ନୂଆପଡ଼ା ଉପନିର୍ବାଚନ ଫଳାଫଳ ଅନେକ ବାର୍ତ୍ତା ଦୋଇଛି। କେବଳ ବିଜେପି ପାଇଁ ଏହା ଏକ ବିଜୟ ନୁହେଁ, ଏହା ରାଜ୍ୟ ରାଜନୀତିରେ ନୂଆ ଶକ୍ତି ସମୀକରଣ, ବ୍ରାଣ୍ଡ-ପଲିଟିକ୍ସର ଉଦୟ। ଦଳର ଆଭ୍ୟନ୍ତରୀଣ ସ୍ଥିତିର ସ୍ପଷ୍ଟ ପରିବର୍ତ୍ତନର ଏକ ସ୍ପଷ୍ଟ ସଂକେତ। ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଓ ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଯୋଡ଼ି-ଯେଉଁ ଉକ୍ତି ପୂର୍ବରୁ ‘ଯୋଡ଼ାକୁ ଘୋଡ଼ା ସରି’ ନୁହେଁ ଭାବରେ ବ୍ୟଖ୍ୟା ହୋଇଥିଲା-ନୂଆପଡ଼ା ପରୀକ୍ଷାରେ ସଫଳତାର ସହ ପାସ୍ କରିଛି।
୮୩,୭୪୮ ଭୋଟର ବିଶାଳ ବ୍ୟବଧାନରେ ଜିତିଛି ବିଜେପି। ବିଜେଡି ଗଡ଼ରୁ ଆସନ ଛଡ଼ାଇ ଆଣିଛି। ତାହା ପୁଣି କୌଣସି କେନ୍ଦ୍ରମନ୍ତ୍ରୀଙ୍କ ବିନା ସହାୟତାରେ। ନୂଆପଡ଼ା ରଣନୀତି ପରିଚାଳନା- ସ୍ପଷ୍ଟ କରିଛି ଯେ ରାଜ୍ୟ ବିଜେପିରେ ଏବେ ମୋହନ-ମନମୋହନ ଯୁଗ ଆରମ୍ଭ ହୋଇଛି। ଏହି ବିଜୟ ଏକ ହଠାତ୍ ପରିବର୍ତ୍ତନ ନୁହେଁ; ଏହା ରାଜ୍ୟ ସଂଗଡନରେ ତୃତୀୟ ଶକ୍ତିର ଆବଶ୍ୟକତାକୁ ଅସାର କରିଦେଇଛି।
ମୋହନ–ମନମୋହନ: ଉପନିର୍ବାଚନର ବିଜୟୀ ଯୋଡ଼ି
ରାଜ୍ୟ ସଭାପତି ହେବା ପରେ ମନମୋହନ ସାମଲଙ୍କୁ ସମ୍ବର୍ଦ୍ଧନା ସଭାରେ ମୁଖ୍ୟମନ୍ତ୍ରୀ ଯେତେବେଳେ କହିଥିଲେ-“ଯୋଡ଼ାକୁ ଘୋଡ଼ା ସରି ନୁହେଁ”-ସେତେବେଳେ ଏହା ନେଇ ଦଳ ଭିତରେ ଅନେକ ଅନୁମାନ ଉଠିଥିଲା। ଏବେ ନୂଆପଡ଼ା ଫଳାଫଳ ସହିତ ସେହି ଉକ୍ତି ସତ ପ୍ରମାଣିତ ହୋଇଛି।
ଯୁଗଳ ରଣନୀତିର ମୂଳ ବିଶେଷତା
• କେନ୍ଦ୍ରୀୟ ନେତୃତ୍ୱ ଉପରେ ନିର୍ଭରଣୀଳ ନୁହେଁ
• ପ୍ରାର୍ଥୀ ଚୟନରେ ସ୍ୱାଧିନତା: ବିଜେଡି ନେତାଙ୍କ ପୁଅ ଜୟ ଢୋଲକିଆଙ୍କୁ ଟିକେଟ୍
• ଗ୍ରାଉଣ୍ଡ ମ୍ୟାନେଜମେଣ୍ଟର ସଠିକ ନିର୍ଦ୍ଦେଶନା
• ବିଜେଡିର ଭିତରୁ ୟୁଥ୍–ଭୋଟ୍ ଉପରେ ଫୋକସ୍
ପୂର୍ବରୁ ବିଜେପି ପ୍ରାର୍ଥୀମାନେ ବିଜେଡି ଗଡ଼ରେ ଲଢ଼ି ଜିତିପାରିନଥିଲେ, ସେଠି ଏମିତି ବିଶାଳ ବ୍ୟବଧାନର ବିଜୟ, ଆହୁରି ମହତ୍ତ୍ୱପୂର୍ଣ୍ଣ।
‘ମୋହନ – ମନମୋହନ ବ୍ରାଣ୍ଡ’-ଏକ ନୂଆ ଅଧ୍ୟାୟର ଆରମ୍ଭ
୨୦୨୪ ଜୁନରେ, ରାଜ୍ୟରେ ବିଜେପି କ୍ଷମତାକୁ ଆସିବାବେଳେ କିଏ ମୁଖ୍ୟମନ୍ତ୍ରୀ ହେବେ, ଏହା ନେଇ ଅନେକ ଆଶଙ୍କା ଥିଲା। ଅନେକ ଅନୁଭବୀ, ପ୍ରଶିକ୍ଷିତ ଓ ଶକ୍ତିଶାଳୀ ନେତା ଥିବା ସତ୍ତ୍ୱେ, କେନ୍ଦ୍ରୀୟ ନେତୃତ୍ୱ ମୋହନ ମାଝୀଙ୍କୁ ପସନ୍ଦ କଲା-ଏହା ଅନେକଙ୍କୁ ଦୁଃଖି କରିଥିଲା।
ଆଜି ସେଇ ନେତା ନିଜର ରାଜନୀତିକ ଛାପ ନିର୍ମାଣ କରିବାରେ ସଫଳ:ତାହା ହେଲା “ମୋହନ ବ୍ରାଣ୍ଡ”।
ଆଦିବାସୀ ନେତ୍ୱୃତ୍ୱ ନେଇ ତାଙ୍କର କ୍ଷମତା, ବୁଥ୍ସ୍ତରରେ ସମ୍ପର୍କ, ସରଳ ସ୍ୱଭାବ ଓ ନିୟନ୍ତ୍ରିତ ରଣନୀତି-ଏସବୁ ମିଶି ତାଙ୍କୁ ଆଜି ‘ଲୋକପ୍ରିୟ ମୁଖ୍ୟମନ୍ତ୍ରୀ’ ଭାବେ ପରିଚୟ ଦେଉଛି।
ନୂଆପଡ଼ା ବିଜୟ ତାଙ୍କର ବ୍ରାଣ୍ଡକୁ ଆହୁରି ମଜବୁତ କରିଛି, ତାଙ୍କ ନେତୃତ୍ୱକୁ ଦଳ ଓ ଜନତା, ଦୁହିଁଙ୍କ ନଜରେ ପ୍ରତିଷ୍ଠିତ ହୋଇଛି।
ଧର୍ମେନ୍ଦ୍ର ପ୍ରଧାନ ଏବେ ଅଲୋଡ଼ା ହେବେ କି?
ଧର୍ମେନ୍ଦ୍ର ପ୍ରଧାନ ନିଶ୍ଚତ ଭାବେ ବିଜେପିର ସବୁଠୁ ଶକ୍ତିଶାଳୀ ଜାତୀୟ ନେତା। ବିହାର, ଦରିଆନା ଓ ଦେଶର କିଛି ରାଜ୍ୟରେ ସେ ଜଣେ ଅସାଧାରଣ ସଂଗଠକ।
କିନ୍ତୁ ଓଡ଼ିଶାରେ ସେ ଯେଉଁ ଛବି ଗଢ଼ିଥିଲେ ତାହା ହେଲା-
• ଅତ୍ୟାଧିକ ନିୟନ୍ତ୍ରଣ,
• ସଂଗଠନ ଉପରେ ବୈକଳ୍ପିକ ଦବାବ,
• ନିଜ ଗୋଷ୍ଠୀ ଗଢ଼ିବା,
• ଅଭିମାନୀ ରାଜନେତା ଭାବରେ ପରିଚୟ-
ଏସବୁ ତାଙ୍କର ଛବିକୁ ରାଜ୍ୟ ବିରୋଧୀ ପ୍ରତିଛାୟା ଦେଇଥିଲା। ପୂର୍ବରୁ ବିଜେପି ସଂଗଠନ ପରୋକ୍ଷ ଭାବେ ତାଙ୍କ ନିୟନ୍ତ୍ରଣରେ ଥିଲା ବୋଲି ଦଳୀୟ ବର୍ଗ ଅନେକଥର କହିଥାନ୍ତି।
କିନ୍ତୁ ମୋହନ–ମନମୋହନ ଯୁଗ ଏସବୁକୁ ପରିବର୍ତ୍ତନ କରିଦେଲା
ନୂଆପଡ଼ାର ସମଗ୍ର ନିର୍ବାଚନୀ ପ୍ରକ୍ରିୟାରୁ ଧର୍ମେନ୍ଦ୍ରଙ୍କୁ ‘ଦୂରେଇ’ ରଖାଗଲା। ସଂଗଠନ ଭିତରେ ଏହାକୁ ଏକ ବଡ଼ ମେସେଜ୍ ଭାବରେ ଦେଖାଯାଉଛି- ରାଜ୍ୟ ବିଜେପି ଏବେ ତୃତୀୟ ନେତୃତ୍ୱ ଆବଶ୍ୟକ କରୁନାହିଁ।
ଯଦି ବିଜେପି ଏଠି ହାରିଥାନ୍ତା, ଧର୍ମେନ୍ଦ୍ରଙ୍କ ପ୍ରଭାବ ପୁନଃ ସଶକ୍ତ ହେବା ପାଇଁ ଆବଶ୍ୟକ ସୁଯୋଗ ମିଳିଥାନ୍ତା।
କିନ୍ତୁ ବିପରୀତ ହେଲା- ବିଜୟ ତାଙ୍କ ପ୍ରଭାବକୁ ଅବଦମିତ କରିଦେଲା।

ସାଂଗଠନିକ ପରିବର୍ତ୍ତନ: ମନମୋହନ ସାମଲଙ୍କର ପ୍ରତିଛାୟା
ମନମୋହନ ସାମଲଙ୍କୁ ରାଜ୍ୟ ସଭାପତି କରିବା-ଏହା ସାଧାରଣ ପରିବର୍ତ୍ତନ ନୁହେଁ। ସେ ଯେଉଁଭଳି ଭୂମିକାରେ ରାଜ୍ୟ ପ୍ରଭାରୀ ଓ କେନ୍ଦ୍ରୀୟ ନେତାଙ୍କୁ ବୁଝେଇ ଥିଲେ ଯେ ଧର୍ମେନ୍ଦ୍ରଙ୍କୁ ସମ୍ବଲପୁରରେ ସୀମିତ ରଖିବା ଭଲ-୨୦୨୪ରେ ସେହି ରଣନୀତି ଭଲ ଫଳ ଦେଇଥିଲା।
ଆଜି ମଧ୍ୟ ଏହାର ପୁନରାବୃତ୍ତି ଦେଖାଗଲା। ଏହି ଯୋଡ଼ି ସଂଗଠନକୁ ଏକ ସ୍ପଷ୍ଟ ମେସେଜ୍ ଦେଇଛି- “ରାଜ୍ୟ ସଂଗଠନର ନିୟନ୍ତ୍ରଣ ଭୁବନେଶ୍ୱରରେ ହେବ, ଦିଲ୍ଲୀରେ ନୁହେଁ।”
ବିଜେଡି ପାଇଁ ଏକ ଶକ୍ତିଶାଳୀ ବାର୍ତ୍ତା: ଗଡ଼ ଧସିବାର ଆରମ୍ଭ?
ଦୁଇ ଦଶକ ଧରି ଯେଉଁ ଜାଗାରେ ବିଜେଡିର ଭୂମିକା ଅଟଳ ରହିଥିଲା, ସେଠାରୁ ଆସନ ଛଡ଼ାଇ ଆଣିବା-ଏକ ପ୍ରତୀକାତ୍ମକ ଛବି। ଏହା ଭାବୀ ନିର୍ବାଚନ, ବିଶେଷକରି
• ପଞ୍ଚାୟତ ନିର୍ବାଚନ,
• ମ୍ୟୁନିସିପାଲିଟି ନିର୍ବାଚନ
ପାଇଁ ବିଜେପିକୁ ଆଶା ଓ ଆତ୍ମବିଶ୍ୱାସ ଦେଉଛି।
କିନ୍ତୁ କେତେକ ରାଜନୀତିକ ବିଶ୍ଳେଷକଙ୍କ ମତରେ “ନୂଆପଡ଼ା ବିଜୟ ହେଉଛି ସତ୍ତାର ସ୍ୱାଭାବିକ ଲାଭ, ପ୍ରକୃତ ପାୱାର-ଟେଷ୍ଟ ପଞ୍ଚାୟତ ନିର୍ବାଚନରେ ହେବ।” ସେହି ପରୀକ୍ଷା ପାଇଁ ଓଡ଼ିଶା ଅପେକ୍ଷା କରୁଛି।
ବିଜେପିର ଭିତରୁ ବାର୍ତ୍ତା: ତୃତୀୟ ଶକ୍ତିର ସ୍ଥାନ ନାହିଁ
ନୂଆପଡ଼ା ଫଳାଫଳରୁ ସବୁଠାରୁ ମହତ୍ତ୍ୱପୂର୍ଣ୍ଣ ଶିକ୍ଷା- ରାଜ୍ୟ ବିଜେପିକୁ ଏବେ ତୃତୀୟ ନେତାର ଆବଶ୍ୟକତା ନାହିଁ।
କାରଣ:
• ସଫଳ ମୁଖ୍ୟମନ୍ତ୍ରୀ ଓ ରାଜ୍ୟ ସଭାପତିଙ୍କ ଯୁଗଳବନ୍ଦୀ
• କେନ୍ଦ୍ରରେ ଜଣେ ଶକ୍ତିଶାଳୀ ଓଡ଼ିଆ ନେତା ଥିବା ସତ୍ତ୍ୱେ ରାଜ୍ୟରେ ତାଙ୍କର ପ୍ରତିଛବି ମଳିନ ଓ ବିବାଦୀୟ
• ସାଂଗଠନିକ ଏବଂ ପ୍ରଶାସନୀୟ ଛବିରେ ମୋହନ-ମନମୋହନଙ୍କ ସ୍ଥିରତା
• ଜନମତରେ ମୋହନ ମାଝୀଙ୍କ ଗ୍ରହଣୀୟତା ବୃଦ୍ଧି
• ରାଜ୍ୟ ନେତୃତ୍ୱକୁ ମଝିରେ ରଖିବାରେ କେନ୍ଦ୍ରୀୟ ନେତାମାନଙ୍କ ସମ୍ମତି
ଏହି ତଥ୍ୟଗୁଡ଼ିକ ସାଂଗଠନିକ ସୂତ୍ରକୁ ଏକ ନୂଆ ବାର୍ତ୍ତା ଦେଉଛି- “ବାହାରୁ ଚିକ୍କଣ ନେତୃତ୍ୱ ନୁହେଁ; ଭିତରୁ ଉଠିଥିବା ସ୍ୱାଭାବିକ ଯୋଡ଼ି ଅଧିକ ସଫଳ।”
ଗୋଟିଏ ବିଜୟ, ଦୁଇଟି ପ୍ରଭାବ, ତିନିଟି ସଙ୍କେତ
ନୂଆପଡ଼ା ବିଜୟ ବିଜେପି ପାଇଁ କେବଳ ଆଉ ଗୋଟିଏ ବିଧାନସଭା ଆସନରେ ବିଜୟ ନୁହେଁ। ଏହା ରାଜ୍ୟ ରାଜନୀତିରେ ତିନିଟି ବଡ଼ ସଙ୍କେତ ଦେଉଛି-
1. ମୋହନ-ମନମୋହନ ଯୁଗ ଦୃଢ଼
ଏହି ଯୋଡ଼ି ଏବେ ବିଜେପିର ସଫଳତାର ମୂଳ ବିନ୍ଦୁ
2. ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରଭାବ ସଂକୋଚନ
ସେ ଜାତୀୟ ସ୍ତରରେ ଶକ୍ତିଶାଳୀ, କିନ୍ତୁ ରାଜ୍ୟରେ ତାଙ୍କର ଭୂମିକା ଦୂରରେ ସୀମିତ ହେବ।
3. ବିଜେଡିର ଗଡ଼କୁ ଧକ୍କା
ଯଦିଓ ଏହା ଶେଷ ନୁହେଁ; ପ୍ରକୃତ ପରୀକ୍ଷା ପଞ୍ଚାୟତ ଓ ମ୍ୟୁନ୍ସିପାଲଟି ନିର୍ବାଚନରେ।
ରାଜ୍ୟ ବିଜେପି ଏବେ ଯେ ସଫଳ ନୀତିରେ ଚାଲୁଛି-ସେହି ନୀତିର କେନ୍ଦ୍ରବିନ୍ଦୁ ହେଉଛି ସ୍ଥାନୀୟ ନେତା, ସାଂଗଠନିକ ଦୃଢ଼ତା ଓ ନୂଆ ନେତୃତ୍ୱ ପ୍ରତି ଆସ୍ଥା। ତୃତୀୟ ନେତାଙ୍କ ଆବଶ୍ୟକତା ନ ଥିବା ଅର୍ଥ- ଦଳରେ ସଂଘବଦ୍ଧତା ଓ ସ୍ପଷ୍ଟ ଦିଗନିର୍ଣ୍ଣୟ।
AlsoRead; https://purvapaksa.com/?p=41033


