BJP: ୨୭ ବର୍ଷ ପରେ ଦିଲ୍ଲୀରେ କ୍ଷମତାକୁ ଫେରିଛି ବିଜେପି। ରେଖା ଗୁପ୍ତା ମୁଖ୍ୟମନ୍ତ୍ରୀ ହୋଇଛନ୍ତି ଏବଂ ତାଙ୍କ ସହ ୬ ଜଣ ମନ୍ତ୍ରୀ ଶପଥ ନେଇଛନ୍ତି। କ୍ୟାବିନେଟରେ ବିଜେପି ବିଶ୍ୱସ୍ତ କର୍ମୀଙ୍କୁ ପ୍ରାଥମିକତା ଦେଇଥିବାବେଳେ କଂଗ୍ରେସ ଓ ଆପ୍ର ପୂର୍ବତନ ମନ୍ତ୍ରୀଙ୍କୁ ସାମିଲ କରାଯାଇ ନାହିଁ।
- ୨୭ ବର୍ଷ ପରେ ଦିଲ୍ଲୀରେ ସରକାର ଗଠନ କଲା ବିଜେପି।
- କଂଗ୍ରେସ ଓ ଆପ୍ର ପୂର୍ବତନ ମନ୍ତ୍ରୀଙ୍କୁ ମନ୍ତ୍ରୀ ପଦ ମିଳିନଥିଲା।
- କପିଲ ମିଶ୍ରଙ୍କୁ କ୍ୟାବିନେଟରେ ସାମିଲ କରାଯାଇଛି।
ଦିଲ୍ଲୀରେ ଏକ ନୂତନ ସରକାର ଗଠନ ହୋଇସାରିଛି। ୨୭ ବର୍ଷ ପରେ, ଦିଲ୍ଲୀରେ ବିଜେପି ସରକାର କ୍ଷମତାକୁ ଫେରିଛି। ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତାଙ୍କ ସହିତ ଅନ୍ୟ ୬ ଜଣ ମନ୍ତ୍ରୀ ଶପଥ ନେଇଛନ୍ତି। ନୂତନ ସରକାରଙ୍କ କ୍ୟାବିନେଟରେ ସଂଗଠନ ପ୍ରତି ଆନୁଗତ୍ୟକୁ ଅଧିକ ଗୁରୁତ୍ୱ ଦେଇଛି ବିଜେପି। ଦଳ କେବଳ ପ୍ରଥମ ଥର ବିଧାୟକ ରେଖା ଗୁପ୍ତାଙ୍କୁ ମୁଖ୍ୟମନ୍ତ୍ରୀ କରିନାହିଁ, ବରଂ ପ୍ରଥମ ଥର ପାଇଁ ବିଧାୟକ ହୋଇଥିବା ରବିନ୍ଦ୍ର ଇନ୍ଦ୍ରଜ ଏବଂ ପଙ୍କଜ ସିଂହଙ୍କୁ ମଧ୍ୟ ମନ୍ତ୍ରିମଣ୍ଡଳରେ ସାମିଲ କରିଛି। ଦୁହେଁ ପୁରୁଣା ବିଜେପି କର୍ମୀ। ଯାହାର ଅର୍ଥ ହେଉଛି ବିଜେପି ନିଜ କର୍ମୀଙ୍କର ସଂଗଠନ ପ୍ରତି ନିଷ୍ଠାକୁ ମନ୍ତ୍ରିମଣ୍ଡଳରେ ଯାଗା ପାଇବାର ମାନକ କରିଛି।
ପୁରୁଣା ଅଭିଜ୍ଞ ମନ୍ତ୍ରୀମାନଙ୍କୁ କ୍ୟାବିନେଟରେ ମିଳିଲା ନାହିଁ ସ୍ଥାନ
ବିଶେଷ କଥା ହେଉଛି କଂଗ୍ରେସର ଦୁଇ ପୂର୍ବତନ ମନ୍ତ୍ରୀ ଏବଂ ଆମ ଆଦମୀ ପାର୍ଟିର ଜଣେ ପୂର୍ବତନ ମନ୍ତ୍ରୀଙ୍କୁ ମନ୍ତ୍ରିମଣ୍ଡଳରେ ସ୍ଥାନ ମିଳିନାହିଁ। କଂଗ୍ରେସରୁ ଆସିଥିବା ଅରବିନ୍ଦର ସିଂହ ଲଭଲି, ରାଜକୁମାର ଚୌହାନ ଏବଂ ଆପର କୈଳାସ ଗେହଲୋତଙ୍କୁ କାହିଁକି ବିଜେପି ମନ୍ତ୍ରୀ ପଦ ଦେଇନାହିଁ? ବିଜେପିର ବରିଷ୍ଠ ନେତାଙ୍କ ଅନୁସାରେ ଏହି ନିଷ୍ପତ୍ତି ସଂଗଠନ ପ୍ରତି ଆନୁଗତ୍ୟକୁ ପ୍ରାଥମିକତା ଦିଆଯାଉଥିବା ସୂଚାଇଥାଏ।
ନିର୍ବାଚନ ପୂର୍ବରୁ ଆପ୍ ଛାଡ଼ିଥିଲେ କୈଳାସ ଗେହଲୋତ
କୈଳାସ ଗେହଲୋତ ଆମ ଆଦମୀ ପାର୍ଟି ସରକାରରେ ଜଣେ ବରିଷ୍ଠ ମନ୍ତ୍ରୀ ଥିଲେ। ବିଧାନସଭା ନିର୍ବାଚନର କିଛିମାସ ପୂର୍ବରୁ ସେ ବିଜେପିରେ ଯୋଗ ଦେଇଥିଲେ। ଏହି ନିର୍ବାଚନରେ ସେ ବିଜେପି ଟିକେଟରେ ବିଜୱାସନ ନିର୍ବାଚନମଣ୍ଡଳୀରୁ ନିର୍ବାଚନ ଜିତିଛନ୍ତି। କିନ୍ତୁ ବିଜେପି ତାଙ୍କୁ ମନ୍ତ୍ରୀ ପଦ ଦେଇନାହିଁ। ତଥାପି, କୁହାଯାଉଛି ଯେ ଦଳ ତାଙ୍କୁ କୌଣସି ସରକାରୀ ବୋର୍ଡ କିମ୍ବା ପ୍ରାଧିକରଣର ମୁଖ୍ୟ କରିପାରେ। ଏମିତିରେ ବି ଦିଲ୍ଲୀ ଜଳ ବୋର୍ଡର ଉପାଧ୍ୟକ୍ଷ, ଦିଲ୍ଲୀ ମହିଳା କମିଶନର ଅଧ୍ୟକ୍ଷା ଏବଂ ଦିଲ୍ଲୀ ଶିଶୁ ଅଧିକାର ସୁରକ୍ଷା କମିଶନ ଭଳି ପଦବୀ ଖାଲି ପଡ଼ିଛି। ତେଣୁ ଆଉ କିଛି ନେତାଙ୍କ ଥଇଥାନ ହେବା କଷ୍ଠକର ହେବ ନାହିଁ।
ଲଭଲି ଏବଂ ଚୌହାନ ମଧ୍ୟ ବିଜେପିରେ
ଏହା ବ୍ୟତୀତ କଂଗ୍ରେସର ଶୀଲା ଦୀକ୍ଷିତ ସରକାରରେ ମନ୍ତ୍ରୀ ଥିବା ଅରବିନ୍ଦର ସିଂହ ଲଭଲି ଏବଂ ରାଜକୁମାର ଚୌହାନ ମଧ୍ୟ ବିଜେପିରେ ଯୋଗ ଦେଇଛନ୍ତି। ଏହି ନିର୍ବାଚନରେ ଲଭଲି ଗାନ୍ଧୀ ନଗରରୁ ଏବଂ ଚୌହାନ ମଙ୍ଗୋଲପୁରୀରୁ ଜିତିଛନ୍ତି। କିନ୍ତୁ ଏହି ଦୁଇ ନେତାଙ୍କୁ ମନ୍ତ୍ରିମଣ୍ଡଳରେ ସ୍ଥାନ ମିଳିଲା ନାହିଁ। ଚୌହାନ ଚାରିଥର ବିଧାୟକ ଏବଂ ତିନିଥର ଶୀଲା ଦୀକ୍ଷିତ ସରକାରରେ ମନ୍ତ୍ରୀ ହୋଇଛନ୍ତି। ଲଭଲି ଦିଲ୍ଲୀର ସବୁଠାରୁ ଯୁବ ବିଧାୟକ ଏବଂ ମନ୍ତ୍ରୀ ରହିଆସିଛନ୍ତି। ସେ ଶିକ୍ଷା, ପରିବହନ ଏବଂ ନଗର ଉନ୍ନୟନ ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗର ଦାୟିତ୍ୱ ଗ୍ରହଣ କରିଥିଲେ।
ଲଭଲିଙ୍କ ଟ୍ରାକ୍ ରେକର୍ଡ ମଧ୍ୟ ଭଲ
ଲଭଲି ଶିକ୍ଷା ମନ୍ତ୍ରୀ ଥିବା ସମୟରେ ଦିଲ୍ଲୀରେ EWS (ଆର୍ଥିକ ଦୃଷ୍ଟିରୁ ଅନଗ୍ରସର) ବର୍ଗର ପିଲାମାନଙ୍କ ପାଇଁ ବେସରକାରୀ ସ୍କୁଲରେ ୨୫% ସଂରକ୍ଷଣ ଲାଗୁ କରାଯାଇଥିଲା। ନଗର ଉନ୍ନୟନ ମନ୍ତ୍ରୀ ଭାବରେ, ସେ ଅନଧିକୃତ କଲୋନୀଗୁଡ଼ିକୁ ନିୟମିତ କରିବା ଯୋଜନାକୁ ଅନୁମୋଦନ କରିଥିଲେ। ପରିବହନ ମନ୍ତ୍ରୀଭାବେ ତାଙ୍କ କାର୍ଯ୍ୟକାଳ ସମୟରେ ଦିଲ୍ଲୀରେ ବ୍ଲୁଲାଇନ୍ ବସ୍ଗୁଡ଼ିକ ସ୍ଥାନରେ ଲୋ’ଫ୍ଲୋର ବସ୍ ଆସିଥିଲା । ଏହା ପରେ ମଧ୍ୟ ବିଜେପି ଲଭଲିଙ୍କ ଉପରେ ବିଶ୍ୱାସ ପ୍ରକାଶ କରିନଥିଲା।
ଯଦିଓ ଜଣେ ମନ୍ତ୍ରୀ ଭାବରେ ଲଭଲିଙ୍କ ଟ୍ରାକ୍ ରେକର୍ଡ୍ ଭଲଥିଲା କିନ୍ତୁ ଆମ ଆଦମୀ ପାର୍ଟି ଲଭଲିଙ୍କ ଉପରେ ଦୁର୍ନୀତିର ଅଭିଯୋଗ ଆଣିଥିଲା। ୨୦୧୩ରେ ସେ ବାହାରୁ AAPକୁ ସମର୍ଥନ କରିଥିଲେ। ଏହାପରେ, ଦିଲ୍ଲୀରେ ୪୯ ଦିନ ପାଇଁ AAP ସରକାର ଗଠନ ହୋଇଥିଲା। ୨୦୧୫ ନିର୍ବାଚନରେ AAPର ବିଜୟ ପରେ, ସେ ଦିଲ୍ଲୀ କଂଗ୍ରେସ ସଭାପତି ପଦରୁ ଇସ୍ତଫା ଦେଇ ବିଜେପିରେ ଯୋଗ ଦେଇଥିଲେ। ଏହା ପରେ ସେ ପୁଣି କଂଗ୍ରେସକୁ ଫେରିଥିଲେ ଏବଂ ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ପୁଣି ଥରେ ବିଜେପିରେ ଯୋଗ ଦେଇଥିଲେ।
ଏହି ନେତାମାନଙ୍କ ବ୍ୟତୀତ, କଂଗ୍ରେସରୁ ବିଜେପିକୁ ଆସିଥିବା ଆହୁରି ଅନେକ ମୁହଁ ଅଛନ୍ତି। ଏଥିରେ ଜଙ୍ଗପୁରାର ବିଧାୟକ ତରବିନ୍ଦର ସିଂହ ମାରୱାହ ଏବଂ କସ୍ତୁରବା ନଗରର ବିଧାୟକ ନୀରଜ ବାସୋୟା ଅନ୍ତର୍ଭୁକ୍ତ।
…ତେବେ କପିଲ ମିଶ୍ରଙ୍କୁ କାହିଁକି ମନ୍ତ୍ରୀ କରାଗଲା?
ଏହା ଉଲ୍ଲେଖନୀୟ ଯେ ଆମ ଆଦମୀ ପାର୍ଟି ସରକାରରେ ଏକଦା ମନ୍ତ୍ରୀ ଥିବା କପିଲ ମିଶ୍ରଙ୍କୁ ବିଜେପି ରେଖା ଗୁପ୍ତାଙ୍କ କ୍ୟାବିନେଟରେ ସ୍ଥାନ ଦେଇଛି। କିନ୍ତୁ ଏହାକୁ ଅସ୍ୱୀକାର କରାଯାଇପାରିବ ନାହିଁ ଯେ ନିଜକୁ ପ୍ରମାଣିତ କରିବାକୁ ମିଶ୍ରଙ୍କୁ ଅନେକ ବର୍ଷ ଲାଗିଥିଲା। ସେ ହିଁ ଆପ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କ ଉପରେ ଦୁର୍ନୀତିର ଅଭିଯୋଗ ଆଣିଥିଲେ। ଏହା ପରେ AAP ତାଙ୍କୁ ଦଳରୁ ବହିଷ୍କାର କରିଥିଲା। ୨୦୧୯ ମସିହାରେ, ମିଶ୍ର ବିଜେପିରେ ଯୋଗ ଦେଇଥିଲେ। ଏହା ପରେ ସେ ଦିଲ୍ଲୀରେ ରାଜ୍ୟ ଉପାଧ୍ୟକ୍ଷ ମଧ୍ୟ ହୋଇଥିଲେ। କପିଲ ମିଶ୍ର କେବଳ ଦିଲ୍ଲୀରେ ନୁହେଁ ବରଂ ଗୁଜୁରାଟ ନିର୍ବାଚନରେ ମଧ୍ୟ ବିଜେପି ସଂଗଠନକୁ ମଜବୁତ କରିବା ପାଇଁ କାମ କରିଥିଲେ। ଏଥର ନିର୍ବାଚନ ଜିତିବା ପରେ ଦଳ ତାଙ୍କୁ ଏକ ଫେରସ୍ତ ଉପହାର ଦେଇଛି।
ପୋପଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର,ଜାଣନ୍ତୁ କେମିତି ନିର୍ବାଚିତ ହେବେ ପରବର୍ତ୍ତି ପୋପ୍

