ପହଲଗାମ ଆକ୍ରମଣର ମାଷ୍ଟରମାଇଣ୍ଡ ଆତଙ୍କବାଦୀ ହାଶିମ ମୁସା ନିହତ ହୋଇଛି । ଅପରେସନ ମହାଦେବ ଅଧୀନରେ ଭାରତୀୟ ସେନା ତାକୁ ଏବଂ ତାଙ୍କର ଅନ୍ୟ ଦୁଇ ସାଥିଙ୍କୁ ମୃତ୍ୟୁ ମୁଖକୁ ପଠାଇଛି। ପହଲଗାମର ଆତଙ୍କବାଦୀ ମୁସାକୁ ଚୀନୀ ଉପକରଣ ହିଁ ଧୋକା ଦେଇଛି । ଚୀନ୍ ନିର୍ମିତ ଅଲଟ୍ରାସେଟ ରେଡିଓ ଉପକରଣ ପାଇଁ ପାକିସ୍ତାନୀ ଆତଙ୍କବାଦୀ ମୁସା ଧରା ପଡ଼ିଥିଲା । କାଶ୍ମୀରରେ ଥିବା ତାଙ୍କର ସ୍ଥାନୀୟ ନେଟୱାର୍କ ମଧ୍ୟ ତାଙ୍କୁ ସାହାଯ୍ୟ କରିପାରି ନଥିଲା। ଏବେ ତାଙ୍କର ସ୍ଥାନୀୟ ସହାୟକମାନଙ୍କୁ ଖୋଜିବା ପାଇଁ ଚଢ଼ାଉ ଚାଲିଛି। ଏବେ ପ୍ରଶ୍ନ ହେଲା ଯେ, ପହଲଗାମର ଦୋଷୀ ହାଶିମ ମୁସା କେଉଁଠି ଲୁଚିଛି କେମିତି ଜଣା ପଡ଼ିଲା ?

ଗୁଇନ୍ଦା ଏଜେନ୍ସିର ଜଣେ ଉଚ୍ଚ ଅଧିକାରୀଙ୍କ ଅନୁସାରେ, ସୁରକ୍ଷାବାହିନୀର ଗୁଇନ୍ଦା ନେଟୱାର୍କକୁ ସୂଚନା ମିଳିଥିଲା ଯେ ଦାଚିଗାମ ଜାତୀୟ ଉଦ୍ୟାନ ନିକଟରେ ଅଲଟ୍ରା ହାଇ ଫ୍ରିକ୍ୱେନ୍ସି ରେଡିଓ ଉପକରଣ ବ୍ୟବହାର କରାଯାଉଛି । ଏହା ଚୀନରେ ନିର୍ମିତ ଏକ ଆଧୁନିକ ଯୋଗାଯୋଗ ପ୍ରଣାଳୀ । ଏହା ବିଷୟରେ ଦାବି କରାଯାଏ ଯେ ଏହି ରେଡିଓ ସେଟ ମାଧ୍ୟମରେ ହେଉଥିବା କଥାବାର୍ତ୍ତାକୁ ଧରାଯାଇପାରେ ନାହିଁ । ଗୁଇନ୍ଦା ଅଧିକାରୀଙ୍କ ଅନୁସାରେ, ଚୀନର ଏହି ଆଧୁନିକ ଅଲଟ୍ରାସେଟ ରେଡିଓ ଉପକରଣକୁ ପାକିସ୍ତାନର ବଡ଼ ଆତଙ୍କବାଦୀମାନେ ଦୀର୍ଘ ଦିନ ଧରି ବ୍ୟବହାର କରୁଛନ୍ତି ।
ମୁସାର ଅବସ୍ଥାନ ସୂଚନା କିପରି ମିଳିଲା ?
ସୂଚନା ଆଧାରରେ ଯେତେବେଳେ ସୁରକ୍ଷାବାହିନୀ ନିଜର କାର୍ଯ୍ୟାନୁଷ୍ଠାନ ଆରମ୍ଭ କଲେ, ପ୍ରାରମ୍ଭିକ ପର୍ଯ୍ୟାୟରେ ଆତଙ୍କବାଦୀମାନଙ୍କର କୌଣସି ସୁରାଗ ମିଳିନଥିଲା । ଯେଉଁ ଅଞ୍ଚଳରେ ମୁକାବିଲା ହେଲା, ତାହାକୁ ମହାଦେବ ପିକ କୁହାଯାଏ । ଏହା ଏତେ ଦୁର୍ଗମ ଯେ ସେଠାରେ ପହଞ୍ଚିବା ପାଇଁ ୧୬ କିଲୋମିଟର ପାଦଚାଲି ଯିବାକୁ ପଡ଼େ। ଅଧିକାରୀ କହିଛନ୍ତି ଯେ ରବିବାର ରାତି ପ୍ରାୟ ୨ଟା ବେଳେ ପାକିସ୍ତାନୀ ଆତଙ୍କବାଦୀମାନେ ପୁଣି ଏହି ରେଡିଓ ଉପକରଣ ମାଧ୍ୟମରେ ସୀମାପାରରେ ଥିବା ନିଜର ପାକିସ୍ତାନୀ ହ୍ୟାଣ୍ଡଲରଙ୍କ ସହ ଯୋଗାଯୋଗ କରିଥିଲେ । ଏହି ଯୋଗାଯୋଗ ହିଁ ସେମାନଙ୍କ ଉପସ୍ଥିତି ଜଣା ପଡ଼ିବାର କାରଣ ହେଲା, କାରଣ ଏହି ଯୋଗାଯୋଗ ମାଧ୍ୟମରେ ଗୁଇନ୍ଦା ଏଜେନ୍ସିକୁ ସେମାନଙ୍କର ସଠିକ ଅବସ୍ଥାନ ମିଳିଗଲା ।
ଓଭର ଗ୍ରାଉଣ୍ଡ ନେଟୱାର୍କ କିପରି କିଛି ଜାଣି ପାରିଲା ନାହିଁ ?

ସୁରକ୍ଷାବାହିନୀ ଏହାପରେ ଏତେ ସଠିକ ଅପରେସନ କଲେ ଯେ ଘାଟିରେ ଥିବା ପାକିସ୍ତାନର ଓଭର ଗ୍ରାଉଣ୍ଡ ନେଟୱାର୍କକୁ ମଧ୍ୟ କିଛି ଆଭାସ ମିଳିନଥିଲା । ଏହି ନେଟୱାର୍କ ଏହି ପାକିସ୍ତାନୀ ଆତଙ୍କବାଦୀମାନଙ୍କୁ କୌଣସି ସାହାଯ୍ୟ କରିପାରିନଥିଲା । ସୁରକ୍ଷାବାହିନୀ ସଠିକ ଅବସ୍ଥାନ ଆଧାରରେ ସେଠାକୁ ପହଞ୍ଚିବାର ସମସ୍ତ ରାସ୍ତା ବନ୍ଦ କରିଦେଇଥିଲେ । ଏହାପରେ ହୋଇଥିବା ଦ୍ରୁତଗତିର ଅପରେସନରେ ସୁରକ୍ଷାବାହିନୀ ପାକିସ୍ତାନୀ ଆତଙ୍କବାଦୀ ମୁସା ସମେତ ତାଙ୍କର ଦୁଇ ସାଥିଙ୍କୁ ମାରି ଦେଇଥିଲେ। ତାଙ୍କ ଠିକଣାରେ ହୋଇଥିବା ତଲାସୀ ସମୟରେ ଯେଉଁ ରାସନ ଓ ସାମଗ୍ରୀ ମିଳିଛି, ତାହାରୁ ଜଣାପଡ଼ିଛି ଯେ ତାହା ନିକଟବର୍ତୀ ଗାଁମାନଙ୍କରୁ ନିଆଯାଇଥିଲା । ଏବେ ସୁରକ୍ଷାବାହିନୀ ସେମାନଙ୍କର ଅନ୍ୟ ସାଥିମାନଙ୍କୁ ଖୋଜିବା ପାଇଁ ଚଢ଼ାଉ କରୁଛି ।
ମହାଦେବ ଅପରେସନ କ’ଣ?
ଜମ୍ମୁ-କାଶ୍ମୀରର ଲିଡୱାସ ଅଞ୍ଚଳରେ ସୋମବାର ଦିନ ସୁରକ୍ଷାବାହିନୀ ଆତଙ୍କବାଦ ବିରୁଦ୍ଧରେ ଏକ ଅପରେସନ ଚଲାଇଥିଲେ । ଏହାର ନାମ ଦିଆଗଲା ଅପରେସନ ମହାଦେବ। ଏଥିରେ ସେମାନଙ୍କୁ ବଡ଼ ସଫଳତା ମିଳିଛି । ସେନାର ଜବାନମାନେ ‘ଅପରେସନ ମହାଦେବ’ ଅଧୀନରେ ତିନି ଆତଙ୍କବାଦୀଙ୍କୁ ମାରି ଦେଇଛନ୍ତି । ଏହି ମୁକାବିଲା ଲିଡୱାସରେ ହୋଇଥିଲା, ଯେଉଁଠାରେ ସେନା ଆତଙ୍କବାଦୀମାନଙ୍କୁ ଘେରି ସେମାନଙ୍କୁ ମାରି ଦେଇଥିଲା। ଭାରତୀୟ ସେନା, ଜମ୍ମୁ-କାଶ୍ମୀର ପୁଲିସ ଏବଂ ସିଆରପିଏଫର ମିଳିତ କାର୍ଯ୍ୟାନୁଷ୍ଠାନରେ ଏହି ଅପରେସନକୁ ସଫଳତାର ସହ ସମ୍ପନ୍ନ କରାଗଲା ।


