ଆମର ସନାତନ ସଂସ୍କୃତିର ଦୁଇଟି ମହାନ ଗ୍ରନ୍ଥ – ରାମାୟଣ ଏବଂ ମହାଭାରତ । ହଜାର ହଜାର ବର୍ଷ ପୂର୍ବେ ଲେଖାଯାଇଥିବା ଏହି ଗ୍ରନ୍ଥଗୁଡିକ କେବଳ ଧାର୍ମିକ ପୁସ୍ତକ ନୁହଁନ୍ତି, ବରଂ ଏହା ନୀତି, ଦର୍ଶନ ଏବଂ ରଣନୀତିର ଏକ ଅମୂଲ୍ୟ ଭଣ୍ଡାର। ଆଜିର ରାଜନୀତିରେ ମଧ୍ୟ ମହାଭାରତର ପ୍ରତିଟି ଚରିତ୍ର ପ୍ରାସଙ୍ଗିକ ମନେ ହୁଅନ୍ତି ।

ଆଜି ମହାଭାରତର ସେହି ଚରିତ୍ରଦେଖିବାକୁ ମିଳିଛି ରାଜନୀତିରେ , ଯିଏ ‘ପୁତ୍ର ମୋହ’ରେ ଅନ୍ଧ ହୋଇ ନିଜ ପୁଅର ଅଧର୍ମକୁ ପ୍ରୋତ୍ସାହନ ଦେଇଥିଲେ । କଥା ଉଠେ ଯେବେ ଗାନ୍ଧାରୀଙ୍କ ବିଷୟରେ ସେତେବେଳେ ସ୍ପଷ୍ଟ ଦେଖାଯାଏ ଏଇ ଅନ୍ଧପ୍ରେମ । କିନ୍ତୁ କେବଳ ମହାଭାରତ କାଳର ନୁହେଁ, ବରଂ ଭାରତୀୟ ରାଜନୀତିର ଦୁଇଜଣ ଶକ୍ତିଶାଳୀ ମହିଳାଙ୍କୁ ଆଜି ଗାନ୍ଧାରୀଙ୍କ ସହ ତୁଳନା କରାଯାଉଛି । ଜଣେ ହେଉଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଏବଂ ଅନ୍ୟଜଣେ ହେଉଛନ୍ତି ପଶ୍ଚିମବଙ୍ଗର ମମତା ବାନାର୍ଜୀ।
ଇନ୍ଦିରା ଗାନ୍ଧୀ – ପୁତ୍ର ମୋହ ଏବଂ ଜରୁରୀକାଳୀନ ପରିସ୍ଥିତି

ଇତିହାସ ସାକ୍ଷୀ ଅଛି, ଯଦି ଇନ୍ଦିରା ଗାନ୍ଧୀ ନିଜ ପୁଅ ସଞ୍ଜୟ ଗାନ୍ଧୀଙ୍କ ଜିଦ୍ ଏବଂ ଅହଂକାର ଆଗରେ ନଇଁ ନଥାନ୍ତେ, ତେବେ ହୁଏତ ଦେଶରେ ‘ଇମରଜେନ୍ସି’ ବା ଜରୁରୀକାଳୀନ ପରିସ୍ଥିତି ହୁଏତ କେବେ ଲାଗି ହିଁ ନଥାନ୍ତା । ସଞ୍ଜୟ ଗାନ୍ଧୀ ମହାଭାରତର ଦୁର୍ଯ୍ୟୋଧନଙ୍କ ଭଳି ଥିଲେ, ଯିଏ ନିଜକୁ ‘De-facto-King’ ବା ପ୍ରକୃତ ଶାସକ ମାନୁଥିଲେ।
ଗାନ୍ଧାରୀଙ୍କ ଆଖିରେ ତ ପଟି ବନ୍ଧା ହୋଇଥିଲା, କିନ୍ତୁ ଇନ୍ଦିରା ଗାନ୍ଧୀଙ୍କ ଆଖିରେ ଏକ ଅଦୃଶ୍ୟ ପଟି ବନ୍ଧା ହୋଇଥିଲା । ସଞ୍ଜୟ ଗାନ୍ଧୀଙ୍କ ଅତ୍ୟାଚାର ଏବଂ ‘ଏକ୍ସଟ୍ରା-କନଷ୍ଟିଚ୍ୟୁସନାଲ୍’ କ୍ଷମତାର ବ୍ୟବହାରକୁ ସେ ଚୁପଚାପ୍ ସହିଯାଉଥିଲେ । ୧୯୭୭ରେ ଯେତେବେଳେ କଂଗ୍ରେସ ହାରିଗଲା, ସେତେବେଳେ ଇନ୍ଦିରା ଗାନ୍ଧୀଙ୍କୁ ଦେଶ ବା ପାର୍ଟିର ଚିନ୍ତା ନଥିଲା, ବରଂ ସେ କେବଳ ସଞ୍ଜୟଙ୍କ ସୁରକ୍ଷା ପାଇଁ ଭୟଭୀତ ଥିଲେ । ଏହି ପୁତ୍ର ମୋହ କଂଗ୍ରେସ ଇତିହାସରେ ଏକ କଳା ଦାଗ ଲଗାଇଦେଲା ।
ମମତା ବାନାର୍ଜୀ – ଭଣଜା ମୋହ ଏବଂ ବଙ୍ଗଳାର ପତନ

ଇନ୍ଦିରା ଗାନ୍ଧୀଙ୍କ ପରେ ଆଜିର ସମୟରେ ମମତା ବାନାର୍ଜୀଙ୍କୁ ଦ୍ୱିତୀୟ ଗାନ୍ଧାରୀ ବୋଲି କୁହାଯାଇପାରେ । ତାଙ୍କ ଭଣଜା ଅଭିଷେକ ବାନାର୍ଜୀଙ୍କୁ ସେ ନିଜର ରାଜନୈତିକ ଉତ୍ତରାଧିକାରୀ ଭାବେ ଗଢିବାକୁ ଚାହୁଁଛନ୍ତି । ତୃଣମୂଳ କଂଗ୍ରେସର ଯେତେବେଳେ ବି କୌଣସି ଦୁର୍ନୀତି ବା ଅତ୍ୟାଚାରର କଥା ଉଠେ, ଅଭିଷେକଙ୍କ ନାମ ସର୍ବାଗ୍ରେ ଆସେ।
ଅଭିଷେକ ବାନାର୍ଜୀଙ୍କ ଭାଷା ଜଣେ ସାଂସଦଙ୍କ ଭଳି ନୁହେଁ, ବରଂ ଜଣେ ଗୁଣ୍ଡାର ଭାଷା ଭଳି ମନେ ହୁଏ । ଦେଶର ଗୃହମନ୍ତ୍ରୀଙ୍କୁ ଧମକ ଦେବା ଏବଂ ସାଧାରଣ ଲୋକଙ୍କୁ ଭୟଭୀତ କରିବା – ଏସବୁ ସତ୍ତ୍ୱେ ମମତା ଦିଦି ଚୁପ୍ ରହନ୍ତି । ସେ ଅଭିଷେକଙ୍କ ସବୁ ଭୁଲକୁ ପ୍ରୋତ୍ସାହନ ଦିଅନ୍ତି। ଏହି ଅହଂକାର ହିଁ ପଶ୍ଚିମବଙ୍ଗରେ ଟିଏମସିର ପତନର କାରଣ ପାଲଟିଲା।
ରାଜନୈତିକ ଅହଂକାର ଏବଂ କ୍ଷମତାର ଅନ୍ତ

ଇନ୍ଦିରା ଗାନ୍ଧୀ ଏବଂ ମମତା ବାନାର୍ଜୀଙ୍କ ମଧ୍ୟରେ ଏକ ବଡ଼ ପାର୍ଥକ୍ୟ ମଧ୍ୟ ରହିଛି । ୧୯୭୭ରେ ଯେତେବେଳେ ଇନ୍ଦିରା ହାରିଲେ, ସେ ଗ୍ରେସଫୁଲ୍ ଭାବେ କ୍ଷମତା ହସ୍ତାନ୍ତର କରିଥିଲେ। କିନ୍ତୁ ମମତା ବାନାର୍ଜୀ ଅଡି ବସିଥିଲେ ଯେ ସେ ଇସ୍ତଫା ଦେବେ ନାହିଁ । ଶେଷରେ ରାଜ୍ୟପାଳଙ୍କୁ ତାଙ୍କୁ ବରଖାସ୍ତ କରିବାକୁ ପଡ଼ିଲା।
ମହାଭାରତର ଯୁଦ୍ଧରେ ଯେଉଁମାନେ ଅଧର୍ମ ପକ୍ଷରେ ଛିଡା ହୋଇଥିଲେ, ସେମାନଙ୍କର ଅନ୍ତ ନିଶ୍ଚିତ ଥିଲା । ପଶ୍ଚିମବଙ୍ଗରେ ମଧ୍ୟ ବର୍ତ୍ତମାନ ଏକ ମହାଭାରତର ଯୁଦ୍ଧ ଆରମ୍ଭ ହେବାକୁ ଯାଉଛି, ଯେଉଁଠି ଜନତା ନିଜର ଶକ୍ତିକୁ ଚିହ୍ନି ସାରିଛନ୍ତି। ନୈତିକତା ଏବଂ ସମ୍ବିଧାନକୁ ଯେଉଁମାନେ ଅଣଦେଖା କରନ୍ତି, ସେମାନଙ୍କ ପାଇଁ ଆଗାମୀ ସମୟ ଅତ୍ୟନ୍ତ କଠିନ ହେବାକୁ ଯାଉଛି ।
ଇତିହାସ ନିଜକୁ ଦୋହରାଏ । ଗାନ୍ଧାରୀ ହୁଅନ୍ତୁ ବା ଆଜିର ରାଜନୈତିକ ମହିଳା ନେତ୍ରୀ ; ପୁତ୍ର ମୋହ ବା ପରିବାର ମୋହ ଯେତେବେଳେ ରାଜଧର୍ମଠାରୁ ବଡ଼ ହୋଇଯାଏ, ସେତେବେଳେ ବିନାଶ ଅବଶ୍ୟମ୍ଭାବୀ । ପଶ୍ଚିମବଙ୍ଗରେ ହୋଇଥିବା ଏହି ପରିବର୍ତ୍ତନ ଦେଶର ରାଜନୀତି ପାଇଁ ଏକ ବଡ଼ ଶିକ୍ଷା।


