“ସଂସ୍ଥାନଗୁଡ଼ିକରେ ସଂସ୍କାର କେବେ ହେଲେ ହଠାତ୍ ଆସେନାହିଁ। ଏହା ସେତେବେଳେ ସମ୍ଭବ ହୁଏ, ଯେତେବେଳେ ଜଣେ ସାହସୀ ବ୍ୟକ୍ତି ଅନ୍ୟାୟ ବିରୋଧରେ ଚୁପ୍ ନ ରହି ପ୍ରତିବାଦ କରିବାକୁ ନିଷ୍ପତ୍ତି ନିଏ।” ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ (X) ରେ ୧୯୭୯ ମସିହାର ଏକ ପୁରୁଣା ଖବରକାଗଜର କ୍ଲିପିଂ ସେୟାର କରି ଏଭଳି କିଛି ଭାବପୂର୍ଣ୍ଣ କଥା ଲେଖିଛନ୍ତି ଭାରତର ପୂର୍ବତନ ବୈଦେଶିକ ସଚିବ ତଥା ବୈଦେଶିକ ମନ୍ତ୍ରଣାଳୟର ପ୍ରଥମ ମହିଳା ମୁଖପାତ୍ର ନିରୁପମା ମେନନ୍ ରାଓ।

ଭାରତୀୟ ବୈଦେଶିକ ସେବା (IFS) ଇତିହାସର ଏହି ଗୁରୁତ୍ୱପୂର୍ଣ୍ଣ ମୋଡ଼କୁ ମନେ ପକାଇ ସେ ଦେଶର ପ୍ରଥମ ମହିଳା ଆଇଏଫଏସ୍ ଅଧିକାରୀ ରାଜଦୂତ ସି.ବି. ମୁଥାମ୍ମାଙ୍କ ସଂଘର୍ଷର କାହାଣୀ ବୟାନ କରିଛନ୍ତି। ନିରୁପମା ରାଓଙ୍କ ଏହି ପୋଷ୍ଟକୁ କଂଗ୍ରେସର ବରିଷ୍ଠ ନେତା ଶଶି ଥରୁର ମଧ୍ୟ ରି-ପୋଷ୍ଟ କରିଛନ୍ତି।
କ’ଣ ଥିଲା ଏହି ଐତିହାସିକ ମାମଲା ?
୧୯୭୯ ମସିହାରେ ରାଜଦୂତ ସି.ବି. ମୁଥାମ୍ମା ସମସ୍ତ ଯୋଗ୍ୟତା ଥାଇ ମଧ୍ୟ କେବଳ ମହିଳା ହୋଇଥିବାରୁ ତାଙ୍କୁ ‘ଗ୍ରେଡ୍-ୱାନ୍’ ପଦବୀକୁ ପଦୋନ୍ନତି ଦିଆଯାଇନଥିଲା। ଏହି ଲିଙ୍ଗଗତ ବୈଷମ୍ୟ ବିରୋଧରେ ସେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ସେତେବେଳେ ସରକାରୀ ଚାକିରିର ନିୟମ ଅନୁସାରେ ମହିଳାମାନଙ୍କୁ ବିବାହ ପରେ ଚାକିରି ଛାଡ଼ିବାକୁ ପଡ଼ୁଥିଲା କିମ୍ବା ଅନୁମତି ନେବାକୁ ହେଉଥିଲା, ଯାହା ପୁରୁଷମାନଙ୍କ ପାଇଁ ଲାଗୁ ନଥିଲା।
A yellowing newspaper clipping from @the_hindu from September 1979 recalls a landmark moment in the history of the Indian Foreign Service.
This report records the Supreme Court’s judgment in the case brought by Ambassador C.B. Muthamma after she was denied promotion to Grade I… pic.twitter.com/29aM3ZrGp7
— Nirupama Menon Rao 🇮🇳 (@NMenonRao) July 3, 2026
ସୁପ୍ରିମକୋର୍ଟ ଏହି ମାମଲାର ଶୁଣାଣି କରି ବୈଦେଶିକ ସେବା ନିୟମକୁ କଡ଼ା ସମାଲୋଚନା କରିଥିଲେ। କୋର୍ଟ କହିଥିଲେ ଯେ, ଏହି ନିୟମ ହେଉଛି “ଲିଙ୍ଗଗତ ବୈଷମ୍ୟର ଏକ କଳଙ୍କ”। ଏହା ସହିତ ସୁପ୍ରିମକୋର୍ଟ ସରକାରଙ୍କୁ ଚେତାଇ ଦେଇ କହିଥିଲେ, “ସମାନ ସୁଯୋଗ ପାଇବା ହେଉଛି ଏକ ସାମ୍ବିଧାନିକ ଗ୍ୟାରେଣ୍ଟି, କୌଣସି ଦୟା ବା ଅନୁଗ୍ରହ ନୁହେଁ।”
ଆମେ ସି.ବି. ମୁଥାମ୍ମାଙ୍କ ନିକଟରେ ଋଣୀ: ନିରୁପମା ରାଓ
ନିରୁପମା ରାଓ କହିଛନ୍ତି, “ଏହି ଐତିହାସିକ ରାୟ ଆସିବାର କିଛି ବର୍ଷ ପୂର୍ବରୁ ହିଁ ମୁଁ ଭାରତୀୟ ବୈଦେଶିକ ସେବାରେ ଯୋଗ ଦେଇଥିଲି। ଆମ ସମୟର ସମସ୍ତ ମହିଳା ଅଧିକାରୀଙ୍କ ପାଇଁ ଏହା ଏକ ବଡ଼ ପରିବର୍ତ୍ତନ ଆଣିଥିଲା। ଆମେ ସମସ୍ତେ ସି.ବି. ମୁଥାମ୍ମାଙ୍କ ନିକଟରେ ଋଣୀ, ଯାହାଙ୍କ ସାହସ ଆଜି ମହିଳାମାନଙ୍କ ପାଇଁ କାର୍ଯ୍ୟକ୍ଷେତ୍ରର ପରିବେଶକୁ ବଦଳାଇ ଦେଇଛି।”
କିଏ ଏହି ସି.ବି. ମୁଥାମ୍ମା ?

କୋନିରା ବେଲିୟପ୍ପା ମୁଥାମ୍ମା (୧୯୨୪-୨୦୦୯) ଥିଲେ ଭାରତର ପ୍ରଥମ ମହିଳା, ଯିଏ ସିଭିଲ୍ ସେବା ପରୀକ୍ଷା ଉତ୍ତୀର୍ଣ୍ଣ ହୋଇଥିଲେ ଏବଂ ୧୯୪୯ ମସିହାରେ ଆଇଏଫଏସ୍ (IFS) ରେ ଯୋଗ ଦେଇଥିଲେ। ସେ ହଙ୍ଗେରୀ, ଘାନା ଏବଂ ନେଦରଲ୍ୟାଣ୍ଡ ଭଳି ଦେଶରେ ଭାରତର ରାଜଦୂତ ଭାବେ ସଫଳତାର ସହ କାର୍ଯ୍ୟ କରିଥିଲେ।
ସେହିପରି ଟ୍ୱିଟ୍ କରିଥିବା ନିରୁପମା ମେନନ୍ ରାଓ ୧୯୭୩ ବ୍ୟାଚର ଜଣେ ବରିଷ୍ଠ କୂଟନୀତିଜ୍ଞ। ସେ ଭାରତର ବୈଦେଶିକ ସଚିବ ରହିବା ସହ ଶ୍ରୀଲଙ୍କା, ଚୀନ୍ ଏବଂ ଆମେରିକାରେ ଭାରତର ରାଜଦୂତ ଭାବେ ମଧ୍ୟ ଦାୟିତ୍ୱ ତୁଲାଇଛନ୍ତି।
Also read : https://purvapaksa.com/nia-files-full-chargesheet-against-lashkar-chief-hafiz-saeed-in-pahalgam-attack/


