Prime Minister Modi : ସରକାରଙ୍କ କାମକୁ ନେଇ ମୋଦି-ଶାହାଙ୍କ ସମୀକ୍ଷା ଅନେକ ଗୁରୁତ୍ୱ ବହନ କରୁଛି. ଏହାସହ ଏହି ସମୀକ୍ଷା ମୋହନଙ୍କୁ ଆଉ କିଛିଦିନର ମହଲତ ବୋଲି ବି ଚର୍ଚ୍ଚା ହେଉଛି।
ରାଜ୍ୟ ସରକାରରେ କ୍ଷମତା ପରିଚାଳନା କରିବାନେଇ କିଛି ଭୁଲ୍ ହୋଇଛି କି? କେନ୍ଦ୍ର ବିଜେପି ନେତୃତ୍ୱ ଯେଉଁଭଳି ଭାବେ ରାଜ୍ୟରେ ମୁଖ୍ୟମନ୍ତ୍ରୀ ଚୟନ କରିଲେ ତାହା ଲୋକଙ୍କୁ ଆକୃଷ୍ଟ କରିପାରିନାହିଁ କି? କେନ୍ଦ୍ର ନେତୃତ୍ୱଙ୍କ ପରୀକ୍ଷାନିରୀକ୍ଷା ରାଜ୍ୟରେ ଲକ୍ଷ୍ୟ ହାସଲକୁ ପଥଚ୍ୟୁତ କରିଛି କି? ଏମିତି ଅନେକ ପ୍ରଶ୍ନ ପଛରେ ଗୋଟିଏ ମୂଳ ପ୍ରଶ୍ନ ଓଡ଼ିଶା ଲୋକଙ୍କ ମନରେ ଉଙ୍କି ମାରୁଛି ମୋଦୀ-ଶାହ ଓଡ଼ିଶା ସରକାରକୁ ସମୀକ୍ଷା କରିବେ କିଆଁ? ଏମିତି କ’ଣ ଅନ୍ୟ ରାଜ୍ୟରେ ହେଉଛି? ପ୍ରଧାନମନ୍ତ୍ରୀ-ଗୃହମନ୍ତ୍ରୀ କ’ଣ ସବୁରାଜ୍ୟରେ ସରକାରଙ୍କ କ୍ରିୟାକଳାପକୁ ସମୀକ୍ଷା କରୁଛନ୍ତି? ଯଦି ନୁହେଁ ତେବେ ଆମ ରାଜ୍ୟରେ କାହିଁକି?
ଗଣମାଧ୍ୟମରେ ମୋଦୀଙ୍କ ଓଡ଼ିଶା ଗସ୍ତ ଓ ଏହାପରେ ଓଡ଼ିଶାରେ ବିଜେପି କର୍ମୀ ଓ ରାଜ୍ୟ ସରକାରଙ୍କ ବିଭିନ୍ନ ପାହ୍ୟାଧାରୀ ନେତାଙ୍କୁ ନେଇ ସମୀକ୍ଷା ବୈଠକ କରିବାର ଚର୍ଚ୍ଚା ଏପରି ପ୍ରଶ୍ନଗୁଡ଼ିକୁ ସ୍ୱତଃ ମନକୁ ଆଣିବା ସ୍ୱାଭାବିକ।
ବିଜେପି ନିର୍ବାଚନରେ ଜିତିବା ପରେ ପ୍ରଧାନମନ୍ତ୍ରୀ ଦୁଇଥର ରାଜ୍ୟ ଗସ୍ତରେ ଆସିଛନ୍ତି। ପ୍ରଥମେ ଜୁନ୍ ୧୨ ତାରିଖରେ, ଯେତେବଳେ ରାଜ୍ୟରେ ମୋନ ଚରଣ ମାଝୀ ମୁଖ୍ୟମନ୍ତ୍ରୀଭାବେ ଶପଥ ନେଲେ ଏବଂ ସେପ୍ଟେମ୍ବର ୧୭ ତାରିଖରେ ଯେତେବଳେ ସୁଭଦ୍ରା ଯୋଜନାରେ ପ୍ରଥମ କିସ୍ତି ବଣ୍ଟନ ଆରମ୍ଭ ହେଲା। ଆଜି ଯେଉଁ ଗସ୍ତ ଆୟୋଜନ ହୋଇଛି ତାହା ହେଉଛି ଦୀର୍ଘକାଳୀନ ଏବଂ ଏଥିରେ ରହିଛି ଓଡ଼ିଶା ନେତୃତ୍ୱଙ୍କ ସହ ଆଲୋଚନା।
ଯେଉଁ ପ୍ରଶ୍ନଗୁଡ଼ିକ ଉପରେ ଆଲୋଚନା ହୋଇଛି ତାର ମୂଳରେ ରହିଛି, ଜନ ଅସନ୍ତୋଷ। ପୁଣି ଏହି ଅସନ୍ତୋଷ ପଛରେ କେନ୍ଦ୍ରୀୟ ନେତୃତ୍ୱଙ୍କ ନେତା ଚୟନକୁ ବି ଦେଷାରୋପ କରାଯାଉଛି।
- ପ୍ରଥମ କଥା ହେଉଛି, ଯେଉଁ ରାଜ୍ୟରେ ସାଧାରଣ ବର୍ଗଙ୍କ ସଂଖ୍ୟା ଅଧିକ ଏବଂ ଯେଉଁଠାରେ ଆଦିବାସୀ ନେତାଙ୍କୁ ମୁଖ୍ୟମନ୍ତ୍ରୀ କୁର୍ସି ଦେବାଦ୍ୱାରା ଦଳର ବିପର୍ଯ୍ୟୟ ହୋଇଛି ସେଠାରେ ପୁଣିଥରେ ଆଦିବାସୀ କାର୍ଡ ଖେଳିବା କେନ୍ଦ୍ରୀୟ ନେତୃତ୍ୱଙ୍କୁ ବୁମେରାଂ ହୋଇଛି କି? କାରଣ ଯେଉଁ ଉଦ୍ଦେଶ୍ୟ ନେଇ ଆଦିବାସୀ ନେତାଙ୍କୁ ଏ ରାଜ୍ୟରେ ମୁଖ୍ୟମନ୍ତ୍ରୀଭାବେ ମହିମା ମଣ୍ଡିତ କରାଗଲା ତାହାର ଉଦ୍ଦେଶ୍ୟପୂରଣ ହୋଇପାରୁ ନାହିଁ। ଅର୍ଥାତ୍ ଏ ରାଜ୍ୟର ମୁଖ୍ୟମନ୍ତ୍ରୀ, ରାଜ୍ୟପାଳ ସମସ୍ତେ ଆଦିବାସୀ ବର୍ଗ ଏବଂ ରାଷ୍ଟ୍ରପତିଙ୍କୁ ମଧ୍ୟ ଏହି ରାଜ୍ୟରୁ ବିଜେପି ଚୟନ କରିଥିଲେ ମଧ୍ୟ ଝାଡ଼ଖଣ୍ଡ ବିଜୟ କରିପାରି ନାହିଁ। ଅର୍ଥାତ୍ ଆଦିବାସୀଙ୍କ ହୃଦୟ ଜିତିବାରେ ବିଫଳ ହୋଇଛି ବିଜେପି। ଯେଉଁ ନେତାଙ୍କ ପାଇଁ ଦଳ ଏତେ ସହାନୁଭୂତି ପ୍ରଦର୍ଶନ କରିଛି ସେମାନେ ସେହି ବର୍ଗରେ ଆଦର୍ଶର ପାତ୍ର ହୋଇପାରିଥିବା ନଜୀର ଆସୁ ନାହିଁ।
- ଦ୍ୱିତୀୟରେ ମୋହନଙ୍କ ବ୍ୟକ୍ତିତ୍ୱକୁ ନେଇ ଏବେ ଚାରିଆଡ଼େ ଚର୍ଚ୍ଚା ହେଉଛି। ଜଣେ ଉଚ୍ଚକୋଟୀର ବ୍ୟକ୍ତିତ୍ୱ ଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପାସଙ୍ଗରେ ମୋହନଙ୍କ ବ୍ୟକ୍ତିତ୍ୱ ନାହିଁ ବୋଲି ଚର୍ଚ୍ଚା ହେଉଛି। ସେ ଅଣ ଓଡ଼ିଆ ଥାଇ ଯେଉଁଭଳି ଭାବେ କାଗଜ ଦେଖି ପଢ଼ୁଥିଲେ ମୋହନ ମଧ୍ୟ ସେଇଆ କରୁଛନ୍ତି। ଫରକ ଏତିକି ନବୀନ ଅଳ୍ପ କହୁଥିଲେ ଏବଂ ଠିକ୍ ଭାଷା ସଂଯୋଜନା କରୁଥିଲେ କିନ୍ତୁ ମୋହନ ଅଧିକ କହି ଶବ୍ଦ ଏବଂ ଭାଷା ଦୋଷ ସୃଷ୍ଟି କରୁଛନ୍ତି।
- ତୃତୀୟରେ ମୋହନ ଚରଣ ମାଝୀଙ୍କୁ ତାଙ୍କ ଦଳର ନେତାମାନେ ଅକୁଣ୍ଠ ସମର୍ଥନ କରିପାରୁନାହାନ୍ତି. ସଂଗଠନ ଏବଂ ନେତା ଉଭୟ ତାଙ୍କଠାରୁ ଦୂରେଇଯାଉଥିବା ଲକ୍ଷ୍ୟ କରାଯାଇଛି. ଏପରିକି ଏହି କଥା ଶୀର୍ଷ ନେତାଙ୍କ ପାଖରେ ବି ପହଞ୍ଚିଛି. ଏଣୁ ତାଙ୍କୁ କିଛି ଗୁରୁମନ୍ତ୍ର ପ୍ରଧାନମନ୍ତ୍ରୀ ଦେଇପାରନ୍ତି।
ଅଫିସରଙ୍କୁ ନିୟନ୍ତ୍ରଣ କରିବା ବଦଳରେ ସେ ଅଫିସରଙ୍କ ପୁତୁଳା ହୋଇ ରହିଥିବା ଚର୍ଚ୍ଚା ହେଉଛି।
ଏହିକ୍ରମରେ ମୋଦି-ଶାହାଙ୍କ ସମୀକ୍ଷା ଅନେକ ଗୁରୁତ୍ୱ ବହନ କରୁଛି. ଏହାସହ ଏହି ସମୀକ୍ଷା ମୋହନଙ୍କୁ ଆଉ କିଛିଦିନର ମହଲତ ବୋଲି ବି ଚର୍ଚ୍ଚା ହେଉଛି।
Also readhttps://purvapaksa.com/book-review-a-vivid-life-memory/
