ଭାରତୀୟ ସଂସଦର ଉଚ୍ଚ ସଦନ ବା ରାଜ୍ୟସଭା, ସଦା ସର୍ବଦା ଗଣତନ୍ତ୍ରର “ସନ୍ତୁଳନ ଚକ୍ର” ବୋଲି ପରିଚିତ। ଲୋକସଭାରେ ଆବେଗ, ରାଜନୈତିକ ଲହରୀ ଓ ତୁରନ୍ତ ସଂଖ୍ୟାଗତ ବହୁମତ ଥାଏ; କିନ୍ତୁ ରାଜ୍ୟସଭା ଥାଏ ସଂଯମ, ଅନୁଭବ ଓ ନୀତିଗତ ପ୍ରତିବାଦର ମଞ୍ଚ ଭାବରେ। କିନ୍ତୁ ୨୦୨୬ ମସିହାରେ ହେବାକୁ ଯାଉଥିବା ୭୧ଟି ରାଜ୍ୟସଭା ଆସନର ନିର୍ବାଚନ ଏହି ଧାରଣାକୁ ଗଭୀର ପ୍ରଶ୍ନର ସମ୍ମୁଖୀନ କରିଦେଉଛି।

ଏହା କେବଳ ଆସନ ଶୂନ୍ୟ ହେବାର ଘଟଣା ନୁହେଁ; ଏହା ହେଉଛି—
• ବିରୋଧୀ ରାଜନୀତି ଧୀରେ ଧୀରେ ଅସ୍ତ ହେଉଛି
• ଆଞ୍ଚଳିକ ଦଳମାନେ ଧୀରେ ଧୀରେ ସଙ୍କୁଚିତ ହେବେ
• ଏବଂ ମୋଦୀ ସରକାରଙ୍କ ପାଇଁ ଏକ ସାମ୍ବିଧାନିକ ଓ ରାଜନୈତିକ ସୁବିଧାଜନକ ପରିବେଶ
ଭାରତୀୟ ସଂସଦୀୟ ଗଣତନ୍ତ୍ରର ଉପର ଗୃହ ବା ରାଜ୍ୟସଭା ପାଇଁ ଚଳିତ ବର୍ଷ ଏକ ଅଗ୍ନିପରୀକ୍ଷାର ବର୍ଷ। ୭୧ଟି ଆସନ ପାଇଁ ହେବାକୁ ଥିବା ନିର୍ବାଚନ କେବଳ ସଂଖ୍ୟାବଳର ଖେଳ ନୁହେଁ, ବରଂ ଏହା ଦେଶର ଭବିଷ୍ୟତ ରାଜନୈତିକ ଦିଗ୍ବାରେଣୀ ଓ ମନ୍ତ୍ରିମଣ୍ଡଳର ପୁନର୍ଗଠନ ପାଇଁ ଏକ ମୂଳଦୁଆ। ଏହି ନିର୍ବାଚନ ପରେ ସଂସଦର ଉଚ୍ଚ ସଦନରେ କ୍ଷମତା ସନ୍ତୁଳନ ସମ୍ପୂର୍ଣ୍ଣ ବଦଳିଯିବାର ସମ୍ଭାବନା ଦେଖାଦେଇଛି। ଚଳିତ ବର୍ଷ ଖାଲି ପଡ଼ିଥିବା ୭୧ଟି ରାଜ୍ୟସଭା ଆସନ ପାଇଁ ନିର୍ବାଚନ ପରେ, ମାୟାବତୀଙ୍କ ବହୁଜନ ସମାଜ ପାର୍ଟି (ବିଏସପି) ଏକ ବିଶେଷ ଲଜ୍ଜାଜନକ ପରିସ୍ଥିତିର ସମ୍ମୁଖୀନ ହେବ। ଲୋକସଭା ନିର୍ବାଚନ ପରେ, ମାୟାବତୀ ରାଜ୍ୟସଭାରୁ ମଧ୍ୟ ନିଶ୍ଚିହ୍ନ ହୋଇଯିବେ। ଅନ୍ୟପକ୍ଷରେ, ଆମ ରାଜ୍ୟର ଆଞ୍ଚଳିକ ଦଳ ବିଜୁ ଜନତା ଦଳ କ୍ଷତିଗ୍ରସ୍ତ ହୋଇ ସାଂସଦଙ୍କ ସଂଖ୍ୟା ୬କୁ ଖସିଆସିବ ବୋଲି ଆଲୋଚନା ହେଉଛି। ଫଳରେ ଉଚ୍ଚ ସଦନରେ ବିରୋଧୀଙ୍କ ଶକ୍ତି ଆହୁରି ହ୍ରାସ ପାଇବ।
ବିଜେଡି ସଂଖ୍ୟା ୬କୁ ଖସିବ

ଆଗାମୀ ଏପ୍ରିଲ ମାସରେ ଖାଲି ହେଉଥିବା ଆସନ ମଧ୍ୟରୁ ଓଡ଼ିଶାର ୪ଟି ଆସନ ଖାଲି ହେବ। ଯେଉଁ ସାଂସଦମାନେ ଅବସର ନେବେ ସେମାନେ ହେଲେ ବିଜେପିର ମମତା ମହାନ୍ତ, ସୁଜିତ କୁମାର, ନିରଞ୍ଜନ ବିଶି ଓ ମୁନା ଖାନ୍। ବିଧାୟକ ସଂଖ୍ୟା ଦଷ୍ଟରୁ ଦେଖିଲେ ବିଜେଡି ଗୋଟିଏ ଆସନରେ, ବିଜେପି ଦୁଇଟି ଆସନରେ ଓ ୪ର୍ଥ ଆସନ ମିଳିତ ପ୍ରାର୍ଥୀ ବିଜୟୀ ହେବେ। ତେଣୁ ସଂଖ୍ୟା ଦୃଷ୍ଟିରୁ ବିଜେଡି ୭ରୁ ୬କୁ ଖସି ଆସିବ ବୋଲି ଆଲୋଚନା କରାଯାଉଛି। ବିଜେପିର ଓଡ଼ିଶା ରାଜ୍ୟସଭା ସାଂସଦଙ୍କ ସଂଖ୍ୟା ୪+ ହୋଇପାରେ।
୭୧ଟି ଆସନ: ସଂଖ୍ୟା ଛୋଟ, ପ୍ରଭାବ ବଡ଼
ଚଳିତ ବର୍ଷ ଯେଉଁ ୭୧ ଜଣ ରାଜ୍ୟସଭା ସାଂସଦ ଅବସର ନେବେ, ସେମାନଙ୍କ ମଧ୍ୟରୁ—
• ୩୦ ଜଣ ବିଜେପିର
• ୮ ଜଣ କଂଗ୍ରେସର
• ଶେଷ ଅଂଶ ଆଞ୍ଚଳିକ ଦଳ ଓ ସହଯୋଗୀ ଦଳର
ବର୍ତ୍ତମାନ ରାଜ୍ୟସଭାରେ ବିଜେପିର ସଦସ୍ୟ ସଂଖ୍ୟା ୧୦୩। ଲୋକସଭାରେ ତୃତୀୟ ଲଗାତାର ଶକ୍ତିଶାଳୀ ମାଣ୍ଡେଟ୍ ପରେ, ରାଜ୍ୟସଭାରେ ମଧ୍ୟ ବିଜେପି ଏକ “କମ୍ଫର୍ଟ ଜୋନ୍”କୁ ପହଞ୍ଚିବ ।
ଏହି ନିର୍ବାଚନ ପରେ—
• ଅନେକ ବିବାଦୀୟ ବିଲ୍
• ସମ୍ବିଧାନ ସଂଶୋଧନ
• ନୀତିଗତ ବିରୋଧ
—ଏସବୁରେ ରାଜ୍ୟସଭାରେ ଆଉ ବିଜେପି ପାଇଁ ବଡ଼ ବାଧା ରହିବ ନାହିଁ?
ମନ୍ତ୍ରିମଣ୍ଡଳ ପୁନର୍ଗଠନ ଓ ଛଅ ମନ୍ତ୍ରୀଙ୍କ ଭାଗ୍ୟ
ଚଳିତ ବର୍ଷ ଛଅ ଜଣ ପ୍ରଭାବଶାଳୀ କେନ୍ଦ୍ର ମନ୍ତ୍ରୀଙ୍କ ରାଜ୍ୟସଭା କାର୍ଯ୍ୟକାଳ ଶେଷ ହେଉଛି। ଏମାନଙ୍କ ମଧ୍ୟରେ ଅଛନ୍ତି କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ହରଦୀପ ସିଂହ ପୁରୀ, ବି.ଏଲ୍. ବର୍ମା, ରାମନାଥ ଠାକୁର, ରଭନୀତ ସିଂହ ବିଟ୍ଟୁ, ଜର୍ଜ କୁରିଏନ୍ ଏବଂ ରାମଦାସ ଅଠାୱଲେ।
ସବୁଠାରୁ ଚର୍ଚ୍ଚାର ବିଷୟ ହେଉଛି, ହରଦୀପ ସିଂହ ପୁରୀ ଓ ବି.ଏଲ୍. ବର୍ମାଙ୍କ କାର୍ଯ୍ୟକାଳ ଆସନ୍ତା ନଭେମ୍ବରରେ ଶେଷ ହେଉଥିବା ବେଳେ ପୁରୀଙ୍କ ବୟସ ୭୫ ବର୍ଷ ଛୁଇଁବାକୁ ଯାଉଛି। ବିଜେପିର ‘ମାର୍ଗଦର୍ଶକ ମଣ୍ଡଳୀ’ ନୀତି ଅନୁଯାୟୀ, ୭୫ ବର୍ଷରୁ ଅଧିକ ବୟସର ନେତାଙ୍କୁ ସକ୍ରିୟ ପ୍ରଶାସନିକ ପଦବୀରୁ ଦୂରେଇ ରଖାଯାଏ। ଏଭଳି ସ୍ଥିତିରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ମନ୍ତ୍ରିମଣ୍ଡଳରେ ବଡ଼ ଧରଣର ଅଦଳବଦଳ ହେବାର ସଙ୍କେତ ମିଳୁଛି। ରଭନୀତ ବିଟ୍ଟୁ ଓ ଜର୍ଜ କୁରିଏନ୍ଙ୍କ ଭଳି ଯୁବ ଚେହେରାଙ୍କୁ ପୁଣିଥରେ ସୁଯୋଗ ମିଳିବ କି ନାହିଁ, ତାହା ମଧ୍ୟ ରାଜ୍ୟସଭା ନିର୍ବାଚନର ଫଳାଫଳ ଉପରେ ନିର୍ଭର କରେ।
ବିଜେପିର ବଢ଼ୁଛି ଦବଦବା
୭୧ଟି ଖାଲି ପଡ଼ିବାକୁ ଥିବା ଆସନ ମଧ୍ୟରୁ ୩୦ଟି ଏବେ ଶାସକ ବିଜେପି ହାତରେ ଅଛି। ବର୍ତ୍ତମାନ ଉଚ୍ଚ ସଦନରେ ବିଜେପିର ସଦସ୍ୟ ସଂଖ୍ୟା ୧୦୩। ଯଦି ଆଗାମୀ ନିର୍ବାଚନରେ ବିଜେପି ଏବଂ ତା’ର ସହଯୋଗୀ ଦଳଗୁଡ଼ିକ ଅଧିକ ଆସନ ଜିତନ୍ତି, ତେବେ ଗୁରୁତ୍ୱପୂର୍ଣ୍ଣ ବିଲ୍ ପାସ୍ କରିବା ପାଇଁ ସରକାରଙ୍କୁ ଆଉ ବିରୋଧୀଙ୍କ ଦୟା ଉପରେ ନିର୍ଭର କରିବାକୁ ପଡ଼ିବ ନାହିଁ। ଅନ୍ୟପଟେ କଂଗ୍ରେସର ମଲ୍ଲିକାର୍ଜୁନ ଖଡଗେଙ୍କ ଭଳି ହେଭିୱେଟ୍ ନେତାଙ୍କ ସମେତ ୮ ଜଣ ସଦସ୍ୟ ଅବସର ନେଉଥିବାରୁ ବିରୋଧୀ ଶିବିର ଏକ ପ୍ରକାର ଦୁର୍ବଳ ହେବାର ଆଶଙ୍କା ରହିଛି।
ବିଏସପି ପାଇଁ ଐତିହାସିକ ସଙ୍କଟ ଓ ମାୟାବତୀଙ୍କ ରାଜନୀତି

ଭାରତୀୟ ରାଜନୀତିର ସବୁଠାରୁ ବଡ଼ ଖବର ହେଉଛି ବହୁଜନ ସମାଜ ପାର୍ଟି (ବିଏସପି)ର ସ୍ଥିତି। ୧୯୮୪ରେ ଦଳ ଗଠନ ହେବା ପରଠାରୁ ୧୯୮୯ରୁ ନିରନ୍ତର ସଂସଦରେ ବିଏସପିର ପ୍ରତିନିଧିତ୍ୱ ରହିଆସିଛି। ମାତ୍ର ଚଳିତ ବର୍ଷ ରାଜ୍ୟସଭା ନିର୍ବାଚନ ପରେ ମାୟାବତୀଙ୍କ ଦଳ ଶୂନ୍ୟ ସଂଖ୍ୟାକୁ ଖସି ଆସିବ। ଲୋକସଭାରେ ପୂର୍ବରୁ କୌଣସି ସାଂସଦ ନ ଥିବାବେଳେ ଏବେ ଉଚ୍ଚ ସଦନରୁ ମଧ୍ୟ ଦଳ ନିଶ୍ଚିହ୍ନ ହେବାକୁ ଯାଉଛି। ଦଳିତ ରାଜନୀତିର ଏହି ମହାନାୟିକାଙ୍କ ପାଇଁ ଏହା ଏକ ଶକ୍ତ ଧକ୍କା ଏବଂ ଭବିଷ୍ୟତ ପାଇଁ ଏକ ବଡ଼ ପ୍ରଶ୍ନବାଚୀ। ଉତ୍ତର ପ୍ରଦେଶରୁ ଅବସର ନେଉଥିବା ସର୍ବାଧିକ ସଂଖ୍ୟକ ସାଂସଦ, ବିଜେପିରୁ ଅଛନ୍ତି, ଏହି ସାଂସଦମାନଙ୍କ ମଧ୍ୟରୁ ଆଠଜଣ, ସମାଜବାଦୀ ପାର୍ଟି ଏବଂ ବିଏସପିରୁ ଜଣେ ଲେଖାଏଁ। ବର୍ତ୍ତମାନର ସଂଖ୍ୟା ଆଧାରରେ, ବିଜେପିର ସାତଜଣ, ଏହାର ପ୍ରତ୍ୟେକ ସହଯୋଗୀ ଦଳର ଜଣେ ଏବଂ ସମାଜବାଦୀ ପାର୍ଟିରୁ ଦୁଇଜଣ ନିର୍ବାଚିତ ହେବାର ଆଶା କରାଯାଉଛି।
ବିଜେଡି ଓ ଆଞ୍ଚଳିକ ଦଳଙ୍କ ଚିନ୍ତା

ଓଡ଼ିଶାର ଶାସକ ଦଳରୁ ବିରୋଧୀ ଆସନକୁ ଆସିଥିବା ବିଜୁ ଜନତା ଦଳ ପାଇଁ ମଧ୍ୟ ଏହି ନିର୍ବାଚନ ଶୁଭଙ୍କର ମନେ ହେଉନାହିଁ। ରିପୋର୍ଟ ଅନୁଯାୟୀ, ରାଜ୍ୟସଭାରେ ବିଜେଡିର ସାଂସଦ ସଂଖ୍ୟା ହ୍ରାସ ପାଇ ୬କୁ ଖସି ଆସିପାରେ। ଯଦି ଏହା ହୁଏ, ତେବେ ଜାତୀୟ ରାଜନୀତିରେ ଓଡ଼ିଶାର ସ୍ୱର ଏବଂ ବିଜେଡିର ମଧ୍ୟ ଶକ୍ତି କମିଯିବ। ପଶ୍ଚିମବଙ୍ଗରୁ ଟିଏମସି ଏବଂ ତାମିଲନାଡୁରୁ ଡିଏମକେ ମଧ୍ୟ ନିଜର ସ୍ଥିତି ବଞ୍ଚାଇବାକୁ ସଂଘର୍ଷ କରିବେ।
![]()
୨୦୨୬ର ଏହି ରାଜ୍ୟସଭା ନିର୍ବାଚନ କେବଳ ସାଂସଦ ମନୋନୟନର ପର୍ବ ନୁହେଁ, ବରଂ ଏହା ମୋଦୀ ସରକାରଙ୍କ ଦ୍ୱିତୀୟ ପାଳିର ଶେଷ ଭାଗରେ ଶକ୍ତି ପ୍ରଦର୍ଶନର ଏକ ମାଧ୍ୟମ। ବିରୋଧୀଙ୍କ ଶକ୍ତି ହ୍ରାସ ଓ ବିଜେପିର ଆଧିପତ୍ୟ ବୃଦ୍ଧି ହେଲେ ସଂସଦର କାର୍ଯ୍ୟଧାରାରେ ଅଧିକ ଦ୍ରୁତତା ଆସିପାରେ, କିନ୍ତୁ ବିଏସପି ଭଳି ଏକ ରାଷ୍ଟ୍ରୀୟ ଦଳର ‘ଶୂନ୍ୟ’ ସ୍ଥିତି ଗଣତନ୍ତ୍ରର ବହୁବିଧ ସ୍ୱର ପାଇଁ ଏକ ଚିନ୍ତାର ବିଷୟ।
ଶକ୍ତିଶାଳୀ ସରକାର ନା ଦୁର୍ବଳ ବିରୋଧୀ?
ରାଜ୍ୟସଭାରେ ବିଜେପିର ଶକ୍ତିବୃଦ୍ଧି କ’ଣ ଗଣତନ୍ତ୍ର ପାଇଁ ଭଲ?
ନା —
• ବିରୋଧୀ ଶୂନ୍ୟ ଏକ ସଂସଦ
• ବିରୋଧୀ ବିହୀନ ସରକାର
• ଓ ନୀତିଗତ ତର୍କର ଅଭାବ
ଭାରତୀୟ ଗଣତନ୍ତ୍ର ପାଇଁ ପ୍ରକୃତ ପ୍ରଶ୍ନ ଏଠି—
ଶକ୍ତିଶାଳୀ ସରକାର ଦରକାର, କିନ୍ତୁ ତାହାକୁ ପ୍ରଶ୍ନ କରିବା ଶକ୍ତିଶାଳୀ ବିରୋଧୀ ନ ଥିଲେ—ସେ ଶକ୍ତି କାହା ପାଇଁ?
also read https://purvapaksa.com/did-congress-take-donations-from-businessmen-instead-of-work/


