ଆଉ କେତେଦିନ? ଏ ପ୍ରଶ୍ନ ଆଜି ସାଢ଼େ ଚାରି କୋଟି ଓଡ଼ିଆଙ୍କ ମନରେ ଉଠୁଛି। ଓଡ଼ିଶାର ଗୋଟିଏ ତଥା ଏକମାତ୍ର ସାର୍ବଜନୀନ ପର୍ବ, ଯାହାକୁ ଦେଖିବା ପାଇଁ ସମଗ୍ର ବିଶ୍ୱବାସୀ ବର୍ଷସାରା ଅନାଇ ବସିଥାନ୍ତି, ସେ ହେଉଛି ଆମ କାଳିଆ ସାଆନ୍ତଙ୍କ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା। ରଥଯାତ୍ରା ଆଜି ସମଗ୍ର ବିଶ୍ୱରେ ପାଳନ ହେଉଛି ସତ, କିନ୍ତୁ ଆଧ୍ୟାତ୍ମିକତାର ମୂଳକେନ୍ଦ୍ର ପୁରୀ ବଡ଼ଦାଣ୍ଡ ଉପରେ ହିଁ ସାରା ଦୁନିଆର ନଜର ଥାଏ। ତେଣୁ ଏହି ମହାପର୍ବକୁ ସୁରକ୍ଷିତ, ଶୃଙ୍ଖଳିତ ଏବଂ ଭକ୍ତିପୂର୍ଣ୍ଣ ଭାବରେ ସମ୍ପନ୍ନ କରିବା ଯେକୌଣସି ଗଣତାନ୍ତ୍ରିକ ସରକାରଙ୍କର ପ୍ରଥମ ଏବଂ ପରମ ଦାୟିତ୍ୱ।
କିନ୍ତୁ ଆଜି ଓଡ଼ିଶାର ସ୍ଥିତି କଣ? ଯେଉଁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସେବା ଓ ଶ୍ରୀମନ୍ଦିର ଅବ୍ୟବସ୍ଥାର ଦୁହାଇ ଦେଇ, ବିଜେପି ଗତ ନିର୍ବାଚନରେ ବିଜେଡିକୁ କ୍ଷମତାରୁ ଦୂରେଇ ଦେଇଥିଲା, ଆଜି ସେହି ବିଜେପି ଜଗନ୍ନାଥ ସେବା ଏବଂ ସୁରକ୍ଷା କ୍ଷେତ୍ରରେ ନିଜକୁ ସମ୍ପୂର୍ଣ୍ଣ ଅଯୋଗ୍ୟ ଓ ଭରସାହୀନ ବୋଲି ପ୍ରମାଣିତ କରିଛି। ଗୋଟିଏ କି ଦୁଇଟି ନୁହେଁ, ପରପର ୩ଟି ରଥଯାତ୍ରା ପରିଚାଳନାର ସୁଯୋଗ ପାଇ ମଧ୍ୟ ରାଜ୍ୟ ସରକାର ଲଗାତାର ବିଫଳ ହୋଇଛନ୍ତି।
ବର୍ତ୍ତମାନର ସ୍ଥିତି ଏପରି ହୋଇଛି ଯେ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ କ୍ୟାବିନେଟ୍ରେ ଥିବା ମନ୍ତ୍ରୀମାନେ ନିଜ ନିଜ ବିଭାଗ ସମ୍ଭାଳିବାରେ ସମ୍ପୂର୍ଣ୍ଣ ଫେଲ୍ ମାରିଛନ୍ତି। ଅଫିସରମାନେ ମନ୍ତ୍ରୀଙ୍କୁ ମାନୁନାହାନ୍ତି, ମନ୍ତ୍ରୀମାନେ ମୁଖ୍ୟମନ୍ତ୍ରୀଙ୍କୁ ଖାତିର କରୁନାହାନ୍ତି, ଆଉ ମୁଖ୍ୟମନ୍ତ୍ରୀ ନିଜେ ଦିଲ୍ଲୀର ରିମୋଟ୍ କଣ୍ଟ୍ରୋଲ୍ରେ ଚାଲୁଛନ୍ତି।
ଶ୍ରୀମନ୍ଦିର ଓ ରଥଯାତ୍ରା ବିପର୍ଯ୍ୟୟ – ଆଇନମନ୍ତ୍ରୀଙ୍କ ମହାରାଜା ମନୋଭାବ
ସବୁଠାରୁ ବଡ଼ ପ୍ରହାର ଲାଗିଛି ଆମ ଆସ୍ଥା ଉପରେ, ଆମ ମହାପ୍ରଭୁଙ୍କ ସେବା ଉପରେ। ବିଜେପି ସରକାର ଆସିବା ପରଠାରୁ ୩ଟି ରଥଯାତ୍ରା କେବଳ ଅଘଟଣର ପେଡ଼ି ପାଲଟିଛି।
• ୨୦୨୪ ରଥଯାତ୍ରା: ବଡ଼ ଠାକୁର ବଳଭଦ୍ରଙ୍କ ପହଣ୍ଡି ସମୟରେ ଚାରମାଳରୁ ଖସିପଡ଼ିବା ଘଟଣା କୋଟି ଓଡ଼ିଆଙ୍କୁ କାନ୍ଦିବାକୁ ବାଧ୍ୟ କରିଥିଲା। ସେହି ବର୍ଷ ଠେଲାପେଲାରେ ୨ ଜଣଙ୍କ ଜୀବନ ଯାଇଥିଲା।
• ତା’ ପର ବର୍ଷ: ପୂର୍ବ ବର୍ଷର ଘଟଣାରୁ ସରକାର କିଛି ଚେତିଲେ ନାହିଁ। ଫଳରେ ରଥଯାତ୍ରା ପରଦିନ ଭୋର ସମୟରେ ଭକ୍ତଙ୍କ ଉପରେ ଚାରମାଳ ଭର୍ତ୍ତି ଟ୍ରକ ଚଢ଼ିଯିବାରୁ ୩ ଜଣଙ୍କ ମୃତ୍ୟୁ ଘଟିଲା ଏବଂ ୫୦ରୁ ଅଧିକ ଆହତ ହେଲେ।
• ଚଳିତ ବର୍ଷ: ମହାପ୍ରଭୁ ବିନା ଟାହିଆରେ ରଥାରୁଢ଼ ହେଲେ, ୨ ଜଣ ଭକ୍ତଙ୍କ ଜୀବନ ଗଲା ଏବଂ ଶତାଧିକ ଆହତ ହେଲେ।
ଏହି ସବୁ ବିପର୍ଯ୍ୟୟ ପାଇଁ ଦାୟୀ କିଏ? ଦାୟୀ ହେଉଛନ୍ତି ରାଜ୍ୟର ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ଯାହାଙ୍କ ଅଧୀନରେ ଶ୍ରୀମନ୍ଦିର ପ୍ରଶାସନ ଆସୁଛି। ମହାପ୍ରଭୁଙ୍କ ରଥଯାତ୍ରା ପରିଚାଳନା ଭଳି ଏକ ସମ୍ବେଦନଶୀଳ ପ୍ରସଙ୍ଗରେ ଆଇନମନ୍ତ୍ରୀଙ୍କ ମନୋଭାବ ଅତ୍ୟନ୍ତ ଖିଆଲି ଏବଂ ଜଣେ ଅହଂକାରୀ ମହାରାଜା ଭଳି ଦେଖାଯାଉଛି। ଭକ୍ତଙ୍କ ମୃତ୍ୟୁ ହେଉଛି, ସେବାୟତଙ୍କ ମଧ୍ୟରେ ଅସନ୍ତୋଷ ବଢ଼ୁଛି, ନୀତିକାନ୍ତିରେ ବିଭ୍ରାଟ ଘଟୁଛି, କିନ୍ତୁ ଆଇନମନ୍ତ୍ରୀ ନିଜ ଜିଦ୍ ଏବଂ ଅହଂକାରରେ ଚୁର୍। ସେ କୌଣସି ପରାମର୍ଶ ଶୁଣିବାକୁ ପ୍ରସ୍ତୁତ ନାହାନ୍ତି। ମହାପ୍ରଭୁଙ୍କ ସେବାକୁ ସେ ନିଜର ରାଜନୈତିକ ଜାଗିର ଭାବି ବସିଛନ୍ତି, ଯାହା ସାରା ବିଶ୍ୱରେ ଥିବା ଜଗନ୍ନାଥ ପ୍ରେମୀଙ୍କୁ ଗଭୀର ଆଘାତ ଦେଇଛି।
ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ଦାୟିତ୍ୱହୀନତା
ରାଜ୍ୟର ଜଣେ ମହିଳା ଉପମୁଖ୍ୟମନ୍ତ୍ରୀ ଅଛନ୍ତି – ପ୍ରଭାତୀ ପରିଡ଼ା। ମହିଳା ଓ ଶିଶୁ ବିକାଶ ଏବଂ ପର୍ଯ୍ୟଟନ ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗ ତାଙ୍କ ହାତରେ ଅଛି। କିନ୍ତୁ ତାଙ୍କର କାର୍ଯ୍ୟକଳାପ ଦେଖିଲେ ଜଣାପଡ଼େ, ସେ ଦାୟିତ୍ୱ କଣ ବୋଲି ବୁଝିନାହାନ୍ତି। ରାଜ୍ୟରେ ମହିଳାଙ୍କ ସୁରକ୍ଷା ବିପର୍ଯ୍ୟସ୍ତ, ପର୍ଯ୍ୟଟନ କ୍ଷେତ୍ରରେ କୌଣସି ନୂଆ ନୀତି ନାହିଁ।ଉପମୁଖ୍ୟମନ୍ତ୍ରୀ କେବଳ ପ୍ରଚାର, ଫଟୋ ସେସନ ଏବଂ ଦାୟିତ୍ୱହୀନ ମନ୍ତବ୍ୟ ଦେବାରେ ବ୍ୟସ୍ତ।
ଯେତେବେଳେ ରାଜ୍ୟରେ ଶାସନଗତ ସଂକଟ ଦେଖାଦେଉଛି, ସେତେବେଳେ ଜଣେ ଉପମୁଖ୍ୟମନ୍ତ୍ରୀ ଭାବେ ନେତୃତ୍ୱ ନେବା ପରିବର୍ତ୍ତେ ସେ ସମ୍ପୂର୍ଣ୍ଣ ନିଷ୍କ୍ରିୟ ହୋଇ ବସି ରହୁଛନ୍ତି। ତାଙ୍କ ବିଭାଗର ଅଫିସରମାନେ ସମ୍ପୂର୍ଣ୍ଣ ସ୍ଵେଚ୍ଛାଚାରୀ ସାଜିଛନ୍ତି, କିନ୍ତୁ ମାଡାମ ସାହେବା ନିଜ ଦୁନିଆରେ ମସ୍ତ। ଏହା କଣ ମହିଳା ସଶକ୍ତୀକରଣର ନମୁନା?
ପୁରୀ ହେଉଛି ତାଙ୍କ ନିଜ ଜିଲ୍ଲା। ସେହି ଜିଲ୍ଲାରେ ଶ୍ରୀଜଗନ୍ନାଥଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରାରେ ବାରମ୍ବାର ବ୍ୟାଘାତ ହେଉଛି, କିନ୍ତୁ ସେ ଚୁପ।
ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ବେପରୁଆ ମନ୍ତବ୍ୟ
ଆସନ୍ତୁ ଜାଣିବା ଆମ ରାଜ୍ୟର ସ୍ୱାସ୍ଥ୍ୟସେବା ବିଷୟରେ। ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ। ଓଡ଼ିଶାର ଗ୍ରାମାଞ୍ଚଳରେ ଡାକ୍ତରଖାନା ଗୁଡ଼ିକର ଅବସ୍ଥା ଆଜି କାହାରିକୁ ଅଛପା ନାହିଁ। କେଉଁଠି ଖଟିଆ ନାହିଁ ତ କେଉଁଠି ଡାକ୍ତର ନାହାନ୍ତି। ରଥଯାତ୍ରା ସମୟରେ ଯେତେବେଳେ ଶତାଧିକ ଭକ୍ତ ଆହତ ହେଲେ ଏବଂ ଚିକିତ୍ସା ପାଇଁ ଡହଳବିକଳ ହେଲେ, ସେତେବେଳେ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସମ୍ବେଦନହୀନ ଓ ବେପରୁଆ ମନ୍ତବ୍ୟ ସବୁ ସୀମା ପାର୍ କରିଗଲା।
ଡାକ୍ତରଖାନାରେ ଜରୁରୀକାଳୀନ ବ୍ୟବସ୍ଥା ନଥାଇ, ଭକ୍ତଙ୍କ ମୃତ୍ୟୁକୁ ସାଧାରଣ ଘଟଣା ବୋଲି ଦର୍ଶାଇ ସେ ଯେଉଁ ବେପରୁଆ ବୟାନ ଦେଲେ, ତାହା ତାଙ୍କର ଅପରିପକ୍ଵତା ଓ ଦାୟିତ୍ୱହୀନତାକୁ ପ୍ରମାଣିତ କରୁଛି। ସ୍ୱାସ୍ଥ୍ୟ ବିଭାଗ ଏବେ ଭଗବାନଙ୍କ ଭରସାରେ ଚାଲିଛି, ଆଉ ମନ୍ତ୍ରୀ ମହୋଦୟ କେବଳ କାଗଜପତ୍ରରେ ରିପୋର୍ଟ ମାଗିବାରେ ବ୍ୟସ୍ତ ଅଛନ୍ତି।
ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀଙ୍କ ରିପୋର୍ଟ କାର୍ଡ – ବିଭାଗ ସମ୍ଭାଳିବାରେ ଫେଲ୍
ଓଡ଼ିଶାର ଭବିଷ୍ୟତ ଗଢ଼ିବା ଦାୟିତ୍ୱ ଯେଉଁ ବିଭାଗ ଉପରେ, ତାହାର ଅବସ୍ଥା ଦେଖନ୍ତୁ। ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନତ୍ୟାନନ୍ଦ ଗଣ୍ଡ ନିଜ ବିଭାଗକୁ ସମ୍ଭାଳିବାରେ ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି। ଶିକ୍ଷକମାନେ ରାଜପଥରେ ଆନ୍ଦୋଳନ କରୁଛନ୍ତି, ସ୍କୁଲଗୁଡ଼ିକରେ ଭିତ୍ତିଭୂମିର ଅଭାବ ରହିଛି, ନୂଆ ଶିକ୍ଷା ବର୍ଷ ଆରମ୍ଭ ହେଲେ ବି ଅନେକ ସ୍ଥାନରେ ବହିପତ୍ର ମିଳୁନାହିଁ।
ମନ୍ତ୍ରୀ ମହୋଦୟଙ୍କର ପ୍ରଶାସନିକ ଅଧିକାରୀଙ୍କ ଉପରେ କୌଣସି ନିୟନ୍ତ୍ରଣ ନାହିଁ। ସଚିବାଳୟର ବ୍ୟୁରୋକ୍ରାଟ୍ମାନେ ଯାହା ନିଷ୍ପତ୍ତି ନେଉଛନ୍ତି, ମନ୍ତ୍ରୀ କେବଳ ସେଥିରେ ଦସ୍ତଖତ କରୁଛନ୍ତି। ଶିକ୍ଷା ବ୍ୟବସ୍ଥାରେ ଏଭଳି ଅରାଜକତା ଓଡ଼ିଶାର ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ଅନ୍ଧାର ଭିତରକୁ ଠେଲି ଦେଉଛି।
ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଓ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ‘ଗୋଡ଼ାଣିଆ’ ମନୋଭାବ
ଏବେ ଆସନ୍ତୁ ସବୁଠାରୁ ଚର୍ଚ୍ଚିତ ଚେହେରା – ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ପାଖକୁ। ଯୁବ ନେତା, ବଡ଼ ବଡ଼ ଆଶା ଦେଖାଇ ଜିତିଥିଲେ। କିନ୍ତୁ ଓଡ଼ିଶାର ଉଚ୍ଚଶିକ୍ଷା ବିଭାଗ, ବିଶ୍ୱବିଦ୍ୟାଳୟଗୁଡ଼ିକର ସମସ୍ୟା ସମାଧାନ କରିବା ଅପେକ୍ଷା ସୂରଜ ବାବୁଙ୍କର ସାରା ସମୟ କେଉଁଠି କଟିଥାଏ ଜାଣନ୍ତି? କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପଛରେ।
ଧର୍ମେନ୍ଦ୍ର ପ୍ରଧାନଙ୍କ ଗୋଡ଼ ପଛେ ପଛେ ବୁଲିବା, ତାଙ୍କ ସହ ଗୋଡ଼ାଣିଆ ଏବଂ ଚାଟୁକାରିତା ମନୋଭାବ ରଖିବା ହିଁ ସୂରଜ ବାବୁଙ୍କର ମୁଖ୍ୟ କାମ ପାଲଟିଛି। ଧର୍ମେନ୍ଦ୍ର ବାବୁ ଓଡ଼ିଶା ଆସିଲେ ଉଚ୍ଚଶିକ୍ଷା ମନ୍ତ୍ରୀ ନିଜ ବିଭାଗ ଛାଡ଼ି ତାଙ୍କ ସେବାରେ ଲାଗିଯାନ୍ତି। ରାଜ୍ୟର ସ୍ୱାଭିମାନୀ ଯୁବ ମନ୍ତ୍ରୀ ଯଦି ଦିଲ୍ଲୀର ଜଣେ ନେତାଙ୍କ ସାମ୍ନାରେ ଏଭଳି ନତମସ୍ତ ହେବେ, ତେବେ ସେ ଓଡ଼ିଶାର ଉଚ୍ଚଶିକ୍ଷାକୁ କଣ ସ୍ୱାଧୀନ ଭାବେ ଆଗକୁ ନେବେ? ଏଭଳି ଚାଟୁକାରିତା ଯୋଗୁଁ ଆଜି ଓଡ଼ିଶାର ଉଚ୍ଚଶିକ୍ଷା ବ୍ୟବସ୍ଥା ନିମ୍ନଗାମୀ ହେବାରେ ଲାଗିଛି।
ପରିବହନ ମନ୍ତ୍ରୀ ବିଭୂତି ଜେନାଙ୍କ ସମ୍ପୂର୍ଣ୍ଣ ବିଫଳତା
ସେହିପରି ଆଉ ଜଣେ ମନ୍ତ୍ରୀ ହେଉଛନ୍ତି ପରିବହନ ମନ୍ତ୍ରୀ ବିଭୂତି ଜେନା। ରଥଯାତ୍ରା ସମୟରେ ପୁରୀକୁ ଯାତାୟାତ ବ୍ୟବସ୍ଥା ଏବଂ ଟ୍ରାଫିକ ପରିଚାଳନା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡ଼ିଥିଲା। ଭକ୍ତମାନେ ଘଣ୍ଟା ଘଣ୍ଟା ଧରି ରାସ୍ତାରେ ଫସି ରହିଲେ। ଗତବର୍ଷ ରଥଯାତ୍ରା ସମୟରେ ଭକ୍ତଙ୍କ ଉପରେ ଚାରମାଳ ବୋଝେଇ ଟ୍ରକ ଚଢ଼ିଯିବା ଘଟଣା ପରିବହନ ବିଭାଗର ସବୁଠାରୁ ବଡ଼ ବିଫଳତା ଥିଲା। ସୁରକ୍ଷା ଯାଞ୍ଚ ନ କରି କେମିତି ଏକ ବଡ଼ ଗାଡ଼ି ଭିଡ଼ ଭିତରକୁ ପଶିଗଲା, ତାର ଜବାବ ଆଜି ପର୍ଯ୍ୟନ୍ତ ବିଭୂତି ଜେନା ଦେଇପାରି ନାହାନ୍ତି। ରାଜ୍ୟରେ ସଡ଼କ ସୁରକ୍ଷା ଠାରୁ ଆରମ୍ଭ କରି ପରିବହନ ବ୍ୟବସ୍ଥା ସବୁଠି ଫେଲ୍ ମାରିଛନ୍ତି ଏହି ମନ୍ତ୍ରୀ।
ରାଜ୍ୟ ପ୍ରଶାସନର ଅସଲ ଚିତ୍ର: ଦିଲ୍ଲୀର ରିମୋଟ୍ କଣ୍ଟ୍ରୋଲ୍ ଓ ମୋହନ ମାଝୀଙ୍କ ଅସହାୟତା
ଏତେ ସବୁ ବିଫଳତା ପରେ ବି ରାଜ୍ୟରେ କୌଣସି କାର୍ଯ୍ୟାନୁଷ୍ଠାନ କାହିଁକି ହେଉନାହିଁ? କାହିଁକି ଏହି ଅଯୋଗ୍ୟ ମନ୍ତ୍ରୀମାନଙ୍କୁ ପଦରୁ ହଟାଯାଉ ନାହିଁ? ଏହାର ଉତ୍ତର ହେଉଛି— ଏହି ମନ୍ତ୍ରୀମାନଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଯୁକ୍ତ କରିନାହାନ୍ତି, ଏମାନଙ୍କୁ ଦିଲ୍ଲୀର କେନ୍ଦ୍ରୀୟ ନେତୃତ୍ୱ ଓଡ଼ିଶା ଉପରେ ଲଦି ଦେଇଛନ୍ତି।
ଏତେ ବଡ଼ ବିଫଳତା ପରେ ବି ବିଜେପିର କେନ୍ଦ୍ରୀୟ ନେତୃତ୍ୱ ରାଜ୍ୟର ମନ୍ତ୍ରିମଣ୍ଡଳରେ ପରିବର୍ତ୍ତନ କରିବା ପାଇଁ ଅନୁମତି ଦେଉନାହାନ୍ତି। ଯାହାଫଳରେ ମନ୍ତ୍ରୀମାନେ ବେପରୁଆ ହୋଇ ମୁଖ୍ୟମନ୍ତ୍ରୀଙ୍କୁ ଆଦୌ ମାନୁ ନାହାନ୍ତି କି କୌଣସି କଥାରେ ଉତ୍ତରଦାୟୀ ହେଉ ନାହାନ୍ତି। ତେଣୁ ରାଜ୍ୟବାସୀଙ୍କ ମନରେ ଏବେ ପ୍ରଶ୍ନ ଉଠୁଛି, ଏଭଳି ଅଯୋଗ୍ୟ ଓ ନକମା ମନ୍ତ୍ରୀମାନଙ୍କୁ କିଏ ସୁରକ୍ଷା ଦେଉଛି? ଏମାନଙ୍କୁ କାହିଁକି ମନ୍ତ୍ରିମଣ୍ଡଳରୁ ବିଦା କରାଯାଉ ନାହିଁ?
କେବଳ ସେତିକି ନୁହେଁ, ରାଜ୍ୟ ପ୍ରଶାସନରେ କେଉଁ ଅଧିକାରୀ କେଉଁଠି ନିଯୁକ୍ତି ପାଇବେ, ତାହା ମଧ୍ୟ କେନ୍ଦ୍ରୀୟ ନେତାମାନେ ସ୍ଥିର କରୁଛନ୍ତି। ସେମାନେ ଯେତେ ଭୁଲ କଲେ ବି କୌଣସି ଦଣ୍ଡ ମିଳୁ ନାହିଁ। ଯାହା ଫଳରେ ବ୍ୟୁରୋକ୍ରାଟ୍ମାନେ ମଧ୍ୟ ବେପରୁଆ ହୋଇ ମନମୁଖୀ କାମ କରୁଛନ୍ତି। ଏପରିକି ରାଜ୍ୟରେ କିଏ ମୁଖ୍ୟସଚିବ (Chief Secretary) ହେବ ଓ କିଏ ଡିଜିପି (DGP) ହେବ, ତାହା ମଧ୍ୟ କେନ୍ଦ୍ରୀୟ ନେତାମାନେ ନିଷ୍ପତ୍ତି ନେଇ ମୁଖ୍ୟମନ୍ତ୍ରୀଙ୍କ ଉପରେ ଲଦି ଦେଉଛନ୍ତି। ସେମାନେ ତେଣୁ ମୁଖ୍ୟମନ୍ତ୍ରୀଙ୍କୁ ଆଦୌ ଖାତିର ନ କରି ମନଇଚ୍ଛା ନିଷ୍ପତ୍ତି ନେଉଥିବାରୁ ପ୍ରଶାସନିକ ଅବ୍ୟବସ୍ଥା ଚରମ ସୀମାରେ ପହଞ୍ଚିଛି।
ଅନ୍ୟ ରାଜ୍ୟ ସହ ତୁଳନା ଏବଂ ଓଡ଼ିଶାର ସ୍ୱାଭିମାନ ପ୍ରଶ୍ନ
ଆଜି ଓଡ଼ିଶାର ଜନସାଧାରଣ ପ୍ରଶ୍ନ କରୁଛନ୍ତି— ପଶ୍ଚିମବଙ୍ଗରେ ଶୁଭେନ୍ଦୁ ଅଧିକାରୀ, ବିହାରରେ ସମ୍ରାଟ୍ ଚୌଧୁରୀ, ଆସାମରେ ହିମନ୍ତ ବିଶ୍ୱ ଶର୍ମା ଏବଂ ଉତ୍ତରପ୍ରଦେଶରେ ଯୋଗୀ ଆଦିତ୍ୟନାଥଙ୍କ ଭଳି ମୁଖ୍ୟମନ୍ତ୍ରୀମାନଙ୍କୁ ନିଜ ରାଜ୍ୟ ପାଇଁ, ନିଜ ଅଫିସର ବାଛିବା ପାଇଁ ସମ୍ପୂର୍ଣ୍ଣ ସୁଯୋଗ ମିଳୁଥିବାବେଳେ, ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କୁ କାହିଁକି ଏ କ୍ଷେତ୍ରରେ ବାରଣ କରାଯାଇଛି? ଓଡ଼ିଶାର ମୁଖ୍ୟମନ୍ତ୍ରୀ କଣ ଏତେ ଦୁର୍ବଳ ଯେ ସେ ନିଜ ଇଚ୍ଛାରେ ଗୋଟିଏ ସଚିବ କିମ୍ବା ଡିଜିପି ବଦଳାଇ ପାରିବେ ନାହିଁ? ଏହା କଣ ଓଡ଼ିଶାର ଅସ୍ମିତା ଏବଂ ସ୍ୱାଭିମାନ ପ୍ରତି କୁଠାରଘାତ ନୁହେଁ?
ପଞ୍ଚାୟତ ଓ ସାଧାରଣ ନିର୍ବାଚନର ଚେତାବନୀ
ଓଡ଼ିଶାର ଜନସାଧାରଣ ବହୁତ ଶାନ୍ତ, କିନ୍ତୁ ଅଯୋଗ୍ୟ ନୁହନ୍ତି। ପରିବର୍ତ୍ତନର ଆଶା ନେଇ ସେମାନେ ବିଜେପିକୁ ଶାସନ ଗାଦିରେ ବସାଇଥିଲେ। କିନ୍ତୁ ବର୍ତ୍ତମାନର ଏହି ‘ରିମୋଟ୍ କଣ୍ଟ୍ରୋଲ’ ଶାସନ, ମନ୍ତ୍ରୀମାନଙ୍କର ଅହଂକାର, ବେପରୁଆଭାବ ଏବଂ ମହାପ୍ରଭୁଙ୍କ ସେବାରେ ଲଗାତାର ଅବହେଳାକୁ ଓଡ଼ିଆ ଜାତି ବେଶୀ ଦିନ ସହ୍ୟ କରିବ ନାହିଁ।
ବର୍ତ୍ତମାନର ସ୍ଥିତି ଯଦି ବେଶୀ ଦିନ ଜାରି ରହେ, ତେବେ ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ସମେତ ଆଗାମୀ ସାଧାରଣ ନିର୍ବାଚନରେ ବିଜେପି ଓଡ଼ିଶା ମାଟିରୁ ସମ୍ପୂର୍ଣ୍ଣ ମୂଳପୋଛ ହୋଇଯିବ, ଏଥିରେ କୌଣସି ସନ୍ଦେହ ନାହିଁ। ଜନତା ଜନାର୍ଦ୍ଦନ ସବୁ ଦେଖୁଛନ୍ତି ଏବଂ ସଠିକ୍ ସମୟରେ ଏହି ଅଯୋଗ୍ୟ ମନ୍ତ୍ରୀମାନଙ୍କୁ ସେମାନଙ୍କର ଉଚିତ ଜବାବ ଦେବେ।
AlsoRead; https://purvapaksa.com/students-have-been-facing-shortage-of-midday-meal-for-the-past-five-days/


