ଆଜିଠାରୁ ଟି–୨୦ ବିଶ୍ୱକପର ରୋମାଞ୍ଚକର ଯାତ୍ରା ଆରମ୍ଭ ହେଉଛି। ପ୍ରଥମ ଦିନରେ ଭାରତୀୟ ଦଳ ମୁମ୍ବାଇର ପ୍ରସିଦ୍ଧ ଓ୍ୱାଙ୍ଖଡ଼େ ଷ୍ଟାଡିୟମରେ ଆମେରିକା (ୟୁଏସଏ) ସହ ମୁକାବିଲା କରିବ। ଘରୋଇ ମାଟିରେ ଖେଳୁଥିବାରୁ ଭାରତୀୟ ଦଳ ଉପରେ ଦେଶବାସୀଙ୍କ ଆଶା ଅଧିକ ରହିଛି। କିନ୍ତୁ ଏହି ମ୍ୟାଚ ପୂର୍ବରୁ ଭାରତୀୟ ଶିବିରରୁ ଆସିଥିବା କିଛି ଖବର ଚର୍ଚ୍ଚାର ବିଷୟ ହୋଇଉଠିଛି।
![]()
ଭାରତର ଦ୍ରୁତ ବୋଲର ଏବଂ ମୁଖ୍ୟ ଆକ୍ରମଣକାରୀ ଯଶପ୍ରୀତ ବୁମରା ଏହି ମ୍ୟାଚରେ ଖେଳିବେ ନାହିଁ। ଜ୍ୱରରେ ପୀଡ଼ିତ ଥିବାରୁ ଟିମ୍ ମ୍ୟାନେଜମେଣ୍ଟ ତାଙ୍କୁ ବିଶ୍ରାମ ଦେବାକୁ ନିଷ୍ପତ୍ତି ନେଇଛି। ବୁମରାଙ୍କ ଅଭାବ ନିଶ୍ଚୟ ଭାରତୀୟ ବୋଲିଂ ଆକ୍ରମଣ ପାଇଁ ଏକ ଚ୍ୟାଲେଞ୍ଜ ହେବ, କିନ୍ତୁ ଏହା ସହିତ ଅନ୍ୟ ଦ୍ରୁତ ବୋଲରମାନଙ୍କ ପାଇଁ ସୁଯୋଗ ମଧ୍ୟ ଆଣିଛି।
ଏହି ପରିସ୍ଥିତିରେ ମହମ୍ମଦ ସିରାଜଙ୍କୁ ଖେଳାଯିବାର ସମ୍ଭାବନା ଜୋରଦାର ହୋଇଛି। ହର୍ଷିତ ରାଣା ସମ୍ପୂର୍ଣ୍ଣ ଟୁର୍ଣ୍ଣାମେଣ୍ଟରୁ ବାଦ୍ ପଡିଥିବାରୁ ସିରାଜଙ୍କୁ ଟି–୨୦ ସ୍କ୍ୱାଡରେ ସାମିଲ କରାଯାଇଛି। ଶୁକ୍ରବାର ଭାରତୀୟ ଦଳ ଅଭ୍ୟାସ କରିଥିବା ବେଳେ ବୁମରା ବିଶ୍ରାମ ନେଇଥିଲେ, ଯାହା ତାଙ୍କର ମ୍ୟାଚ ନ ଖେଳିବାକୁ ପ୍ରାୟ ସ୍ପଷ୍ଟ କରିଦେଇଥିଲା।

ହର୍ଷିତ ରାଣାଙ୍କ ଆହତ ହେବା ଘଟଣା ଭାରତୀୟ ଦଳ ପାଇଁ ଆଉ ଏକ ଝଟକା ଥିଲା। ଫେବ୍ରୁଆରୀ ୪ ତାରିଖରେ ଦକ୍ଷିଣ ଆଫ୍ରିକା ବିପକ୍ଷ ଅଭ୍ୟାସ ମ୍ୟାଚରେ ବୋଲିଂ କରୁଥିବା ସମୟରେ ତାଙ୍କ ଆଣ୍ଠୁରେ ଆଘାତ ଲାଗିଥିଲା। ପରେ ବିସିସିଆଇର ଡାକ୍ତରୀ ଦଳ ତାଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରିବା ପରେ ସମଗ୍ର ବିଶ୍ୱକପରୁ ତାଙ୍କୁ ବିଶ୍ରାମ ଦେବାକୁ ନିଷ୍ପତ୍ତି ନେଇଥିଲା।
ହର୍ଷିତଙ୍କ ବିଦାୟ ଓ ବୁମରାଙ୍କ ବିଶ୍ରାମ ପରେ ଭାରତୀୟ ଦଳରେ ଏବେ ୧୩ ଜଣ ଫିଟ୍ ଖେଳାଳି ଉପଲବ୍ଧ ଅଛନ୍ତି। ଅଲରାଉଣ୍ଡର ଓ୍ୱାସିଂଟନ ସୁନ୍ଦର ଏପର୍ଯ୍ୟନ୍ତ ବେଙ୍ଗାଲୁରୁ ସ୍ଥିତ ଏକାଡେମୀରେ ଅଛନ୍ତି ଏବଂ ବିସିସିଆଇ ତରଫରୁ ଫିଟନେସ ସାର୍ଟିଫିକେଟ ମିଳିଲେ ସେ ଦଳରେ ଯୋଗ ଦେବେ। ସୂର୍ଯ୍ୟକୁମାର ଯାଦବଙ୍କ ଅଧିନାୟକତ୍ୱରେ ଭାରତୀୟ ଦଳ ଏହି ମ୍ୟାଚରେ ଆତ୍ମବିଶ୍ୱାସ ସହ ମାଟିକୁ ଓହ୍ଲାଇବ। ଯୁଏସଏ ବିପକ୍ଷରେ ଏହି ମ୍ୟାଚକୁ ଭାରତ ଜିତ ସହ ଆରମ୍ଭ କରି ଟୁର୍ଣ୍ଣାମେଣ୍ଟରେ ଦୃଢ଼ ସନ୍ଦେଶ ଦେବାକୁ ଚାହୁଁଛି।
also read https://purvapaksa.com/india-us-relations/
ରାତି ଅଧାରେ ନୂଆ ନିୟମ ମୁଣ୍ଡ ନୁଆଁଇଲେ ଟ୍ରମ୍ପ ।। India US Relations


