ଅଯୋଧ୍ୟା ରାମ ମନ୍ଦିରର ଦାନ ବାକ୍ସ ରୁ ଅର୍ଥ ହେରଫେର ଓ ଅନିୟମିତତା ଅଭିଯୋଗକୁ ନେଇ ଉତ୍ତରପ୍ରଦେଶ ରାଜନୀତି ଏବେ ସରଗରମ ହୋଇଉଠିଛି। ଆଗକୁ ରାଜ୍ୟରେ ବିଧାନସଭା ନିର୍ବାଚନ ଥିବାରୁ ଏହି ସମ୍ବେଦନଶୀଳ ପ୍ରସଙ୍ଗକୁ ଆଧାର କରି ସମାଜବାଦୀ ପାର୍ଟି ଏବଂ କଂଗ୍ରେସ ସମେତ ସମଗ୍ର ବିରୋଧୀ ଦଳ ଭାରତୀୟ ଜନତା ପାର୍ଟି ର ସବୁଠାରୁ ଶକ୍ତିଶାଳୀ ଆଦର୍ଶଗତ ଗଡ଼କୁ ଭେଦ କରିବା ପାଇଁ ରଣନୀତି ପ୍ରସ୍ତୁତ କରିଛନ୍ତି।
![]()
ବିରୋଧୀଙ୍କ ଆକ୍ରମଣ ଓ ରାଜନୈତିକ ପରିବର୍ତ୍ତନ
ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ଏହି ପ୍ରସଙ୍ଗକୁ ପ୍ରଥମେ ସାମ୍ନାକୁ ଆଣି କୋଟି କୋଟି ଟଙ୍କାର ହେରଫେର ହୋଇଥିବା ଦାବି କରିଥିଲେ। ଯେଉଁ ବିରୋଧୀ ଦଳଗୁଡ଼ିକ ୨୦୨୪ ମସିହାର ‘ପ୍ରାଣ ପ୍ରତିଷ୍ଠା’ ଉତ୍ସବକୁ ବର୍ଜନ କରିଥିଲେ, ସେମାନେ ଏବେ ହଠାତ୍ ଭକ୍ତ ଚେହେରାରେ ସାମ୍ନାକୁ ଆସିଛନ୍ତି। କଂଗ୍ରେସର ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ଏବଂ ଆମ୍ ଆଦମୀ ପାର୍ଟିର ନେତାମାନେ ରାମଲାଲାଙ୍କ ଦର୍ଶନ କରିବା ସହ “ଭକ୍ତଙ୍କ ଆସ୍ଥା ସହ ଖେଳାଯାଇଛି” ବୋଲି କହି ବିଜେପିକୁ ଘେରିବା ଆରମ୍ଭ କରିଛନ୍ତି। ବିରୋଧୀଙ୍କ ଅଭିଯୋଗ ହେଉଛି ଯେ, ଯେଉଁ ରାମ ମନ୍ଦିର ନାମରେ ବିଜେପି ରାଜନୀତି କରୁଛି, ସେଠାରେ ହିଁ ଦୁର୍ନୀତି ହେଉଛି।

SIT ତଦନ୍ତ ଓ ବଡ଼ କାର୍ଯ୍ୟାନୁଷ୍ଠାନ
ଏହି ବିବାଦ ତୀବ୍ର ହେବା ପରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ନିର୍ଦ୍ଦେଶରେ ଏକ ୩ ଜଣିଆ ସ୍ୱତନ୍ତ୍ର ତଦନ୍ତ ଗୋଷ୍ଠୀ (SIT) ଗଠନ କରାଯାଇଥିଲା। ଏସଆଇଟିର ପ୍ରାଥମିକ ରିପୋର୍ଟ ଆଧାରରେ ପ୍ରାୟ ୭ କୋଟି ଟଙ୍କାର ଦାନ ଅନିୟମିତତା ହୋଇଥିବା ଆଶ୍ଚର୍ଯ୍ୟଜନକ ତଥ୍ୟ ସାମ୍ନାକୁ ଆସିଛି। ପୋଲିସ ଏହି ମାମଲାରେ ପ୍ରାୟ ୮ ଜଣଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ପ୍ରାୟ ୮୦ ଲକ୍ଷ ଟଙ୍କାର ନଗଦ ଅର୍ଥ ଜବତ କରିଛି। ସେହିପରି ମନ୍ଦିର ଟ୍ରଷ୍ଟର ବ୍ୟାଙ୍କ କାର୍ଯ୍ୟକଳାପ ଏବଂ ସିସିଟିଭି ଫୁଟେଜର ଗଭୀର ଯାଞ୍ଚ ପାଇଁ ସରକାର SITର ଅବଧିକୁ ଜୁଲାଇ ୧୫ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି।
ମୋରାଲ୍ ଗ୍ରାଉଣ୍ଡରେ ଇସ୍ତଫା

ଏହି ସ୍କାମର ଆଞ୍ଚ ଶ୍ରୀ ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟର ଶୀର୍ଷ ପଦାଧିକାରୀଙ୍କ ପର୍ଯ୍ୟନ୍ତ ପହଞ୍ଚିଛି। ଏସଆଇଟି ତଦନ୍ତର ଚାପ ଯୋଗୁଁ ଟ୍ରଷ୍ଟର ସାଧାରଣ ସମ୍ପାଦକ ଚମ୍ପତ ରାୟ ଏବଂ ଅନ୍ୟତମ ବରିଷ୍ଠ ସଦସ୍ୟ ଅନିଲ ମିଶ୍ର ନୈତିକତା ଆଧାରରେ ନିଜ ପଦବୀରୁ ଇସ୍ତଫା ଦେଇଛନ୍ତି, ଯାହାକୁ ଟ୍ରଷ୍ଟ ଗ୍ରହଣ ମଧ୍ୟ କରିଛି। ଟ୍ରଷ୍ଟ ପକ୍ଷରୁ ସ୍ପଷ୍ଟ କରାଯାଇଛି ଯେ, ବର୍ତ୍ତମାନ ସୁଦ୍ଧା ୩,୨୬୪ କୋଟି ଟଙ୍କାର ଦାନ ମିଳିଥିବା ବେଳେ ଆୟ-ବ୍ୟୟର ସମ୍ପୂର୍ଣ୍ଣ ହିସାବ ସ୍ୱଚ୍ଛ ରହିଛି, ମାତ୍ର କିଛି ବ୍ୟକ୍ତିବିଶେଷଙ୍କ ଯୋଗୁଁ ଏହି ଅନିୟମିତତା ଘଟିଛି ଏବଂ ଦୋଷୀଙ୍କ ବିରୋଧରେ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
ବର୍ତ୍ତମାନ ପରିସ୍ଥିତିରେ, ଯେଉଁ ରାମ ମନ୍ଦିର ନିର୍ମାଣ ବିଜେପି ପାଇଁ ସବୁଠାରୁ ବଡ଼ ରାଜନୈତିକ ଏବଂ ଆଦର୍ଶଗତ ବିଜୟ ଥିଲା, ସେହି ମନ୍ଦିରର ଦାନ ପ୍ରସଙ୍ଗରେ ଆସିଥିବା ଏହି ଦୁର୍ନୀତି ଅଭିଯୋଗ ଆଗାମୀ ନିର୍ଚ୍ଚାଚନରେ ଶାସକ ଦଳ ପାଇଁ ଏକ ବଡ଼ ଆହ୍ୱାନ ସୃଷ୍ଟି କରିବାକୁ ଯାଉଛି।
Also read : https://purvapaksa.com/sanjiv-jain-appointed-as-indias-new-ambassador-to-north-korea/


