ଭାରତୀୟ ସମ୍ବିଧାନ, ଗଣତନ୍ତ୍ର ଏବଂ ନିର୍ବାଚନ ପ୍ରକ୍ରିୟାକୁ ନେଇ ଆଜି ଦେଶର ସର୍ବୋଚ୍ଚ ଅଦାଲତ ଅର୍ଥାତ୍ ସୁପ୍ରିମକୋର୍ଟ ଏକ ଐତିହାସିକ ତଥା ଯୁଗାନ୍ତକାରୀ ରାୟ ଶୁଣାଇଛନ୍ତି। ଆଉ ଏହି ଗୋଟିଏ ରାୟରେ ସାରାଦେଶର ବିରୋଧୀ ମେଣ୍ଟ ଚାରିଆଡ଼ୁ ଚିତ୍-ପଟାଙ୍ଗ ବା ଧୂଳିସାତ ହୋଇଯାଇଛି। ଭୋଟର ତାଲିକାର ସ୍ୱତନ୍ତ୍ର ଶୁଦ୍ଧିକରଣ ଅଭିଯାନ— ଯାହାକୁ ‘ସ୍ପେଶାଲ ଇଣ୍ଟେନସିଭ୍ ରିଭିଜନ’ ବା ଏସଆଇଆର (Special Intensive Revision) କୁହାଯାଏ, ତା’ ଉପରେ ସୁପ୍ରିମକୋର୍ଟ ଆଜି ସମ୍ପୂର୍ଣ୍ଣ ବୈଧତାର ମୋହର ମାରିଛନ୍ତି।

ସୁପ୍ରିମକୋର୍ଟଙ୍କ ଚିଫ୍ ଜଷ୍ଟିସ ସୂର୍ଯ୍ୟକାନ୍ତଙ୍କ ଅଧ୍ୟକ୍ଷତାରେ ଗଠିତ ତିନି ଜଣିଆ ବେଞ୍ଚ ସ୍ପଷ୍ଟ ଭାବେ କହିଛନ୍ତି ଯେ— ନିର୍ବାଚନ କମିଶନଙ୍କ ଏହି ଏସଆଇଆର ପ୍ରକ୍ରିୟା ସମ୍ପୂର୍ଣ୍ଣ ସାମ୍ବିଧାନିକ ଓ ଆଇନଗତ, ଯାହା ଭାରତୀୟ ଗଣତନ୍ତ୍ରକୁ ଆହୁରି ମଜବୁତ କରେ ଏବଂ ନିର୍ବାଚନକୁ ସ୍ୱଚ୍ଛ ଓ ନିରପେକ୍ଷ କରିଥାଏ। ଆଜି ଆମେ ‘ପୂର୍ବପକ୍ଷ’ର ଏହି ସ୍ୱତନ୍ତ୍ର ଏପିସୋଡ୍ରେ ବୁଝିବା ଯେ, ବିରୋଧୀ ଦଳଗୁଡ଼ିକ ଯେଉଁ ଏସଆଇଆର ପ୍ରକ୍ରିୟାକୁ ‘ଭୋଟ୍ ଚୋରି’ କହି ସାରା ଦେଶରେ ହଙ୍ଗାମା କରୁଥିଲେ, କୋର୍ଟ କେମିତି ସେମାନଙ୍କର ସବୁ ଯୁକ୍ତିକୁ ଖାରଜ କରିଦେଇଛନ୍ତି।

ତେବେ କୋର୍ଟରେ ଚାଲିଥିବା ଏହି ଲଢ଼େଇରେ ସୁପ୍ରିମକୋର୍ଟ କେଉଁ ୩ଟି ବଡ଼ କଥା କହିଛନ୍ତି, ଚାଲନ୍ତୁ ସଂକ୍ଷେପରେ ବୁଝିବା। ଏହି ମାମଲାଟି ସେତେବେଳେ ଆରମ୍ଭ ହୋଇଥିଲା ଯେତେବେଳେ ବିହାର ଏବଂ ପଶ୍ଚିମବଙ୍ଗ ନିର୍ବାଚନ ପୂର୍ବରୁ ବେଆଇନ ଭୋଟରଙ୍କ ନାଁ ହଟାଇବାକୁ ନିର୍ବାଚନ କମିଶନ ଏହି ଏସଆଇଆର ଅଭିଯାନ ଆରମ୍ଭ କରିଥିଲେ। ବିରୋଧୀ ଏହାକୁ ବନ୍ଦ କରିବାକୁ ସୁପ୍ରିମକୋର୍ଟ ଯାଇଥିଲେ।

ପ୍ରଥମ କଥା : ସୁପ୍ରିମକୋର୍ଟ କହିଛନ୍ତି ଭୋଟର ତାଲିକାର ଶୁଦ୍ଧିକରଣ କରିବା ନିର୍ବାଚନ କମିଶନଙ୍କ ସାମ୍ବିଧାନିକ ଅଧିକାର। ଯଦି କାହାର ନାଁ ଭୁଲ୍ରେ କଟିଯାଇଛି, ତେବେ ତା’ର ସମାଧାନ ପାଇଁ ସରକାରୀ ସ୍ତରରେ ଅନେକ ମଞ୍ଚ ଉପଲବ୍ଧ ଅଛି, କିନ୍ତୁ ଏଥିପାଇଁ ସମଗ୍ର ପ୍ରକ୍ରିୟାକୁ ବେଆଇନ କୁହାଯାଇପାରିବ ନାହିଁ।
ଦ୍ୱିତୀୟ କଥା (ନାଗରିକତା ପ୍ରସଙ୍ଗ) : ବିରୋଧୀ ଯୁକ୍ତି କରୁଥିଲେ ଯେ ନିର୍ବାଚନ କମିଶନ କେମିତି ଜଣେ ଭୋଟରଙ୍କୁ ନାଗରିକତାର ପ୍ରମାଣ ମାଗିପାରିବେ? ଏହି ଅଧିକାର ତ କେବଳ ଗୃହ ମନ୍ତ୍ରଣାଳୟ ପାଖରେ ଅଛି। କୋର୍ଟ କହିଲେ, ଏହା ସତ ଯେ ନାଗରିକତା କେବଳ ଗୃହ ମନ୍ତ୍ରଣାଳୟ ହିଁ ସ୍ପଷ୍ଟ କରିବ, କିନ୍ତୁ ଭୋଟର ତାଲିକାରେ ନାଁ ଯୋଡ଼ିବା ପାଇଁ ସେହି ବ୍ୟକ୍ତି ଜଣକ ଭାରତର ବୈଧ ନାଗରିକ କି ନୁହେଁ, ତାହା ସୁନିଶ୍ଚିତ କରିବା ଏବଂ କାଗଜପତ୍ର ମାଗିବାର ସମ୍ପୂର୍ଣ୍ଣ କ୍ଷମତା ନିର୍ବାଚନ କମିଶନଙ୍କର ରହିଛି।
ତୃତୀୟ କଥା (ନୂଆ ବ୍ୟବସ୍ଥା) : ସୁପ୍ରିମକୋର୍ଟ ଏକ ନୂଆ ନିର୍ଦ୍ଦେଶ ଦେଇଛନ୍ତି ଯେ, ନିର୍ବାଚନ କମିଶନ ଆଗାମୀ ୪ ମାସ ଭିତରେ ସେହି ସମସ୍ତ ସନ୍ଦିଗ୍ଧ ବ୍ୟକ୍ତିଙ୍କ ନାଁ ଗୃହ ମନ୍ତ୍ରଣାଳୟକୁ ପଠାଇବେ, ଯେଉଁମାନଙ୍କ ନାଗରିକତା ଉପରେ ସନ୍ଦେହ ରହିଛି। ଆଉ ଗୃହ ମନ୍ତ୍ରଣାଳୟ ଆଗାମୀ ନିର୍ବାଚନ ପୂର୍ବରୁ ତା’ର ତଦନ୍ତ ଶେଷ କରି ରିପୋର୍ଟ କମିଶନଙ୍କୁ ଦେବେ। ଯଦି ସେମାନେ ବୈଧ ନାଗରିକ ପ୍ରମାଣିତ ହେବେ, ନାଁ ପୁଣି ଯୋଡ଼ି ହେବ, ନଚେତ୍ ସବୁଦିନ ପାଇଁ କଟିଯିବ।

ସୁପ୍ରିମକୋର୍ଟଙ୍କ ଏହି ରାୟ ଚିଫ୍ ଇଲେକ୍ସନ କମିଶନର (CEC) ଜ୍ଞାନେଶ କୁମାରଙ୍କ ପାଇଁ ଏକ ବଡ଼ ବିଜୟ। ଏହି ଏସଆଇଆର ପ୍ରକ୍ରିୟା ପାଇଁ ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀ ସର୍ବସାଧାରଣ ସଭାରେ ଚିଲ୍ଲାଇ ଚିଲ୍ଲାଇ ଜ୍ଞାନେଶ କୁମାରଙ୍କୁ ସିଧାସଳଖ ଧମକ ଦେଇଥିଲେ। ରାହୁଲ କହିଥିଲେ— “ମନେରଖ ଜ୍ଞାନେଶ କୁମାର, ରିଟାୟର ହେବା ପରେ ତୁମକୁ ଛାଡ଼ିବୁ ନାହିଁ, ତୁମ ନାଁ ମନେ ରଖିଛୁ, ପଳେଇ ଯାଇପାରିବନି ।” ଏହା ଏକ ସାମ୍ବିଧାନିକ ପଦବୀରେ ଥିବା ବ୍ୟକ୍ତିଙ୍କୁ ଖୋଲା ଧମକ ଥିଲା।
କେବଳ ଜ୍ଞାନେଶ କୁମାର ନୁହେଁ, ସୋସିଆଲ ମିଡିଆରେ ତାଙ୍କ ପରିବାର ଏବଂ ଆଇଏଏସ୍ ଥିବା ତାଙ୍କ ଝିଅଙ୍କ ଉପରେ ମଧ୍ୟ ବହୁତ ବ୍ୟକ୍ତିଗତ ଆକ୍ରମଣ କରାଗଲା। ସେମାନଙ୍କୁ ବିଜେପିର ଏଜେଣ୍ଟ କୁହାଗଲା। କିନ୍ତୁ ସୁପ୍ରିମକୋର୍ଟ ବିରୋଧୀଙ୍କ ଏହି ସମସ୍ତ ରାଜନୈତିକ ଏବଂ ବ୍ୟକ୍ତିଗତ ଅଭିଯୋଗକୁ ଟିପ୍ପଣୀର ଯୋଗ୍ୟ ମଧ୍ୟ ଭାବିନାହାନ୍ତି। କୋର୍ଟ କମିଶନଙ୍କ ସାହସ ଏବଂ କାର୍ଯ୍ୟକୁ ଉଚ୍ଚ ପ୍ରଶଂସା କରିଛନ୍ତି।
୨୦୧୪ ମସିହା ପରଠାରୁ ଯଦି ଆମେ ଦେଖିବା, ତେବେ ବିପକ୍ଷ ଦଳ ଯେଉଁସବୁ ପ୍ରସଙ୍ଗକୁ ନେଇ କୋର୍ଟ କିମ୍ବା ରାଜନୀତିରେ ମୋଦୀ ସରକାରଙ୍କୁ ପକାଇବାକୁ ଚେଷ୍ଟା କରିଛି, ସେ ସବୁ ଓଲଟା ମୁହଁ ମାଡ଼ି ପଡ଼ିଛନ୍ତି କୋର୍ଟରେ ।
ପ୍ରକୃତ ପ୍ରସଙ୍ଗଗୁଡ଼ିକ ଥିଲା କ’ଣ :

- ରାଫେଲ ମାମଲା : ରାହୁଲ ଗାନ୍ଧୀ ‘ଚୌକିଦାର ଚୋର ହୈ’ ନାରା ଦେଇଥିଲେ, କିନ୍ତୁ ସୁପ୍ରିମକୋର୍ଟରେ ତାଙ୍କୁ କ୍ଷମା ମାଗିବାକୁ ପଡ଼ିଥିଲା।
- ପେଗାସସ ମାମଲା : ବିରୋଧୀ କହିଲେ ସରକାର ଆମ ଫୋନ୍ ଜାସୁସି କରୁଛନ୍ତି। କୋର୍ଟ ଯେତେବେଳେ ଟେକ୍ନିକାଲ୍ ଯାଞ୍ଚ ପାଇଁ ଫୋନ୍ ମାଗିଲେ, ରାହୁଲ ଗାନ୍ଧୀ ଏବଂ ବଡ଼ ବଡ଼ ନେତା ନିଜ ଫୋନ୍ ଦେବାକୁ ମନା କରିଦେଲେ।
- ହିଣ୍ଡେନବର୍ଗ ରିପୋର୍ଟ : ଜର୍ଜ ସୋରୋସଙ୍କ ସଂସ୍ଥା ଜରିଆରେ ଭାରତୀୟ ଅର୍ଥନୀତି ଓ ଇନଫ୍ରାଷ୍ଟ୍ରକ୍ଚରକୁ ଧ୍ୱଂସ କରିବାକୁ ଆଦାନୀ ଗ୍ରୁପ୍ ଆଳରେ ବଡ଼ ଆଟାକ୍ ହେଲା, ସେଠି ବି କୋର୍ଟରେ ସଫଳତା ମିଳିଲାନି।
- କୃଷକ ଆନ୍ଦୋଳନ : ତିନି କୃଷି କାନୁନ ପ୍ରତ୍ୟାହାର ପରେ ଯେଉଁ ନେତାମାନେ ନିଜକୁ କୃଷକ କହି ନିର୍ବାଚନ ଲଢ଼ିଲେ, ପଞ୍ଜାବରେ ସେମାନଙ୍କର ଜମାନତ ଜବତ ହୋଇଗଲା।

ବିରୋଧୀଙ୍କର ସବୁଠାରୁ ବଡ଼ ଲକ୍ଷ୍ୟ ଥିଲା ଯେମିତି ଶ୍ରୀଲଙ୍କା, ବାଂଲାଦେଶ କିମ୍ବା ନେପାଳରେ ଆନ୍ଦୋଳନ ଜରିଆରେ କ୍ଷମତା ବଦଳିଗଲା, ଠିକ୍ ସେମିତି ଭାରତରେ ମଧ୍ୟ ଭାରତୀୟ ନିର୍ବାଚନ ପ୍ରକ୍ରିୟାକୁ ସନ୍ଦେହ ଘେରକୁ ଆଣି ଏକ ଅରାଜକତା ସୃଷ୍ଟି କରାଯାଉ। କିନ୍ତୁ ଭାରତର ସଚେତନ ଜନତା ଏବେ ସର୍ବୋଚ୍ଚ ଅଦାଲତ ବିରୋଧୀଙ୍କ ଏହି ବିଦ୍ୱେଷପୂର୍ଣ୍ଣ ରଣନୀତି ଉପରେ ପାଣି ଢାଳି ଦେଇଛନ୍ତି। ପଶ୍ଚିମବଙ୍ଗ ସୀମାରେ ଯେଉଁ ବାଂଲାଦେଶୀମାନେ ନିଜେ ସ୍ୱୀକାର କରି ଫେରିଯାଉଛନ୍ତି ଯେ ଆମ ପାଖରେ ଭୋଟର କାର୍ଡ ଥିଲା କିନ୍ତୁ ଏବେ ଏସଆଇଆର ଯୋଗୁଁ ଆମେ ଧରାପଡ଼ି ଫେରୁଛୁ, ସେହି ବେଆଇନ ଭୋଟରଙ୍କ ସପକ୍ଷରେ ସାରା ବିପକ୍ଷ ମେଣ୍ଟ ଛିଡ଼ା ହୋଇଥିଲା। ଅଖିଳେଶ ଯାଦବ ଏବେ କହୁଛନ୍ତି ଆମକୁ ଏସଆଇଆର ରେ ସମସ୍ୟା ନାହିଁ କିନ୍ତୁ ‘ବିଜେପି ଷ୍ଟାଇଲ’ ଏସଆଇଆର ରେ ଅଛି। ସେମାନେ ବୁଝିବା ଉଚିତ୍ ଏହା ବିଜେପିର ନୁହେଁ, ସ୍ୱାଧୀନ ନିର୍ବାଚନ କମିଶନଙ୍କ ସାମ୍ବିଧାନିକ ପ୍ରକ୍ରିୟା।
ତେବେ ସୁପ୍ରିମକୋର୍ଟଙ୍କ ଏହି ରାୟ ପ୍ରମାଣ କରୁଛି ଯେ ଭାରତୀୟ ସାମ୍ବିଧାନିକ ସଂସ୍ଥାଗୁଡ଼ିକୁ ବଦନାମ କରିବାର ପ୍ରତ୍ୟେକ ପ୍ରୟାସ ଦେଶରେ ସର୍ବଦା ଫେଲ୍ ମାରିବ। ପ୍ରଥମେ ଜନତାଙ୍କ ଅଦାଲତ ଏବଂ ଏବେ ଆଇନର ଅଦାଲତ— ଦୁଇଟି ଯାକ କ୍ଷେତ୍ରରେ ବିଜେପି ନେତୃତ୍ୱାଧୀନ ସରକାର ଓ ନିର୍ବାଚନ କମିଶନଙ୍କ ସ୍ୱଚ୍ଛତା ପ୍ରମାଣିତ ହୋଇଛି।
ତେବେ କ’ଣ ସୁପ୍ରିମକୋର୍ଟଙ୍କ ଏହି କଠୋର ରାୟ ପରେ ବିରୋଧୀ ଦଳଗୁଡ଼ିକ କଣ ଆଗକୁ ନିଜର ରାଜନୈତିକ ଏଜେଣ୍ଡା ବଦଳାଇବେ, ନା ପୁଣି ଏମିତି ଏକ ନୂଆ ମନଗଢ଼ା ମାମଲା ନେଇ ଦେଶକୁ ବିଭ୍ରାନ୍ତ କରିବାକୁ ଚେଷ୍ଟା କରିବେ?
Also read : https://purvapaksa.com/master-plan-ready-for-bangladeshis/
ବାଂଲାଦେଶୀଙ୍କ ପାଇଁ ‘ମାଷ୍ଟର ପ୍ଲାନ୍’ ପ୍ରସ୍ତୁତ ! || ‘Master Plan’ ready for Bangladeshis !


