ଜୁଲାଇ ୧୧ ୨୦୨୫ । ଖରା ଛାଇର ଖେଳ ଭିତରେ ଦକ୍ଷିଣ କନ୍ନଡ଼ ଜିଲ୍ଲାର ବେଲଥାଗଣ୍ଡି କୋର୍ଟ ସାମ୍ନାରେ ଦେଖିବାକୁ ମିଳିଲା ଏକ ଅଦ୍ଭୁତ ଦୃଶ୍ୟ । କଡା ପୋଲିସ ପହରା ଭିତରେ ଜଣେ ବ୍ୟକ୍ତି କଳାପୋଷାକ ଢାଙ୍କି ଅଦାଲତ ଆଡକୁ ପ୍ରବେଶ କରୁଥିଲେ । କେବଳ ଆଖି ନିକଟରେ ଦୁଇଟି ଛୋଟ ଛୋଟ ଛିଦ୍ର ଛାଡିଦେଲେ ଆଉ କୌଣସି ଅଂଶ ଖୋଲା ନଥିଲା । ସମସ୍ତଙ୍କ ମନରେ ଉତ୍କଣ୍ଠା ଥିଲା ରହସ୍ୟମୟ ଭାବେ ଅଦାଲତରେ ହାଜର ପାଇଁ ଯାଉଥିବା କିଏ ଏହି ବ୍ୟକ୍ତି ? କାହିଁକି ତାର ସର୍ବାଙ୍ଗ ଆଚ୍ଛାଦିତ ହୋଇଛି ? କଣ କରିଛି ଅପରାଧ ? ହେଲେ ଲୋକଟି ଅଦାଲତରେ ପହଂଚି ଯେଉଁ ବୟାନ ଦେଲା ତାହା ପୁରା କର୍ଣ୍ଣାଟକର ନିଦ ଛଡାଇନେଲା । ଥରି ଉଠିଲା ବାଙ୍ଗାଲୁର ,ଦୋହଲିଗଲା ମାଂଗାଲୋର । ଜାତୀୟ ଓ ଆନ୍ତର୍ଜାତୀୟ ଗଣମାଧ୍ୟମର ପାଲଟିଗଲା ଶିରୋନାମା । ସବୁଠି ଗୋଟିଏ ଚର୍ଚ୍ଚା କେମିତି ସମସ୍ତଙ୍କ ନଜର ଆଢୁଆଳରେ ଘଟିଯାଇଥିଲା ଏହି ଲୋମଟାଙ୍କୁରା ଅଘଟଣ ।
ସବୁ କହିବି କିନ୍ତୁ ସୁରକ୍ଷା ଲୋଡ଼ା ;
ଅଦାଲତରେ ହାଜର ହୋଇ ଲୋକଟି ଜୁଲାଇ ୧୧ରେ ଭାରତୀୟ ନ୍ୟାୟ ସଂହିତା ଧାରା ୧୮୩ (ପୁରୁଣା ଆଇ ପି ସି ଧାରା ) ଅନୁଯାୟୀ ଚାଂଚଲ୍ୟକର ଜମାନବନ୍ଦୀ ଦେଇଥିଲେ । କହିଥିଲେ ଧାର୍ମିକ ନଗରୀ ଧର୍ମସ୍ଥଳୀ ଠାରେ ଥିବା ପ୍ରସିଦ୍ଧ ଶିବ ମନ୍ଦିର ମଂଜୁନାଥ ମନ୍ଦିରରେ ୧୯୯୮ ଠାରୁ ୨୦୧୪ ଯାଏଁ ସଫେଇ କର୍ମଚାରୀ ଭାବେ ପାଇଥିଲି ନିଯୁକ୍ତି । ଯୋଗଦେବାର ଅଳ୍ପ କିଛିଦିନ ପରେ ଗୋଟିଏ ଝିଅର କ୍ଷତାକ୍ତ ଶବକୁ ନେଇ ପାଖ ନେତ୍ରାବତୀ ନଦୀ କୂଳରେ ପୋତିଦେବା ପାଇଁ ମୋତେ କୁହାଗଲା । ଏପରି କାମ ନ କରିବାରୁ ମୋର ସୁପରଭାଇଜର ମୋତେ ମାଡ଼ ମାରିଲା ଓ ଧମକ ଦେଲା । ହତ୍ୟା ଘଟଣାରେ ଫସାଇ ଦେବାର ତାଗିଦ କଲା । ଝିଅଟି ଅଧା ଜଳିଯାଇଥିଲା । ଦେହସାରା କ୍ଷତ ଚିହ୍ନ ଦେଖି ଲାଗୁଥିଲା ତା ପ୍ରତି ଦୁଷ୍କର୍ମ ପରେ ହତ୍ୟା କରାଯାଇଛି ।
ଅନନ୍ୟା,ସୌଜନ୍ୟା ଓ ଶତାଧିକ ଶବକୁ କରିଛି ଗାଏବ :
ଏହି ଗୋଟିଏ ଘଟଣା ନୁହଁ । ଶତାଧିକ ଯୁବତୀ ,ଝିଅ ଓ ମହିଳାଙ୍କ ଶବକୁ ହଜାଇଦେବାର କାମ ଏହି ସଫେଇ କର୍ମଚାରୀଙ୍କୁ ମିଳିଛି । ସବୁ ଘଟଣା ଯୌନ ନିର୍ଯ୍ୟାତନା ଜନିତ ବୋଲି ଅଦାଲତ ଆଗରେ ଜମାନବନ୍ଦୀ ଦେଇଛନ୍ତି ଏହି ହ୍ୱିସିଲ ବ୍ଲୋୟର । ୨୦୧୦ ମସିହାରେ ସ୍କୁଲ ୟୁନିଫର୍ମରେ ଥିବା ଜଣେ ୧୨ ବର୍ଷର ଝିଅର ଶବ ଜାଳିଦେବାକୁ ମୋତେ କୁହାଗଲା । ଝିଅଟି ସ୍କୁଲ ପୋଷାକରେ ଥିଲା ହେଲେ ତାର ଅନ୍ତଃବସ୍ତ୍ର ନ ଥିଲା । ବେକର ଆଞ୍ଚୁଡା ଦାଗ ଦୁଷ୍କର୍ମ ର ପ୍ରମାଣ ଦେଉଥିଲା । ଏଥର ବି ମୁଁ ସେ ଲାଶର ଠିକଣା କରିଦେଇ ମନ୍ଦିର ପ୍ରଶାସନକୁ ଆଶ୍ଵସ୍ଥ କରାଇଥିଲି । ଦିନେ ୨୦ ବର୍ଷର ଜଣେ ଯୁବତୀଙ୍କ ଶବ ମୋତେ ଦିଆଗଲା । ଏସିଡ ମାଡ଼ରେ ମୁହଁଟି ଜଳିଯାଇଥିଲା । ଶବକୁ ନେଇ ପୋତି ଫେରିବା ପରଦିନ ଯୁବତୀଙ୍କ ନିଖୋଜକୁ ନେଇ ଧର୍ମସ୍ଥଳ ହୁଲସ୍ତୁଲ ହେଲା । କିନ୍ତୁ କିଛିଦିନ ପରେ ପବନରେ ମିଳାଇଗଲା ଖବର । ଧର୍ମସ୍ଥଳ ବୁଲିଆସୁଥିବା ଯୁବତୀ ଓ ମହିଳା ମାନେ ନିଖୋଜ ହେଉଥିବା ବେଳେ କିଛିଦିନ ପରେ ନୂଆ ଏକ ଶବ ମୋ ନିକଟକୁ ଆସୁଥିଲା । ସବୁ ଜାଣୁଥିଲି କିନ୍ତୁ ମୋର ଜୀବନ ପ୍ରତି ଭୟ ଥିବାରୁ ପାଟି ଖୋଲୁନଥିଲି ବୋଲି ଅଦାଲତ ଆଗରେ କହିଥିଲେ ଉକ୍ତ ପ୍ରାକ୍ତନ ସଫେଇ କର୍ମଚାରୀ ।
୨୦୦୩ ରେ ବୁଲିବାକୁ ଆସିଥିବା ଡାକ୍ତରୀ ଛାତ୍ରୀ ଅନନ୍ୟା ଭଟ ନିଖୋଜ ହେଲେ । ସିବିଆଇ ଅଫିସରେ ଷ୍ଟେନୋ ଥିବା ତାଙ୍କ ମା ଏଫଆଇଆର ଦେଲେ । ହେଲେ ଡାକ୍ତରୀ ପଢ଼ୁଥିବା ଝିଅ ଆଉ ମିଳିନଥିଲେ । ୨୦୧୨ରେ ଆଉ ଜଣେ ଝିଅ ମନ୍ଦିର ପରିସରରୁ ନିଖୋଜ ହେଲେ । ତାଙ୍କ ନାଁ ଥିଲା ସୌଜନ୍ୟା । ଏହାକୁ ନେଇ ଜାତୀୟ ଗଣମାଧ୍ୟମ ବ୍ୟାପକ ପ୍ରଚାର କଲେ । କିନ୍ତୁ ସୌଜନ୍ୟା ଆଉ ମିଳିଲେ ନାହିଁ । କର୍ଣ୍ଣାଟକ ଉଚ୍ଚ ନ୍ୟାୟାଳୟ ସୌଜନ୍ୟାଙ୍କ ମାମଲାରେ ଡୋରି ବାନ୍ଧିଦେଲେ କହିଲେ ପୁରୁଣା ମାମଲାକୁ ବାରମ୍ବାର ତଦନ୍ତ କରି କିଛି ଲାଭନାହିଁ ।
ଧର୍ମନଗରୀରେ ମହା ଅଧର୍ମ କରିଛି କିଏ ?
ମାଂଗାଲୋର ନିକଟରେ ରହିଛି ଧର୍ମସ୍ଥଳ । ଏହା ଏକ ଧାର୍ମିକ ସହର ଭାବେ ପରିଚିତ । କାହିଁ କେଉଁ କାଳରୁ ମହାଦେବ ମଂଜୁନାଥ ଏଠାରେ ପୂଜିତ । ହିନ୍ଦୁ ପଣ୍ଡିତ ମାନେ ମଂଜୁନାଥଙ୍କ ପୂଜା କରୁଥିବା ବେଳେ ଜୈନ ମାନଙ୍କ ଦ୍ୱାରା ମନ୍ଦିରର ପରିଚାଳନା ହୋଇ ଆସୁଛି । ହିନ୍ଦୁ ଓ ଜୈନ ଧର୍ମର ସମନ୍ୱୟ ଏଠାରେ ଦେଖିବାକୁ ମିଳୁଥିବାରୁ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ଏଠାକୁ ଆସିଥାନ୍ତି । ପାଖଣ୍ଡି ଯୌନ ରାକ୍ଷସ ଏଠାରେ ଛପିରହି ନିଜର କାମନା ବାସନା ପୂରଣ କରୁଥିବା ବେଳେ ପୋଲିସ ,ରାଜନେତା ,ପ୍ରଶାସନ କେହି ବି ଏହାର ସୁରାକ ପାଇବାକୁ ସକ୍ଷମ ହୋଇପାରିନାହାନ୍ତି । ଶେଷରେ ଅଦାଲତରେ ହାଜର ହୋଇ ମନ୍ଦିରର ପୁରୁଣା ସଫେଇ କର୍ମୀ ଖୋଲିଛନ୍ତି ବଡ଼ ଗୁମର । ହ୍ୱିସିଲ ବ୍ଲୋୟର ସଫେଇ କର୍ମଚାରୀ ନିଜ ବୟାନରେ କହିଛନ୍ତି ଯେ ଯେତେବେଳେ ୨୦୧୪ରେ ମୋ ନିଜ ଝିଅ ନିଖୋଜ ହୋଇଗଲା ସେତେବେଳେ କ୍ରୋଧ ,ଭୟ ଓ ଅଜଣା ଆତଙ୍କ ନେଇ ମୁଁ ଏ ସହର ଛାଡ଼ିଲି । ମୋତେ ଏବେ ସୁରକ୍ଷା ମିଳିଲେ ମୁଁ ସବୁ ରହସ୍ୟ ଖୋଲିବି । ମୁଁ ଜାଣିଛି ସେହି ଜଲ୍ହାଦ ମାନଙ୍କୁ ଯେଉଁମାନେ ମୋତେ ଧମକ ଦେଇ ସେମାନଙ୍କ କଳାକାରନାମାକୁ ଘୋଡାଇ ଆସିଛନ୍ତି ।
ଏସଆଇଟି ତଦନ୍ତ ଆରମ୍ଭ : ହ୍ୱିସିଲ ବ୍ଲୋୟରଙ୍କ ସୂଚନା ପରେ ସକ୍ରିୟ ହୋଇଛନ୍ତି ଅଦାଲତ । ମହିଳା ଆୟୋଗ ଅଧ୍ୟକ୍ଷ ନାଗାଲକ୍ଷ୍ମୀ ଚୌଧୁରୀ ଏହାର ତଦନ୍ତ ପାଇଁ ଦାବି କରିଛନ୍ତି । ରାଜ୍ୟ ସରକାର ବରିଷ୍ଠ ଆଇପିଏସ ଅଧିକାରୀ ତଥା ଡିଜିପି ପ୍ରଣବ ମୋହାନ୍ତିଙ୍କ ଅଧ୍ୟକ୍ଷତାରେ ଏସ ଆଇ ଟି ଗଠନ କରି ତଦନ୍ତ ନିର୍ଦେଶ ଦେଇଛନ୍ତି । ଏଥିରେ ଫରେନସିକ ଯାଞ୍ଚ ,ସାକ୍ଷୀଙ୍କୁ ସୁରକ୍ଷା ,ପୁରୁଣା ନିଖୋଜ ରିପୋର୍ଟ ଓ ଡିଏନଏ ମେଳକୁ ଧ୍ୟାନରେ ରଖି ତଦନ୍ତ କରାଯିବ ।ଭାରତୀୟ ନ୍ୟାୟ ସଂହିତା ଧାରା ୨୧୧ (ଏ ) ଅନୁଯାୟୀ ମାମଲା ରୁଜୁ ହୋଇଛି । ଦୀର୍ଘବର୍ଷ ପରେ ସତ୍ୟ ସାମ୍ନାକୁ ଆସିବ ବୋଲି ଅନନ୍ୟା,ସୌଜନ୍ୟା ଓ ନିଖୋଜ ଅନେକ ଯୁବତୀଙ୍କ ପରିବାର ଆଶା ବାନ୍ଧିଛନ୍ତି । ବିରଳ ଜଘନ୍ୟ ଲୋମଟାଙ୍କୁରା ଏହି ଅପରାଧର ଖଳନାୟକ କିଏ ଜାଣିବା ପାଇଁ ଏବେ ପୁରା ବିଶ୍ୱର ନଜର ।
ALSO READ https://purvapaksa.com/what-will-congress-do-now/
