ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଏଚ-୧ବି ଭିସାର ସମର୍ଥନରେ ଏକ ଗୁରୁତ୍ୱପୂର୍ଣ୍ଣ ମନ୍ତବ୍ୟ ପ୍ରଦାନ କରିଛନ୍ତି। ସେ କହିଛନ୍ତି, ଆମେରିକାରେ ପ୍ରତିଭାବାନ ଲୋକଙ୍କ ଅଭାବ ଅଛି। ଏହି ବ୍ୟବସ୍ଥାକୁ ଆମେ ବନ୍ଦ କରି ପାରିବୁ ନାହିଁ। ସେ କହିଛନ୍ତି ଯେ ଏହି ବ୍ୟବସ୍ଥାକୁ ବନ୍ଦ କରିବା ଦ୍ୱାରା ଆମେରିକାର ସିଧାସଳଖ କ୍ଷତି ହେବ ତେଣୁ ଏଚ୍-୧ବି ଭିସା ବ୍ୟବସ୍ଥା ଅତ୍ୟାବଶ୍ୟକ । ଯଦି ଏହାକୁ ଉଚ୍ଛେଦ କରାଯାଏ, ତେବେ ସମସ୍ତ କାମ ଠପ୍ ହୋଇଯିବ। ସେ କହିଛନ୍ତି ଭିଡ଼ ନୁହେଁ କାମ କରିବା ପାଇଁ ପ୍ରତିଭା ଆବଶ୍ୟକ।
![]()
ଟ୍ରମ୍ପ୍ଙ୍କ ଏହି ମନ୍ତବ୍ୟ ଏପରି ଏକ ସମୟରେ ଆସିଛି ଯେତେବେଳେ ଆମେରିକା ପ୍ରଶାସନ ଏଚ୍-୧ବି ଭିସାର ଶୁଳ୍କକୁ ୧୦୦,୦୦୦ ଆମେରିକୀୟ ଡଲାରକୁ ବୃଦ୍ଧି କରିଛି। ଆମେରିକା ପ୍ରଶାସନ ଯୁକ୍ତି ଦେଇଛନ୍ତି, ଏହି ଶୁଳ୍କ ବୃଦ୍ଧି ବିଦେଶୀମାନଙ୍କୁ ନିରୁତ୍ସାହିତ କରିବ। କିଛି ମାସ ପୂର୍ବରୁ ଡୋନାଲ୍ଡ ଟ୍ରମ୍ପ୍ ଏକ ସାକ୍ଷାତକାରରେ କହିଥିଲେ ଯେ ସେ ଏଚ-୧ବି ଭିସା ଫି ବୃଦ୍ଧି କରିବାକୁ ଯାଉଛନ୍ତି। ଟ୍ରମ୍ପ୍ ତାଙ୍କର MAGA (ମେକ୍ ଆମେରିକା ଗ୍ରେଟ୍) ଅଭିଯାନର ଅଂଶ ଭାବରେ ଏହି ନିଷ୍ପତ୍ତି ନେଇଛନ୍ତି। ଯାହାର ଲକ୍ଷ୍ୟ ଆମେରିକୀୟ ପ୍ରବାସୀଙ୍କୁ ପ୍ରୋତ୍ସାହିତ କରିବା।
ତେବେ ଟ୍ରମ୍ପ୍ ଏବେ ଏହି ପ୍ରସଙ୍ଗରେ ୟୁ-ଟର୍ଣ୍ଣ ନେଇଛନ୍ତି। ଏକ ପ୍ରଶ୍ନର ଉତ୍ତର ଦେଇ ଟ୍ରମ୍ପ୍ କହିଛନ୍ତି କାର୍ଯ୍ୟ କରିବା ପାଇଁ ଆପଣଙ୍କୁ ପ୍ରତିଭାବାନ ଲୋକଙ୍କ ଆବଶ୍ୟକତା ଅଛି। ଏଥିପାଇଁ ଏଚ-୧ବି ଭିସା ବ୍ୟବସ୍ଥା ଅତ୍ୟନ୍ତ ଜରୁରୀ।

ଯେତେବେଳେ ସାମ୍ବାଦିକ ତାଙ୍କୁ ପଚାରିଲେ ଯେ ଆମେରିକାରେ କୌଣସି ପ୍ରତିଭାଶାଳୀ ଲୋକ ନାହାନ୍ତି କି? ଏହାର ଉତ୍ତରରେ ଟ୍ରମ୍ପ୍ ନା ବୋଲି କହିଥିଲେ। ଟ୍ରମ୍ପ୍ଙ୍କ ଏହି ମନ୍ତବ୍ୟ ପରେ ଅନୁମାନ କରାଯାଉଛି ଆମେରିକା ପ୍ରଶାସନ ଏଚ-୧ବି ଭିସା ସମ୍ବନ୍ଧୀୟ ନିୟମଗୁଡ଼ିକୁ ପୁଣି ଥରେ ସଂଶୋଧନ କରିପାରେ। ଆମେରିକାରେ ଭାରତୀୟମାନଙ୍କ ଦ୍ବାରା ସର୍ବାଧିକ ଏହି ଭିସା ବ୍ୟବହୃତ ହୋଇଥାଏ। ଆମେରିକା ସରକାରଙ୍କ ଅନୁଯାୟୀ, ୨୦୨୩-୨୪ ରେ ୨୮୩,୩୯୭ ଭାରତୀୟ ଏହି ଭିସାରେ ଆମେରିକା ଆସିଥିଲେ। ଏହା ସମସ୍ତ ଏଚ-୧ବି ଭିସାର ୭୧ ପ୍ରତିଶତ।
ଭାରତ ପରେ ଚୀନ୍ ଏହି ଭିସା ପାଇଛି। ଏହି ଭିସାରେ ୪୬,୬୮୦ ଜଣ ଚୀନ୍ ନାଗରିକ ଆମେରିକାରେ ଅଛନ୍ତି। ଏହି ଦୁଇ ଦେଶ ବ୍ୟତୀତ ଆମେରିକା ଫିଲିପାଇନ୍ସ, ବ୍ରାଜିଲ୍, କାନାଡା ଏବଂ ନାଇଜେରିଆର ଲୋକମାନଙ୍କୁ ମଧ୍ୟ ଏହି ଭିସା ପ୍ରଦାନ କରିଛି।
also read https://purvapaksa.com/?p=40604


