- ପ୍ରତି ଜିଲ୍ଲାରେ ସାଇବର ଥାନା
- ଚାରି ଜିଲ୍ଲାରେ ହେବ ମହିଳା କୋର୍ଟ ସ୍ଥାପନ
ଆଜିକାଲି ଅପରାଧୀମାନେ ନୂଆ ନୂଆ ଉପାୟ ଅବଲମ୍ବନ କରୁଛନ୍ତି। ତେଣୁ ପୁଲିସକୁ ମଧ୍ୟ ଅପରାଧୀଙ୍କ ଠାରୁ ପାଦେ ଆଗରେ ରହିବାକୁ ହେବ। କଟକରେ ୬୯ତମ ପୁଲିସ ଡ୍ୟୁଟି ମିଟ୍-୨୦୨୪ର ଉଦଯାପନୀ ସମାରୋହରେ ପୁଲିସ ବାହିନୀକୁ ଉଦ୍ବୋଧନ ଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହା କହିଛନ୍ତି। ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଏଥିପାଇଁ ପୁଲିସ ବଳର ଆଧୁନିକୀକରଣ, ପୁଲିସ ବ୍ୟବସ୍ଥାରେ ସଂସ୍କାର, ପୁଲିସ ଅନୁସନ୍ଧାନ ପାଇଁ ଭିତ୍ତିଭୂମି ଏବଂ ପ୍ରଶିକ୍ଷିତ ମାନବ ସମ୍ବଳର ନିତାନ୍ତ ଜରୁରୀ। ନହେଲେ ଏକ ଅର୍ଦ୍ଧ-ପ୍ରସ୍ତୁତ ପୁଲିସ ବଳ ଅପରାଧୀଙ୍କୁ ଧରି ଦଣ୍ଡବିଧାନ କରିବା କାଠିକର ପାଠ ହୋଇଯିବ ବୋଲି ସେ କହିଥିଲେ।
ପୁଲିସ ବିଭାଗର ଆଧୁନିକୀକରଣକୁ ସରକାର ସର୍ବୋଚ୍ଚ ପ୍ରାଧାନ୍ୟ ଦେଇ ଆସୁଛନ୍ତି ବୋଲି ପ୍ରକାଶ କରି କହିଥିଲେ ଯେ, ଆଗାମୀ ଦିନରେ ପୁଲିସ୍ର ବ୍ୟବହାର ପାଇଁ ସମଗ୍ର ରାଜ୍ୟରେ ଗାଡ଼ି ସଂଖ୍ୟା ବଢ଼ାଯିବ ଯାହାଦ୍ୱାରା ପୁଲିସ ପାଟ୍ରୋଲିଙ୍ଗ୍, ତଦନ୍ତ, Victim ପାଖରେ ପହଁଞ୍ଚିବା, ଅପରାଧୀ ଧରିବା ଆହୁରି ସୁଦୃଢ଼ ହେବ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ପୁରୀ ଜିଲ୍ଲାରେ ଥିବା ଅସ୍ତରଙ୍ଗ, ବଳଙ୍ଗା ଏବଂ ଡେଲାଙ୍ଗ ପୁଲିସ ଷ୍ଟେସନର ନୂତନ ଗୃହର ଉଦଘାଟନ କରିଥିଲେ। ପୁଲିସ ବାହିନୀକୁ ସଶକ୍ତ କରିବା ପାଇଁ ଗୃହ ବିଭାଗରେ ପ୍ରାୟ ୧୦ ହଜାର ପଦବୀ ଖୁବ ଶୀଘ୍ର ପୂରଣ କରାଯିବ। ପୁଲିସ ବାହିନୀର କାର୍ଯ୍ୟକ୍ଷମତାକୁ ବୃଦ୍ଧି କରିବା ପାଇଁ ପୁଲିସ ଥାନା ଗୁଡିକୁ ୯ ହଜାର ବାଇକ୍ ଯୋଗାଇ ଦେବା ପାଇଁ ବ୍ୟବସ୍ଥା କରାଯାଉଛି। ପ୍ରତ୍ୟେକ ଥାନାକୁ ୬ଟି ଲେଖାଏଁ ବାଇକ୍ ଦିଆଯିବ। ଏଇ ନିକଟରେ ଗୃହରେ ପାରିତ ହୋଇଥିବା ଅତିରିକ୍ତ ବଜେଟରେ ଏଥିପାଇଁ ୩୫ କୋଟି ଟଙ୍କାର ବିଶେଷ ପ୍ରାବଧାନ କରାଯାଇଛି। ପୁଲିସ ବାହିନୀକୁ ସହଯୋଗ କରିବା ପାଇଁ ଗୃହରକ୍ଷୀ ପଦବୀ ପୂରଣ କରାଯିବ। ଖାଲି ଥିବା ଓ ନୂଆ ପଦବୀକୁ ମିଶାଇ ପ୍ରାୟ ୫ ହଜାର ପଦବୀ ପୂରଣ କରିବା ପାଇଁ ନିଷ୍ପତ୍ତି କରାଯାଇଛି ବୋଲି ମଧ୍ୟ ସେ କହିଥିଲେ ।
ଦେଶରେ ଚାଲିଥିବା ସାଇବର କ୍ରାଇମ ଉପରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଆଜିକାଲି ପୂରା ଦେଶରେ ଅନେକ ଲୋକ ସାଇବର ଅପରାଧର ଶିକାର ହୋଇ ଅର୍ଥ ହରାଉଛନ୍ତି। ସାଇବର ଠକେଇ, ଡିଜିଟାଲ ଆରେଷ୍ଟ, ଇନଭେଷ୍ଟମେଣ୍ଟ ଠକେଇ ଆଦି ଅପରାଧ ବଢି ଚାଲିଛି। ସାଇବର ଅପରାଧ ଆମ ସମସ୍ତଙ୍କ ପାଇଁ ଏକ ବଡ଼ ଆହ୍ଵାନ। ଏହାକୁ ଦୃଷ୍ଟିରେ ରଖି ଆମ ସରକାର ପୁଲିସ ବିଭାଗର ସାଇବର ସେଲକୁ ସୁଦୃଢ ଓ ଆଧୁନିକୀକରଣ କରିବା ପାଇଁ ସଂକଳ୍ପବଦ୍ଧ। ଏଥି ପାଇଁ ଆଗାମୀ ଦିନରେ ଯେଉଁ ଜିଲ୍ଲାରେ ସାଇବର ଥାନା ନାହିଁ ସେଠାରେ ସାଇବର ଥାନା ପ୍ରତିଷ୍ଠା କରାଯିବାର ଲକ୍ଷ୍ୟ ରଖାଯାଇଛି। ଏତଦବ୍ୟତୀତ ଭୁବନେଶ୍ୱରରେ ସାଇବର ଅପରାଧର ଉଚ୍ଚକୋଟିର ତଦନ୍ତ ଓ ତଦାରଖ ପାଇଁ ରାଜ୍ୟସ୍ତରରେ ଏକ ସାଇବର ଅପରାଧ ଶାଖା ସୃଷ୍ଟି କରାଯିବ, ଯାହାର ଦାୟିତ୍ଵରେ ଜଣେ ବରିଷ୍ଠ ଅଧିକାରୀ ରହିବେ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।
ମହିଳା ହିଂସା ବିରୁଦ୍ଧରେ ଆମ ସରକାର ଶୂନ୍ୟ ସହନଶୀଳତା ନୀତି ଅବଲମ୍ବନ କରୁଛନ୍ତି ବୋଲି ମତ ଦେଇ ଭାରତର ଯଶସ୍ଵୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀ ମଧ୍ୟ ମହିଳାମାନଙ୍କ ସୁରକ୍ଷାକୁ ସର୍ବଦା ପ୍ରାଥମିକତା ଦେଇଆସିଛନ୍ତି। ଦୁର୍ଭାଗ୍ୟ ବଶତଃ ମୋଟ ଦଣ୍ଡବିଧାନ ହାର ଏବଂ ମହିଳା ହିଂସା ବିରୁଦ୍ଧରେ ଦଣ୍ଡବିଧାନ ହାର ସର୍ବ ଭାରତୀୟ ସ୍ତରରେ ଓଡିଶାର ସ୍ଥିତି ନୈରାଶ୍ୟ ଜନକ ଥିଲା । ଏହାର ପ୍ରମୁଖ କାରଣ ହେଉଛି ବୃତ୍ତିଗତ ଢଙ୍ଗରେ ଅନୁସନ୍ଧାନ ନ ହେବା ଏବଂ ପୂର୍ବବର୍ତ୍ତୀ ସମୟରେ ରାଜନୈତିକ ଇଚ୍ଛାଶକ୍ତିର ଘୋର ଅଭାବ। ତେଣୁ ଏହି ଦଣ୍ଡହାରକୁ ଜାତୀୟ ସ୍ତରକୁ ନେବାକୁ ହେବ। ଏଥିପାଇଁ ସରକାର ନିଜ ସ୍ତରରେ ଅଧିକ ମହିଳା କୋର୍ଟ ପ୍ରତିଷ୍ଠା କରୁଛନ୍ତି। ଚାରିଗୋଟି ଜିଲ୍ଲାରେ ମହିଳା କୋର୍ଟ ସ୍ଥାପନା ପାଇଁ ନୀତିଗତ ନିଷ୍ପତ୍ତି ନିଆଯାଇ ସରିଛି। ବର୍ତ୍ତମାନ ପୁଲିସ କାନ୍ଧରେ ବୃତ୍ତିଗତ ଢଙ୍ଗରେ ଏବଂ ବୈଜ୍ଞାନିକ ପଦ୍ଧତିରେ ଅନୁସନ୍ଧାନ କରି ଅକାଟ୍ୟ ସାକ୍ଷ୍ୟ ପ୍ରମାଣ ସହିତ କୋର୍ଟରେ ଅଭିଯୋଗପତ୍ର ଠିକ ସମୟରେ ଦାଖଲ କରିବା।
ନିକଟରେ ରାଜ୍ୟ ପୁଲିସ ବଳ କିଛି blind କେସର ସଫଳତାର ସହିତ ସମାଧାନ କରିବାରେ ସଫଳ ହୋଇଛି ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ବଣାଇ ଏବଂ କଟକ କନ୍ଦରପୁର ହତ୍ୟାକାଣ୍ଡକୁ ପୁଲିସ ଖୁବ୍ ଶୀଘ୍ର ସଫଳତାର ସହ ସମାଧାନ କରିଛି। ସେ କହିଥିଲେ ଯେ, ସବୁ କେସରେ ଏପରି ପ୍ରଭାବୀ କାର୍ଯ୍ୟାନୁଷ୍ଠାନ ହେବା ଉଚିତ, ଯାହା ଫଳରେ ପୁଲିସ ପ୍ରତି ସାଧାରଣ ଜନତାଙ୍କ ଆସ୍ଥା ବୃଦ୍ଧି ପାଇବ।
ଆଗାମୀ ୨୦୨୬ ମାର୍ଚ୍ଚ ସୁଦ୍ଧା ଦେଶରୁ ମାଓବାଦୀ ଏବଂ ନକ୍ସଲ ହିଂସାକୁ ସମୂଳେ ନିପାତ କରିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି ବୋଲି ପ୍ରକାଶ କରି ସେ କହିଥିଲେ ଯେ, ଓଡିଶାର କିଛି ଅଞ୍ଚଳ ଏହି ଆକ୍ସନ ପ୍ଲାନରେ ସାମିଲ ହୋଇଛି। ଏହି ହିଂସାକୁ ଦମନ କରିବା ପାଇଁ ପୁଲିସ ବଳ ସହିତ ବିଶେଷ ଜ୍ଞାନ, ନୂତନ ବୈଷୟିକ ଜ୍ଞାନକୌଶଳର ଆବଶ୍ୟକତା ରହିଛି, ଯାହା ଆଜି ପରି ଡ୍ୟୁଟି ମିଟ୍ରୁ ମିଳିପାରିବ ବୋଲି ସେ କହିଥିଲେ। ଯୋଜନାବଦ୍ଧ ଭାବେ ସମାଜରେ ଉନ୍ମାଦ କରିବା ପାଇଁ ଚେଷ୍ଟା କରୁଥିବା ଅପରାଧୀଙ୍କ ବିରୁଦ୍ଧରେ ଏମିତି କାର୍ଯ୍ୟାନୁଷ୍ଠାନ ନିଅନ୍ତୁ, ଯାହାଫଳରେ ପ୍ରତି ମୂହୁର୍ତ୍ତରେ ସେମାଙ୍କ ମନରେ ଭୟର ସଂଚାର ହେବ।
କ୍ରାଇମବ୍ରାଞ୍ଚ ପକ୍ଷରୁ ନିୟମିତ ବ୍ୟବଧାନରେ ସ୍ୱତନ୍ତ୍ର ଅଭିଯାନ ଚଳାଇ ନିଶା କାରବାର ଜନିତ ସଂଗଠିତ ଅପରାଧ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାରେ ଓଡ଼ିଶା ପୁଲିସ ପ୍ରମୁଖ ସଫଳତା ହାସଲ କରିଛି। ସରକାର ପୁଲିସ ବଳ ସହିତ ଦୃଢ ଭାବେ ଛିଡା ହୋଇଛନ୍ତି। ସର୍ବ ଭାରତୀୟ DG/IG ସମ୍ମିଳନୀରେ, କେନ୍ଦ୍ର ସରକାର ଗଞ୍ଜାମ ଜିଲ୍ଲାର ପାଟପୁର ଥାନାକୁ ଦେଶର ଦ୍ୱିତୀୟ ଶ୍ରେଷ୍ଠ ଥାନା ଭାବେ ପୁରସ୍କୃତ କରିଥିବାରୁ ମୁଖ୍ୟମନ୍ତ୍ରୀ ଅଭିନନ୍ଦନ ଜଣାଇଥିଲେ।
ଏହି ଅବସରରେ ପୁଲିସ ମହାନିର୍ଦ୍ଦେଶକ ଯୋଗେଶ ବାହାଦୂର ଖୁରାନିଆ ସ୍ୱାଗତ ଭାଷଣ ଦେଇଥିଲେ ଏବଂ ଅତିରିକ୍ତ ପୁଲିସ ମହାନିର୍ଦ୍ଦେଶକ, ସିଆଇଡି, କ୍ରାଇମବ୍ରାଞ୍ଚର ବିନୟ ତୋଷ ମିଶ୍ର ଧନ୍ୟବାଦ୍ ଅର୍ପଣ କରି ପୁଲିସ ବାହିନୀର କାର୍ଯ୍ୟକ୍ରମ, ସଫଳତା ଓ ଆଭିମୁଖ୍ୟ ଉପରେ ଆଲୋକପାତ କରିଥିଲେ।
previous article: https://purvapaksa.com/subhadra-money-will-not-be-available-without-e-kyc/
