ବିବାହ, ଜନ୍ମଦିନ, ରକ୍ଷାବନ୍ଧନ ହେଉ ବା କିଛି ବିଶେଷ ଦିନରେ ‘ରିଙ୍ଗ୍ ୱାଚ୍’ ଉପହାର ଦେବା ଏବେ ଟ୍ରେଣ୍ଡ୍ ହୋଇଛି । ‘ରିଙ୍ଗ୍ ୱାଚ୍’ ନିଜ ଆଙ୍ଗୁଳିର ମାପ ଅନୁସାରେ ଆସିଯାଉଛି । ସ୍ମାର୍ଟ ୱାଚ୍ ଭଳି ଏଥିରେ ମଧ୍ୟ ପସନ୍ଦ ସେନ୍ସର ରହୁଛି । ହାତଘଣ୍ଟା ବା ଘଡ଼ି ସମୟ ଜଣେଇ ଦେଉଥିବା ଏହି ଯନ୍ତ୍ରଟି ଘରେ କାନ୍ଥରୁ ଟେବୁଲ୍ ପର୍ଯ୍ୟନ୍ତ ଶୋଭା ବଢ଼ାଇ ଆସିଥାଏ । ଦାମୀ ପୋଷାକ ଭଳି ହାତର ମଣିବନ୍ଧରେ ବି ଶୋଭା ପାଇଆସୁଛି । ଏକଦା ଏହି ଘଣ୍ଟା ଅଣ୍ଟାରେ ଝୁଲୁଥିଲା । ସମୟକ୍ରମେ ଅଣ୍ଟାରୁ ମଣିବନ୍ଧକୁ ଘଣ୍ଟା ଯାତ୍ରା କରିଛି । ଦିନ ଥିଲା, ଘଣ୍ଟାଟିଏ ଆଭିଜାତ୍ୟର ସଂକେତ ବା ଚିହ୍ନ ଭାବେ ପରିଗଣିତ ହେଉଥିଲା । ଧନୀଲୋକମାନେ ବି ଘଣ୍ଟାର ବ୍ୟବହାର କରିପାରୁଥିଲେ ।
ବିବାହ ସମୟରେ କନ୍ୟାପକ୍ଷରୁ ଯୌତୁକରେ ବର ପାଇଁ ହାତଘଣ୍ଟା ଦିଆଯାଉଥିଲା । ପରେ ସମୟ ବଦଳିଗଲା । ଏକବିଂଶ ଶତାବ୍ଦୀ ଆସୁ ଆସୁ ଘଣ୍ଟା ପିନ୍ଧିବା ଏକ ପୁରୁଣାକାଳିଆ ଫ୍ୟାସନ୍ ହୋଇଗଲା | ଚାବିମୋଡ଼ା ଘଣ୍ଟାର ଆଦର କମିଗଲା। ବ୍ୟାଟେରିଚାଳିତ ହାତଘଣ୍ଟା ବଜାରକୁ ଆସିଲା। ତଥାପି ହାତଘଣ୍ଟାର ଆଦର ବଢ଼ିଲା ନାହିଁ। କିନ୍ତୁ ସମୟ ଚକ୍ର ଘୂରିଘୂରି ପୁଣି ହାତଘଣ୍ଟାର ଯୁଗକୁ ଫେରିଲା। ୧୦ରୁ ୧୫ ବର୍ଷ ହେଲା ହାତଘଣ୍ଟାର ଚାହିଦା ପୁଣି ଫେରିଛି। ସମୟ ଦେଖିବା ପାଇଁ ନୁହେଁ, ଏକ ଅଳଙ୍କାର ରୂପନେଇ ବଜାରକୁ ଫେରିଛି ହାତଘଣ୍ଟା। ଡିଜିଟାଲ୍ ଯୁଗରେ ସ୍ମାର୍ଟୱାଚ୍ ବଜାରକୁ କବ୍ଜା କରିଛି। ବଡ଼ କଥା ହେଉଛି ଏବେ ଏହି ଘଣ୍ଟା ମଣିବନ୍ଧରୁ ଡେଇଁ ଆଙ୍ଗୁଠିର ଶୋଭାବର୍ଦ୍ଦନ କରୁଛି। ଏହାକୁ ‘ରିଙ୍ଗ୍ ୱାଚ୍’ ବୋଲି କୁହାଯାଉଛି। ମୁଦି ପିନ୍ଧିବାର ସଉକ ରଖୁଥିବା ସମ୍ଭ୍ରାନ୍ତଶ୍ରେଣୀୟ ଲୋକମାନେ ଏବେ ଏହି ଘଣ୍ଟାର ପ୍ରେମରେ ପାଗଳ ହୋଇଥିବା ଦେଖିବାକୁ ମିଳୁଛି। ଅତ୍ୟାଧୁନିକ ଫୋନ୍ ଉଠାଇବା ଆଦି ସହଜ ହୋଇଛି।
ଏପରିକି ଦାମ୍ ଅନୁସାରେ ପିଚର ଓ ଆକର୍ଷଣୀୟ ଡିଜାଇନ୍ର ‘ରିଙ୍ଗ୍ ଷ୍ଟାଚ୍’ ମଧ୍ୟ ଉପଲବ୍ଧ ହେଉଛି । ଏହା ହାତ ଘଣ୍ଟାଠାରୁ ହାଲୁକା ଓ ଏକ ରାଜକୀୟ ଲୁକ୍ ଦେଉଥିବାରୁ ଯୁବପିଢ଼ି ଓ ଧନାକଙ୍କ ପସନ୍ଦ ହୋଇପାରିଛି। ଏପରିକି ଅନେକ ନିଜ ପୋଷାକ ଓ ଅଳଙ୍କାର ଅନୁସାରେ ଏହାର ରଙ୍ଗ ଓ ଡିଜାଇନ୍ ଦେଖି କ୍ରୟ କରୁଛନ୍ତି। ବହୁ ବ୍ରାଣ୍ଡେଡ୍ କମ୍ପାନି ଏବେ ରିଙ୍ଗ୍ ୱାଚ୍ ବଜାରକୁ ଛାଡ଼ିଲେଣି । କିନ୍ତୁ ଯୁବପିଢ଼ି ଏହାକୁ ଅନ୍ଲାଇନ୍ରୁ କିଣିବାକୁ ପସନ୍ଦ କରୁଛନ୍ତି । ଉଭୟ ପୁରୁଷ ଓ ମହିଳାଙ୍କ ଚାହିଦାକୁ ଦୃଷ୍ଟିରେ ରଖି ଏଥିରେ ଆକର୍ଷଣୀୟ ଡିଜାଇନ୍, ଅତି ନିଖୁଣ କାରିଗରୀ ସହିତ ୱାଟରପ୍ରୁଫ୍ ଫିଚର୍ ମଧ୍ୟ ରହୁଛି । ବହୁ ଦେଶୀ, ବିଦେଶୀ କମ୍ପାନି ଏହି ମୁଦିକୁ ଆମାଜନ୍, ମିନ୍ତ୍ରା ଓ ମିସୋ ଆଦି ସପିଂ ସାଇଟ୍ରେ ଉପଲବ୍ଧ କରାଉଛନ୍ତି । ଏନେଇ ରାଜଧାନୀର ଘଣ୍ଟା ବ୍ୟବସାୟୀ ନାରାୟଣ ମହାପାତ୍ରଙ୍କ କହିବା ଅନୁଯାୟୀ, ଅନ୍ଲାଇନ୍ରେ ଦେଖି ଯୁବପିଢ଼ି ରିଙ୍ଗ୍ ୱାଚ୍ ସମ୍ପର୍କରେ ପଚାରୁଛନ୍ତି । ଏପରିକି କିଛି ଘଣ୍ଟା ଖରାପ ହେବା ପରେ ଏହାକୁ ସଜାଡ଼ିବାକୁ ମଧ୍ୟ ଆଣୁଛନ୍ତି । ଲୋକଙ୍କ ଚାହିଦା ବଢ଼ୁଥିବାରୁ ଖୁବ୍ଶୀଘ୍ର ଏହା ବଜାରରେ ଉପଲବ୍ଧ ହେବ ବୋଲି ସେ କହିଛନ୍ତି । ଅନଲାଇନରେ ଏଗୁଡ଼ିକର ମୂଲ୍ୟ ୭୦୦ରୁ ଆରମ୍ଭ ହୋଇ ୨୦/୩୦ ହଜାର ଟଙ୍କା ପର୍ଯ୍ୟନ୍ତ ରହୁଛି ।
ALSO READ https://purvapaksa.com/hindu-terror-narrative-fall/
