କ ସମେତ ତାଙ୍କ ବାପାଙ୍କ ନାଁରେ ବି ମାମଲା ରୁଜୁ ହୋଇଛି। ଗୁରୁବାର ସକାଳୁ ପୁଲିସ ଫୋର୍ସ ସହ ବିଦ୍ୟୁତ୍ ବିଭାଗ ଟିମ୍ ସାଂସଦଙ୍କ ଘରେ ପହଞ୍ଚିଥିଲା। ବିଭାଗୀୟ ଅଧିକାରୀ ନୂଆ କରି ଲାଗିଥିବା ସ୍ମାର୍ଟ ମିଟର ରିଡିଂକୁ ଯାଞ୍ଚ କରି ଯାହା ଦେଖିବାକୁ ପାଇଥିଲେ ସେମାନେ ତାଜୁବ ହୋଇ ଯାଇଥିଲେ।
ସାଂସଦଙ୍କ ଘରେ ଲାଗିଥିବା ଦୁଇଟି ମିଟରରେ ଟାମ୍ପରିଂର ପ୍ରମାଣ ମିଳିଥିବା ବେଳେ ଯାଞ୍ଚ ପାଇଁ ଯାଇଥିବା ପୁଲିସ ଓ ବିଦ୍ୟୁତ୍ ବିଭାଗ ଟିମ୍କୁ ସାଂସଦ ଧମକାଇଥିବା ଅଭିଯୋଗ ହୋଇଛି। ଏହାପରେ ସାଂସଦଙ୍କ ନାଁରେ ଧାରା ୨୦୨୩ ମସିହା ଇଲେକଟ୍ରିସିଟି ଆକ୍ଟ ୧୩୫ ଧାରା ଅନୁଯାୟୀ ମାମଲା ରୁଜୁ ହୋଇଛି। କେବଳ ସାଂସଦ ନୁହନ୍ତି ଡ୍ୟୁଟିରେ ଯାଇଥିବା ଅଧିକାରୀଙ୍କୁ ଧମକାଇବା ଅଭିଯୋଗରେ ତାଙ୍କ ବାପା ମାମୁଲୁକୁର ରେହମାନ ବାରକଙ୍କ ନାଁରେ ବି ମାମଲା ରୁଜୁ ହୋଇଛି। ସମ୍ଭାଲ ଆରକ୍ଷୀ ଅଧୀକ୍ଷକ କୃଷ୍ଣ କୁମାର ବିଷ୍ଣୋଇ କହିଛନ୍ତି ଯେ ବିଦ୍ୟୁତ ବିଭାଗର ସନ୍ତୋଷ ତ୍ରିପାଠୀ ବାରକଙ୍କ ବାପାଙ୍କ ଘରକୁ ବିଦ୍ୟୁତ ସରଞ୍ଜାମ ଯାଞ୍ଚ କରିବାକୁ ଯାଇଥିଲେ। ଯାଞ୍ଚ ସମୟରେ ମାମୁଲୁକୁର ରେହମାନ ବାରକ ଇଞ୍ଜିନିୟର ଭିକେ ଗଙ୍ଗଲ ଓ ଅଜୟ କୁମାର ଶର୍ମାଙ୍କୁ ଗାଳିଗୁଲଜ କରିବା ସହ ସରକାରୀ କାର୍ଯ୍ୟରେ ବାଧା ସୃଷ୍ଟି କରି କହିଥିଲେ।
କହିଥିଲେ ସରକାର ବଦଳିଯିବ ଏବଂ ଆମେ ତୁମକୁ ଧ୍ୱଂସ କରିଦେବୁ। ବିଦ୍ୟୁତ ବିଭାଗ ପକ୍ଷରୁ ଏହି ଘଟଣାର ଭିଡିଓ ରେକର୍ଡିଂ କରାଯାଇଛି। ମାମଲୁକୁର ରେହମାନ ବାରକ ଏବଂ ଅନ୍ୟ ଦୁଇ ଜଣ ୱାସିମ ଏବଂ ସଲମାନଙ୍କ ବିରୋଧରେ ନଖାସା ଥାନାରେ ମାମଲା ରୁଜୁ କରାଯାଇଛି ବୋଲି ବିଷ୍ନୋଇ କହିଛନ୍ତି। ସମ୍ଭାରେ ବିଦ୍ୟୁତ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ ବିନୋଦ କୁମାର କହିଛନ୍ତି ଯେ ବାରକଙ୍କ ଘରେ ୨ କିଲୋୱାଟର ଦୁଇଟି ସଂଯୋଗ ଥିଲା। ଗୋଟିଏ ସଂଯୋଗ ତାଙ୍କ ନାମରେ ଥିବା ବେଳେ ଅନ୍ୟଟି ତାଙ୍କ ଜେଜେବାପାଙ୍କ ନାମରେ ପଞ୍ଜୀକୃତ ହୋଇଥିଲା।
ପୂର୍ବରୁ ବିଦ୍ୟୁତ ବିଭାଗ ଅଧିକାରୀ ସାଂସଦଙ୍କ ଘରେ ଲାଗିଥିବା ପୁରୁଣା ମିଟରକୁ ହଟାଇ ତାକୁ ସିଲ୍ କରିଥିଲେ। ତାହାକୁ ଯାଞ୍ଚ ପାଇଁ ଲ୍ୟାବକୁ ପଠା ଯାଇଛି। ଯାଞ୍ଚରୁ ଜଣାପଡ଼ିଥିଲା ସାଂସଦଙ୍କ ଘରର ମିଟର ରିଡିଂ ବର୍ଷ ବର୍ଷ ହେଲା ଜିରୋ ଥିଲା।ଏହାପରେ ତାଙ୍କ ଘରର ବିଦ୍ୟୁତ୍ ମିଟରକୁ ଦୁଇ ଦିନ ତଳେ ବଦଳାଇ ନୂଆ ଲଗାଯାଇଥିଲା। କେବଳ ସେତିକି ନୁହେଁ ସାଂସଦଙ୍କ ଘରେ କେତେ ଇଲେକ୍ଟ୍ରୋନିକ୍ ଉପକରଣ ବ୍ୟବହାର କରାଯାଉଛି ତାହା ଜାଣିବା ପାଇଁ ବିଦ୍ୟୁତ୍ ବିଭାଗ ଟିମ୍ ସାଂସଦଙ୍କ ଘରେ ବ୍ୟବହୃତ ଇଲେକ୍ଟ୍ରୋନିକ୍ ଉପକରଣଗୁଡ଼ିକୁ ଯାଞ୍ଚ କରିଥିଲେ।
ସମ୍ଭଲରେ ମସଜିଦ ଏବଂ ମଦ୍ରାସା ସମେତ ଅନେକ ଘରେ ବିଦ୍ୟୁତ୍ ଚୋରି ହେଉଥିଲା। ଏଠାରେ ହୋଇଥିବା ହିଂସା ପରେ ପ୍ରଶାସନ ବିଦ୍ୟୁତ ଚୋରି ବିରୋଧରେ ଅଭିଯାନକୁ ଜୋରଦାର କରିଛି । ଗତ ୩ ମାସ ମଧ୍ୟରେ ୧୨୫୦ ଏଫଆଇଆର ରୁଜୁ କରିଛି। ଏହା ସହିତ ୫ କୋଟି ୨୦ ଲକ୍ଷ ଟଙ୍କା ଜରିମାନା ଆଦାୟ କରାଯାଇଛି।
previous article:https://purvapaksa.com/odishas-dance-tradition-is-timeless/
