ଇରାନର ତିନୋଟି ପରମାଣୁ କେନ୍ଦ୍ର ଉପରେ ଆମେରିକା ବଙ୍କର ବଷ୍ଟର ବୋମା ପକାଇବା ପରେ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ହୋଇପଡ଼ିଛି। ଏହା ଭିତରେ ଟ୍ରମ୍ପଙ୍କ ଯୁଦ୍ଧବିରତୀ ଘୋଷଣ ମଧ୍ୟ ଆସଛି । କିନ୍ତୁ ଏହି ଯୁଦ୍ଧ ବିରତି ସତରେ କେତେଦିନ ଜାରି ରହିବ ତାହା ଭବିଷ୍ୟତ କହିବ । ଅନେକ ମୁସଲିମ ଦେଶ ଇରାନକୁ ସମର୍ଥନ କରୁଛନ୍ତି, ଅନ୍ୟପକ୍ଷରେ ଇସ୍ରାଏଲର ଏହି ଲଢ଼େଇରେ ଆମେରିକା ସାମିଲ ହେବା ପରେ ଆଗାମୀ ଦିନଗୁଡ଼ିକ ଅତ୍ୟନ୍ତ ଉତ୍ତେଜନାପୂର୍ଣ୍ଣ ହେବ। ଯଦି ଇରାନ ଏହାର ପ୍ରବଳ ଜବାବ ଦିଏ, ତେବେ ବିଶ୍ୱ ତୃତୀୟ ବିଶ୍ୱଯୁଦ୍ଧ ଆଡ଼କୁ ମୁହାଁଇ ପାରେ, କାରଣ ଇଉରୋପୀୟ ଦେଶମାନେ ଇସ୍ରାଏଲର ପକ୍ଷ ନେବା ଆରମ୍ଭ କରିଛନ୍ତି। ଚୀନ ଓ ରୁଷ ନିଶ୍ଚିତ ଭାବେ ଚୁପ ରହିଛନ୍ତି, କିନ୍ତୁ ଏହି ନୀରବତା କ’ଣ ଆଗାମୀ ଝଡ଼ର ସଙ୍କେତ ନୁହେଁ। ଆସନ୍ତୁ ଜାଣିବା ଗତ କିଛି ବର୍ଷରେ ତୃତୀୟ ବିଶ୍ୱଯୁଦ୍ଧ ସମ୍ବନ୍ଧରେ କିଏ ଭବିଷ୍ୟବାଣୀ କରିଛନ୍ତି।
ଉଲ୍ଲେଖଯୋଗ୍ୟ ଯେ ବିଶ୍ୱରେ ଏପର୍ଯ୍ୟନ୍ତ ଦୁଇଟି ବିଶ୍ୱଯୁଦ୍ଧ ହୋଇଛି, କିନ୍ତୁ ବର୍ତ୍ତମାନର ପ୍ରଯୁକ୍ତି ଓ ଆଧୁନିକ ଅସ୍ତ୍ରଶସ୍ତ୍ରକୁ ଦେଖି ଏହା ଆଶଙ୍କା କରାଯାଏ ଯେ ଯଦି ତୃତୀୟ ବିଶ୍ୱଯୁଦ୍ଧ ହୁଏ, ତେବେ ଏହା ଅନେକ ବେଶୀ ବିପଜ୍ଜନକ ହେବ। ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ବିଶ୍ୱରେ ଶାନ୍ତି ପ୍ରତିଷ୍ଠା କରିବା ଉଦ୍ଦେଶ୍ୟରେ ଗଠିତ ଜାତିସଂଘ ମଧ୍ୟ ପ୍ରାୟ ଅପ୍ରାସଙ୍ଗିକ ହୋଇପଡ଼ିଛି।
ପ୍ରଥମ ବିଶ୍ୱଯୁଦ୍ଧ ୧୯୧୪ ମସିହା ଜୁଲାଇ ୨୮ରେ ଅଷ୍ଟ୍ରିଆ-ହଙ୍ଗେରୀ ଦ୍ୱାରା ସର୍ବିଆ ଉପରେ ଯୁଦ୍ଧ ଘୋଷଣା ସହ ଆରମ୍ଭ ହୋଇଥିଲା। ଏଥିରେ ସମଗ୍ର ବିଶ୍ୱ ସାମିଲ ହୋଇଥିଲା। ଏହା ଚାରି ବର୍ଷ ଧରି ଚାଲିଥିଲା। ପରେ ଯୁଦ୍ଧବିରାମ ହୋଇଥିଲା। ଦ୍ୱିତୀୟ ବିଶ୍ୱଯୁଦ୍ଧ ୧୯୩୯ ମସିହା ସେପ୍ଟେମ୍ବର ୧ରେ ଜର୍ମାନୀ ଦ୍ୱାରା ପୋଲାଣ୍ଡ ଉପରେ ଆକ୍ରମଣ ସହ ଆରମ୍ଭ ହୋଇଥିଲା। ଏହା ପ୍ରାୟ ୬ ବର୍ଷ ଧରି ଚାଲିଥିଲା। ଏଥିରେ ମଧ୍ୟ ସମଗ୍ର ବିଶ୍ୱ ପୀଡ଼ିତ ହୋଇଥିଲା।
ତୃତୀୟ ବିଶ୍ୱଯୁଦ୍ଧ ସମ୍ବନ୍ଧୀୟ ଭବିଷ୍ୟବାଣୀ ନେଇ ଅନେକ ଭବିଷ୍ୟବକ୍ତା ଓ ଜ୍ୟୋତିଷୀଙ୍କ ଦାବି ସାମ୍ନାକୁ ଆସିଛି। ଏସବୁ ଅନୁମାନ ଓ କଳ୍ପନା ଉପରେ ଆଧାରିତ, ଯାହାର ବୈଜ୍ଞାନିକ ପୁଷ୍ଟି ନାହିଁ।
ନାସ୍ତ୍ରାଡାମସଙ୍କ କ’ଣ କହିଥିଲେ
୧୬ଶ ଶତାବ୍ଦୀର ଫରାସୀ ଭବିଷ୍ୟବକ୍ତା ନାସ୍ତ୍ରାଡାମସଙ୍କ ଭବିଷ୍ୟବାଣୀକୁ ତୃତୀୟ ବିଶ୍ୱଯୁଦ୍ଧ ସହ ଯୋଡ଼ାଯାଏ। ତାଙ୍କ ପୁସ୍ତକ “ଲେସ ପ୍ରଫିଟିଜ୍”ରେ ଅସ୍ପଷ୍ଟ ପଦଗୁଡ଼ିକ ଆଧାରରେ ୨୧ଶ ଶତାବ୍ଦୀରେ ଏକ ବଡ଼ ଯୁଦ୍ଧର ଭବିଷ୍ୟବାଣୀ କରାଯାଇଥିଲା। ତାଙ୍କ ଅନୁସାରେ, ତୃତୀୟ “ଆଣ୍ଟି-କ୍ରାଇଷ୍ଟ” ଦେଶ ଯୁଦ୍ଧ ଆରମ୍ଭ କରିବ, ଯାହା ମେସୋପଟାମିଆ (ଆଧୁନିକ ଇରାକ)ରୁ ଆରମ୍ଭ ହେବ। ଏହା ୨୭ ବର୍ଷ ଧରି ଚାଲିବ। ଏହି ଯୁଦ୍ଧ ୨୦୦୯-୨୦୧୩ ମଧ୍ୟରେ ଆରମ୍ଭ ହେବାର କଥା ଥିଲା, କିନ୍ତୁ ଏହା ସଠିକ୍ ହୋଇ ନଥିଲା।
ଜୀବନ୍ତ ନାସ୍ତ୍ରଦମସଙ୍କ କ’ଣ ଦାବି
ବ୍ରାଜିଲର ଭବିଷ୍ୟବକ୍ତା ଆଥୋସ ସାଲୋମଙ୍କୁ “ଲିଭିଙ୍ଗ ନାସ୍ତ୍ରଦମସ” କୁହାଯାଏ। ସେ ଦାବି କରିଛନ୍ତି ଯେ ତୃତୀୟ ବିଶ୍ୱଯୁଦ୍ଧ ଇଲେକ୍ଟ୍ରୋମ୍ୟାଗ୍ନେଟିକ ପଲ୍ସ (ଇଏମପି) ପ୍ରଯୁକ୍ତି ଓ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସର ଦୁରୁପଯୋଗ ଯୋଗୁଁ ହୋଇପାରେ। ତାଙ୍କ କହିବା ଅନୁସାରେ, ଇରାନ ଓ ଇସ୍ରାଏଲ ମଧ୍ୟରେ ବଢ଼ୁଥିବା ଉତ୍ତେଜନା, ଏଆଇର ସାମରିକ ବ୍ୟବହାର, ଓ ପ୍ରଯୁକ୍ତିଗତ ବିଘ୍ନ ଯୁଦ୍ଧକୁ ଟ୍ରିଗର କରିପାରେ।
ବାବା ଭେଙ୍ଗାଙ୍କ ତୃତୀୟ ବିଶ୍ୱଯୁଦ୍ଧ ଭବିଷ୍ୟବାଣୀ
ବୁଲଗେରୀୟ ଭବିଷ୍ୟବକ୍ତା ବାବା ଭେଙ୍ଗାଙ୍କ ଭବିଷ୍ୟବାଣୀକୁ ମଧ୍ୟ ତୃତୀୟ ବିଶ୍ୱଯୁଦ୍ଧ ସହ ଯୋଡ଼ାଯାଏ। କିଛି ଦାବି ଅନୁସାରେ, ସେ ମଧ୍ୟପ୍ରାଚ୍ୟରେ ସଂଘର୍ଷକୁ ଯୁଦ୍ଧର କାରଣ ବୋଲି କହିଥିଲେ। ନିକଟରେ ଇରାନ-ଇସ୍ରାଏଲ ଉତ୍ତେଜନାକୁ ତାଙ୍କ ଭବିଷ୍ୟବାଣୀ ସହ ଯୋଡ଼ାଯାଇଛି, କିନ୍ତୁ କୌଣସି ସ୍ପଷ୍ଟ ତାରିଖ ବା ବିବରଣୀ ନାହିଁ।
ଭାରତୀୟ ପୁସ୍ତକ ‘ଭବିଷ୍ୟ ମାଳିକା’ରେ ତୃତୀୟ ବିଶ୍ୱଯୁଦ୍ଧର ଭବିଷ୍ୟବାଣୀ ରହିଛି, ଯାହା କଳିଯୁଗର ଅନ୍ତିମ ପର୍ଯ୍ୟାୟରେ ୬ ବର୍ଷ ୬ ମାସ ଧରି ଚାଲିବ। ଏଥିରେ କୁହାଯାଇଛି ଯେ ଚୀନ ଓ କିଛି ଇସଲାମିକ ଦେଶ ଭାରତ ଉପରେ ଆକ୍ରମଣ କରିବେ, କିନ୍ତୁ ଭାରତ ସାହସିକତାର ସହ ଲଢ଼ିବ। ଯୁଦ୍ଧ ସହ ପ୍ରାକୃତିକ ବିପର୍ଯ୍ୟୟ (ଭୂକମ୍ପ, ବନ୍ୟା) ଓ ବଙ୍ଗୋପସାଗରରେ ଉଲ୍କାପିଣ୍ଡ ପତନର ମଧ୍ୟ କଥା ରହିଛି।
କୌଣସି ଭବିଷ୍ୟବାଣୀ ସଠିକ୍ ହୋଇ ନାହିଁ
ନାସ୍ତ୍ରଦମସ ଓ ସାଲୋମଙ୍କ ଅନୁସାରେ ଧାର୍ମିକ ମୌଳବାଦୀ, ମଧ୍ୟପ୍ରାଚ୍ୟରେ ସଂଘର୍ଷ ଓ ଏଆଇ ତଥା ଅନ୍ୟ ନୂଆ ପ୍ରଯୁକ୍ତି ଯୁଦ୍ଧର କାରଣ ହେବ। ଯଦିଓ କିଛି ଅନ୍ୟ ଭବିଷ୍ୟବାଣୀ ରୁଷ-ଆମେରିକା, ଇରାନ-ଇସ୍ରାଏଲ କିମ୍ବା ଭାରତ-ପାକିସ୍ତାନ ଉତ୍ତେଜନାକୁ ଟ୍ରିଗର ବୋଲି ମାନୁଛନ୍ତି। ଏସବୁର ସଠିକତା ସନ୍ଦେହଜନକ। ଇତିହାସରେ ଏପରି ଅନେକ ଭବିଷ୍ୟବାଣୀ ଭୁଲ ପ୍ରମାଣିତ ହୋଇଛି। ଯଦିଓ ବର୍ତ୍ତମାନର ପରିସ୍ଥିତିକୁ ଦେଖି ଏହି ଭବିଷ୍ୟବାଣୀଗୁଡ଼ିକ ଭୟ ସୃଷ୍ଟି କରିପାରେ।
ବର୍ତ୍ତମାନର ବୈଶ୍ୱିକ ପରିସ୍ଥିତିକୁ ଦେଖି ତୃତୀୟ ବିଶ୍ୱଯୁଦ୍ଧର ସମ୍ଭାବନା ନେଇ ଚିନ୍ତା ଓ ଅଟକଳ ବଢ଼ିଛି। ବର୍ତ୍ତମାନର ପରିସ୍ଥିତି ନିଶ୍ଚିତ ଭାବେ ଚିନ୍ତା ବଢ଼ାଉଛି। କାରଣ ରୁଷ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ତିନି ବର୍ଷ ଧରି ଚାଲିଛି, କିନ୍ତୁ ମଧ୍ୟପ୍ରାଚ୍ୟରେ ଉତ୍ତେଜନା ପ୍ରବଳ ଭାବେ ଗଭୀର ହୋଇଛି।
୨୦୨୨ରୁ ଆରମ୍ଭ ହୋଇଥିବା ରୁଷ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ବୈଶ୍ୱିକ ଉତ୍ତେଜନା ବଢ଼ାଇଛି। ରୁଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଓ ଅନ୍ୟ ନେତାମାନେ ପରମାଣୁ ଅସ୍ତ୍ର ବ୍ୟବହାରର ଧମକ ଦେଇଛନ୍ତି, ବିଶେଷକରି ଯଦି ନାଟୋ ଦେଶମାନେ ୟୁକ୍ରେନକୁ ଅସ୍ତ୍ର ଯୋଗାଇବା ଜାରି ରଖିବେ । ନାଟୋ ଓ ପାଶ୍ଚାତ୍ୟ ଦେଶମାନଙ୍କ ଦ୍ୱାରା ୟୁକ୍ରେନକୁ ସାମରିକ ସହାୟତା ରୁଷର ସହ ଏକ “ପ୍ରକ୍ସି ଯୁଦ୍ଧ” ପରିସ୍ଥିତି ସୃଷ୍ଟି କରିଛି। ରୁଷ ଏହାକୁ ନିଜର ସାର୍ବଭୌମତ୍ୱ ବିରୋଧରେ ଦେଖୁଛି।
ଇସ୍ରାଏଲ ଓ ଇରାନ ମଧ୍ୟରେ ବଢ଼ୁଥିବା ସଂଘର୍ଷକୁ ତୃତୀୟ ବିଶ୍ୱଯୁଦ୍ଧର ଏକ ସମ୍ଭାବ୍ୟ ଟ୍ରିଗର ବୋଲି ବିବେଚନା କରାଯାଉଛି। ପ୍ରଥମେ ଇସ୍ରାଏଲ ଇରାନର ପରମାଣୁ କାର୍ଯ୍ୟକ୍ରମ ଉପରେ ଆକ୍ରମଣ କରିଥିଲା, ଯାହାର ଜବାବରେ ଇରାନ ମିସାଇଲ ପ୍ରକ୍ଷେପଣ କରି ଇସ୍ରାଏଲରେ ମଧ୍ୟ କ୍ଷୟକ୍ଷତି ଘଟାଇଥିଲା। ଏହା ପରେ ଆମେରିକାକୁ ମଧ୍ୟସ୍ଥି ହେବାକୁ ପଡ଼ିଥିଲା। ଇରାନୀ ପରମାଣୁ ରିଆକ୍ଟର ଉପରେ ଆମେରିକୀୟ ବିମାନ ଆକ୍ରମଣ ପରେ ପରିସ୍ଥିତି ଗମ୍ଭୀର ହୋଇପଡ଼ିଛି। ମଧ୍ୟପ୍ରାଚ୍ୟର ପରିସ୍ଥିତି ଯୁଦ୍ଧକୁ ଆହୁରି ଉସକାଇ ଦେଉଛି।
ତାଇୱାନକୁ ନେଇ ଆମେରିକା ଓ ଚୀନ ମଧ୍ୟରେ ଉତ୍ତେଜନା ବଢ଼ୁଛି। କିଛି ବିଶେଷଜ୍ଞଙ୍କ ମତରେ, ୨୦୨୭ ସୁଦ୍ଧା ଚୀନ ତାଇୱାନ ଉପରେ ଆକ୍ରମଣ କରିପାରେ। ଏସବୁ ଯୁଦ୍ଧ ବା ଆଶଙ୍କା ବୈଶ୍ୱିକ ଯୁଦ୍ଧର ପରିସ୍ଥିତି ସୃଷ୍ଟି କରୁଛି।
ପରମାଣୁ ଅସ୍ତ୍ରର ବଢ଼ୁଥିବା ବିପଦ
ରୁଷ, ଇରାନ, ଓ ଉତ୍ତର କୋରିଆ ଭଳି ଦେଶମାନେ ପରମାଣୁ ଅସ୍ତ୍ର ବ୍ୟବହାରର ଧମକ ଦେଉଛନ୍ତି। ଏହା ସହିତ, ଦକ୍ଷିଣ କୋରିଆ ଭଳି ଦେଶମାନେ ମଧ୍ୟ ନିଜର ପରମାଣୁ ଅସ୍ତ୍ର ବିକାଶ କରିବା ଉପରେ ବିଚାର କରୁଛନ୍ତି, କାରଣ ଆମେରିକାର ବିଶ୍ୱସନୀୟତା ଉପରେ ପ୍ରଶ୍ନ ଉଠୁଛି। ସବୁଠାରୁ ବଡ଼ କଥା ହେଉଛି ବର୍ତ୍ତମାନ ସମୟର ଅସ୍ତ୍ରଶସ୍ତ୍ର ଅଧିକ ଶକ୍ତିଶାଳୀ ଓ ଧ୍ୱଂସାତ୍ମକ।
ବୈଶ୍ୱିକ ସଂଘର୍ଷ ନିରନ୍ତର ବଢ଼ୁଛି
୨୦୨୪ରେ ୫୬ଟି ସଶସ୍ତ୍ର ସଂଘର୍ଷ ଚାଲିଥିଲା, ଯାହା ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ସର୍ବାଧିକ। ୯୨ଟି ଦେଶ ଏଥିରେ ସାମିଲ ଥିଲେ। ଏବଂ ୨୦୨୪ରେ ସଂଘର୍ଷର ଘଟଣା ୨୫% ବୃଦ୍ଧି ପାଇଛି।
ସୁଡାନ, ମିଆଁମାର, ହାଇତି, ଓ କଙ୍ଗୋ ଭଳି ଦେଶମାନେ ହିଂସା ଯୋଗୁଁ ଲକ୍ଷାଧିକ ଲୋକଙ୍କୁ ବିସ୍ଥାପିତ କରିଛି, ଯାହା ବୈଶ୍ୱିକ ଅସ୍ଥିରତା ବଢ଼ାଇଛି।
ଜନମତ ଓ ଭୟ
ଇଉରୋପ ଓ ଆମେରିକାରେ ସର୍ଭେ ଅନୁସାରେ ୪୧-୫୫% ଲୋକ ଆଗାମୀ ୫-୧୦ ବର୍ଷ ମଧ୍ୟରେ ତୃତୀୟ ବିଶ୍ୱଯୁଦ୍ଧର ଆଶଙ୍କା ପ୍ରକାଶ କରୁଛନ୍ତି, ବିଶେଷକରି ରୁଷ ସହ ଉତ୍ତେଜନାକୁ କାରଣ ମାନୁଛନ୍ତି। ସୋସିଆଲ ମିଡିଆରେ ମଧ୍ୟ ଲୋକେ ମଧ୍ୟପ୍ରାଚ୍ୟ ଓ ୟୁକ୍ରେନର ପରିସ୍ଥିତିକୁ ତୃତୀୟ ବିଶ୍ୱଯୁଦ୍ଧ ସହ ଯୋଡ଼ୁଛନ୍ତି।
