Orissa HC : ଜଷ୍ଟିସ୍ ଏସ୍ କେ ପାଣିଗ୍ରାହୀ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ସଚିବଙ୍କୁ ରାଜ୍ୟର ଉଭୟ ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ଜବରଦଖଲ ଉଚ୍ଛେଦ ପାଇଁ ନିଆଯାଉଥିବା ପଦକ୍ଷେପ ସମ୍ପର୍କରେ ବିସ୍ତୃତ ସତ୍ୟପାଠ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।
ରାଜ୍ୟରେ ଜବରଦଖଲ ସମସ୍ୟା ଉତ୍କଟ ରୂପ ଧାରଣ କରିଥିବା ବେଳେ ଏନେଇ ଉଦବେଗ ପ୍ରକାଶ କରିଛନ୍ତି ଓଡ଼ିଶା ହାଇକୋର୍ଟ। ଜବରଦଖଲ ସମସ୍ୟାର ମୁକାବିଲା ପାଇଁ ବ୍ୟାପକ ଯୋଜନା ପ୍ରସ୍ତୁତ କରିବାକୁ ହାଇକୋର୍ଟ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଜଷ୍ଟିସ୍ ଏସ୍ କେ ପାଣିଗ୍ରାହୀଙ୍କୁ ନେଇ ଗଠିତ ଖଣ୍ଡପୀଠ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ସଚିବଙ୍କୁ ରାଜ୍ୟର ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ଜବରଦଖଲକାରୀଙ୍କ ମୁକାବିଲା ପାଇଁ କ’ଣ ପଦକ୍ଷେପ ନିଆଯାଉଛି ସେ ସମ୍ପର୍କରେ ବିସ୍ତୃତ ସତ୍ୟପାଠ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।
ଉଚ୍ଛେଦ ପ୍ରକ୍ରିୟା ବିରୋଧରେ ଅଦାଲତଙ୍କ ହସ୍ତକ୍ଷେପ ଲୋଡ଼ିଥିବା ଏକ ପିଟିସନର ଶୁଣାଣି କରି ଜଷ୍ଟିସ ପାଣିଗ୍ରାହୀ କହିଛନ୍ତି, ଯଦି କୌଣସି ଠୋସ୍ କାର୍ଯ୍ୟଯୋଜନା ହୋଇଥାନ୍ତା, ତେବେ ବର୍ତ୍ତମାନର ଆବେଦନକାରୀଙ୍କ ଭଳି ଜବରଦଖଲକାରୀମାନେ ଗତ ୩୦ ବର୍ଷ ଧରି ଅନଧିକୃତ ଭାବେ ଜମି ଦଖଲ କରିପାରିନଥାନ୍ତେ।
ତେଣୁ ରାଜ୍ୟରେ ଜବରଦଖଲକାରୀଙ୍କୁ ଜବରଦଖଲ ଜମିରୁ ଉଚ୍ଛେଦ ନେଇ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ଓ ନଗର ଉନ୍ନୟନ ବିଭାଗ ସଚିବ ଆସନ୍ତା ୫ ବର୍ଷ ପାଇଁ ବିସ୍ତୃତ ଯୋଜନା ଉପସ୍ଥାପନ କରିବା ଜରୁରୀ। ସେମାନେ ଉଭୟ ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ସମଗ୍ର ରାଜ୍ୟରେ ଜବରଦଖଲର ଚିତ୍ର ପ୍ରସ୍ତୁତ କରିବେ ଏବଂ ୧୦ ଦିନ ମଧ୍ୟରେ ସତ୍ୟପାଠ ଦାଖଲ କରିବେ ବୋଲି ଜଷ୍ଟିସ୍ ପାଣିଗ୍ରାହୀ ମାର୍ଚ୍ଚ ୨୦ ତାରିଖର ରାୟରେ ଉଲ୍ଲେଖ କରିଛନ୍ତି।
ଭୁବନେଶ୍ୱରର ଏକ ଜମିରୁ ଓଡ଼ିଶା ଜମି ଜବରଦଖଲ ନିବାରଣ ଆଇନ ଅଧୀନରେ ଉଚ୍ଛେଦ ପ୍ରକ୍ରିୟା କୁ ନେଇ ଏହି ପିଟିସନ୍ ଦାଖଲ କରାଯାଇଥିଲା। ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ତାଙ୍କୁ କୌଣସି ନୋଟିସ୍ ନଦେଇ ମାଇକ୍ ମାଧ୍ୟମରେ ଘୋଷଣା କରି ତାଙ୍କ ଅଧୀନରେ ଥିବା ଜମିରୁ ଉଚ୍ଛେଦ କରିବାକୁ ପଦକ୍ଷେପ ନେଇଥିବା ଦର୍ଶାଇ ଆବେଦନକାରୀ ଏହାକୁ ଚ୍ୟାଲେଞ୍ଜ କରିଥିଲେ।
ଜଷ୍ଟିସ ପାଣିଗ୍ରାହୀ ଏହି ମାମଲାର ଶୁଣାଣି ଏପ୍ରିଲ ୧୦କୁ ଧାର୍ଯ୍ୟ କରି କହିଛନ୍ତି, ଅନ୍ତରୀଣ ପଦକ୍ଷେପ ସ୍ୱରୂପ ପରବର୍ତ୍ତୀ ତାରିଖ ପର୍ଯ୍ୟନ୍ତ ଆବେଦନକାରୀଙ୍କ ବିରୋଧରେ କୌଣସି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ନାହିଁ ବୋଲି ନିର୍ଦ୍ଦେଶ ଦିଆଯାଇଛି।
Previous article:https://purvapaksa.com/odia-asmita-in-tatters/
ଭାଷା, ସାହିତ୍ୟ ଶିକ୍ଷା ପରି ପରିଚୟ ପାଇଁ ସଂଘର୍ଷ କରୁଛି ଓଡ଼ିଆ ଅସ୍ମିତା
