ରାଜ୍ୟ ବିଧାନସଭାରେ ବିଧାୟକ ବଡ଼ ହୀନସ୍ତା ହେଉଛନ୍ତି। ତାଙ୍କୁ ଯା’ଆସ କରିବା ପାଇଁ ବିଧାନସଭା ପକ୍ଷରୁ ଗାଡ଼ି ଯୋଗାଇବାର ବ୍ୟବସ୍ଥା ଥିଲେ ବି ମିଳୁ ନାହିଁ। ବିଧାନସଭା ଏହାକୁ ବନ୍ଦ କରିଛି ତା’ ନୁହେଁ, କିନ୍ତୁ ଅଲିଖିତ ନିଷ୍ପତ୍ତିରେ ତଥା କିଛି ଅମଲାଙ୍କ ଚକ୍ରାନ୍ତରେ ଏହି ସୁବିଧା ଏବେ କିଛି ଅଧିକାରୀ ଉପଭୋଗ କରୁଥିବା ଅଭିଯୋଗ ହେଉଛି। ଆଉ ନିର୍ବାଚିତ ପ୍ରତିନିଧି ପାଉଛନ୍ତି ଧୋକା। ଏମିତି ଅବସ୍ଥାରେ ସେମାନେ ପଡ଼ିଛନ୍ତି ଯେ ନା କାହାକୁ କହିପାରୁଛନ୍ତି ନା ଦେଖାଇ ପାରୁଛନ୍ତି। ଛୋଟିଆ କଥାଟିଏ ବୋଲି ଭାବି ସଦସ୍ୟମାନେ ବି କର୍ମ ଆଦରି ରହୁଛନ୍ତି। ଫଳରେ ବିଧି ତିଆରି କରୁଥିବା ବିଧାନସଭାରେ ବିଧି ବାଟବଣା ହୋଇଛି।

ବିଧାୟକଙ୍କୁ କାର୍ଯ୍ୟରେ ଯୋଗ ଦେବା ଲାଗି ବିଧି ଓ ନୀତିଗତ ଭାବେ ଗାଡ଼ି ଯୋଗଣର ବ୍ୟବସ୍ଥା କରାଯାଇଛି। ଏହାକୁ ‘ମେମ୍ପର ପୁଲ କାର’ ବ୍ୟବସ୍ଥା ବୋଲି କୁହାଯାଏ। ଏହି ବ୍ୟବସ୍ଥାରେ ଏକାଧିକ ସଦସ୍ୟଙ୍କୁ ଗୋଟିଏ ଥରରେ ନେବା ଆଣିବାର ବ୍ୟବସ୍ଥା ହୁଏ। ମନ୍ତ୍ରୀ, ସଚିବମାନଙ୍କୁ ବ୍ୟକ୍ତିଗତ ୪ ଚକିଆ ଯାନର ବ୍ୟବସ୍ଥା କରାଯାଇଥିବା ବେଳେ ସାଧାରଣ ବିଧାୟକମାନଙ୍କ ପାଇଁ ବିଧାନସଭା ଏହି ବ୍ୟବସ୍ଥା କରିଛି। ଏଥିରେ ଦଳଗତ ନିର୍ବିଶେଷରେ ସମସ୍ତ ବିଧାୟକ ଯିବା ଆସିବାର ବ୍ୟବସ୍ଥା ହୋଇଥାଏ। ବିଶେଷକରି ସେମାନଙ୍କୁ ସରକାରୀ କାର୍ଯ୍ୟ ଉଦ୍ଦେଶ୍ୟରେ ନେବା ଆଣିବା କରାଯାଇଥାଏ। ଉଦ୍ଦେଶ୍ୟ ହେଉଛି ବ୍ୟକ୍ତିଗତ ଯାନ ବ୍ୟବହାର ତୁଳନାରେ କମ୍ ଇନ୍ଧନ ଖର୍ଚ୍ଚ ଏବଂ ଆନୁଷଙ୍ଗିକ ଖର୍ଚ୍ଚକୁ କମାଇବା। ଅର୍ଥାତ୍ ଗୋଟିଏ ଗାଡ଼ି, ଜଣେ ଡ୍ରାଇଭରରେ ଅନେକ ବିଧାୟକଙ୍କ ଅଫିସିଆଲ କାମ ସମାପନ ହୋଇଥାଏ। ବିଧାନସଭା ଚାଲୁଥିବାବେଳେ ବା ବିଭିନ୍ନ କମିଟି ବୈଠକ ଥିବା ସମୟରେ ବିଧାୟକ ଓ କମିଟି ସଦସ୍ୟଙ୍କୁ ନେବା ଆଣିବା କରିବା ପାଇଁ ବିଧାନସଭା ଏପରି ବ୍ୟବସ୍ଥାକୁ ଆପଣାଇଛି। ୨୦୦୪ ମସିହାରୁ ଏ ବ୍ୟବସ୍ଥା ହୋଇଛି। କେବଳ ଆମ ବିଧାନସଭାରେ ନୁହେଁ ଆମ ଦେଶର ସର୍ବୋଚ୍ଚ ଗଣତାନ୍ତ୍ରିକ ମଞ୍ଚ ସଂସଦରେ ମଧ୍ୟ ସାଂସଦଙ୍କ ପାଇଁ ଏହିପରି ପୁଲ୍ କାରର ବ୍ୟବସ୍ଥା ରହିଛି। ଏହି ବ୍ୟବସ୍ଥା ଦ୍ୱାରା ରାତି ଅଧ ଯାଏ ସଭା ବସିଲେ ବି ସାଂସଦଙ୍କ ଯିବା ଆସିବାରେ ଅସୁବିଧା ହୁଏ ନାହିଁ। କୌଣସି କମିଟିରେ ଯୋଗ ଦେବା ଲାଗି ସମୟ ଅପଚୟ ହୁଏ ନାହିଁ। ଏଥିଲାଗି ୩ଟି ଗାଡ଼ି ପୂର୍ବତନ ବାଚସସ୍ପତି ମହେଶ୍ୱର ମହାନ୍ତିଙ୍କ ସମୟରେ ନିୟୋଜିତ କରାଯାଇଥିଲା। କିନ୍ତୁ ୨୦୧୩ ମସିହାରେ ଓଡ଼ିଶା ବିଧାନସଭାର ଏ ବ୍ୟବସ୍ଥାଟି ଅପହରଣ କରାଯାଇଥିବାରୁ ଏବେ ବିଧାୟକଙ୍କୁ ଅନ୍ୟ ଗାଡ଼ିଥିବା ବିଧାୟକଙ୍କ ସାହାଯ୍ୟ ନେବାକୁ ପଡ଼ୁଛି।
ପ୍ରଶ୍ନ ଉଠୁଛି କାହିଁକି ଏ ଦରିଦ୍ର ସ୍ଥିତି? ଓଡ଼ିଶା ବିଧାନସଭାର ବଜେଟ୍ କମିଛି କି? ଯଦି ନା ତେବେ ବ୍ୟବସ୍ଥାକୁ କିଏ ହରଣ କରିଛି?
ଅନୁସନ୍ଧାନରୁ ଜଣାପଡ଼ିଛି ବିଧାନସଭା ପକ୍ଷରୁ ଗାଡ଼ି କିଣାଯାଇ ଏହାର ଅଧିକାରୀ ଓ ଦୈନନ୍ଦିନ କାର୍ଯ୍ୟରେ ବ୍ୟବହାର କରିବାର ବିଧି ରହିଛି। ଏହି ପରିପ୍ରେକ୍ଷୀରେ ୮ଟି ଗାଡ଼ି ରହିଛି। ଏଥିରୁ ଛଅଟି ଇନୋଭା ଏବଂ ୨ଟି ଏସ୍ଏକ୍ସ୪। ଏହି ଗାଡ଼ିକୁ ଚଳାଇବା ପାଇଁ ଡ୍ରାଇଭର ବି ନିୟୋଜିତ ରହିଛନ୍ତି। ୬ ଜଣ ନିୟମିତ ଡ୍ରାଇଭର ଏବଂ ୨ ଜଣ ଡିଏଲ୍ଆର୍। ଏହା ବାଦ୍ ୮ଟି ଗାଡ଼ି ଦୈନନ୍ଦିନ କାର୍ଯ୍ୟ ପାଇଁ ଘରୋଇ ସଂସ୍ଥାରୁ ଭଡ଼ା ସୂତ୍ରରେ ନିୟୋଜିତ କରାଯାଇଛି। ଏଥିଲାଗି ସମ୍ପୃକ୍ତ ଘରୋଇ ସଂସ୍ଥାକୁ ବର୍ଷକୁ ୭ ଲକ୍ଷ ପାଖାପାଖି ଟଙ୍କା ବିଧାନସଭା ତହବିଲରୁ ପ୍ରଦାନ କରାଯାଉଛି। ହେଲେ ବିଧାୟକଙ୍କୁ ନେବା ଆଣିବା ଲାଗି ଏଗୁଡ଼ିକ ଉଦ୍ଦିଷ୍ଟ ନୁହନ୍ତି। ଏହି ଗାଡ଼ିଗୁଡ଼ିକ କିଛି ଅଧିକାରୀଙ୍କ ବ୍ୟକ୍ତିଗତ କାର୍ଯ୍ୟରେ ବ୍ୟବହାର କରାଯାଉଥିବା ଅଭିଯୋଗ ହେଉଛି। ଏପରିକି କିଛି ଅଧିକାରୀ ନିଜର ବ୍ୟକ୍ତିଗତ କାର୍ଯ୍ୟରେ ବି ଏପରି ଗାଡ଼ି ବ୍ୟବହାର କରି ସରକାରଙ୍କ ରାଜକୋଷରୁ ଖର୍ଚ୍ଚ କରୁଥିବା ଅଭିଯୋଗ ହୋଇଛି। ଅର୍ଥାତ୍ ସରକାରୀ ନିୟମକୁ ଉଲ୍ଲଂଘନ କରି କିଛି ଅଧିକାରୀ ଏହି ସେବାକୁ କ୍ଷମତା ବଳରେ ଉପଯୋଗ କରୁଥିବା ବି କୁହାଯାଉଛି। ବିଶେଷ କରି ୨୦୨୩ ମସିହା ପରଠାରୁ ଏପରି ଅବ୍ୟବସ୍ଥା ଲାଗୁ ହୋଇଛି। ଯେଉଁଥିରେ ସଦସ୍ୟଙ୍କ ପୁଲ କାର୍ (ମେମ୍ବରସ ପୁଲ)କୁ ଅଲିଖିତ ବନ୍ଦ କରାଯାଇଛି। ଖାଲି ସେତିକି ନୁହେଁ, ଏହି ସମୟରେ ଘରୋଇ ସଂସ୍ଥାକୁ ଅର୍ଥ ପ୍ରଦାନ ମଧ୍ୟ ବଢ଼ିଛି। ସୂଚନା ଅଧିକାର ଆଇନ ବଳରେ ମିଳିଥିବା ତଥ୍ୟ ଅନୁସାରେ କେବଳ ୨୦୨୩-୨୪ ଆର୍ଥିକ ବର୍ଷରେ ୬ଲକ୍ଷ ୯୮ ହଜାର ଟଙ୍କା ଭଡ଼ାଗାଡ଼ି ବାବଦରେ ବିଧାନସଭା ଖର୍ଚ୍ଚ କରିଛି। କିନ୍ତୁ ଏଠାରେ ଗାଡ଼ି ଓ ଡ୍ରାଇଭର ଥାଇ ମଧ୍ୟ ଡ୍ରାଇଭରଙ୍କୁ କାମ ମିଳୁ ନ ଥିବା କୁହାଯାଇଛି।
କିଛିଦିନ ପୂର୍ବେ ବିଧାନସଭାରେ ଥିବା ୩ଟି ସ୍କର୍ପିଓ ଗାଡ଼ିକୁ କବାଡ଼ିବାଲାକୁ ବିକ୍ରି କରାଯାଇଥିଲା। ଏବେ ଥିବା ୬ଟି ଇନୋଭାରୁ ଗୋଟିଏ ପୁଲ୍ କାର ଭାବେ ବ୍ୟବହାର ହେଉଥିଲା। ୫ଟି ବାଚସ୍ପତି, ଉପ ବାଚସ୍ପତିଙ୍କ ସରକାରୀ କାର୍ଯ୍ୟରେ ଲାଗୁଥିଲା। ଏବେ ବି ତାହା ହେଉଛି କିନ୍ତୁ ଗୋଟିଏ ଗାଡ଼ିକୁ ଅକାମୀ କରି ପକାଯାଇଛି। ଏହି ଗାଡ଼ିର ପଞ୍ଜିକରଣ ନମ୍ବର ହେଉଛି ଓଡି-୦୨ ଡିଏଲ୍ ୧୦୩୦। ଗାଡ଼ିଟି ନିୟମ ଅନୁସାରେ ଚାଲିବା ଯୋଗ୍ୟ। ଏହାର ଡ୍ରାଇଭର ମଧ୍ୟ ପ୍ରତିଦିନ ହାଜିରା ପକାଉଛନ୍ତି। କିନ୍ତୁ ଚାଲୁ ନାହିଁ। ସଦସ୍ୟମାନେ ଗାଡ଼ି ମାଗିଲେ ତାଙ୍କୁ ବାଆଁରେଇ ଦିଆଯାଉଛି। କୌଣସି ସଦସ୍ୟ ଏ ବାବଦରେ ଗୃହରେ ବା ଗୃହ କମିଟିରେ ଉଠାଇବାକୁ ହୀନ କଥା ଭାବେ ଗ୍ରହଣ କରୁଛନ୍ତି। ଫଳରେ କିଛି ଅଧିକାରୀ ଏ ବାବଦୀୟ ସୁବିଧାକୁ ନିଜ ସୁବିଧାରେ ଲଗାଉଥିବା କୁହାଯାଏ। ଏଭଳି ଅଭିଯୋଗର ତଦନ୍ତ କରାଯାଇ ସଦସ୍ୟଙ୍କ ସ୍ୱାଚ୍ଛନ୍ଦ୍ୟକୁ ଉପଲବ୍ଧ କରାଇବା ଆବଶ୍ୟକ। ନୋହିଲେ ବ୍ୟବସ୍ଥାକୁ ସରକାରୀ ଭାବେ ଉଚ୍ଛେଦ କରାଯିବା ଜରୁରୀ। ଅନ୍ୟତା ଏହା ବିଧାୟକଙ୍କ ନାଁରେ ଦୁର୍ନୀତିକୁ ପ୍ରଶ୍ରୟ ଦେବା ସ୍ୱାଭାବିକ।


