ଡ. ସମନ୍ୱୟ ନନ୍ଦ
୨୦୧୪ ମସିହା ପରେ ଭାରତର ବୈଦେଶିକ ନୀତିରେ ନିଶ୍ଚିତଭାବେ ବ୍ୟାପକ ପରିବର୍ତ୍ତନ ଆସିଛି। ୨୦୧୪ ପୂର୍ବରୁ ଭାରତର ଆନ୍ତର୍ଜାତିକ ରାଜନୀତିରେ ଯେଉଁ ପ୍ରଭାବ ଥିଲା ଆଜି ଯେତେବେଳେ ଆମେ ୨୦୨୪ ମସିହାରେ ତାକୁ ବିଶ୍ଲେଷଣ କରିବା ତେବେ ପାଇବା ଯେ ଆଜି ଭାରତର ଭୂମିକା ବୈଶ୍ୱିକ ସ୍ତରରେ ଖୁବ୍ ପ୍ରଭାବୀ ହୋଇଛି। ଭାରତର ପ୍ରଭାବ ବଢ଼ିଛି। ଯେହେତୁ ଭାରତର ପ୍ରଭାବ ବଢ଼ିଛି ତେଣୁ ଯେଉଁ ଦେଶମାନେ ଭାରତର ପ୍ରଭାବ ବଢ଼ୁ ତାହା ଚାହୁଁ ନାହାନ୍ତି ସେମାନଙ୍କୁ କଷ୍ଟ ହେବା ସ୍ୱାଭବିକ। ଏହି କଷ୍ଟ କାରଣରୁ ଭାରତ ବିରୁଦ୍ଧରେ ଆନ୍ତର୍ଜାତିକ ଷଡ଼ଯନ୍ତ୍ର ମଧ୍ୟ ଦେଖିବାକୁ ମିଳୁଛି। ଏଥିରେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ।
୨୦୧୪ ମସିହା ପରଠାରୁ ନରେନ୍ଦ୍ର ମୋଦୀ ଦେଶର ଶାସନ ଭାର ସମ୍ଭାଳିବା ପରେ ଭାରତର ବୈଦେଶିକ ନୀତିରେ ଏକ ବଡ ନୀତିଗତ ପରିବର୍ତ୍ତନ ସ୍ପଷ୍ଟ ଦେଖାଯାଉଛି। ପୂର୍ବ ଅର୍ଥାତ୍ ୨୦୧୪ ମସିହା ପୂର୍ବର ଭାରତ କେବଳ ବଡ଼ ବଡ଼ ଶକ୍ତିମାନଙ୍କ ସହ ସମ୍ପର୍କ ପାଇଁ ଚେଷ୍ଟିତ ଥିଲା। ହେଲେ ୨୦୧୪ ମସିହା ପରଠାରୁ ମୋଦୀ ସରକାର ବିଶ୍ୱର ବଡ଼ ବଡ଼ ଶକ୍ତିମାନଙ୍କ ସହ ସମ୍ପର୍କ ସୁଧାରିବାକୁ ଚେଷ୍ଟା କରିବା ସହ ଛୋଟ ଛୋଟ ଦେଶମାନଙ୍କ ସମ୍ପର୍କକୁ ମଜବୁତ କରିବା ଦିଗରେ କାର୍ଯ୍ୟ କରୁଛନ୍ତି। ଏହାର ନେତୃତ୍ୱ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜେ ନେଉଛନ୍ତି। ଛୋଟ ଛୋଟ ଦେଶଗୁଡ଼ିକୁ ଯାହାକୁ ପୂର୍ବର ସରକାରମାନେ ସେତେଟା ଗୁରୁତ୍ୱ ଦେଉନଥିଲେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବ୍ୟକ୍ତିଗତଭାବେ ଗସ୍ତ କରୁଛନ୍ତି ଓ ସେମାନଙ୍କର ସହ ସମ୍ପର୍କକୁ ପ୍ରଗାଢ଼ କରୁଛନ୍ତି।
ସବୁଠାରୁ ବଡ଼ କଥା ହେଲା ଯେ ଏହି ଛୋଟ ଛୋଟ ଦେଶମାନଙ୍କୁ ବୈଶ୍ୱିକ ରାଜନୀତିରେ କେହି ପଚାରନ୍ତି ନାହିଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ଦେଶମାନଙ୍କ ସହ ଭାରତର ଭାଗିଦାରୀ ପାଇଁ ପ୍ରସ୍ତାବ ଦେଉଛନ୍ତି। କେବଳ ଆର୍ଥିକ କ୍ଷେତ୍ରରେ କାହିଁକି ଭାରତ ବୈଜ୍ଞାନିକ, ଚିକିତ୍ସା ଓ ପ୍ରଶାସନିକ କ୍ଷେତ୍ରରେ ଯେଉଁ ଉପଲବ୍ଧି ହାସଲ କରିଛି ତାକୁ ଏହି ଛୋଟ ଛୋଟ ଦେଶ ସହ ସେୟାର କରି ତାଙ୍କର ଜୀବନ ଧାରଣରମାନକୁ ବୃଦ୍ଧି କରିବାକୁ ପ୍ରସ୍ତାବ ଦେଇଛନ୍ତି। ବାଣିଜ୍ୟ ସହ ଶିକ୍ଷା, ବିଜ୍ଞାନ, ଟେକ୍ନୋଲଜୀ ସ୍ୱାସ୍ଥ୍ୟ ଓ ସାଂସ୍କୃତିକ ସମ୍ପର୍କ ଭଳି ବିଷୟଗୁଡ଼ିକରେ ଛୋଟ ଛୋଟ ଦେଶଗୁଡ଼ିକ ସହ ସହଯୋଗ ପାଇଁ ସେ ପ୍ରସ୍ତାବ ଦେଉଛନ୍ତି। ଭାରତର ପଡ଼ୋଶୀ ଦେଶ ଶ୍ରୀଲଙ୍କା ହେଉ ବା ମରିସସ ହେଉ ଅଥବା ଫିଜି ହେଉ କିମ୍ବା ପଶ୍ଚିମ ଭାରତୀୟ ଦ୍ୱୀପପୁଞ୍ଜର ବିଭିନ୍ନ ଦେଶ ହୁଅନ୍ତୁ ବା ପାପୁଆ ନିଉ ଗିନିକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜେ ଗସ୍ତ କରିଛନ୍ତି ଓ ଏହି ଦେଶଗୁଡ଼ିକର ସହ ଭାରତର ନିବିଡ଼ତା ବଢ଼ିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାରତ ମହାସାଗରରେ ଥିବା ଛୋଟ ଦେଶ ସେସେଲ୍ସ ଦ୍ୱୀପପୁଞ୍ଜ, ଆଫ୍ରିକାର ତାଞ୍ଜାନିଆ, ମୋଜାମ୍ବିକ, ରୁଆଣ୍ଡା ଭଳି ଦେଶମାନଙ୍କୁ ନିଜେ ଗସ୍ତ କରୁଛନ୍ତି।
ମୋଦୀ ସରକାର ଏହି ଦେଶମାନଙ୍କ ସହ ସମ୍ପର୍କକୁ ଦୃଢ଼ କରିବାକୁ ପ୍ରଚେଷ୍ଟାବେଳେ ଭାରତର ସଫ୍ଟ ପାୱାରର ସର୍ବାଧିକ ବ୍ୟବହାର କରୁଛି। ସାଂସ୍କୃତିକ ଆଦାନ ପ୍ରଦାନ, ମାନବାଧିକାର, ଶିକ୍ଷା, ସ୍ୱାସ୍ଥ୍ୟ ଭଳି ପ୍ରସଙ୍ଗ ସହ ଭାରତ ସେମାନଙ୍କ ସହ ସମ୍ପର୍କକୁ ପ୍ରଗାଢ଼ କରୁଛି। ଏହି ଦେଶମାନଙ୍କରେ ଭାରତ ଶିକ୍ଷା, ଚିକିତ୍ସା ଓ ବିକାଶ କ୍ଷେତ୍ରରେ ସହଯୋଗ ମଧ୍ୟ କରୁଛି। ଭାରତ ତା’ର ଅଭିଜ୍ଞତାକୁ ଏହି ଦେଶମାନଙ୍କ ସହ ସେୟାର କରି ସେମାନଙ୍କୁ ମଧ୍ୟ ଆଗକୁ ବଢ଼ିବାକୁ ସୁଯୋଗ ପ୍ରଦାନ କରୁଛି।
ମୋଦୀ ସରକାର ଏହି ଛୋଟ ଛୋଟ ଦେଶମାନଙ୍କ ସହ ନିଜର ବାଣିଜ୍ୟିକ ସମ୍ପର୍କକୁ ଭଲ କରିବାକୁ ଅନେକ ଯୋଜନା ମଧ୍ୟ କରିଛି। ଯଦି ଆମେ ଉଦାହରଣଭାବେ ନେବା ତେବେ ଏହି ଦେଶମାନଙ୍କୁ ଶସ୍ତା କ୍ରେଡିଟ, ପୁଞ୍ଜି ବିନିଯୋଗ ଓ ବାଣିଜ୍ୟିକ ସହଯୋଗ ପାଇଁ ଭାରତ ଅନେକ ଚୁକ୍ତି ମଧ୍ୟ କରିଛି। ଏହି ସହଯୋଗଦ୍ୱାରା ଭାରତକୁ ଆର୍ଥିକ ଓ ସାଂସ୍କୃତିକ କ୍ଷେତ୍ରରେ ହିଁ ଲାଭ ମିଳୁ ନାହିଁ ବରଂ ସାମରିକ କ୍ଷେତ୍ରରେ ମଧ୍ୟ ଲାଭ ମିଳିବା ଆରମ୍ଭ ହୋଇଛି। ଭାରତ ମହାସାଗର ଅଞ୍ଚଳର ଏହି ଦେଶଗୁଡ଼ିକ ରଣନୈତିକ ଦୃଷ୍ଟିକୋଣରୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ ହୋଇଥିବା କାରଣରୁ ଭାରତର ପ୍ରଭାବ ଏହି ଦେଶମାନଙ୍କ ଉପରେ ବଢ଼ୁଛି ଓ ଏହା ସାମରିକ ଦୃଷ୍ଟିକୋଣରୁ ଭାରତ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ ବୋଲି ବିଶେଷଜ୍ଞମାନେ ମନେକରୁଛନ୍ତି।
ଭାରତ ଏହି ଦେଶମାନଙ୍କରେ ଭିତିଭୂମିର ବିକାଶ ଓ ବିଭିନ୍ନ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ କରୁଛି। ଏଥିରେ ରାସ୍ତା, ପୋଲ, ସ୍କୁଲ ଓ ହସପିଟାଲ ନିର୍ମାଣ ସହ ବିଦ୍ୟୁତ୍ ଓ ଜଳ ଯୋଗାଣ ପ୍ରକଳ୍ପ ପରି ଅନ୍ୟ ପ୍ରକଳ୍ପ ସାମିଲ ରହିଛି। ଏହା ସହ ଭାରତ ନିଜର ଟେକ୍ନୋଲଜି ଓ ଡିଜିଟାଲ ଶିକ୍ଷା କ୍ଷେତ୍ରରେ ମଧ୍ୟ ଛୋଟ ଛୋଟ ଦେଶ ମାନଙ୍କୁ ସହଯୋଗ କରୁଛି। ସବୁଠାରୁ ବଡ଼ କଥା ହେଲା ଯେ ଛୋଟ ଦେଶମାନଙ୍କ ସହ ସହଯୋଗ ବେଳେ ଭାରତର ବ୍ୟବହାର ଚୀନ ଭଳି ନାହିଁ। ଚୀନ ସହଯୋଗ କରିବା ନାମରେ ଛୋଟ ଛୋଟ ଦେଶମାନଙ୍କୁ କିଭଳି ଋଣ ଜାଲରେ ଫାନ୍ଦି ଥାଏ ତାହା ଏହି ଛୋଟ ଦେଶମାନେ ପୂର୍ବରୁ ଦେଖି ସାରିଛନ୍ତି।
ପ୍ରଧାନମନ୍ତ୍ରୀ ମୋଦୀଙ୍କ ବିଦେଶ ନୀତିକୁ ବିଶ୍ଲେଷଣ କଲେ ସ୍ପଷ୍ଟ ହେଉଛି ଯେ ଏହାଦ୍ୱାରା ବୈଶ୍ୱିକ ସ୍ତରରେ ଭାରତର ଭାବମୂର୍ତ୍ତିକୁ କେବଳ ଯେ ଶକ୍ତିଶାଳୀ କରୁଛି ତାହା ନୁହେଁ ବରଂ ଏହି ଛୋଟ ଦେଶମାନଙ୍କର ପାଇଁ ଏକ ସ୍ଥିର ଓ ବିଶ୍ୱସନୀୟ ସହଯୋଗୀ ଦେଶଭାବେ ମଧ୍ୟ ଠିଆ ହେଉଛି। ଏହି ଛୋଟ ଦେଶମାନଙ୍କୁ ମଧ୍ୟ ଅନୁଭବ ହେଉଛି ଯେ ଭାରତ ବିଶ୍ୱର ଅନ୍ୟ ବଡ଼ ଶକ୍ତିମାନଙ୍କ ପରି ଅବିଶ୍ୱସନୀୟ ହୁଏ। ଭାରତ ଏକ ବିଶ୍ୱାସଯୋଗ୍ୟ ସହଯୋଗୀ ଦେଶ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବସୁଧୈବ କୁଟୁମ୍ବକମର ଭାରତୀୟ ମନୀଷୀମାନଙ୍କର ନୀତିକୁ ନେଇ କାର୍ଯ୍ୟ କରୁଛନ୍ତି। ସାରା ବିଶ୍ୱର କଲ୍ୟାଣର ଭାବନା ନେଇ ଭାରତ ସରକାର ଚେଷ୍ଟିତ ଅଛନ୍ତି। ତେଣୁ ଏହାର ଲାଭ ଯେ କେବଳ ଏହି ଛୋଟ ଦେଶମାନଙ୍କୁ ମିଳୁଛି ତାହା ନୁହେଁ ଏହାର ଲାଭ ଭାରତକୁ ମଧ୍ୟ ମିଳିବା ଆରମ୍ଭ ହୋଇଛି। ଭାରତ ଏପରି କରି ଏହି ଛୋଟ ଦେଶମାନଙ୍କ ସହିତ ସାମରିକ ସମ୍ପର୍କକୁ ମଧ୍ୟ ଦୃଢ଼ କରିପାରିଛି, ଯାହା ଭବିଷ୍ୟତରେ ଭାରତର ରଣନୈତିକ ଦୃଷ୍ଟିକୋଣରୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ବିଶେଷ ଭାବରେ ଭାରତ ମହାସାଗର କ୍ଷେତ୍ରରେ ସାମୁଦ୍ରିକ ସୁରକ୍ଷା, ଆତଙ୍କବାଦ ବିରୋଧୀ ସହଯୋଗ କ୍ଷେତ୍ରରେ ଭାରତକୁ ବିଶେଷ ଲାଭ ମିଳିବାକୁ ଯାଉଛି। ଭାରତ ମଧ୍ୟ ଏହି ଦେଶମାନଙ୍କୁ ଆଶ୍ୱସ୍ତ କରୁଛି ଯେ ସେମାନେ ଏହି ପ୍ରସଙ୍ଗରେ ଭାରତ ସହ ଠିଆ ହେଲେ ଭାରତ ମଧ୍ୟ ସେମାନଙ୍କର ସୁରକ୍ଷା ଓ ବାହ୍ୟ ବିପଦରୁ ରକ୍ଷା କରିବାରେ ସହଯୋଗ ପ୍ରଦାନ କରିବ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବୈଦେଶିକ ନୀତିରେ ଏହି ଛୋଟ ଛୋଟ ଦେଶମାନଙ୍କ ଉପରେ ସ୍ୱତନ୍ତ୍ର ଧ୍ୟାନ ଦିଆଯିବା ଦ୍ୱାରା ଏହି ଦେଶମାନଙ୍କରେ ଚୀନର ପ୍ରଭାବକୁ ମଧ୍ୟ କମ କରାଯାଇ ପାରିଛି। କାରଣ ଚୀନ ନିଜର ବେଲ୍ଟ ଏଣ୍ଡ ରୋଡ ଇନିସିଏଟିଭ ଜରିଆରେ ଏହି ଛୋଟ ଛୋଟ ଦେଶମାନଙ୍କରେ ପୁଞ୍ଜି ବିନିଯୋଗ କରିଛି। ଭାରତ ଏହି ଦେଶମାନଙ୍କ ସହ ସମ୍ପର୍କକୁ ଦୃଢ଼ କରି ଏହା ସୁନିଶ୍ଚିତ କରିଛି ଯେ ଏହି ଦେଶମାନେ କେବଳ ଚୀନ ଉପରେ ନିର୍ଭର ନ କରନ୍ତୁ। ଭାରତ ସେମାନଙ୍କୁ ବିକଳ୍ପ ମଧ୍ୟ ପ୍ରଦାନ କରିଛି। ଏହି ଦେଶମାନଙ୍କୁ ଭାରତ ବାର୍ତ୍ତା ଦେବାରେ ସଫଳ ହୋଇଛି ଯେ ଚୀନ ସହ ସେମାନଙ୍କ ସମ୍ପର୍କରେ ଅସନ୍ତୁଳନ ରହିଛି ହେଲେ ଭାରତ ସହ ସେମାନଙ୍କର ସମ୍ପର୍କ ଏକ ସ୍ଥିର ସନ୍ତୁଳିତ ହୋଇପାରିବ।
ଯେଉଁ ଦେଶମାନଙ୍କର ଆନ୍ତର୍ଜାତିକ ରାଜନୀତିରେ କୌଣସି ବିଶେଷ ଭୂମିକା ନ ଥିଲା ଓ କେବଳ ତାଙ୍କ ଦେଶର ସମ୍ବଳଗୁଡ଼ିକୁ ବିଶ୍ୱର ବଡ଼ ବଡ଼ ଶକ୍ତିମାନେ ବ୍ୟବହାର କରୁଥିଲେ ସେହି ଦେଶଗୁଡ଼ିକ ନିକଟରେ ଭାରତ ବସୁଧୈବ କୁଟୁମ୍ବକମ ନୀତି ଆଧାରରେ ପହଞ୍ଚିଛି। ଏହି ଦେଶମାନଙ୍କର ସ୍ୱର କେହି ଶୁଣୁ ନ ଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଭାରତ ଏବେ ଏହି ଛୋଟ ଛୋଟ ଦେଶମାନଙ୍କର ସ୍ୱର ହେବା ଦିଗରେ କାର୍ଯ୍ୟ କରୁଛନ୍ତି। ୨୦୨୪ ମସିହା ପରଠାରୁ ଭାରତର ବୈଦେଶିକ ନୀତିରେ ଏହା ଏକ ବଡ଼ ନୀତିଗତ ପରିବର୍ତ୍ତନ।
(ପ୍ରାବନ୍ଧିକ ଡ. ସମନ୍ୱୟ ନନ୍ଦ ବହୁଭାଷୀ ନ୍ୟୁଜ ଏଜେନ୍ସୀ ହିନ୍ଦୁସ୍ଥାନ ସମାଚାରର ଓଡ଼ିଶା ମୁଖ୍ୟଭାବେ କାମ କରୁଛନ୍ତି। ଭାରତୀୟ ରାଜନୀତି, ସଭ୍ୟତା, ସଂସ୍କୃତି, ଇତିହାସ ଓ ଭୂ ରାଜନୈତିକ ବିଷୟଗୁଡ଼ିକ ତାଙ୍କର ଅଧ୍ୟୟନର ବିଷୟ ।)
Also readhttps://purvapaksa.com/martyrdom-of-guruputra-zorawar-and-fateh-singh-and-veer-bal-diwas/