Reservation: ପଦୋନ୍ନତିରେ ସଂରକ୍ଷଣ କ୍ଷେତ୍ରରେ ସୁପ୍ରିମକୋର୍ଟ ଜାରି କରିଥିବା ସର୍ତ୍ତାବଳୀକୁ ରାଜ୍ୟ ସରକାର ଲାଗୁ କରିଛନ୍ତି। ତଦନୁଯାୟୀ ଏଣିକି ପ୍ରତି ସେବା ବର୍ଗରେ ତଫସିଲଭୁକ୍ତ ଜାତି ଓ ଜନଜାତିର କର୍ମଚାରୀଙ୍କ ଆନୁପାତିକ ହାରରେ ସଂଖ୍ୟା ରହିଛି କି ନାହିଁ ସେ ସଂକ୍ରାନ୍ତୀୟ ତଥ୍ୟ ସର୍ବେକ୍ଷଣ କରି ହସ୍ତଗତ ହେଲାପରେ ଉକ୍ତ ସେବା ବର୍ଗରେ ପଦୋନ୍ନତି କ୍ଷେତ୍ରରେ ସଂରକ୍ଷଣ ଆଇନ୍ ଲାଗୁ ହେବ କି ନାହିଁ ତାହା ସ୍ଥିର କରାଯିବ।
ଚଳିତବର୍ଷ ଫେବୃୟାରୀ ୨୭ ତାରିଖରେ ରାଜ୍ୟ ଅନୁସୂଚିତ ଜାତି, ଜନଜାତି ବିକାଶ ଏବଂ ସଂଖ୍ୟାଲଘୁ ଓ ପଛୁଆବର୍ଗ କଲ୍ୟାଣ ବିଭାଗ ପକ୍ଷରୁ ଜାରି ନିର୍ଦ୍ଦେଶାବଳୀରେ ସ୍ପଷ୍ଟଭାବେ ଦର୍ଶାଯାଇଛି ଯେ ପୂର୍ବରୁ ସେହି ବିଭାଗର ୦୬/୦୦୫/୨୦୨୪ର ନିର୍ଦ୍ଦେଶନାମାରେ ଥିବା ସର୍ତ୍ତାବଳୀ ଏବେଠାରୁ କାର୍ଯ୍ୟକାରୀ ହେବ।
ଏଥିରେ ସମସ୍ତ ସରକାରୀ ବିଭାଗ, ବିଭାଗୀୟ ମୁଖ୍ୟ ଦପ୍ତର, ରାଜସ୍ୱ ପାର୍ଷଦ ଓ ସମସ୍ତ ଜିଲ୍ଲାପାଳଙ୍କୁ ତତ୍କାଳ ଏହା ଲାଗୁ କରିବାକୁ କୁହାଯାଇଛି। ଏହି ନିର୍ଦ୍ଦେଶନାମାରେ ଭାରତ ସରକାରଙ୍କ କାର୍ମିକ ମନ୍ତ୍ରାଳୟ ୨୦୨୨ ମସିହା ଏପ୍ରିଲ୍ ମାସରେ ଜାରି କରିଥିବା ନିର୍ଦ୍ଦେଶନାମାକୁ ପାଳନ ଲାଗି ସ୍ପଷ୍ଟଭାବେ କୁହାଯାଇଛି।
ଏଥିରେ ସମ୍ପୃକ୍ତ ଅଧିକାରୀ ବା ବିଭାଗ ପଦୋନ୍ନତି କ୍ଷେତ୍ରରେ ସଂରକ୍ଷଣ ନିୟମ ଲାଗୁ କରିବା ପୂର୍ବରୁ ସର୍ବୋଚ୍ଚ ନ୍ୟାୟାଳୟ ତାଙ୍କର ଜର୍ଣ୍ଣେଲ ସିଂହ ବନାମ ଏଲ ଏନ ଗୁପ୍ତା ମାମଲାରେ ୨୦୨୨ ଜାନୁୟାରୀ ମାସର ଆଦେଶରେ ରଖିଥିବା ସର୍ତ୍ତାବଳୀକୁ ଧ୍ୟାନ ଦେବେ।
ଉକ୍ତ ସର୍ତ୍ତାବଳୀ ଅନୁଯାୟୀ ଯେଉଁ ସେବା ବର୍ଗରେ (କ୍ୟାଡର) ତଫସିଲଭୁକ୍ତ ଜାତି ଓ ଜନଜାତି ବର୍ଗର କର୍ମଚାରୀଙ୍କ ଆନୁପାତିକ ହାରରେ ଯୋଗଦାନ ନାହିଁ, ସେହି ସେବା ବର୍ଗରେ ପଦୋନ୍ନତି କାଳରେ ସଂରକ୍ଷଣ ନିୟମ ଲାଗୁ ହେବ। ସଂରକ୍ଷଣ ନିୟମ ଲାଗୁ କରିବା ପୂର୍ବରୁ ସମସ୍ତ ସେବା ବର୍ଗର ପୃଥକ୍ ପୃଥକ୍ ପରିସଂଖ୍ୟାନ ନିରୂପଣ କରିବାପାଇଁ କୁହାଯାଇଛି।
ଏଠାରେ ଉଲ୍ଲେଖନୀୟ ଯେ ସର୍ବୋଚ୍ଚ ନ୍ୟାୟାଳୟ ୨୦୦୬ ମସିହାରେ ଏମ ନାଗରାଜ ବନାମ ଭାରତ ସରକାର ମାମଲାରେ ଏହି ସମାନ ଆଦେଶ ଦେଇଥିଲେ ହେଁ, ରାଜ୍ୟ ସରକାର କୌଣସି ସର୍ବେକ୍ଷଣ ନ କରି ରାଜ୍ୟର ସମସ୍ତ ସେବା ବର୍ଗରେ ପଦୋନ୍ନତି କ୍ଷେତ୍ରରେ ସଂରକ୍ଷଣ ନିୟମ ଲାଗୁକରି ଆସୁଥିଲେ। ଏହାକୁ କୌଣସି ବର୍ଗର କର୍ମଚାରୀ କେବେ ବି ବିରୋଧ କରିନଥିଲେ।
କିନ୍ତୁ ବର୍ତ୍ତମାନର ନୂଆ ସରକାର ଏହାକୁ ଲାଗୁ କରି ସର୍ବୋଚ୍ଚ ନ୍ୟାୟାଳୟଙ୍କ ଆଦେଶ ଯାହାକୁ “ଦେଶର ଆଇନ୍” ବୋଲି କୁହାଯାଏ, ତାକୁ ସମ୍ମାନ ଦେଇଛନ୍ତି । ଏଥିପାଇଁ ବିଭିନ୍ନ ମହଲରୁ ନୂଆ ସରକାରଙ୍କୁ ଧନ୍ୟବାଦ ପ୍ରଦାନ କରାଯାଇଛି।
ବିଭିନ୍ନ ସେବା ବର୍ଗର କର୍ମଚାରୀଙ୍କ କହିବା ଅନୁଯାୟୀ ଯେହେତୁ ୧୯୯୫ ମସିହାର ସର୍ବୋଚ୍ଚ ନ୍ୟାୟାଳୟଙ୍କ “ପଦବୀ ଭିତ୍ତିକ ସଂରକ୍ଷଣ” ରାଜ୍ୟରେ ବିଗତ ୨୦୦୮ ବର୍ଷ ଠାରୁ ଲାଗୁହୋଇ ଆସୁଛି, ତେଣୁ ସମସ୍ତ ବର୍ଗ ନିଜ ନିଜର ଆନୁପାତିକ ହାରରେ ସେବା ବର୍ଗରେ ଯୋଗଦାନ ପାଇଛନ୍ତି।
ତେଣୁ ସଚିବାଳୟ ସେବାବର୍ଗ, ସମସ୍ତ ଯାନ୍ତ୍ରିକ ସେବାବର୍ଗ, ପୁଲିସ୍ ସେବା, ଓ.ଟି.ଟି.ଏ.ଏସ୍, ଓଡିଶା ରାଜସ୍ୱ ସେବା ଓ ବିଭିନ୍ନ ତୃତୀୟଶ୍ରେଣୀଭୁକ୍ତ ସେବା ବର୍ଗରେ ପଦୋନ୍ନତି କ୍ଷେତ୍ରରେ ସଂରକ୍ଷଣ ନିୟମ ଏବେ ଆଉ ପୂର୍ବଭଳି ଲାଗୁହେବ ନାହିଁ। ଅପର ପକ୍ଷରେ ଯେଉଁ ସେବା ବର୍ଗରେ ପଦୋନ୍ନତି କ୍ଷେତ୍ରରେ ସଂରକ୍ଷଣ ନିୟମ ଲାଗିବାକୁ ସ୍ଥିର ହେବ, ସେ କ୍ଷେତ୍ରରେ ରାଜ୍ୟ ସରକାରଙ୍କ ନିୟମ ସହିତ ସର୍ବୋଚ୍ଚ ନ୍ୟାୟାଳୟ ବିଭିନ୍ନ ସମୟରେ ଦେଇଥିବା ନିର୍ଦ୍ଦେଶ ଅନୁସାରେ ପଦୋନ୍ନତି ଦିଆଯିବ।
ତେଣୁ ବିଧିବଦ୍ଧ ଭାବରେ ସର୍ବେକ୍ଷଣ କରି ପ୍ରତି ସେବାବର୍ଗର ପୃଥକ୍ ପୃଥକ୍ ତଥ୍ୟ ହସ୍ତଗତ ହେଲାପରେ ପଦୋନ୍ନତି ପ୍ରକ୍ରିୟା ଆରମ୍ଭ ପାଇଁ କର୍ମଚାରୀମାନେ ମତ ଦେଇଛନ୍ତି ।
Also readhttps://purvapaksa.com/donald-trump-zelenskyy-diplomatic-clash/
କେବେ ଦେଖିନଥିବେ ରାଷ୍ଟ୍ରପତି-ରାଷ୍ଟ୍ରପତିଙ୍କ ମଧ୍ୟରେ କଳିର ଏଭଳି ଦୃଶ୍ୟ, ମୁଣ୍ଡରେ ହାତ ଦେଲେ ୟୁକ୍ରେନ ରାଷ୍ଟ୍ରଦୂତ

