ବୈବାହିକ ସମ୍ପର୍କ ଏବଂ ପାରିବାରିକ ମାମଲାକୁ ନେଇ ଦେଶର ସର୍ବୋଚ୍ଚ ଅଦାଲତ ଏକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ତଥା ଐତିହାସିକ ନିଷ୍ପତ୍ତି ଶୁଣାଇଛନ୍ତି। ସୁପ୍ରିମକୋର୍ଟ ସ୍ପଷ୍ଟ କରିଛନ୍ତି ଯେ, ସମ୍ବିଧାନର ଅନୁଚ୍ଛେଦ ୨୧ ଅନୁଯାୟୀ ମିଳୁଥିବା ‘ନିଜତା ଅଧିକାର’ ବା ପ୍ରାଇଭେସି (Right to Privacy) ଏତେ ବ୍ୟାପକ ବା ଅସୀମିତ ନୁହେଁ ଯେ, ଏହାକୁ ବ୍ୟବହାର କରି କେହି ନିଜ ଜୀବନସାଥୀଙ୍କ ସହ କରିଥିବା ବିଶ୍ୱାସଘାତକତା କିମ୍ବା ବୈବାହିକ ବ୍ୟଭିଚାର ବା ପର-ପୁରୁଷ/ପର-ସ୍ତ୍ରୀ ସମ୍ପର୍କ ର ପ୍ରମାଣକୁ ଲୁଚାଇ ପାରିବେ। କୋର୍ଟ କହିଛନ୍ତି ଯେ, ଜୀବନସାଥୀର ବେୱଫାଈ ବା ଅଫେୟାର୍ର ପ୍ରମାଣ ପାଇବା ପାଇଁ ହୋଟେଲ୍ ବୁକିଂ ରେକର୍ଡ ଏବଂ ମୋବାଇଲ୍ କଲ୍ ଡିଟେଲ୍ସ (CDR) ମାଗିବା ଅପରପକ୍ଷର ମୌଳିକ ଅଧିକାରର ଉଲ୍ଲଂଘନ ନୁହେଁ।
![]()
ଦିଲ୍ଲୀ ହାଇକୋର୍ଟଙ୍କ ନିଷ୍ପତ୍ତି ଉପରେ ବସିଲା ସୁପ୍ରିମ ମୋହର
ଜଷ୍ଟିସ୍ ମନମୋହନ ଏବଂ ଜଷ୍ଟିସ୍ କେ. ବିନୋଦ ଚନ୍ଦ୍ରନଙ୍କୁ ନେଇ ଗଠିତ ସୁପ୍ରିମକୋର୍ଟଙ୍କ ଏକ ଖଣ୍ଡପୀଠ ଶୁକ୍ରବାର ଦିନ ଏହି ମାମଲାର ଶୁଣାଣି କରି ଦିଲ୍ଲୀ ହାଇକୋର୍ଟଙ୍କ ପୂର୍ବ ରାୟକୁ କାଏମ ରଖିଛନ୍ତି ଏବଂ ଏହା ବିରୋଧରେ ସ୍ୱାମୀଙ୍କ ଦ୍ୱାରା ଦାଖଲ ହୋଇଥିବା ଆବେଦନକୁ ଖାରଜ କରିଦେଇଛନ୍ତି। ପୂର୍ବରୁ ହାଇକୋର୍ଟ କହିଥିଲେ ଯେ, ‘ହିନ୍ଦୁ ମ୍ୟାରେଜ୍ ଆକ୍ଟ’ ଅନୁସାରେ ବୈବାହିକ ସମ୍ପର୍କ ବାହାରେ ଶାରୀରିକ ସମ୍ପର୍କ ରଖିବା ତଲାକ ବା ବିବାହ ବିଚ୍ଛେଦର ଏକ ବୈଧ ଆଧାର ଅଟେ। ତେଣୁ, ସାଧାରଣ ଜନହିତ ଏବଂ ନ୍ୟାୟ ପ୍ରଦାନ ପ୍ରକ୍ରିୟାକୁ ଦୃଷ୍ଟିରେ ରଖି ନିଜତା ଅଧିକାର ଉପରେ ଯୁକ୍ତିଯୁକ୍ତ କଟକଣା ଲଗାଯାଇପାରିବ। ବିବାହ ସଂସ୍ଥାକୁ ବଞ୍ଚାଇବା ଏବଂ ପୀଡ଼ିତ ପକ୍ଷକୁ ନ୍ୟାୟ ଦେବା ପାଇଁ ଅଦାଲତ କଦାପି ଏଭଳି ବ୍ୟକ୍ତିଙ୍କ ସହାୟତା କରିପାରିବେ ନାହିଁ, ଯିଏ ନିଜତା ଆଳରେ ନିଜର ଭୁଲ୍ ଲୁଚାଇବାକୁ ଚେଷ୍ଟା କରୁଛି।

କଣ ଥିଲା ସମ୍ପୂର୍ଣ୍ଣ ମାମଲା ?
ଏହି ମାମଲାଟି ଏକ ଦମ୍ପତିଙ୍କ ପାରିବାରିକ ବିବାଦ ସହ ଜଡ଼ିତ, ଯାହାର ବିବାହ ୧୯୯୮ ମସିହାରେ ହୋଇଥିଲା ଏବଂ ସେମାନଙ୍କର ଏକ କନ୍ୟା ସନ୍ତାନ ମଧ୍ୟ ଅଛି। ପରବର୍ତ୍ତୀ ସମୟରେ ପତ୍ନୀ ଜାଣିବାକୁ ପାଇଥିଲେ ଯେ ତାଙ୍କ ସ୍ୱାମୀଙ୍କର ଅନ୍ୟ ଜଣେ ମହିଳାଙ୍କ ସହ ଅବୈଧ ସମ୍ପର୍କ ରହିଛି ଏବଂ ସେ ଜୟପୁରର ଏକ ହୋଟେଲରେ ସେହି ମହିଳାଙ୍କ ସହ ରହିଥିଲେ। ଏହି ଆଧାରରେ ପତ୍ନୀ ପରିବାର ଅଦାଲତ ରେ ତଲାକ ଆବେଦନ କରିବା ସହ ସ୍ୱାମୀଙ୍କର ହୋଟେଲ ବୁକିଂ ଆଇଡି ପ୍ରୁଫ୍, ପେମେଣ୍ଟ ବିବରଣୀ ଏବଂ ମୋବାଇଲ୍ କଲ୍ ରେକର୍ଡ କୋର୍ଟକୁ ମଗାଇବା ପାଇଁ ଗୁହାରି କରିଥିଲେ। ଫ୍ୟାମିଲି କୋର୍ଟ ଏହି ଅନୁରୋଧକୁ ଗ୍ରହଣ କରିଥିଲେ। ସ୍ୱାମୀ ଏହାକୁ ଚ୍ୟାଲେଞ୍ଜ କରି ହାଇକୋର୍ଟ ଏବଂ ପରେ ସୁପ୍ରିମକୋର୍ଟ ଯାଇ ଯୁକ୍ତି ବାଢ଼ିଥିଲେ ଯେ, ଏଭଳି ବ୍ୟକ୍ତିଗତ ରେକର୍ଡ ସର୍ବସାଧାରଣ କରିବା ଦ୍ୱାରା ତାଙ୍କର ନିଜତା ଏବଂ ସେହି ମହିଳାଙ୍କ ସମ୍ମାନ ହାନି ହେଉଛି।

ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ଟିପ୍ପଣୀ
ସର୍ବୋଚ୍ଚ ଅଦାଲତ ଏହି ଯୁକ୍ତିକୁ ଅଗ୍ରାହ୍ୟ କରି କହିଛନ୍ତି ଯେ, ବୈବାହିକ ବିବାଦରେ ସାଧାରଣତଃ ସିଧାସଳଖ ପ୍ରମାଣ ମିଳିବା ଅସମ୍ଭବ ହୋଇଥାଏ। ତେଣୁ ପରିସ୍ଥିତିମୂଳକ ପ୍ରମାଣ ଯେପରିକି ଡିଜିଟାଲ୍ ରେକର୍ଡ, ଟାୱାର ଲୋକେସନ ଏବଂ ହୋଟେଲ ରହଣିର ତଥ୍ୟ ନ୍ୟାୟ ନିରୂପଣ ପାଇଁ ଅତ୍ୟନ୍ତ ଜରୁରୀ। ଫ୍ୟାମିଲି କୋର୍ଟ ଆକ୍ଟର ଧାରା ୧୪ ଅନୁଯାୟୀ ଅଦାଲତ ବିବାଦର ସମାଧାନ ପାଇଁ ଯେକୌଣସି ପ୍ରାସଙ୍ଗିକ ଦସ୍ତାବିଜକୁ ଗ୍ରହଣ କରିପାରିବେ। ଏହି ରାୟ ପରେ ଏହା ସ୍ପଷ୍ଟ ହୋଇଛି ଯେ, ବୈବାହିକ ସମ୍ପର୍କରେ ପ୍ରତାରଣାର ଶିକାର ହେଉଥିବା ସ୍ୱାମୀ କିମ୍ବା ପତ୍ନୀଙ୍କୁ କୋର୍ଟ ସାହାଯ୍ୟରେ ଡିଜିଟାଲ୍ ପ୍ରମାଣ ସଂଗ୍ରହ କରିବାର ସମ୍ପୂର୍ଣ୍ଣ ଅଧିକାର ମିଳିବ ଏବଂ ଅପରାଧୀ ଜୀବନସାଥୀ ନିଜତା ଅଧିକାର ଆଢୁଆଳରେ ନିଜକୁ ସୁରକ୍ଷିତ ରଖିପାରିବେ ନାହିଁ।


