ଭୁବନେଶ୍ୱରରେ ଗତ ୪ ତାରିଖ ରାତିରେ ବିଜେପି ସରକାର ବଡ଼ ଘୋଷଣା କରିଛନ୍ତି। ତାହା ହେଲା ରାଜ୍ୟର ବୈଷୟିକ ଶିକ୍ଷାନୁଷ୍ଠାନଗୁଡ଼ିକରେ ସଂରକ୍ଷଣ ସୀମା ୫୦%କୁ ବୃଦ୍ଧି କରାଯାଇଛି। ସେହି ରାତିରେ ଓଡ଼ିଶାର ଲକ୍ଷ ଲକ୍ଷ ଛାତ୍ରଛାତ୍ରୀ, ଅଭିଭାବକମାନେ ଏକ ଗଭୀର ଦ୍ୱନ୍ଦ୍ୱ ଭିତରେ ପଡ଼ିଗଲେ। ପ୍ରଶ୍ନ ଉଠିଲା— ଏହା ରାଜ୍ୟର ଅବହେଳିତ ବର୍ଗଙ୍କ ପ୍ରତି ରାଜ୍ୟ ସରକାରଙ୍କ ଏକ ଦୀର୍ଘ ପ୍ରତୀକ୍ଷିତ ଐତିହାସିକ ନ୍ୟାୟ ପ୍ରଦାନ, ନା ୨୦୨୯ ବିଧାନସଭା ନିର୍ବାଚନ ଦ୍ୱାର ଆଡ଼କୁ ଯାଉଥିବା ଏକ ସୁଚିନ୍ତିତ ରାଜନୈତିକ ମଞ୍ଚ?

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ନିଷ୍ପତ୍ତିକୁ “ଐତିହାସିକ” ଓ “ଦୀର୍ଘ ବିଳମ୍ବିତ ନ୍ୟାୟ” ବୋଲି ଅଭିହିତ କଲେ। ବିରୋଧୀ ଦଳ ଏହାକୁ “ଜାତିଆଣ ରାଜନୀତିର ଚତୁର ଖେଳ” ବୋଲି କହିଲେ। ଏହି ଦୁଇ ପ୍ରକାରର କଥା ମଝିରେ ଠିଆ ହୋଇ ଓଡ଼ିଶାର ସାଧାରଣ ମଣିଷ ପ୍ରଶ୍ନ କରୁଛି— ଅସଲ କଥା କ’ଣ?
ଆସନ୍ତୁ ସେହି ପ୍ରଶ୍ନର ଉତ୍ତର ଖୋଜିବା। ସଂଖ୍ୟା, ଇତିହାସ, ରାଜନୀତି ଓ ସମ୍ଭାବ୍ୟ ଭବିଷ୍ୟତକୁ ପୁଙ୍ଖାନୁପୁଙ୍ଖ ଓଲଟାଇ ଦେଖିବା।
ନୂଆ ସଂରକ୍ଷଣ ନୀତି — ସଂଖ୍ୟାର ଭାଷାରେ
ଓଡ଼ିଶା ସରକାର ଯେଉଁ ନୀତି ଘୋଷଣା କଲେ, ତାହା ରାଜ୍ୟର ମେଡିକାଲ, ଇଞ୍ଜିନିୟରିଂ, ଆଇଟିଆଇ ଓ ପଲିଟେକନିକ ଶ୍ରେଣୀର ସମସ୍ତ ବୈଷୟିକ ଶିକ୍ଷାନୁଷ୍ଠାନକୁ ଅନ୍ତର୍ଭୁକ୍ତ କରୁଛି। ଏହି ପରିବର୍ତ୍ତନ ଅଭୂତପୂର୍ବ ଓ ବ୍ୟାପ୍ତ।

ଅନୁସୂଚିତ ଜନଜାତି ବା ଏସଟି ଶ୍ରେଣୀ ପୂର୍ବରୁ ୧୨% ସଂରକ୍ଷଣ ପାଉଥିଲେ। ବର୍ତ୍ତମାନ ସେ ୨୨.୫% ପାଇବେ। ଏହା ପ୍ରାୟ ଦ୍ୱିଗୁଣ। ଅନୁସୂଚିତ ଜାତି ବା ଏସସି ଶ୍ରେଣୀ ୮% ରୁ ବୃଦ୍ଧି ପାଇ ୧୬.୨୫% ପର୍ଯ୍ୟନ୍ତ ପହଞ୍ଚିଲେ। ଏଥରେ ସବୁଠୁ ବଡ଼ ଓ ଚର୍ଚ୍ଚିତ ପଦକ୍ଷେପ ହେଲା ଏସଇବିସି ଅର୍ଥାତ ଓବିସି ବର୍ଗଙ୍କ ପାଇଁ ଶିକ୍ଷା କ୍ଷେତ୍ରରେ ୧୧.୨୫% ସଂରକ୍ଷଣ— ଓଡ଼ିଶା ଇତିହାସରେ ଏହା ପ୍ରଥମ ଘଟଣା।
ସଂଖ୍ୟାଗୁଡ଼ିକ ବୃହତ୍। ରାଜ୍ୟର ମୋଟ ୨,୪୨୧ ଟି ମେଡ଼ିକାଲ ସିଟ୍ ଭିତରୁ ଏସଟି ବର୍ଗ ପୂର୍ବରୁ ୨୯୦ଟି ସିଟ ପାଉଥିଲେ, ଏବେ ପାଇବେ ୫୪୫ଟି। ଏସସି ବର୍ଗ ୧୯୩ ଟିରୁ ଏବେ ୩୯୩ ଟି ପାଇବେ। ଓବିସି ବର୍ଗ ଏଥର ପ୍ରଥମ ଥର ୨୭୨ଟି ସିଟ ସ୍ୱତନ୍ତ୍ର ଭାବରେ ପାଇବେ। ଇଞ୍ଜିନିୟରିଂ ଦୁନିଆରେ ଆହୁରି ଚମକ ଲଗାଇ ଦେଉଥିବା ଚିତ୍ର। ୪୪,୫୭୯ଟି ମୋଟ ସିଟ ଭିତରୁ ପ୍ରାୟ ୨୨,୨୮୯ ଟି ଅର୍ଥାତ ଠିକ ଅଧା ସିଟ ସଂରକ୍ଷିତ ବର୍ଗ ପାଇଁ ଉଦ୍ଦିଷ୍ଟ।
ଏ ଅଙ୍କ ଦେଖିଲେ ଅନେକ ଖୁସି ହୁଅନ୍ତି। ଏ ଅଙ୍କ ଦେଖି ଅନ୍ୟ ଅଂଶ ହୁଏ ଚିନ୍ତିତ। ଏ ଦ୍ୱନ୍ଦ୍ୱ ଓ ବିଭ୍ରାଟ ନୂଆ ନୀତିର ଆଉ ଏକ ପ୍ରତ୍ୟକ୍ଷ ପ୍ରଭାବ।
ଓଡ଼ିଶା ଓ ସଂରକ୍ଷଣ — ଏକ ଜଟିଳ ଐତିହ୍ୟ
ଓଡ଼ିଶାରେ ସଂରକ୍ଷଣ ବ୍ୟବସ୍ଥା ନୂଆ ନୁହେଁ। ସ୍ୱାଧୀନତା ପ୍ରାପ୍ତି ପ୍ରଥମ ଦଶନ୍ଧି ଭିତରରୁ ସଂବିଧାନ ଅନୁଯାୟୀ ଏସସି ଓ ଏସଟି ବର୍ଗଙ୍କ ପାଇଁ ସଂରକ୍ଷଣ ଲାଗୁ ହୋଇ ଆସୁଛି। ଏହି ବ୍ୟବସ୍ଥା ମୂଳ ଉଦ୍ଦେଶ୍ୟ ଥିଲା ଶହ ଶହ ବର୍ଷ ଧରି ଜାତିଆଣ ଶ୍ରେଣୀ ବ୍ୟବସ୍ଥାର ଅତ୍ୟାଚାର ଓ ଭେଦଭାବ ଦ୍ୱାରା ଅବଦମିତ ମଣିଷଙ୍କୁ ସୁଯୋଗ ଦେବା। ଏ ତର୍କ ଯଥାର୍ଥ ଥିଲା ଓ ଆଜି ମଧ୍ୟ ସଂପୂର୍ଣ୍ଣ ଅର୍ଥହୀନ ନୁହେଁ।
କିନ୍ତୁ ଓଡ଼ିଶାର ରାଜନୈତିକ ଇତିହାସରେ ଓବିସି ଅର୍ଥାତ ଏସଇବିସି ସଂରକ୍ଷଣ ବ୍ୟବସ୍ଥା ଏକ ଜ୍ୱଳନ୍ତ ପ୍ରଶ୍ନ ଭାବରେ ଦଶନ୍ଧି ଦଶନ୍ଧି ଉଠି ରହିଥିଲା। ୧୯୯୦ ଦଶନ୍ଧିରେ ଯେତେବେଳେ ଭି ପି ସିଂହ ସରକାର ମଣ୍ଡଳ କମିଶନ ସୁପାରିଶ ଲାଗୁ କଲେ ଓ ଉତ୍ତର ଭାରତ ଜଳି ଉଠିଲା, ଓଡ଼ିଶା ସେ ଅଗ୍ନିଠାରୁ ଦୂରରେ ରହିଲା। ଏ ଦୂରତ୍ୱ ଆକସ୍ମିକ ନ ଥିଲା।
ବିଜୁ ପଟ୍ଟନାୟକ ତାଙ୍କ ଚିରାଚରିତ ରୀତି ଅନୁଯାୟୀ ଜାତିଆଣ ରାଜନୀତିକୁ ଦୃଢ଼ ଭାବେ ଅଗ୍ରାହ୍ୟ କଲେ। ବିଜୁ ବାବୁ ମାନୁଥିଲେ ଯେ ଓଡ଼ିଶାର ଅଗ୍ରଗତିରେ ଜାତି ଭେଦ ଏକ ବ୍ୟାଧି। ତାଙ୍କ ରାଜନୀତି ଥିଲା ଓଡ଼ିଶାବାସୀଭାବ, ଜାତୀୟ ଓ ଭ୍ରାତୃ ଭାବ। ଏ ନୀତି ହୁଏ ଆଦର୍ଶ, ହୁଏ ସ୍ୱଚ୍ଛ ଦୃଷ୍ଟି। ମଣ୍ଡଳ କମିଶନ ଲାଗୁ ହେବାଠାରୁ ଅନ୍ୟ ରାଜ୍ୟରେ ଓବିସି ସଂରକ୍ଷଣ ଆଗେଇ ଯାଉଥିବାବେଳେ ଓଡ଼ିଶାରେ ଏ ବାଟ ଅଟକି ରହିଲା।
ତାଙ୍କ ପରେ ୨୪ ବର୍ଷ ଧରି ଓଡ଼ିଶା ଶାସନ କରିଥିବା ନବୀନ ପଟ୍ଟନାୟକ ମଧ୍ୟ ଏହି ପ୍ରସଙ୍ଗକୁ ଅତି ଚତୁରତାର ସହ ଏଡ଼ାଇ ଚାଲିଥିଲେ। ସେ ଜାଣିଥିଲେ ଯେ ସଂରକ୍ଷଣ ସୀମାକୁ ନେଇ କୌଣସି ବଡ଼ ନିଷ୍ପତ୍ତି ନେଲେ ତାହା ମେଧାବୀ ଓ ସାଧାରଣ ବର୍ଗର ପିଲାଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି କରିପାରେ। କିନ୍ତୁ ମୋହନ ସରକାର ଏହି ‘ସ୍ଥିତାବସ୍ଥା’କୁ ଭାଙ୍ଗି ଏକ ନୂଆ ରାଜନୈତିକ ରିସ୍କ ନେଇଛନ୍ତି।
ରାଜନୈତିକ ଚାପ ନା ମାଷ୍ଟରଷ୍ଟ୍ରୋକ?
କେତେକ ରାଜନୈତିକ ବିଶ୍ଳେଷକଙ୍କ ମତରେ, ବିଜେପି ନିଜକୁ ପଛୁଆ ବର୍ଗଙ୍କ ସମର୍ଥକ ଭାବେ ଉପସ୍ଥାପିତ କରିବାକୁ ଚାହୁଁଛି। ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜକୁ ଜଣେ ଓବିସି ନେତା କହୁଥିବାବେଳେ, ଓଡ଼ିଶାରେ ସେହି ସମାନ ସମୀକରଣକୁ ଲାଗୁ କରିବା ପାଇଁ ବିଜେପି ଏହି ପଦକ୍ଷେପ ନେଇଛି। ତେବେ ଏହା ପଛରେ ବିଜେଡି ଏବଂ କଂଗ୍ରେସର କିଛି ନେତାଙ୍କ ଚାପ ରହିଥିବା ମଧ୍ୟ କୁହାଯାଉଛି, ଯେଉଁମାନେ ସଂରକ୍ଷଣ ନାଁରେ ଜାତିଆଣ ରାଜନୀତିକୁ ରାଜ୍ୟରେ ତେଜିବାକୁ ଚାହୁଁଛନ୍ତି।

କୁହାଯାଉଛି ଯେ, ଯେଉଁ ନେତାମାନେ ଓବିସି ସଂରକ୍ଷଣ କଥା କହି ମୋହନ ସରକାରଙ୍କୁ ଘେରୁଥିଲେ, ସେମାନଙ୍କର ପ୍ରକୃତ ଉଦ୍ଦେଶ୍ୟ ଓବିସିଙ୍କ କଲ୍ୟାଣ ନୁହେଁ, ବରଂ ନିଜର ରାଜନୈତିକ ଫାଇଦା। ସେମାନେ ନିଜର ପାରିବାରିକ ଓ ସାମାଜିକ ସମ୍ପର୍କରେ ଜାତିଗତ ଶୁଦ୍ଧତା ଖୋଜନ୍ତି ନାହିଁ, କିନ୍ତୁ ଭୋଟ୍ ସମୟରେ ‘ଓବିସି’ କାର୍ଡ ଖେଳିବାକୁ ପଛାନ୍ତି ନାହିଁ। ମୋହନ ସରକାର ଏହି ନେତାଙ୍କ ‘ମାୟାଜାଲ’ରେ ପଡ଼ିଯାଇଛନ୍ତି କି?
ସାମାଜିକ ପ୍ରଭାବ ଏବଂ ଭବିଷ୍ୟତର ଆହ୍ୱାନ
ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି ଯେ, ସ୍ୱାଧୀନତାର ୭୮ ବର୍ଷ ପରେ ଏହି ବର୍ଗର ପିଲାଙ୍କୁ ସେମାନଙ୍କ ସଂଖ୍ୟା ଅନୁପାତରେ ପ୍ରତିନିଧିତ୍ୱ ଦେଇ ସାମାଜିକ ନ୍ୟାୟ ପ୍ରତିଷ୍ଠା କରାଯାଇଛି। ଏହା ଦ୍ୱାରା ଗ୍ରାମାଞ୍ଚଳର ଏବଂ ଆର୍ଥିକ ଭାବେ ପଛୁଆ ଥିବା ଏସସି, ଏସଟି ଓ ଏସଇବିସି ପିଲାମାନେ ଡାକ୍ତର ଓ ଇଞ୍ଜିନିୟର ହେବାର ସ୍ୱପ୍ନ ଦେଖିପାରିବେ।
![]()
କିନ୍ତୁ ଅପରପକ୍ଷରେ, ସାଧାରଣ ବର୍ଗର ମେଧାବୀ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଏକ ଅଭାବନୀୟ ସ୍ଥିତି ସୃଷ୍ଟି ହୋଇପାରେ। ଯଦି ୫୦ ପ୍ରତିଶତ ଆସନ ସଂରକ୍ଷିତ ହୋଇଯାଏ, ତେବେ ଖୋଲା ପ୍ରତିଯୋଗିତା ପାଇଁ ଆସନ ସଂଖ୍ୟା କମିଯିବ। ଏହା ଦ୍ୱାରା ମେଧା ପ୍ରଭାବିତ ହେବାର ଆଶଙ୍କା ରହିଛି। ବିରୋଧୀଙ୍କ ସ୍ୱର ଏବେ କ୍ଷୀଣ ରହିଛି ସତ, କିନ୍ତୁ ଯଦି ସାଧାରଣ ବର୍ଗର ଯୁବପିଢ଼ିଙ୍କ ମଧ୍ୟରେ ଅସନ୍ତୋଷ ବଢ଼େ, ତେବେ ଏହା ଆଗାମୀ ଦିନରେ ଏକ ଆନ୍ଦୋଳନର ରୂପ ନେଇପାରେ।
ଏହା କେବଳ ଆରମ୍ଭ
ସଂରକ୍ଷଣ ସୀମା ବଢ଼ାଇ ମୋହନ ସରକାର ହୁଏତ ଏକ ବଡ଼ ଭୋଟ୍ ବ୍ୟାଙ୍କକୁ ନିଜ ଆଡକୁ ଆକୃଷ୍ଟ କରିବାରେ ସଫଳ ହୋଇପାରନ୍ତି। କିନ୍ତୁ ଶିକ୍ଷା ଓ ମେଧା ସହିତ ସାଲିସ କରି ଜାତିଆଣ ରାଜନୀତିକୁ ପ୍ରଶ୍ରୟ ଦେବାଦ୍ୱାରା ରାଜ୍ୟର ଅଗ୍ରଗତି କେତେଦୂର ସମ୍ଭବ, ତାହା ବିଚାରଯୋଗ୍ୟ। ଏହି ନିଷ୍ପତ୍ତି ବାସ୍ତବରେ ପଛୁଆ ବର୍ଗଙ୍କୁ ‘ବଢ଼େଇବ’ ନା ସାମାଜିକ ସୌହାର୍ଦ୍ଦ୍ୟକୁ ‘ବୁଡ଼େଇବ’, ତାହା ଆଗାମୀ ଦିନରେ ସ୍ପଷ୍ଟ ହେବ।

ରାଜ୍ୟର ସମସ୍ତ ବିଶ୍ୱବିଦ୍ୟାଳୟ, ମେଡିକାଲ କଲେଜ ଏବଂ ବୈଷୟିକ ଶିକ୍ଷାନୁଷ୍ଠାନରେ ଏହି ନୀତି ଲାଗୁ ହେବା ପରେ ଏହାର ବାସ୍ତବ ପ୍ରଭାବ ପରିଲକ୍ଷିତ ହେବ। ଏବେ ଦେଖିବାକୁ ବାକି ରହିଲା, ଏହି ନୂଆ ‘ମାଷ୍ଟରଷ୍ଟ୍ରୋକ’ ମୋହନ ସରକାରଙ୍କ ପାଇଁ ବରଦାନ ସାଜୁଛି ନା ଏକ ନୂଆ ବିବାଦର ସୂତ୍ରପାତ କରୁଛି।


