ଦୁର୍ନୀତି ଅଭିଯୋଗ ନେଇ ରବିବାର ତୃଣମୂଳ କଂଗ୍ରେସ (ଟିଏମସି) ଉପରେ ତୀବ୍ର ଆକ୍ରମଣ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ୨୦୨୬ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ “ଗୁଣ୍ଡା ଏବଂ ଲୋକାଲ୍ ଗ୍ୟାଙ୍ଗ” ମାନଙ୍କ ପାଇଁ “ଶେଷ ସୁଯୋଗ” କହି ବଜାଇଛନ୍ତି ସତର୍କ ଘଣ୍ଟି । ବିଷ୍ଣୁପୁରରେ ବିଜେପିର ଏକ ନିର୍ବାଚନ ରାଲିକୁ ସମ୍ବୋଧିତ କରି ମୋଦୀ କହିଛନ୍ତି, “ମୁଁ ସମସ୍ତ ଟିଏମସି ଗୁଣ୍ଡା, ସିଣ୍ଡିକେଟ୍ ଏବଂ ଦୁର୍ନୀତିଗ୍ରସ୍ତ ଥିବା ଲୋକ ମାନଙ୍କୁ ଶେଷ ସୁଯୋଗ ଦେଉଛି । ଏପ୍ରିଲ୍ ୨୯ ପୂର୍ବରୁ ଆପଣଙ୍କର ନିକଟତମ ପୋଲିସ ଷ୍ଟେସନରେ ଆତ୍ମସମର୍ପଣ କରନ୍ତୁ । ମେ ୪ ପରେ କାହାକୁ ଛଡ଼ାଯିବ ନାହିଁ । ବିଷ୍ଣୁପୁରର ମାଫିଆ ଏବଂ ଟିଏମସିର ସିଣ୍ଡିକେଟ୍, ଧ୍ୟାନ ଦେଇ ଶୁଣ, ଏହାକୁ ଆଉ ସହ୍ୟ କରାଯିବ ନାହିଁ।”

ପ୍ରଧାନମନ୍ତ୍ରୀ ରାଜ୍ୟର ମହିଳା ଭୋଟରଙ୍କ ପାଇଁ ଟାର୍ଗେଟ କରାଯାଇଥିବା ପ୍ରତିଶ୍ରୁତି କୁ ମଧ୍ୟ ଉଲ୍ଲେଖ କରିଛନ୍ତି । ସେ କହିଛନ୍ତି ଯେ ଯଦି ବିଜେପି ପଶ୍ଚିମବଙ୍ଗରେ ସରକାର ଗଠନ କରେ, ତେବେ ପ୍ରସ୍ତାବିତ ‘ମାତ୍ରୀ ଶକ୍ତି ଭରସା କାର୍ଡ’ ମାଧ୍ୟମରେ ମହିଳାମାନେ ମାଗଣା ରାସନ ସହ ବାର୍ଷିକ ୩୬,୦୦୦ ଟଙ୍କା ପାଇବେ ।
“ଭଉଣୀମାନଙ୍କ ସୁରକ୍ଷା ଏବଂ ଆପଣଙ୍କ ସମୃଦ୍ଧି ବିଜେପିର ପ୍ରଥମ କର୍ତ୍ତବ୍ୟ । ଏବେ ମଧ୍ୟ, ଟିଏମସି ସରକାରଙ୍କ ଦୁର୍ନୀତି ଯୋଗୁଁ, ପଡ଼ୋଶୀ ରାଜ୍ୟ ଆସାମ, ତ୍ରିପୁରା, ଓଡ଼ିଶା ଏବଂ ବିହାରରେ ବଙ୍ଗଳାର ମହିଳାମାନେ ବିଜେପି ସରକାର ଅଧୀନରେ ମିଳୁଥିବା ସୁବିଧା ପାଇ ନାହାଁନ୍ତି । ଯଦି ବଙ୍ଗଳାରେ ବିଜେପି ସରକାର ଗଠନ ହୁଏ, ତେବେ ଗରିବ ମହିଳାମାନେ ମାଗଣା ରାସନ ପାଇବେ, ଏବଂ କେହି ସେମାନଙ୍କର ରାସନ ଚୋରି କରିପାରିବେ ନାହିଁ,” ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

ସେ ଆହୁରି ମଧ୍ୟ କହିଛନ୍ତି ଯେ “ବିଜେପି ସରକାର ସ୍ଥାୟୀ ଘର ନିର୍ମାଣ ପାଇଁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅଧୀନରେ ମହିଳାମାନଙ୍କୁ ଦେଢ଼ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସହାୟତା ପ୍ରଦାନ କରିବ ।” ପ୍ରସ୍ତାବିତ କଲ୍ୟାଣ ଯୋଜନା ବିଷୟରେ ସେ ଉଲ୍ଲେଖ କରି କହିଛନ୍ତି, “‘ମାତ୍ରୀ ଶକ୍ତି ଭରସା କାର୍ଡ’ ବିଷୟରେ ବର୍ତ୍ତମାନ ବହୁତ ଚର୍ଚ୍ଚା ହେଉଛି । ବଙ୍ଗଳାର ପ୍ରତ୍ୟେକ ଭଉଣୀ ଏହା ବିଷୟରେ ଜାଣି ବହୁତ ଖୁସି ଏବଂ ଏହା ମାଧ୍ୟମରେ, ବଙ୍ଗଳାର ପ୍ରତ୍ୟେକ ଭଉଣୀ ପ୍ରତିବର୍ଷ ୩୬ହଜାର ଟଙ୍କା ସରକାରଙ୍କଠୁ ସହାୟତା ପାଇବେ।”

ତେବେ ଦେଖିବାକୁ ଗଲେ ବଙ୍ଗଳା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଟିଏମସି ପାଇଁ ମହିଳାମାନେ ଏକ ଗୁରୁତ୍ୱପୂର୍ଣ୍ଣ ଭୋଟର ଆଧାରରେ ଅଛନ୍ତି । ଆଉ ଏବେ ବିଜେପି ଏବଂ ଟିଏମସି ଉଭୟ ନିର୍ବାଚନ ପୂର୍ବରୁ ମହିଳା ଭୋଟରଙ୍କୁ ଆକର୍ଷିତ କରିବା ଉପରେ ଧ୍ୟାନ ଦେଉଛନ୍ତି । ପଶ୍ଚିମବଙ୍ଗ ମହିଳାଙ୍କ ପାଇଁ ଖୋଲା ହୋଇଛି ସରକାରୀ ସହାୟତାର ପେଡ଼ି ।

ଟିଏମସି ନିଜର କଲ୍ୟାଣକାରୀ ଯୋଜନାରେ ଲକ୍ଷ୍ମୀ ଭଣ୍ଡାରର ଘୋଷଣା କରିଛି । ଯାହା ଅଧୀନରେ ସାଧାରଣ ବର୍ଗର ମହିଳାମାନେ ପ୍ରତି ମାସରେ ୧୫ଶହ ଟଙ୍କା ପାଉଛନ୍ତି ; ଯେତେବେଳେ କି ଏସସି/ଏସଟି ମହିଳାମାନେ ୧୭ଶହ ଟଙ୍କା ପାଉଛନ୍ତି । ତେଣେ ଦଳ ରାଜ୍ୟର ବେକାର ଯୁବକ ଯୁବତୀଙ୍କ ପାଇଁ ମାସିକ ୧୫ଶହ ଟଙ୍କା ସହାୟତା ପ୍ରତିଶ୍ରୁତି ମଧ୍ୟ ଦେଇଛି ।

ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ଚଳିତ ମାସ ଏପ୍ରିଲ ୨୩ ଏବଂ ଏପ୍ରିଲ ୨୯ ରେ ଦୁଇଟି ପର୍ଯ୍ୟାୟରେ ଅନୁଷ୍ଠିତ ହେବାକୁ ଯାଉଛି । ଭୋଟ ଗଣତି ମେ ୪ ରେ ହେବ । ମମତା ବାନାର୍ଜୀ ଲଗାତାର ଚତୁର୍ଥ ଥର ପାଇଁ ପ୍ରାର୍ଥୀ ହେବାକୁ ଚାହୁଁଛନ୍ତି, ଯେତେବେଳେ କି ପୂର୍ବ ନିର୍ବାଚନରେ ୭୭ଟି ଆସନ ଜିତିଥିବା ବିଜେପି ରାଜ୍ୟରେ ନୂଆ ସରକାର ଗଢିବାକୁ ଚଳେଇଚି ଜୋରଦାର ପ୍ରୟାସ।
also read : https://purvapaksa.com/big-game-on-women-protection/
ମହିଳା ସଂରକ୍ଷଣ ଉପରେ ବଡ଼ ଖେଳ ? || Big game on women protection?


