ଶିକ୍ଷା ଓ ପରୀକ୍ଷା ସଂସ୍କାର ପାଇଁ ଗଠିତ ଉଚ୍ଚସ୍ତରୀୟ କମିଟିକୁ ନେଇ କଂଗ୍ରେସ ସାଂସଦ ପ୍ରିୟଙ୍କା ଗାନ୍ଧୀ ଭାଦ୍ରାଙ୍କ ମନ୍ତବ୍ୟ ପରେ ଦେଶବ୍ୟାପୀ ରାଜନୈତିକ ଓ ବୌଦ୍ଧିକ ମହଲରେ ପ୍ରବଳ ଚର୍ଚ୍ଚା ସୃଷ୍ଟି ହୋଇଛି। ଆଇଆଇଟି ମାନ୍ଦ୍ରାଜର ନିର୍ଦ୍ଦେଶକ ପ୍ରଫେସର ଭି. କାମକୋଟିଙ୍କୁ ପ୍ରିୟଙ୍କା ଗାନ୍ଧୀ ‘ଗୋମୂତ୍ର ବିଶେଷଜ୍ଞ’ କହି ସଂସଦରେ ଆକ୍ଷେପ କରିବା ପରେ ଏବେ ଏହାକୁ ନେଇ କଡ଼ା ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ପ୍ରସିଦ୍ଧ ସଫ୍ଟୱେର୍ କମ୍ପାନୀ ‘ଜୋହୋ’ର ସଂସ୍ଥାପକ ଶ୍ରୀଧର ଭେମ୍ବୁ।
ଶ୍ରୀଧର ଭେମ୍ବୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଇନ୍ଫୋସିସ୍ର ସହ-ସଂସ୍ଥାପକ ନନ୍ଦନ ନୀଲେକଣିଙ୍କ ସମ୍ପର୍କର ଉଦାହରଣ ଦେଇ ପ୍ରିୟଙ୍କା ଗାନ୍ଧୀଙ୍କ ନେତୃତ୍ୱ ନେବାର ଶୈଳୀ ଓ ଦୂରଦୃଷ୍ଟି ଉପରେ ପରୋକ୍ଷରେ ଗୁରୁତର ପ୍ରଶ୍ନବାଚୀ ସୃଷ୍ଟି କରିଛନ୍ତି।
ପ୍ରିୟଙ୍କା ଗାନ୍ଧୀଙ୍କ ବିବାଦୀୟ ବୟାନ
ପରୀକ୍ଷା ପରିଚାଳନା ଓ ସଂସ୍କାର ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଗଠିତ ନୂତନ ଟାସ୍କଫୋର୍ସ/କମିଟିକୁ ସମାଲୋଚନା କରି କଂଗ୍ରେସ ସାଂସଦ ପ୍ରିୟଙ୍କା ଗାନ୍ଧୀ କହିଥିଲେ ଯେ, “ନୂଆ କମିଟି ଗଠନ କରିଦେଲେ ସମସ୍ୟାର ସମାଧାନ ହୋଇଯିବ ନାହିଁ। ଏହି ନୂଆ କମିଟିରେ ଜଣେ ପୂର୍ବତନ ଆଇବି (IB) ପ୍ରମୁଖ, ଜଣେ ଆଇଟି କମ୍ପାନୀ ମାଲିକ ଏବଂ ଜଣେ ‘ଗୋମୂତ୍ର ବିଶେଷଜ୍ଞ’ ଅଛନ୍ତି। ଏହି ବ୍ୟକ୍ତିମାନଙ୍କର ଶିକ୍ଷା ବ୍ୟବସ୍ଥା ବିଷୟରେ କ’ଣ ଜ୍ଞାନ ଅଛି?”

ଆଇଆଇଟି ମାନ୍ଦ୍ରାଜର ନିର୍ଦ୍ଦେଶକ ପ୍ରଫେସର ଭି. କାମକୋଟି ୨୦୨୫ ମସିହାରେ ଏକ ଗୋଶାଳା କାର୍ଯ୍ୟକ୍ରମରେ ଦେଶୀ ଗାଈ ଓ ଜୈବିକ କୃଷିର ମହତ୍ତ୍ୱ ବୁଝାଇବା ସହ ଗୋମୂତ୍ରର ଔଷଧୀୟ ଗୁଣ ସମ୍ପର୍କରେ କହିଥିଲେ। ଏହାକୁ ଆଧାର କରି ପ୍ରିୟଙ୍କା ଗାନ୍ଧୀ ତାଙ୍କୁ ସଂସଦୀୟ ବିତର୍କରେ କଟାକ୍ଷ କରିଥିଲେ।
ଶ୍ରୀଧର ଭେମ୍ବୁଙ୍କ ପ୍ରତ୍ୟୁତ୍ତର: ମୋଦୀ-ନୀଲେକଣି ଉଦାହରଣ
ପ୍ରିୟଙ୍କାଙ୍କ ଏହି ବକ୍ତବ୍ୟ ପରେ ‘ଜୋହୋ’ ରବିଜ୍ନେସ୍ ମୁଖ୍ୟ ଶ୍ରୀଧର ଭେମ୍ବୁ ସୋସିଆଲ୍ ମିଡିଆ ‘ଏକ୍ସ’ ରେ ଏକ ଗୁରୁତ୍ୱପୂର୍ଣ୍ଣ ପୋଷ୍ଟ ଶେୟାର କରିଛନ୍ତି। ସେ ଲେଖିଛନ୍ତି:
ପ୍ରଧାନମନ୍ତ୍ରୀ ମୋଦୀଙ୍କ ଦୂରଦୃଷ୍ଟି : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶିକ୍ଷା ସଂସ୍କାର କମିଟିର ନେତୃତ୍ୱ ନେବା ପାଇଁ ନନ୍ଦନ ନୀଲେକଣିଙ୍କୁ ନିଯୁକ୍ତ କରିଛନ୍ତି। ନୀଲେକଣି ୨୦୧୪ ମସିହାରେ କଂଗ୍ରେସ ପାର୍ଟିର ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ିଥିଲେ। ତଥାପି, ପ୍ରଧାନମନ୍ତ୍ରୀ ତାଙ୍କର ଇନ୍ଫୋସିସ୍, ଆଧାର ଏବଂ ବୈଷୟିକ ଅଭିଜ୍ଞତାକୁ ସମ୍ମାନ ଜଣାଇ ଦେଶହିତ ପାଇଁ ତାଙ୍କୁ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଦେଇଛନ୍ତି।
ଆଇଆଇଟି ଅଧ୍ୟକ୍ଷଙ୍କ ଅବଦାନ : ଅପରପକ୍ଷରେ, ପ୍ରିୟଙ୍କା ଗାନ୍ଧୀ ଆଇଆଇଟି ମାନ୍ଦ୍ରାଜର ନିର୍ଦ୍ଦେଶକ ପ୍ରଫେସର କାମକୋଟିଙ୍କୁ ଆକ୍ଷେପ କରିଛନ୍ତି। ପ୍ରଫେସର କାମକୋଟିଙ୍କ ନେତୃତ୍ୱରେ ଆଇଆଇଟି ମାନ୍ଦ୍ରାଜ ଆଜି ଭାରତର ନଂ-୧ ପ୍ରଯୁକ୍ତିବିଦ୍ୟା ଶିକ୍ଷାନୁଷ୍ଠାନ ଭାବେ ଗଢ଼ିଉଠିଛି ଏବଂ ସେଠାରେ ଏକ ଚମତ୍କାର ଷ୍ଟାର୍ଟଅପ୍ ପରିବେଶ ସୃଷ୍ଟି ହୋଇଛି।

ଭେମ୍ବୁ ଆହୁରି ମଧ୍ୟ ଲେଖିଛନ୍ତି ଯେ, “ଏହି ଦୁଇଟି ଆଭିମୁଖ୍ୟ ମଧ୍ୟରୁ ପ୍ରକୃତ ସଫଳ ଏବଂ ମହାନ ନେତା କିଏ, ତାହା ସ୍ପଷ୍ଟ ଜଣାପଡ଼ୁଛି।”
ରାଜନୈତିକ ମହଲରେ ଚର୍ଚ୍ଚା
ପ୍ରଫେସର କାମକୋଟି ଭାରତର ପ୍ରଥମ ସ୍ୱଦେଶୀ ମାଇକ୍ରୋପ୍ରୋସେସର୍ ନିର୍ମାଣର ମୁଖ୍ୟ କାରିଗର ଥିଲେ ଏବଂ ସେ ଜଣେ ବିଶିଷ୍ଟ ବିଜ୍ଞାନୀ। ପ୍ରିୟଙ୍କା ଗାନ୍ଧୀ ତାଙ୍କ ବିରୋଧରେ ଏପରି ବକ୍ତବ୍ୟ ଦେବା ଦେଶର ବୈଜ୍ଞାନିକ ଓ ବୁଦ୍ଧିଜୀବୀ ମହଲକୁ ଅପମାନିତ କରୁଛି ବୋଲି ଭାରତୀୟ ଜନତା ପାର୍ଟି ପକ୍ଷରୁ କୁହାଯାଇଛି।
ଆଇଟି ଶିଳ୍ପପତି ଶ୍ରୀଧର ଭେମ୍ବୁଙ୍କ ଏହି ବକ୍ତବ୍ୟ ପରେ ଶିକ୍ଷା ସଂସ୍କାର କମିଟି ଏବଂ ରାଜନୈତିକ ବାକ୍ଯୁଦ୍ଧ ଆହୁରି ତୀବ୍ର ରୂପ ନେଇଛି।


