ରାଜ୍ୟର ଆର୍ଥିକ ପରିଚାଳନା କେବଳ ସଂଖ୍ରାର ଖେଳ ନୁହେଁ- ଏହା ଲୋକଙ୍କ ଜୀବନ, ସେବା, ଓ ଭବିଷ୍ୟତର ସହିତ ସିଧାସଳଖ ଜଡ଼ିତ। କିନ୍ତୁ ଓଡ଼ିଶାର ବର୍ତ୍ତମାନ ଆର୍ଥିକ ପରିସ୍ଥିତି ଯେଉଁ ଚିତ୍ର ଆଙ୍କୁଛି, ସେଥିରେ “ବ୍ୟୟ” ଓ “ବିକାଶ” ମଧ୍ୟରେ ଏକ ଗଭୀର ତଫାତ୍ ରହିଥିବା ସ୍ପଷ୍ଟ ଦେଖାଯାଉଛି। ବଜେଟ୍ ଖର୍ଚ୍ଚ ବଢ଼ିଥିବା ଦାବି ହେଉଥିବାବେଳେ, ବାସ୍ତବ ଭିତ୍ତିଭୂମି, ସ୍ୱାସ୍ଥ୍ୟ, ଶିକ୍ଷା ଓ ଗ୍ରାମ୍ୟ ଉନ୍ନୟନରେ ତା’ର ପ୍ରତିଫଳନ ଦେଖାଯାଉନାହିଁ। ପ୍ରଶ୍ନ ଉଠୁଛି- ବଜେଟ୍ ଟଙ୍କା ଏବେ କେଉଁଠି?
ବ୍ୟାଙ୍କ ଆକାଉଣ୍ଟରେ ‘ପାର୍କିଂ’: ବିନିଯୋଗ ସଂଖ୍ୟା ବଢ଼ାଇବାର ନୂଆ ଫର୍ମୁଲା?
ସରକାରୀ ସୂତ୍ର ଅନୁସାରେ, ବଜେଟ୍ ଅର୍ଥ ଖର୍ଚ୍ଚ ପରିମାଣ ବଢ଼ିଥିବା ଦେଖାଇବା ପାଇଁ ବିଭିନ୍ନ ବ୍ୟାଙ୍କ ଆକାଉଣ୍ଟରେ ପାଣ୍ଠି ‘ପାର୍କିଂ’ କରାଯାଉଛି। ଡିସେମ୍ବର ସୁଦ୍ଧା ମୋଟ ବଜେଟ୍ ଆକଳନର କେବଳ ୪୯% ଅର୍ଥ ବ୍ୟୟ- ଯେଉଁଠି ନିୟମାନୁସାରେ ୬୦% ଖର୍ଚ୍ଚ ହେବା କଥା; ସେଠାରେ ଏହି ପ୍ରକ୍ରିୟା ଗଭୀର ସନ୍ଦେହ ସୃଷ୍ଟି କରେ। ବ୍ୟାଙ୍କରେ ଟଙ୍କା ରହିଲେ ମଧ୍ୟ ରାସ୍ତା, ହସ୍ପିଟାଲ, ସ୍କୁଲ୍ ଓ ପାନୀୟଜଳ ପ୍ରକଳ୍ପରେ କାମ ହେଉନଥିଲେ—ସେଇ ‘ବ୍ୟୟ’ କାହା ପାଇଁ?
ସ୍ୱାସ୍ଥ୍ୟ–ଶିକ୍ଷାରେ କମ୍ ଖର୍ଚ୍ଚ: ସତର୍କ ଘଣ୍ଟି
ସ୍ୱାସ୍ଥ୍ୟ ବିଭାଗରେ (-୫%), ଶ୍ରମ ଓ ରାଜ୍ୟ କର୍ମଚାରୀ ବୀମାରେ (-୯%), ଉଚ୍ଚଶିକ୍ଷାରେ (-୫%) ବ୍ୟୟ ହ୍ରାସ- ଏହା କେବଳ ସଂଖ୍ୟା ନୁହେଁ, ଏହା ରାଜ୍ୟର ସାମାଜିକ ଭବିଷ୍ୟତ ପାଇଁ ଏକ ବିପଦ ସଙ୍କେତ। ମିଶନ ଶକ୍ତି (୨୨୩%) ଓ ଶକ୍ତି ବିଭାଗ (୪୫%) ଛାଡ଼ି ଦେଲେ, ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ବିଭାଗରେ ବ୍ୟୟ ଅପର୍ଯ୍ୟାପ୍ତ—ଏହା ପ୍ରଶାସନିକ ଅପାରଗତାର ସ୍ପଷ୍ଟ ପ୍ରମାଣ।
![]()
ରାଜସ୍ୱ ଲକ୍ଷ୍ୟରେ ବଡ଼ କାଟ୍: ଆତ୍ମବିଶ୍ୱାସ କମୁଛି କି?
ଚଳିତ ଆର୍ଥିକ ବର୍ଷରେ ୨.୩୨ଲକ୍ଷ କୋଟି ଟଙ୍କା ରାଜସ୍ୱ ଲକ୍ଷ୍ୟ ଧାର୍ଯ୍ୟ ଥିଲା। କିନ୍ତୁ ପ୍ରଶାସନିକ ଅସମର୍ଥତାରେ ଏହାକୁ ୨,୧୨,୪୦୮ କୋଟିକୁ କମାଇ ଦିଆଯାଇଛି। ୫୦୦ ବିଲିୟନ ଡଲାର ଅର୍ଥନୀତିର ସ୍ୱପ୍ନ ଦେଖାଉଥିବା ମୋହନ ମାଝୀ ସରକାର ପାଇଁ ଏହା ଏକ ବଡ଼ ବିରୋଧାଭାସ। ଲକ୍ଷ୍ୟ କମାଇବା ମାନେ- ବାସ୍ତବତାକୁ ସ୍ୱୀକାର କରିବା, କିନ୍ତୁ ସମାଧାନ ଦେଖାଇବା ନୁହେଁ।
ଟିକସ ସଂଗ୍ରହ ମନ୍ଥର: ରାଜକୋଷ ଉପରେ ଚାପ
୨୦୨୫ ଡିସେମ୍ବର ସୁଦ୍ଧା ନିଜସ୍ୱ ଟିକସ–ଅଣଟିକସ ମିଶାଇ ୮୩,୨୨୯ କୋଟି ଟଙ୍କା ସଂଗ୍ରହ ହୋଇଛି। କିନ୍ତୁ ନିଜସ୍ୱ ଟିକସ ମାତ୍ର ୪୦,୦୯୪ କୋଟି-ଯେଉଁଠି ଲକ୍ଷ୍ୟ ୬୬ହଜାର କୋଟି। ୦.୩୦% ଅଭିବୃଦ୍ଧି ପ୍ରଶାସନିକ ଅବହେଳାକୁ ନିର୍ମମ ଭାବେ ଉଜାଗର କରେ। SGST, VAT, ରାଜ୍ୟ ଅବକାରୀର ଦୁର୍ବଳ ପ୍ରଦର୍ଶନ ଏହି ସଙ୍କଟକୁ ଆଉ ଗଭୀର କରିଛି।

କେନ୍ଦ୍ର ନିର୍ଭରତା: ଆତ୍ମନିର୍ଭରତା କେଉଁଠି?
ରାଜ୍ୟ ନିଜ ସମ୍ବଳ ବଢ଼ାଇବା ପରିବର୍ତ୍ତେ କେନ୍ଦ୍ରୀୟ ଅନୁଦାନ ଓ କେନ୍ଦ୍ରୀୟ ଟିକସରେ ଅଧିକ ନିର୍ଭର-ଡିସେମ୍ବର ସୁଦ୍ଧା ୭୦,୭୪୩ କୋଟି (୬୬.୭୮%) ମିଳିଛି। ଖଣି ରାଜସ୍ୱ ଓ ଅଣଟିକସ ଆୟରେ ୧୨.୭୯% ବୃଦ୍ଧି ନ ଥାଇଥିଲେ, ପରିସ୍ଥିତି ଆଉ ଭୟାବହ ହେବା ସମ୍ଭାବନା ଥିଲା।
ପୁଞ୍ଜିଗତ ବ୍ୟୟରେ ୧୫% ହ୍ରାସ: ବିକାଶ କମିଲା
ଭିତ୍ତିଭୂମି ବିକାଶର ମୂଳ ହେଉଛି ପୁଞ୍ଜିଗତ ବ୍ୟୟ। କିନ୍ତୁ ଏଠାରେ ୧୫% ହ୍ରାସ। ୬୫,୦୧୨ କୋଟି ବ୍ୟୟବରାଦ ଥିବା ବେଳେ, ମାତ୍ର ୨୨,୮୩୫ କୋଟି ଖର୍ଚ୍ଚ- ରାଜ୍ୟ GDPର ୬.୧% ଲକ୍ଷ୍ୟ ସାମ୍ନାରେ ବାସ୍ତବ ୨.୯%। ଜଳସମ୍ପଦ, ପୂର୍ତ୍ତ, ଗ୍ରାମ୍ୟ ଉନ୍ନୟନରେ କମ୍ ଖର୍ଚ୍ଚ- ରାସ୍ତା, ସିଚାଇ, ଗ୍ରାମୀଣ ଆର୍ଥିକତା ସବୁ ପ୍ରଭାବିତ।
ପ୍ରଶାସନିକ ଦାୟିତ୍ୱ କାହାର?
ସଚିବସ୍ତରୀୟ ବୈଠକରେ ସଂଶୋଧିତ ରାଜସ୍ୱ ଲକ୍ଷ୍ୟ ଅପରିବର୍ତ୍ତନୀୟ ବୋଲି ଅନୁ ଗର୍ଗ ତାଗିଦ୍ ଦେଇଥିଲେ ମଧ୍ୟ- ଲକ୍ଷ୍ୟ କମିଲା କାହିଁକି, ଦାୟିତ୍ୱ କାହାର-ଏହାର ସ୍ପଷ୍ଟ ଉତ୍ତର ନାହିଁ। ବିଭାଗୀୟ ସଚିବମାନଙ୍କ ଉପରେ ଦାୟିତ୍ୱ ଧାର୍ଯ୍ୟ ହେବ କି? କି ସଂଖ୍ୟାର ଆବରଣରେ ସବୁ କଥା ଢାଙ୍କି ଦିଆଯିବ?
ସଂଖ୍ୟା ନୁହେଁ, କାମ ଦରକାର
ବଜେଟ୍ କାଗଜରେ ଭଲ ଲାଗିପାରେ, ବ୍ୟାଙ୍କ ଆକାଉଣ୍ଟରେ ଟଙ୍କା ଦେଖାଯାଇପାରେ। କିନ୍ତୁ ଯେପର୍ଯ୍ୟନ୍ତ ସେ ଟଙ୍କା ରାସ୍ତା, ସେବା, ଓ ସୁଯୋଗରେ ପରିଣତ ହେଉନାହିଁ- ସେପର୍ଯ୍ୟନ୍ତ ବିକାଶ ଏକ ଭ୍ରମ ମାତ୍ର। ଓଡ଼ିଶାକୁ ସଂଖ୍ୟାର ମାୟା ନୁହେଁ, ଦୃଢ଼ ପ୍ରଶାସନିକ କ୍ଷମତା, ସ୍ପଷ୍ଟ ଦାୟିତ୍ୱ ଓ ବାସ୍ତବ କାର୍ଯ୍ୟାନ୍ୱୟନ ଆବଶ୍ୟକ। ନ ହେଲେ- ବ୍ୟାଙ୍କରେ ଟଙ୍କା ରହିବ, ଆଉ ରାଜ୍ୟ ରହିବ ଅପେକ୍ଷାରେ।
AlsoRead; https://purvapaksa.com/question-12-and-caste-census-congress-doubts-centres-true-intentions/
https://purvapaksa.com/question-12-and-caste-census-congress-doubts-centres-true-intentions/

