Mars: ହଜାର ହଜାର ବର୍ଷ ଧରି ମଙ୍ଗଳ ଗ୍ରହ ମାନବକୁ ଚକିତ ଓ ଆକର୍ଷିତ କରି ଆସିଛି । ଗ୍ରୀକ ଓ ରୋମାନଙ୍କ ପାଇଁ ମଙ୍ଗଳ ଥିଲା ଯୁଦ୍ଧର ଦେବତା । ମଙ୍ଗଳକୁ ନେଇ ଲେଖାଯାଇଛି ଅନେକ କାହାଣୀ । ତିଆରି ହୋଇଛି ଅନେକ ଫିଲ୍ମ। ହଲିଉଡ ଫିଲ୍ମରେ ମଙ୍ଗଳ ହେଉଛି ପରଗ୍ରହୀ ବା ଆଲିଏନ୍ସଙ୍କ ଆଡ଼୍ଡା ।
ଏବେ ସେହି ମଙ୍ଗଳକୁ ନେଇ ଆସିଛି ନୂଆ ଦାବି । ଜଣେ ବୈଜ୍ଞାନିକଙ୍କ ଅନୁସାରେ ଦିନେ ମଙ୍ଗଳରେ ଜୀବନ ଥିଲା। ଥିଲା ଗୋଟିଏ ସଭ୍ୟତା । କିନ୍ତୁ ଆଲିୟନ୍ସ ବା ପରଗ୍ରହୀ ଏହି ଜୀବନ୍ତ ଗ୍ରହ ଉପରେ ପରମାଣୁ ଆକ୍ରମଣ କରି ଏହାକୁ ମୃତ ଗ୍ରହରେ ପରିଣତ କରିଥିଲେ । କିନ୍ତୁ ତାଙ୍କ ଦାବି ନେଇ ଅନେକ ପ୍ରଶ୍ନ ମଧ୍ୟ ଉଠୁଛି।
ପ୍ରିନ୍ସଟନ ବିଶ୍ୱବିଦ୍ୟାଳୟର ଭୌତିକ ବୈଜ୍ଞାନିକ ଡକ୍ଟର ଜନ ବ୍ରାଣ୍ଡେନବର୍ଗ ଏକ ବିବାଦୀୟ ସିଦ୍ଧାନ୍ତ ଉପସ୍ଥାପନ କରିଛନ୍ତି। ସେ କହିଛନ୍ତି ଯେ ମଙ୍ଗଳ ଗ୍ରହରେ ଏକଦା ଏକ ପ୍ରାଚୀନ ସଭ୍ୟତା ବିଦ୍ୟମାନ ଥିଲା। କିନ୍ତୁ ଏହାକୁ ଏଲିୟନ ବା ପରଗ୍ରହୀ ମାନେ ପରମାଣୁ ଆକ୍ରମଣ ଦ୍ୱାରା ସମ୍ପୂର୍ଣ୍ଣ ନଷ୍ଟ କରିଦେଇଥିଲେ। ଏହି ଦାବି ଶୁଣିବାକୁ କୌଣସି ବୈଜ୍ଞାନିକ କାଳ୍ପନିକ ଚଳଚ୍ଚିତ୍ରର କାହାଣୀ ପରି ଲାଗୁଛି, କିନ୍ତୁ ବ୍ରାଣ୍ଡେନବର୍ଗ କହୁଛନ୍ତି ଯେ ତାଙ୍କ ପାଖରେ ଏହାର କିଛି ବୈଜ୍ଞାନିକ ଆଧାର ରହିଛି। ଏହି ଦାବି ଶୁଣି ବୈଜ୍ଞାନିକ ସମୁଦାୟ ଆଶ୍ଚର୍ଯ୍ୟ ହୋଇଛନ୍ତି। ଅନେକେ ଏହାକୁ ତାଙ୍କର କେବଳ କଳ୍ପନା ବୋଲି କହିଛନ୍ତି। ଆସନ୍ତୁ ଜାଣିବା ଏହାର ଉତ୍ତର କିପରି ଦିଆଯାଉଛି।
ପ୍ରଥମେ,ଡକ୍ଟର ବ୍ରାଣ୍ଡେନବର୍ଗଙ୍କ ଦାବି କ’ଣ?
ଡକ୍ଟର ବ୍ରାଣ୍ଡେନବର୍ଗ ତାଙ୍କ ପୁସ୍ତକ ‘ଡେଥ ଅନ ମାର୍ସରେ ଏହି ସିଦ୍ଧାନ୍ତକୁ ବିସ୍ତୃତ ଭାବେ ବର୍ଣ୍ଣନା କରିଛନ୍ତି। ସେ କହିଛନ୍ତି ଯେ ମଙ୍ଗଳ ଗ୍ରହର ବାୟୁମଣ୍ଡଳରେ ଜେନନ-୧୨୯ ନାମକ ଆଇସୋଟୋପର ଉପସ୍ଥିତି ଏହା ସୂଚାଇଥାଏ ଯେ ସେଠାରେ ଏକଦା ଏକ ବିଶାଳ ପରମାଣୁ ବିସ୍ଫୋରଣ ଘଟିଥିଲା। ପୃଥିବୀରେ ଏଭଳି ଆଇସୋଟୋପ ସାଧାରଣତଃ ପରମାଣୁ ପରୀକ୍ଷଣ ପରେ ଦେଖାଯାଏ, ଯେପରି ହିରୋଶିମା ଓ ନାଗାସାକିରେ ୧୯୪୫ରେ ହୋଇଥିବା ବିସ୍ଫୋରଣ ପରେ। ବ୍ରାଣ୍ଡେନବର୍ଗଙ୍କ ଯୁକ୍ତି ଅନୁସାରେ, ମଙ୍ଗଳ ଗ୍ରହରେ ମଧ୍ୟ ଏଭଳି କିଛି ଘଟିଥିବ।
ଏଥିପାଇଁ ସେ ଏଲିୟନ ସଭ୍ୟତାକୁ ଦାୟୀ କରିଛନ୍ତି। ତାଙ୍କ ମତରେ, ଏହି ଆକ୍ରମଣ ମଙ୍ଗଳର ସମ୍ପୂର୍ଣ୍ଣ ସଭ୍ୟତାକୁ ନଷ୍ଟ କରିଦେଇଥିଲା। ଏହି ଗ୍ରହର ଲାଲ ରଙ୍ଗ ମଧ୍ୟ ଏହି ବିନାଶର ଫଳାଫଳ ବୋଲି ସେ କହିଛନ୍ତି।
ବ୍ରାଣ୍ଡେନବର୍ଗ ଆହୁରି ଦାବି କରିଛନ୍ତି ଯେ ମଙ୍ଗଳପୃଷ୍ଠରେ କିଛି ଗଠନ, ଯେପରି ସିଡୋନିଆ ଅଞ୍ଚଳରେ ମିଳିଥିବା ‘ମୁଖ’ ପରି ଗଠନ, ପ୍ରାଚୀନ ସଭ୍ୟତାର ଅବଶେଷ ହୋଇପାରେ। ସେ କହିଛନ୍ତି ଯେ ଏହି ସଭ୍ୟତା ପ୍ରଯୁକ୍ତିଗତ ଦୃଷ୍ଟିରୁ ଉନ୍ନତ ଥିଲା। କିନ୍ତୁ କୌଣସି ବାହାରୁ ଆସିଥିବା ଏଲିୟନ ପ୍ରଜାତି ଏହାକୁ ନଷ୍ଟ କରିଦେଇଥିଲା। ସେ କହିଛନ୍ତି ଯେ ବୋଧହୁଏ ଏଲିୟନମାନେ ମଙ୍ଗଳବାସୀଙ୍କୁ ନିଜ ପାଇଁ ବିପଦ ମନେ କରୁଥିଲେ।
ଏବେ ଜାଣନ୍ତୁ ବ୍ରାଣ୍ଡେନବର୍ଗଙ୍କ ଦାବି ଉପରେ ବୈଜ୍ଞାନିକମାନଙ୍କ ପ୍ରତିକ୍ରିୟା କ’ଣ ?
ବୈଜ୍ଞାନିକମାନେ ଏବଂ ନାସା ଏହି ସିଦ୍ଧାନ୍ତକୁ ସମ୍ପୂର୍ଣ୍ଣ ଭାବେ ଖାରଜ କରିଦେଇଛନ୍ତି। ବିଶେଷଜ୍ଞମାନେ କହିଛନ୍ତି ଯେ ଜେନନ-୧୨୯ ପ୍ରାକୃତିକ ପ୍ରକ୍ରିୟା ଦ୍ୱାରା ମଧ୍ୟ ସୃଷ୍ଟି ହୋଇପାରେ, ଯେପରି ରେଡିଓଆକ୍ଟିଭ କ୍ଷୟ ବା ସୌର ପବନର ପ୍ରଭାବ। ମଙ୍ଗଳର ଲାଲ ରଙ୍ଗ ଆୟରନ ଅକ୍ସାଇଡ (ଜଙ୍ଗ) ଯୋଗୁଁ, ଯାହା ଗ୍ରହ ପୃଷ୍ଠରେ ପ୍ରଚୁର ମାତ୍ରାରେ ମିଳିଥାଏ । ଏହାର କୌଣସି ପରମାଣୁ ବିସ୍ଫୋରଣ ସହ କିଛି ମଧ୍ୟ ସମ୍ପର୍କ ନାହିଁ । ନାସା କହିଛି ଯେ ଏହି ସିଦ୍ଧାନ୍ତର ସପକ୍ଷରେ କୌଣସି ନିର୍ଭରଯୋଗ୍ୟ ପ୍ରମାଣ ନାହିଁ ଏବଂ ଏହାକୁ କେବଳ ମାତ୍ର କଳ୍ପନା ।
ଏହି ଦାବି କାହିଁକି ଗୁରୁତ୍ୱପୂର୍ଣ୍ଣ?
ଏହି ଦାବି ବୈଜ୍ଞାନିକ ଆଧାରରେ ଦୁର୍ବଳ ହୋଇପାରେ, କିନ୍ତୁ ଏହା ମଙ୍ଗଳ ଗ୍ରହରେ ଜୀବନର ସମ୍ଭାବନା ନେଇ ଲୋକଙ୍କ କୌତୂହଳକୁ ପୁନର୍ବାର ଜାଗ୍ରତ କରିଛି। ନାସାର ପରସିଭିଅରେନ୍ସ ରୋଭର ଏବଂ ଅନ୍ୟାନ୍ୟ ମିଶନ ମଙ୍ଗଳରେ ସୂକ୍ଷ୍ମଜୀବୀ ଜୀବନର ଚିହ୍ନ ଖୋଜୁଛନ୍ତି, କିନ୍ତୁ ଏପର୍ଯ୍ୟନ୍ତ କୌଣସି ଉନ୍ନତ ସଭ୍ୟତା ବା ପରମାଣୁ ଆକ୍ରମଣର ପ୍ରମାଣ ମିଳିନାହିଁ। ବ୍ରାଣ୍ଡେନବର୍ଗଙ୍କ ପରି ସିଦ୍ଧାନ୍ତ ବୈଜ୍ଞାନିକ ଆଲୋଚନାକୁ ତ ବୃଦ୍ଧି କରେ, କିନ୍ତୁ ନିର୍ଭରଯୋଗ୍ୟ ପ୍ରମାଣ ବିନା ଏହାକୁ ଗମ୍ଭୀରତାର ସହ ଗ୍ରହଣ କରିବା କଷ୍ଟକର।