ମହାରାଷ୍ଟ୍ର ଶିକ୍ଷକ ଯୋଗ୍ୟତା ପରୀକ୍ଷା (TET) ୨୦୨୬ ର ପ୍ରଶ୍ନପତ୍ର ଲିକ୍ ହେବା ଆଶଙ୍କାରେ ପରୀକ୍ଷା ସ୍ଥଗିତ ହେବା ପରେ ଏହାକୁ ନେଇ ଏବେ ରାଜନୀତି ଗରମ ହେବାରେ ଲାଗିଛି। ଏହି ପ୍ରସଙ୍ଗରେ ଏଆଇଏମଆଇଏମ (AIMIM) ମୁଖ୍ୟ ଅସଦୁଦ୍ଦିନ ଓୱେସି ମହାରାଷ୍ଟ୍ରର ବିଜେପି ନେତୃତ୍ୱାଧୀନ ମହାୟୁତି ସରକାରଙ୍କୁ ତୀବ୍ର ଟାର୍ଗେଟ୍ କରିଛନ୍ତି। ଏହା ସରକାରଙ୍କ ଚରମ ବିଫଳତା ଏବଂ ଏଥିପାଇଁ କିଏ ଦାୟୀ ବୋଲି ସେ ପ୍ରଶ୍ନ ଉଠାଇଛନ୍ତି।

ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ (X) ରେ ଏକ ପୋଷ୍ଟ କରି ଓୱେସି ଲେଖିଛନ୍ତି, “ଏହା କେତେ ବଡ଼ ବିଶୃଙ୍ଖଳା! ବିଜେପି ନେତୃତ୍ୱାଧୀନ ମହାରାଷ୍ଟ୍ର ସରକାର, ଯିଏ ଭାରତୀୟ ବଙ୍ଗାଳୀ ମୁସଲମାନମାନଙ୍କୁ ବାଂଲାଦେଶୀ ଦର୍ଶାଇ ଭୁଲ ଭାବେ ଗିରଫ କରିବାରେ ବେଶ୍ ମାହିର, ସେ TET ପେପର ଲିକ୍ ରୋକିବାରେ ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି। ଏହି ପେପର ଲିକ୍ ପାଇଁ କାହାକୁ ଦାୟୀ କରାଯିବ? ଏହା ସରକାରଙ୍କ ଅପାରଗତା, ଯାହା ଯୋଗୁଁ ଆଜି ହଜାର ହଜାର ଯୁବକଯୁବତୀ ଓ ପରୀକ୍ଷାର୍ଥୀଙ୍କୁ ଚରମ ସମସ୍ୟାର ସାମ୍ନା କରିବାକୁ ପଡ଼ୁଛି।”
What a Mess,BJP led Maharashtra government expertise in wrongful arresting Indian Bengali Muslims as Bangladeshi has not translated into stopping TET paper leak.
Who will be blamed for this paper leak ,it is the incompetence of the government which has put thousands of people at… https://t.co/rtY6gk26Sy— Asaduddin Owaisi (@asadowaisi) June 27, 2026
କେବଳ ଓୱେସି ନୁହନ୍ତି, ଶିବସେନା ନେତା ଅମ୍ବାଦାସ ଦାନଭେ ମଧ୍ୟ ଏହି ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଘେରିଛନ୍ତି। ସେ କହିଛନ୍ତି ଯେ ନିକଟରେ ମହାରାଷ୍ଟ୍ର NEET ପେପର ଲିକ୍ ମାମଲାର କେନ୍ଦ୍ରବିନ୍ଦୁ ସାଜିଥିଲା। ଏହା ସତ୍ତ୍ୱେ ମଧ୍ୟ ସରକାର କୌଣସି ଶିକ୍ଷା ଲାଭ କଲେ ନାହିଁ। TET ଭଳି ଏକ ଛୋଟ ପରୀକ୍ଷାକୁ ମଧ୍ୟ ସୁରକ୍ଷିତ ଭାବେ ଆୟୋଜନ କରିବାରେ ମହାରାଷ୍ଟ୍ର ସରକାର ବିଫଳ ହୋଇଛନ୍ତି।
ଜୁନ୍ ୨୮ ରେ ହେବାର ଥିଲା ପରୀକ୍ଷା

ସୂଚନାଯୋଗ୍ୟ ଯେ, ମହାରାଷ୍ଟ୍ର ରାଜ୍ୟ ପରୀକ୍ଷା ପରିଷଦ ପକ୍ଷରୁ ଜୁନ୍ ୨୮, ୨୦୨୬ରେ ଏହି ଶିକ୍ଷକ ଯୋଗ୍ୟତା ପରୀକ୍ଷା (TET) ଅନୁଷ୍ଠିତ ହେବାର ଥିଲା। ମାତ୍ର ଭିୱଣ୍ଡି ଅଞ୍ଚଳରେ ପୋଲିସର ଚଢ଼ାଉ ବେଳେ କିଛି ସନ୍ଦିଗ୍ଧ ବ୍ୟକ୍ତିଙ୍କ ପାଖରୁ ମିଳିଥିବା ପ୍ରଶ୍ନପତ୍ର ମୂଳ ପରୀକ୍ଷା ପ୍ରଶ୍ନପତ୍ର ସହ ମେଳ ଖାଇଥିଲା। ଏହା ପରେ ପେପର ଲିକ୍ ଆଶଙ୍କାରେ ପରିଷଦ ତୁରନ୍ତ ପରୀକ୍ଷାକୁ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନେଇଛି। ଏହି ମାମଲାରେ ଭିୱଣ୍ଡି ପୋଲିସ ଷ୍ଟେସନରେ ଏକ ମାମଲା ରୁଜୁ କରାଯାଇ ଅଧିକ ତଦନ୍ତ ଜାରି ରହିଛି।


