ଦିନ ଥିଲା, ବିଜୁ ଜନତା ଦଳରେ “ଯାଜପୁର” କହିଲେ ମାନେ ପ୍ରଣବ ପ୍ରକାଶ ଦାସ—ଓରଫ ବବିଙ୍କୁ ହିଁ ବୁଝାଉଥିଲା। ଦଳର ବରିଷ୍ଠ ନେତା ହେଉନ୍ତୁ କି କନିଷ୍ଠ କର୍ମୀ, ସମସ୍ତଙ୍କ ନଜର ବବିଙ୍କ ଉପରେ ଥିଲା। ଟିକଟ ମିଳିବ କି ନାହିଁ, ପଦ ମିଳିବ କି ନାହିଁ, ସଂଗଠନରେ ରହିବେ କି ବାହାରେ—ଏସବୁ ନିଷ୍ପତ୍ତିରେ ବବିଙ୍କ ଭୂମିକା ଅନିବାର୍ଯ୍ୟ ବୋଲି କୁହାଯାଉଥିଲା। ଦଳ ଭିତରେ ଏକ ଅଲିଖିତ ସତ୍ୟ ଥିଲା—“ବବିଙ୍କ ମନ ଜିତିଲେ ରାଜନୀତି ଚାଲିବ।”

ଓଡ଼ିଶା ରାଜନୀତିରେ ‘ଯାଜପୁର’ ସବୁବେଳେ କ୍ଷମତାର କେନ୍ଦ୍ରବିନ୍ଦୁ ହୋଇ ରହିଆସିଛି। ଆଉ ଏହି କେନ୍ଦ୍ରବିନ୍ଦୁର ସାରଥି ଭାବେ ଉଭା ହୋଇଥିଲେ ପ୍ରଣବ ପ୍ରକାଶ ଦାସ ଓରଫ୍ ‘ବବି’। ଦିନ ଥିଲା, ନବୀନ ନିବାସର ସବୁଠୁ ବିଶ୍ୱସ୍ତ ଏବଂ ଦଳର ସାଂଗଠନିକ ସମ୍ପାଦକ ଭାବେ ବବିଙ୍କ ଗୋଟି ଚାଳନାରେ ବଡ଼ ବଡ଼ ନେତା ନତମସ୍ତକ ହେଉଥିଲେ। କିନ୍ତୁ ୨୦୨୪ ସାଧାରଣ ନିର୍ବାଚନ ପରେ ବିଜେଡିର ପରାଜୟ ଓ ପରବର୍ତ୍ତୀ ଘଟଣାକ୍ରମ ଏବେ ଏକ ଭିନ୍ନ ସଙ୍କେତ ଦେଉଛି। ଯାଜପୁରର ଏହି ‘ଅପ୍ରତିଦ୍ୱନ୍ଦ୍ୱୀ’ ନେତାଙ୍କ ବିରୋଧରେ ଏବେ ଦଳ ଭିତରେ ଷଡ଼ଯନ୍ତ୍ରର ବ୍ୟୂହ ରଚନା ହେଉଥିବା ଚର୍ଚ୍ଚା ଜୋର ଧରିଛି।
କିନ୍ତୁ ଓଡ଼ିଶା ରାଜନୀତିରେ ଶକ୍ତି କେବେ ସ୍ଥାୟୀ ନୁହେଁ। ଯେଉଁ ଶକ୍ତି ସଂଗଠନକୁ ଆଧାର ନ କରି ଚାଲେ, ବ୍ୟକ୍ତିକେନ୍ଦ୍ରିକ ହୁଏ, ସେ ଶକ୍ତି ଦିନେ ନା ଦିନେ ନିଜ ଓଜନରେ ହିଁ ଭାଙ୍ଗିପଡ଼େ। ୨୦୧୪ ପରେ ଯାଜପୁରରେ କ୍ଷମତାକେନ୍ଦ୍ର ବଦଳିବା ଆରମ୍ଭ ହେଲା। ଆଉ ୨୦୨୪ ପରେ ଏହି ବଦଳ ପରିଣତ ହୋଇଛି—ଏକ ଖୋଲା ସଂଘର୍ଷରେ।
୨୦୧୪: ଯେଉଁଠାରୁ ଆରମ୍ଭ ହେଲା ଫାଟ
ବବିଙ୍କ ରାଜନୀତିର ସବୁଠୁ ବଡ଼ ମୋଡ଼ ଆସିଥିଲା ୨୦୨୪ ନିର୍ବାଚନରେ। ସେହି ନିର୍ବାଚନରେ ଏକା ବବି ନୁହେଁ, ତାଙ୍କ ମା’ ମଧ୍ୟ ପରାଜିତ ହୋଇଥିଲେ। ଏହି ପରାଜୟ କେବଳ ଏକ ନିର୍ବାଚନୀ ହାର ନୁହେଁ; ଏହା ଥିଲା ବବିଙ୍କ ରାଜନୀତିର ଭବିଷ୍ୟତ କ୍ୟାରିୟର ପାଇଁ ଏକ ଗଭୀର ଆଘାତ।
ଦଳୀୟ ମହଲରେ ଆଜି ବି ଆଲୋଚନା ହୁଏ—ଏହି ପରାଜୟ କ’ଣ ସାଧାରଣ ରାଜନୈତିକ ଘଟଣା ଥିଲା, ନା ଏହା ପଛରେ ଥିଲା ଏକ ସୁଚିନ୍ତିତ ଯୋଜନା? ବବିଙ୍କ ସମର୍ଥକମାନେ ଦୀର୍ଘଦିନ ଧରି ଏକ ଅଭିଯୋଗ କରିଆସୁଛନ୍ତି—ଏହା ପାଣ୍ଡିଆନଙ୍କ ଚକ୍ରାନ୍ତ। ସତ୍ୟ ଯାହା ହେଉନା କାହିଁକି ୨୦୧୪ ପରେ ବବିଙ୍କ ଅଜୟ ଛବିରେ ପ୍ରଥମ ଫାଟ ସୃଷ୍ଟି ହୋଇଥିଲା ୨୦୨୪ ନିର୍ବାଚନରେ।
ପାଣ୍ଡିଆନ–ବବି: ଦୁଇ ଶକ୍ତିକେନ୍ଦ୍ର, ଏକ ଦଳ

ବିଜେଡିରେ ଦୁଇଟି ଶକ୍ତିକେନ୍ଦ୍ର ଦୀର୍ଘ ସମୟ ଧରି ଏକାଠି କାମ କରୁଥିଲା। ପ୍ରଥମଟି—ମାଟି ସହିତ ଜଡ଼ିତ, ସଂଗଠନ ଓ ନିର୍ବାଚନୀ ମ୍ୟାନେଜମେଣ୍ଟର ମୁଖ୍ୟ ଚେହେରା ବବି। ଦ୍ୱିତୀୟଟି—ପ୍ରଶାସନ, ଯୋଜନା ଓ ମୁଖ୍ୟନେତୃତ୍ୱର ଭରସା ଭାବେ ଉଭୟ ଭୈରବ କାର୍ତ୍ତିକେୟନ ପାଣ୍ଡିଆନ।
ଆରମ୍ଭରେ ଏହି ଦୁଇ ଧାରା ପରସ୍ପରକୁ ପୂରକ ଥିଲା। କିନ୍ତୁ ଯେତେବେଳେ ଶକ୍ତି ବଢ଼ିଲା, ସହଯୋଗ ହ୍ରାସ ପାଇଲା। ୨୦୧୯ ପରେ ଦଳ ଭିତରେ ଏହି ଦୁଇ ଶକ୍ତିକେନ୍ଦ୍ର ମଧ୍ୟରେ ଦୂରତା ସ୍ପଷ୍ଟ ହେବାକୁ ଲାଗିଲା। ଏହା ଆରମ୍ଭ ହେଲା ଦଳୀୟ କର୍ମକର୍ତ୍ତା ନିଯୁକ୍ତି, ଟିକଟ ବଣ୍ଟନ, ସଂଗଠନାତ୍ମକ ନିଷ୍ପତ୍ତିକୁ ନେଇ ଅଦୃଶ୍ୟ ଟାଣାଟାଣିରୁ।
ପ୍ରତିଷ୍ଠା ଦିବସ ଓ ସୁଜାତା କାର୍ତ୍ତିକେୟନ ପ୍ରସଙ୍ଗ
ଗତମାସ ୨୬ ତାରିଖ—ବିଜେଡି ପ୍ରତିଷ୍ଠା ଦିବସ ଥିଲା। ଦଳୀୟ ମହଲରେ ଚର୍ଚ୍ଚା ଥିଲା—ପାଣ୍ଡିଆନଙ୍କ ପତ୍ନୀ ସୁଜାତା ରାଉତ କାର୍ତ୍ତିକେୟନ ଦଳରେ ଯୋଗ ଦେବେ। ଏହାକୁ ଏକ ରାଜନୈତିକ ସଙ୍କେତ ଭାବେ ଦେଖାଯାଉଥିଲା। କିନ୍ତୁ ଶେଷମୁହୂର୍ତ୍ତରେ ଏହା ହୋଇପାରିଲା ନାହିଁ। ପାଣ୍ଡିଆନପନ୍ଥୀଙ୍କ ଅଭିଯୋଗ—ଏହା ପଛରେ ବବିଙ୍କ ଭୂମିକା ଥିଲା। ସତ୍ୟ ଯାହାହେଉ, ଏହି ଘଟଣା ପରେ ବିଜେଡିର ଆଭ୍ୟନ୍ତରୀଣ ରାଜନୀତିରେ ନିଆଁ ଲାଗିଯାଇଛି। ଦଳ ଭିତରେ ଏକ ସ୍ପଷ୍ଟ ବାର୍ତ୍ତା ଗଲା—ଶକ୍ତିର ଦୁଇ କେନ୍ଦ୍ର ଏବେ ଏକ ମଞ୍ଚରେ ନାହାନ୍ତି, ପରଷ୍ପର ବିରୋଧୀ ହୋଇ ନିଜ ନିଜର ଚେର କାଟିବାରେ ବ୍ୟସ୍ତ ଅଛନ୍ତି।
‘ବବି ସଫା ଅଭିଯାନ’: ରଣନୀତିର ପ୍ରଥମ ଚାଲ
ପ୍ରତିଷ୍ଠା ଦିବସ ପରେ ପାଣ୍ଡିଆନଙ୍କ ରଣନୀତି ସ୍ପଷ୍ଟ ହୋଇଗଲା—ଯାଜପୁରରେ ବବିଙ୍କ ଏକଛତ୍ର ନେତୃତ୍ୱକୁ ଯେପରି ହେଲେ ଭାଙ୍ଗିବା ପଡ଼ିବ। ଏହାର ପ୍ରଥମ ପଦକ୍ଷେପ ଥିଲା—ପ୍ରମିଳା ମଲ୍ଲିକଙ୍କ ବାସଭବନରେ ଆୟୋଜିତ ବୈଠକ। କାରଣ ପ୍ରମିଳା ମଲ୍ଲିକ ପାଣ୍ଡିଆନଙ୍କର ଏକାନ୍ତ ବିଶ୍ୱସ୍ତ ଓ ଅନୁଗତ। ଅପର ପକ୍ଷରେ ଯାଜପୁରର ନେତୃତ୍ୱକୁ ନେଇ ପ୍ରମିଳା-ବବିଙ୍କ ମଧ୍ୟରେ ଗତ ୧୦ ବର୍ଷ ହେଲା ଶୀତଳ ଯୁଦ୍ଧ ଚାଲି ଆସୁଛି। ତେଣୁ ପ୍ରମିଳାକୁ ପାଣ୍ଡିଆନ ଗୁରୁତ୍ୱ ଦେଇ ବବିଙ୍କ କ୍ଷମତା ହ୍ରାସ କରିବା ଯୋଜନା କରିଛନ୍ତି।
ଏହି ବୈଠକ କୌଣସି ସାଧାରଣ ସଂଗଠନାତ୍ମକ ବୈଠକ ନୁହେଁ। ଏହା ଥିଲା ଏକ ରାଜନୈତିକ ସଙ୍କେତ—“ବବିଙ୍କ ନେତୃତ୍ୱ ଛାଡ଼ି ବି ରାଜନୀତି କରାଯାଇପାରିବ।” ବୈଠକର ମୂଳ ଉଦ୍ଦେଶ୍ୟ ଥିଲା—ଯାଜପୁର ବିଜେଡିର ନେତାମାନେ ବବି ଭୟରୁ ମୁକ୍ତ ହୁଅନ୍ତୁ।
ଡ୍ୟାନିଙ୍କ ପ୍ରତିକ୍ରିୟା: ପ୍ରଥମ ଖୋଲା ବିଦ୍ରୋହ

ଏହି ବୈଠକ ପରେ ପ୍ରଥମେ ଯିଏ ବବିଙ୍କ ବିରୋଧରେ ସାର୍ବଜନୀନ ସ୍ୱର ଉଠାଇଲେ; ସେ ହେଲେ ପ୍ରୀତିରଂଜନ ଘଡ଼େଇ, ଓରଫ ଡ୍ୟାନି। ବବିଙ୍କ ଏକ ବକ୍ତବ୍ୟ- “ଗତ ୧୫ ବର୍ଷ ଯେଉଁମାନେ କୋରାଇରୁ ଜିତିଥିଲେ, ସେମାନେ ଏବେ ଅଞ୍ଚଳକୁ ଛାଡ଼ି ଚାଲିଗଲେ”—ପ୍ରତି ଡ୍ୟାନିଙ୍କ ପ୍ରତିଉତ୍ତର ଥିଲା ସିଧାସଳଖ- “କେହି କୁଆଡ଼େ ଯାଇନାହାନ୍ତି।”
ଏହି ବକ୍ତବ୍ୟ ବବିଙ୍କ ଅଧିକାରକୁ ସିଧା ଚ୍ୟାଲେଞ୍ଜ କରିଥିଲା। ଦଳ ଭିତରେ ଏହାକୁ ପ୍ରଥମ ସାର୍ବଜନୀନ ବିଦ୍ରୋହ ଭାବେ ଦେଖାଯାଉଛି।
ଟିକଟ ରାଜନୀତି ଓ ବିଜେପିକୁ ପଳାୟନ
ଗତ ନିର୍ବାଚନରେ ଆକାଶ ଦାସନାୟକ ଓ ଅଶୋକ ବଳଙ୍କୁ ଟିକଟ ନ ଦେବା ନିଷ୍ପତ୍ତି ବବିଙ୍କ ଉପରେ ଗଭୀର ଅଭିଯୋଗ ଆସିଛି। ଦଳୀୟ ମହଲ କହେ—ଏହା ଥିଲା ‘ଟାଳଟୁଳ’ ନୀତି। ଫଳରେ ଦୁଇ ନେତା ବିଜେପିକୁ ପଳାଇଲେ। ପ୍ରଶ୍ନ ହେଉଛି- ଏହା କ’ଣ ବବିଙ୍କ ଦୂରଦର୍ଶିତା, ନା ଦଳ ପାଇଁ ଏକ ଆତ୍ମଘାତୀ ନିଷ୍ପତ୍ତି? ଯାଜପୁରରେ ବିଜେଡିର ଭୋଟ ବିଭାଜନ ଏହାର ଫଳାଫଳ ଭାବେ ଦେଖାଦେଲା।
ସୁଜାତା ସାହୁ: ନିକଟତମରୁ ବିଦ୍ରୋହୀ

ସବୁଠୁ ଗୁରୁତ୍ୱପୂର୍ଣ୍ଣ ସଙ୍କେତ ଆସିଲା ସୁଜାତା ସାହୁଙ୍କ ଠାରୁ। ଗତ ନିର୍ବାଚନରେ ‘ବବିଙ୍କ ଦୟାରେ ବିଧାୟିକା’ ବୋଲି ପରିଚିତ ସୁଜାତା ଖୋଲାଖୋଲି କହିଦେଲେ—“ମୁଁ ବବିଙ୍କୁ ନେତା ବୋଲି ମାନିବାକୁ ପ୍ରସ୍ତୁତ ନୁହେଁ।”
ଏହି ବକ୍ତବ୍ୟ ବବିଙ୍କ ପାଇଁ ସବୁଠୁ ବଡ଼ ଆଘାତ ଥିଲା। କାରଣ ଏହା କେବଳ ରାଜନୈତିକ ବିରୋଧ ନୁହେଁ, ଏହା ଥିଲା ବିଶ୍ୱାସର ଭାଙ୍ଗା।
ଦୀର୍ଘକାଳୀନ ସମର୍ଥକମାନେ ଦୂରେଇବାର ଅର୍ଥ
ପ୍ରଣବ ବଳବନ୍ତରାୟ ଭଳି ୧୫ ବର୍ଷର ସମର୍ଥକ ଦୂରେଇଯିବା, ପୂର୍ବତନ ସାଂସଦ ଶର୍ମିଷ୍ଠା ସେଠୀ, ବିଧାୟକ ବିଶ୍ୱ ମଲ୍ଲିକଙ୍କ ‘ସମଦୂରତ୍ୱ’—ଏସବୁ ସାଧାରଣ ଘଟଣା ନୁହେଁ। ଏହା ସୂଚାଏ ଯେ ବବିଙ୍କ ଶକ୍ତିବଳୟ ଧୀରେଧୀରେ ଭାଙ୍ଗୁଛି।
ଯାଜପୁର—ବିଜେଡିର ପରୀକ୍ଷାଗାର
ଆଜି ଯାଜପୁର କେବଳ ଏକ ଜିଲ୍ଲା ନୁହେଁ। ଏହା ହେଉଛି ବିଜେଡିର ଭବିଷ୍ୟତ ରାଜନୀତିର ପରୀକ୍ଷାଗାର। ଦଳୀୟ ମାମଲାରେ ବବିଙ୍କ ଏକଛତ୍ରବାଦ ରହିବ କି ନାହିଁ—ଏହାଠାରୁ ବଡ଼ ପ୍ରଶ୍ନ ହେଉଛି—ବିଜେଡି ନିଜକୁ ସଂଶୋଧନ କରିପାରିବ କି? ଦଳ ଗୋଟିଏ ବ୍ୟକ୍ତି ଭିତ୍ତିକ ଶକ୍ତିକେନ୍ଦ୍ର ହୋଇ ରହିବ, ନା ସଂଗଠନ ଓ ସମୂହ ନେତୃତ୍ୱକୁ ଫେରିବ?
କାରଣ ଇତିହାସ କହେ—ଦଳ ଯେତେବେଳେ ନିଜ ଭିତରକୁ ଦେଖେ, ସେତେବେଳେ ରାଜନୀତିର ନୂଆ ଅଧ୍ୟାୟ ଲେଖାଯାଏ।
ରାଜନୀତିରେ କେହି ଚିରସ୍ଥାୟୀ ବନ୍ଧୁ କିମ୍ବା ଶତ୍ରୁ ନୁହନ୍ତି। ବବିଙ୍କ ବିରୋଧରେ ଆରମ୍ଭ ହୋଇଥିବା ଏହି ‘ଚକ୍ରାନ୍ତ’ ତାଙ୍କୁ ଦଳରୁ ବାହାର କରିବ ନା ସେ ପୁଣି ଥରେ ଫିନିକ୍ସ ପକ୍ଷୀ ଭଳି ଉଠିବେ, ତାହା ସମୟ କହିବ। କିନ୍ତୁ ଏତିକି ସ୍ପଷ୍ଟ ଯେ, ବିଜେଡି ଭିତରେ ଏବେ ‘ଶକ୍ତି ପ୍ରଦର୍ଶନ’ର ଏକ ବିଷାକ୍ତ ଖେଳ ଆରମ୍ଭ ହୋଇଯାଇଛି।
also read https://purvapaksa.com/bobby-vs-danny-crack-in-bjd-in-kore-assembly-constituency/


