Role of RSS in Maharastra Assembly Election: ଗୋଟିଏ ଗୁରୁତ୍ୱପୂର୍ଣ୍ଣ ଘଟଣା ମହାରାଷ୍ଟ୍ର ଭୋଟରୁ ବାହାରକୁ ଆସିଛି, ତାହା ହେଲା ସଂଘରେ ହିଁ ଶକ୍ତି । ସଂଘ ଶରଣ ଗଛାମୀ, ବିଜେପିକୁ ମହାରାଷ୍ଟ୍ର ରାଜନୀତିର ଗୋଲକଧନ୍ଦାଙ୍କୁ ଭାଙ୍ଗିବାରେ ସାହାଯ୍ୟ କରିଛି ।
ମହାରାଷ୍ଟ୍ର ନିର୍ବାଚନ ଫଳାଫଳରୁ ଦୁଇଟି କଥା ସ୍ପଷ୍ଟ ହୋଇଛି। ଗୋଟିଏ ହେଉଛି ଭୋଟର କୌଣସି ଦଳ କିମ୍ବା ନେତାଙ୍କୁ ଏଥିପାଇଁ ସମର୍ଥନ ଦେବାକୁ ପ୍ରସ୍ତୁତ ନାହାନ୍ତି ଯେ,ସେହି ବ୍ୟକ୍ତି ଅମୁକ ବ୍ୟକ୍ତିଙ୍କର ପୁଅ କିମ୍ବା ଝିଅ। ପାରିବାରିକ ରାଜନୀତିକୁ ମହାରାଷ୍ଟ୍ର ଭୋଟର ଶକ୍ତ ଚାପୁଡ଼ା ଦେଇ ମହାରାଷ୍ଟ୍ର ରାଜନୀତିରେ ଥାକରେ ପରିବାରର ପ୍ରଭାବକୁ ବର୍ତ୍ତମାନ ପାଇଁ ଏକରକମ ଶେଷ କରିଦେଇଛନ୍ତି। ମୋ ପିତାଙ୍କ ଦଳ ମୋଠାରୁ ଚୋରାଇ ନିଆଯାଇଛି ବୋଲି ଉଦ୍ଧବ ଥାକରେଙ୍କ ଇମୋସନାଲ ଅପିଲ ଭୋଟରଙ୍କୁ ଇମୋସନାଲ ଅତ୍ୟାଚାର ଲାଗିଛି। ଆଉ ଉତ୍ତର ହେଉଛି ଗୋଟିଏ ସମୟରେ ମହାରାଷ୍ଟ୍ର ରାଜନୀତିରେ ଯେଉଁ ଦଳର ପତାକା ଉଡ଼ୁଥିଲା ସେହି ଦଳ ଦୁଇ ଅଙ୍କକୁ ଖସିଆସିଛି। ଭୋଟର ମଧ୍ୟ ମହାରାଷ୍ଟ୍ର ରାଜନୀତିର ଚାଣକ୍ୟ କୁହାଯାଉଥିବା ଶରଦ ପାୱାରଙ୍କୁ ପାୱାର ‘ଲେସ’ କରିଦେଇଛନ୍ତି । ଝିଅକୁ ରାଜନୈତିକ ଉତ୍ତରାଧିକାରି କରିବାକୁ ଚାହୁଁଥିବା ପାୱାର ଗତ ୫୦ ବର୍ଷର ବଡ଼ ଝଟକା ପାଇଛନ୍ତି । ଗତ ୪୦ ବର୍ଷ ଧରି ମରାଠାୱାଡାର ଏହି ମରାଠା ସର୍ଦ୍ଦାରଙ୍କ ଚାରିପଟେ ମହାରାଷ୍ଟ୍ର ରାଜନୀତି ବୁଲୁଥିଲା କହିଲେ ଭୁଲ ହେବ ନାହିଁ । କିନ୍ତୁ ଏଥର ମରାଠା କ୍ଷତ୍ରାପଙ୍କୁ ତାଙ୍କ ମରାଠା ଭୋଟର ହିଁ ଛାଡ଼ି ଦେଇଛନ୍ତି । ଏହି ଦୁଇ ରାଜନୈତିକ ଫଳାଫଳ ବ୍ୟତୀତ ଆଉ ଗୋଟିଏ ଗୁରୁତ୍ୱପୂର୍ଣ୍ଣ ଘଟଣା ମହାରାଷ୍ଟ୍ର ଭୋଟରୁ ବାହାରକୁ ଆସିଛି, ତାହା ହେଲା ସଂଘରେ ହିଁ ଶକ୍ତି । ସଂଘ ଶରଣ ଗଛାମୀ, ବିଜେପିକୁ ମହାରାଷ୍ଟ୍ର ରାଜନୀତିର ଗୋଲକଧନ୍ଦାଙ୍କୁ ଭାଙ୍ଗିବାରେ ସାହାଯ୍ୟ କରିଛି ।
ସଂଘମ ଶରଣଂ ଗଛାମୀ

ଲୋକସଭା ନିର୍ବାଚନ ବେଳେ ସଂଘକୁ ନେଇ ଜେ ପି ନଡ୍ଡାଙ୍କ ବୟାନ ଓ ସଂଘ ସ୍ୱଂୟସେବକଙ୍କ ପ୍ରଚାର ମୈଦାନରୁ ଅଦୃଶ୍ୟ ରହିବା ମହାରାଷ୍ଟ୍ର ସମେତ ଉତ୍ତପ୍ରଦେଶରେ ବିଜେପିକୁ ଶକ୍ତ ଧକ୍କା ଦେଇଥିଲା। ସେତେବେଳେ ନଡ୍ଡା ଅହଂକାର ସହିତ କହିଥିଲେ ବିଜେପି ଆଉ ସଂଘ ଆଶାବାଡ଼ି ଚାହୁଁନି। ଫଳାଫଳ ଥିଲା ୪ଶହ ପାର ନାରା ଦେଉଥିବା ଦଳ ୨୫୦ ମଧ୍ୟ ପାର କରିପାରିଲାନି। ସେହି ଭୁଲରୁ ମହାରାଷ୍ଟ୍ର ବିଜେପି ନେତା ଶିକ୍ଷା ନେଇଥିଲେ। ସଂଘକୁ ପ୍ରଚାର ଓ ରଣନୀତିରେ ସାମିଲ କରାଯାଇଥିଲା। ଯାହାର ଫଳ ଏବେ ସାମ୍ନାରେ ଅଛି। ଦେବେନ୍ଦ୍ର ପଡ଼ନାବିସ୍ ଅନେକ ସ୍ଥାନରେ ସଂଘର ସାହାଯ୍ୟ ନେଉଥିବା କଥା ପ୍ରଚାରବେଳେ ଓ ପ୍ରଚାର ପରେ କହିଛନ୍ତି। ଏବେ ପ୍ରଶ୍ନ ଉଠୁଛି ସଂଘ କେମିତି ବିଜେପିକୁ ସୁନାମୀ ବିଜୟ ପାଇବାରେ ସାହାଯ୍ୟ କରିଥିଲା।
ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ଫଳାଫଳ ଦର୍ଶାଉଛି ଯେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆରଏସଏସ) ଏବେ ବି ଭାରତୀୟ ଜନତା ପାର୍ଟି (ବିଜେପି)ର ନିର୍ବାଚନୀ ସଫଳତାର ଚାବିକାଠି ଧରିଛି। ସଦ୍ୟତମ ଗଣତି ତଥ୍ୟ ଅନୁଯାୟୀ, ବିଜେପି ନେତୃତ୍ୱାଧୀନ ମହାୟୁତି ମେଣ୍ଟ ରାଜ୍ୟର ୨୮୮ ଟି ବିଧାନସଭା ଆସନରୁ ୨୩୨ଟି ଆସନ ଜିତିଥିବାବେଳେ ବିରୋଧୀ କଂଗ୍ରେସ-ଉଦ୍ଧବ ଠାକରେଙ୍କ ନେତୃତ୍ୱାଧୀନ ଶିବସେନା ଏବଂ ଏନସିପି (ଏସପି) ମେଣ୍ଟ ମାତ୍ର ୪୬ଟି ଆସନରେ ବିଜୟୀ ହୋଇଛି ।
ମହାରାଷ୍ଟ୍ରରେ ନିର୍ବାଚନ ପୂର୍ବରୁ ଆରଏସଏସ ରାଜ୍ୟରେ ବିଜେପି ନେତୃତ୍ୱାଧୀନ ମେଣ୍ଟ ସପକ୍ଷରେ ଜନମତ ସଂଗ୍ରହ କରିବା ପାଇଁ ବ୍ୟାପକ ପ୍ରଚାର ଅଭିଯାନ ଆରମ୍ଭ କରିଥିଲା। ଏହି ପରିପ୍ରେକ୍ଷୀରେ ବିଜେପିର ଆଦର୍ଶଗତ ମାର୍ଗଦର୍ଶନ ତା’ର ସମସ୍ତ ସହଯୋଗୀଙ୍କ ସହ ସମନ୍ୱୟ ରକ୍ଷା କରିଥିଲା।
ଛୋଟ ଛୋଟ ଗୋଷ୍ଠୀ ବୈଠକ
ମିଳିଥିବା ସୂଚନା ଅନୁଯାୟୀ, ଏହି ଯୋଜନାରେ ସ୍ୱୟଂସେବକଙ୍କୁ ନେଇ ଛୋଟ ଛୋଟ ଟିମ୍ ଗଠନ କରାଯାଇଥିଲା, ଯାହା ରାଜ୍ୟର କୋଣ ଅନୁକୋଣରେ ଲୋକଙ୍କ ପାଖରେ ପହଞ୍ଚିଥିଲା। ପ୍ରତ୍ୟେକ ଗୋଷ୍ଠୀ ୫ରୁ ୧୦ ଜଣିଆ ଛୋଟ ଛୋଟ ଗୋଷ୍ଠୀ ସହିତ ବୈଠକ କରିଥିଲେ ଏବଂ ସ୍ଥାନୀୟ ନେଟୱାର୍କ ମାଧ୍ୟମରେ ନିଜ ନିଜ ଅଞ୍ଚଳରେ ଥିବା ପରିବାରମାନଙ୍କ ନିକଟରେ ପହଞ୍ଚିବା ସହ ସେମାନଙ୍କୁ ଯୋଗାଯୋଗ ମଧ୍ୟ କରିଥିଲେ। ଜାତୀୟ ସ୍ୱାର୍ଥ, ହିନ୍ଦୁତ୍ୱ, ସୁଶାସନ, ବିକାଶ, ଜନକଲ୍ୟାଣ ଏବଂ ସମାଜ ସହ ଜଡ଼ିତ ବିଭିନ୍ନ ସ୍ଥାନୀୟ ପ୍ରସଙ୍ଗରେ ବିଜେପିକୁ ସ୍ପଷ୍ଟ ସମର୍ଥନ ନକରି ଆଲୋଚନା କରି ଜନମତ ସୃଷ୍ଟି କରିଥିଲେ।
ସଂଘର ସହାୟତା ଲୋଡ଼ିଥିଲେ ଦେବେନ୍ଦ୍ର

ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ ନିକଟରେ କହିଥିଲେ ଯେ ଲୋକସଭା ନିର୍ବାଚନରେ ବିଜେପି ନିଜର ଆସନ ହରାଇବା ପରେ ବିଧାନସଭା ନିର୍ବାଚନରେ ଅରାଜକତାବାଦୀ ଏବଂ ଭୋଟ୍ ଜିହାଦ ବିରୋଧରେ ଲଢ଼େଇ ପାଇଁ ସେ ସଂଘର ସାହାଯ୍ୟ ଲୋଡ଼ିଥିଲେ। ବୁଧବାର ମହାରାଷ୍ଟ୍ରରେ ମତଦାନ ଶେଷ ହେବାର କିଛି ଘଣ୍ଟା ପରେ ସେ ନାଗପୁରରେ ଆରଏସଏସ ମୁଖ୍ୟ ମୋହନ ଭାଗବତଙ୍କୁ ଭେଟିଥିଲେ।
ମହାରାଷ୍ଟ୍ରବାସୀଙ୍କୁ ଅଭିନନ୍ଦନ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ବିଧାନସଭା ନିର୍ବାଚନରେ ବିଜେପି ନେତୃତ୍ୱାଧୀନ ମହାୟୁତିର ଐତିହାସିକ ବିଜୟ ପାଇଁ କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀ ମହାରାଷ୍ଟ୍ରବାସୀଙ୍କୁ ଅଭିନନ୍ଦନ ଜଣାଇବା ସହ କହିଛନ୍ତି ଯେ ରାଜ୍ୟର ସାମଗ୍ରିକ ପ୍ରଗତି ଏବଂ ଲୋକଙ୍କ ଆକାଂକ୍ଷା ପୂରଣ ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ।
ଭୋଟର ସଚେତନତା ବୃଦ୍ଧି ପାଇଁ ପ୍ରୟାସ
ଏହାବ୍ୟତୀତ ନିର୍ବାଚନ ସମୟରେ ଭୋଟର ସଚେତନତା ବୃଦ୍ଧି ପାଇଁ ଅକ୍ଳାନ୍ତ ପରିଶ୍ରମ କରିଥିବା ସ୍ୱେଚ୍ଛାସେବୀ ସଂଗଠନଗୁଡ଼ିକୁ ମୁଁ ହୃଦୟରୁ କୃତଜ୍ଞତା ଜଣାଉଛି ବୋଲି ଗଡକରି କହିଛନ୍ତି। ଅକ୍ଟୋବରରେ ଉତ୍ତର ଭାରତୀୟ ରାଜ୍ୟ ଯେମିତିକି ହରିୟାଣା ଆଦିର ବିଧାନସଭା ନିର୍ବାଚନରେ ବିଜେପିର ନିର୍ବାଚନୀ ସଫଳତା ପଛରେ ଆରଏସଏସ ଏବଂ ଏହାର ସହଯୋଗୀ ସଂଗଠନମାନଙ୍କ ସହଯୋଗ ପ୍ରମ୍ମୁଖ କାରଣ ଥିଲା ବୋଲି କୁହାଯାଉଛି।
ସାରାରାଜ୍ୟରେ ଛୋଟ ଛୋଟ ସଭା
ମିଳିଥିବା ସୂଚନା ଅନୁଯାୟୀ, ହରିୟାଣା ବିଧାନସଭା ନିର୍ବାଚନ ସମୟରେ ସଂଘର କର୍ମକର୍ତ୍ତାମାନେ ସାରା ରାଜ୍ୟରେ ୧.୨୫ ଲକ୍ଷରୁ ଅଧିକ କ୍ଷୁଦ୍ର ସଭା କରିଥିଲେ। ୯୦ ଆସନ ବିଶିଷ୍ଟ ହରିୟାଣା ବିଧାନସଭାରେ ୪୮ଟି ଆସନରେ ବିଜୟୀ ହୋଇ ରାଜ୍ୟରେ କ୍ଷମତା ବଜାୟ ରଖି ବିଜେପି ନିଜର ସର୍ବଶ୍ରେଷ୍ଠ ପ୍ରଦର୍ଶନ କରି ବିଜୟର ହ୍ୟାଟ୍ରିକ୍ କରିବା ସହ ନିର୍ବାଚନରେ ପ୍ରତ୍ୟାବର୍ତ୍ତନ ପାଇଁ କଂଗ୍ରେସର ପ୍ରୟାସକୁ ବିଫଳ କରିଛି।
ଆରଏସଏସ-ବିଜେପି କର୍ମୀଙ୍କ ମଧ୍ୟରେ ଉତ୍ସାହ

ଚଳିତ ବର୍ଷ ଲୋକସଭା ନିର୍ବାଚନରେ ବିଜେପିର ନୈରାଶ୍ୟଜନକ ପ୍ରଦର୍ଶନ ପଛରେ ଆରଏସଏସ ବିଜେପି କର୍ମୀଙ୍କ ମଧ୍ୟରେ ଉତ୍ସାହର ଅଭାବ ଅନ୍ୟତମ ପ୍ରମୁଖ କାରଣ ଥିଲା । ସଂସଦୀୟ ନିର୍ବାଚନ ସମୟରେ ବିଜେପି ସଭାପତି ଜେ.ପି. ନଡ୍ଡାଙ୍କ ମନ୍ତବ୍ୟ ବିଭିନ୍ନ ରାଜ୍ୟରେ ସଂଘ କର୍ମୀଙ୍କ ମନୋବଳ ହ୍ରାସ କରିବାର ଅନ୍ୟତମ କାରଣ ବୋଲି ବିବେଚନା କରାଯାଇଥିଲା । ସେତେବେଳେ ନଡ୍ଡା ତାଙ୍କ ବୟାନରେ କହିଥିଲେ ଯେ, ତାଙ୍କ ଦଳକୁ ପ୍ରଥମେ ଆରଏସଏସର ସମର୍ଥନ ଦରକାର ଥିଲା, କିନ୍ତୁ ସମୟ କ୍ରମେ ଦଳ ଏବେ ନିଜେ ଆପେଆପେ ଚାଲିବାରେ ସକ୍ଷମ ହୋଇଛି।
Also readhttps://purvapaksa.com/what-is-fault-of-bjp-in-jharakhand/

