ଆଜି ହେଉଛି ଇଂରାଜୀ ନବବର୍ଷ। ଏହି ଉପଲକ୍ଷେ ଆମର ଦର୍ଶକ, ଶୁଭେଚ୍ଛୁମାନଙ୍କୁ ଅନେକ ଅନେକ ଶୁଭେଚ୍ଛା। ଆଜି କୌଣସି ରାଜନୈତିକ ପ୍ରସଙ୍ଗ ନୁହେଁ, ଆଜି ଜଗତନର ନାଥ ଶ୍ରୀଜଗନ୍ନାଥଙ୍କ କଥା। ଶ୍ରୀଜଗନ୍ନାଥ କେବଳ ଓଡ଼ିଶାର ଆରାଧ୍ୟ ଦେବତା ନୁହନ୍ତି, ସେ ହେଉଛନ୍ତି କୋଟି କୋଟି ଓଡ଼ିଆଙ୍କ ଅସ୍ମିତା ଓ ଭାବପ୍ରବଣତାର କେନ୍ଦ୍ରବିନ୍ଦୁ।
କିମ୍ବଦନ୍ତୀ କହେ, ମହାପ୍ରଭୁ ହେଉଛନ୍ତି ‘ଗର୍ବଗଞ୍ଜନ’। ତାଙ୍କ ନିକଟରେ ଯେତେବେଳେ ବି କେହି ଅହଙ୍କାର ପ୍ରଦର୍ଶନ କରିଛି, ସେ ତାର ପରିଣାମ ଭୋଗ କରିଛି। ଇତିହାସ ସାକ୍ଷୀ ଅଛି, ଶ୍ରୀଜଗନ୍ନାଥଙ୍କ ନାମରେ ରାଜନୀତି କରିବା କିମ୍ବା ତାଙ୍କ ସେବା-ପୂଜାରେ ଅବହେଳା କରିବା କୌଣସି ବି ଶାସନ କଳ ପାଇଁ ଶୁଭଙ୍କର ହୋଇନାହିଁ। ମାତ୍ର ଦୁଇବର୍ଷ ତଳର ରାଜନୈତିକ ପଟ୍ଟପରିବର୍ତ୍ତନ ଏହାର ଜ୍ୱଳନ୍ତ ଉଦାହରଣ। କିନ୍ତୁ ଦୁର୍ଭାଗ୍ୟର ବିଷୟ, ବର୍ତ୍ତମାନର ବିଜେପି ସରକାର ସମୟରେ ମଧ୍ୟ ଶ୍ରୀମନ୍ଦିର ପ୍ରଶାସନ ସେହି ସମାନ ପଥରେ ଗତି କରୁଥିବା ପରି ମନେହେଉଛି।
ପ୍ରଶାସନିକ ଅନ୍ଧତ୍ୱ ଓ ଅପାରଗତା ଏପରି ସ୍ତରକୁ ଗଲାଣି ଯେ, ମହାପ୍ରଭୁଙ୍କ ପାରମ୍ପରିକ ସ୍ୱରୂପ ଓ କ୍ରମକୁ ନେଇ ମଧ୍ୟ ଗମ୍ଭୀର ତ୍ରୁଟି ପରିଲକ୍ଷିତ ହେଉଛି।
ନୂତନ ବର୍ଷର କ୍ୟାଲେଣ୍ଡର ଓ ଅକ୍ଷମଣୀୟ ତ୍ରୁଟି

ଇଂରାଜୀ ନବବର୍ଷ-୨୦୨୫ ପାଇଁ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ (SJTA) ଦ୍ୱାରା ପ୍ରକାଶିତ କ୍ୟାଲେଣ୍ଡର ଏବେ ସବୁଠାରୁ ବଡ଼ ବିବାଦର କାରଣ ପାଲଟିଛି। ଲକ୍ଷ ଲକ୍ଷ ଟଙ୍କା ବ୍ୟୟରେ ମୁଦ୍ରିତ ଏହି କ୍ୟାଲେଣ୍ଡର ଓ ଡାଏରୀରେ ଯେଉଁ ତ୍ରୁଟି ରହିଛି, ତାହାକୁ କୌଣସି ଜଗନ୍ନାଥ ପ୍ରେମୀ ସହଜରେ ଗ୍ରହଣ କରିପାରୁନାହାନ୍ତି। କ୍ୟାଲେଣ୍ଡରର ଚିତ୍ରରେ ପ୍ରଭୁ ବଳଭଦ୍ରଙ୍କ ସ୍ଥାନରେ ମହାପ୍ରଭୁ ଜଗନ୍ନାଥ ଏବଂ ଜଗନ୍ନାଥଙ୍କ ସ୍ଥାନରେ ବଳଭଦ୍ରଙ୍କୁ ଦର୍ଶାଯାଇଛି। ଶାସ୍ତ୍ରୀୟ ଓ ପାରମ୍ପରିକ ରୀତି ଅନୁସାରେ ରତ୍ନସିଂହାସନରେ ବିଗ୍ରହମାନଙ୍କର ଏକ ନିର୍ଦ୍ଦିଷ୍ଟ କ୍ରମ ରହିଥାଏ, ଯାହାକୁ ପରିବର୍ତ୍ତନ କରିବା ଏକ ଅକ୍ଷମଣୀୟ ଅପରାଧ। କ୍ୟାଲେଣ୍ଡରରେ ଥିବା ରଥଯାତ୍ରା ଫଟୋଗ୍ରାଫରେ ମଧ୍ୟ କ୍ରମ ଓଲଟାପାଲଟା ରହିଛି। ପ୍ରଥମେ ଦେବୀ ସୁଭଦ୍ରାଙ୍କ ରଥ, ତା’ପରେ ଜଗନ୍ନାଥଙ୍କ ରଥ ଓ ଶେଷରେ ବଳଭଦ୍ରଙ୍କ ରଥ ଟଣାଯାଉଥିବା ଦୃଶ୍ୟମାନ ହେଉଛି, ଯାହା ବାସ୍ତବିକ ରୀତିନୀତିର ସମ୍ପୂର୍ଣ୍ଣ ବିପରୀତ। ଟେବୁଲ କ୍ୟାଲେଣ୍ଡରର ପ୍ରଥମ ପୃଷ୍ଠାରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ମଧ୍ୟରୁ ପ୍ରଭୁ ସୁଦର୍ଶନଙ୍କୁ ସମ୍ପୂର୍ଣ୍ଣ ଭାବେ ବାଦ୍ ଦିଆଯାଇଛି।
ପ୍ରଶାସନିକ ସଫେଇ ଓ ଭକ୍ତଙ୍କ ଆକ୍ରୋଶ
ଏହି ଘଟଣା ସାମ୍ନାକୁ ଆସିବା ପରେ ମନ୍ଦିର ସେବକ ଓ ବୁଦ୍ଧିଜୀବୀ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ବରିଷ୍ଠ ସେବକ ଗଣେଶ ମହାସୁଆର କହିଛନ୍ତି ଯେ, ଏହା ଭକ୍ତଙ୍କ ଧାର୍ମିକ ଭାବନାକୁ ଆହତ କରିଛି ଏବଂ ସରକାର ତୁରନ୍ତ ଏହି କ୍ୟାଲେଣ୍ଡର ବଣ୍ଟନ ବନ୍ଦ କରି ପୁନଃମୁଦ୍ରଣ କରିବା ଉଚିତ। ଅନ୍ୟପଟେ, ମନ୍ଦିର ପ୍ରଶାସନର ଅଧିକାରୀମାନେ ଏହାକୁ “ମାନବିକ ତ୍ରୁଟି” କହି ଦାୟିତ୍ୱରୁ ଖସିଯିବାକୁ ଚେଷ୍ଟା କରୁଛନ୍ତି। ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀଙ୍କ ସଫେଇ ଅନୁସାରେ, ଏହା ୩୦୦-୪୦୦ ବର୍ଷ ପୁରୁଣା ତାଳପତ୍ର ଚିତ୍ର ଉପରେ ଆଧାରିତ ଏବଂ ଏହା କଳାକାରଙ୍କ ସୃଜନଶୀଳତା। ପ୍ରଶ୍ନ ଉଠୁଛି, ଯେଉଁଠି କୋଟି କୋଟି ଲୋକଙ୍କ ଆସ୍ଥା ଜଡ଼ିତ, ସେଠାରେ ‘ସୃଜନଶୀଳତା’ ନାମରେ ପରମ୍ପରାକୁ କାହିଁକି ବିକୃତ କରାଯାଉଛି? ମୁଖ୍ୟମନ୍ତ୍ରୀ ଓ ଆଇନ ମନ୍ତ୍ରୀଙ୍କ ଦ୍ୱାରା ଉଦ୍ଘାଟିତ ହେବା ପୂର୍ବରୁ ଏହି ସୂକ୍ଷ୍ମ ବିବରଣୀଗୁଡ଼ିକୁ କାହିଁକି ଯାଞ୍ଚ କରାଗଲା ନାହିଁ? ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀଙ୍କ ଏହି ଔଦ୍ଧତ୍ୟକୁ କେତେଦିନ ମହାପ୍ରଭୁ ସହିବେ? ପ୍ରଭୁ ଶ୍ରୀଜଗନ୍ନାଥ ଭକ୍ତର ଭଗବାନ। କିନ୍ତୁ ଶାସ୍ତ୍ର, କିମ୍ବଦନ୍ତୀ ଓ ଓଡ଼ିଆ ଲୋକସ୍ମୃତିରେ ତାଙ୍କର ଆଉ ଏକ ନାମ ଅଛି—ଗର୍ବଗଞ୍ଜନ।
ଯେଉଁଠି ଭକ୍ତି ଥାଏ, ସେଠି ସେ କରୁଣା।
ଯେଉଁଠି ଗର୍ବ ଥାଏ, ସେଠି ସେ ନ୍ୟାୟ।
ଇତିହାସ ସାକ୍ଷୀ—
ଶ୍ରୀମନ୍ଦିର ସମ୍ମୁଖରେ ଗର୍ବ କରିଥିବା ରାଜା–ମହାରାଜା ଶେଷରେ ମାଟି ଛୁଇଁଛନ୍ତି।
ମହାପ୍ରଭୁଙ୍କ ସାମ୍ନାରେ ମୁଣ୍ଡ ନୁଆଁଇଛନ୍ତି। କ୍ଷମା ମାଗିଛନ୍ତି।
ରାଜନୀତି ମଧ୍ୟ ଏହାରୁ ଅଲଗା ନୁହେଁ।
ମାତ୍ର ଦୁଇବର୍ଷ ତଳେ ଶ୍ରୀଜଗନ୍ନାଥଙ୍କ ନାମକୁ ଭୋଟର ଉପକରଣ କରି,
ତାଙ୍କ ଆସ୍ଥାକୁ ରାଜନୀତିର ହାତିଆର କରି
ଯେଉଁ ଦଳ ଗର୍ବ କରିଥିଲା—
ତାହାର ପରିଣାମ ସମଗ୍ର ଓଡ଼ିଶା ଦେଖିଛି।
ଦିନ ଥିଲା ବ୍ୟକ୍ତିଟି ମୁଖ୍ୟମନ୍ତ୍ରୀଙ୍କୁ ବଶ କରି ଅନେକ କ୍ଷମତାର ଅଧିକାରୀ ଥଲା।
ଦଳ କ୍ଷମତାରୁ ଗଲା ।
ସେ ଆଜି ମୁହଁ ଲୁଚାଇ ଧୂମକେତୁ ଭଳି ଘୁରି ବୁଲୁଛନ୍ତି।
ଏଥିରୁ କିଛି ଶିଖନ୍ତୁ ବିଜେପି ସରକାର ଓ ବର୍ତ୍ତମାନର ଶ୍ରୀମନ୍ଦିର ମୁଖ୍ୟପ୍ରଶାସକ ଡ. ଅରବିନ୍ଦ ପାଢ଼ୀ।
ମୁଖ୍ୟପ୍ରଶାସକ କେନ୍ଦ୍ରର ଜଣେ ପ୍ରଭାବଶାଳୀ ଅଧିକାରୀଙ୍କ ବଳରେ ବଳୀୟାନ ହୋଇଛନ୍ତି। ତେଣୁ ଜଗନ୍ନାଥଙ୍କ ପରମ୍ପରାକୁ ବି ଖାତିର କରୁନାହାନ୍ତି। ଏବେ ସେ ଅତିରିକ୍ତ ମୁଖ୍ୟଶାସନ ସଚିବ ହେଲେଣି। ଦାୟିତ୍ୱର ସହିତ କାମ କରନ୍ତୁ। ପୂର୍ବପୁରୁଷ ଭୁଲ କରିଥିଲେ ବୋଲି କ’ଣ ପୁଣି ଆମେ ତାକୁ ଦୋହରାଇବା କି? କାରଣ ସେ ନିଜ ଭୁଲକୁ ସ୍ବୀକାର ନ କରି ୩୦୦/୪୦୦ ବର୍ଷର ପୁରୁଣା ପଟ୍ଟଚିତ୍ରର ଆଳ ଦେଖାଇଛନ୍ତି ।
ବିଫଳତାର ଏକ ଦୀର୍ଘ ତାଲିକା

କେବଳ କ୍ୟାଲେଣ୍ଡର ବିଭ୍ରାଟ ନୁହେଁ, ଗତ କିଛିମାସ ମଧ୍ୟରେ ଶ୍ରୀମନ୍ଦିର ପରିଚାଳନାରେ ଏକାଧିକ ବିଫଳତା ଦେଖିବାକୁ ମିଳିଛି:
୧. ରଥଯାତ୍ରା ବାରମ୍ବାର ବିଭ୍ରାଟ: ୨୦୨୪ ରଥଯାତ୍ରା ସମୟରେ ପହଣ୍ଡି ବିଜେ ବେଳେ ବଡ଼ ଠାକୁର ବଳଭଦ୍ର ତଳକୁ ଖସିପଡ଼ିବା ଘଟଣା ଓଡ଼ିଶାବାସୀଙ୍କୁ ସ୍ତବ୍ଧ କରିଦେଇଥିଲା।
୨. ଜନସାଧାରଣଙ୍କ ସୁରକ୍ଷାରେ ଅବହେଳା: ୨୦୨୫ ରଥଯାତ୍ରାରେ ଦଳାଚକଟା ଯୋଗୁଁ ତିନିଜଣ ଭକ୍ତଙ୍କ ମୃତ୍ୟୁ ଘଟିବା ପ୍ରଶାସନର କ୍ରାଉଡ୍ ମ୍ୟାନେଜମେଣ୍ଟ (Crowd Management) ଉପରେ ପ୍ରଶ୍ନ ଚିହ୍ନ ଲଗାଇଛି।
୩. ଦର୍ଶନ ବ୍ୟବସ୍ଥା : ଚାରିଦ୍ୱାର ଖୋଲିବା ନେଇ ବଡ଼ ବଡ଼ ପ୍ରତିଶ୍ରୁତି ଦିଆଯାଇଥିଲେ ମଧ୍ୟ ସାଧାରଣ ଭକ୍ତଙ୍କ ପାଇଁ ଶୃଙ୍ଖଳିତ ଦର୍ଶନ ଏବେବି ସାତସପନ।
୪. ସୁରକ୍ଷା ତ୍ରୁଟି: ମନ୍ଦିର ଭିତରକୁ କ୍ୟାମେରା ଓ ମୋବାଇଲ୍ ପ୍ରବେଶ ରୋକିବାରେ ବାରମ୍ବାର ବିଫଳତା ଶ୍ରୀମନ୍ଦିରର ନିରାପତ୍ତାକୁ ବିପଦକୁ ଠେଲି ଦେଇଛି।
ଏହା ଏକ ଭୁଲ ନୁହେଁ—ଏକ ପ୍ରବୃତ୍ତି
ଏହି କ୍ୟାଲେଣ୍ଡର ଭୁଲ ଏକାକୀ ଘଟଣା ନୁହେଁ।
ଏହା ସବୁ ଗୋଟିଏ ସୂତ୍ରରେ ବନ୍ଧା— ତାହା ହେଲା ଦାୟିତ୍ୱହୀନ ପ୍ରଶାସନ।
ମହାପ୍ରଭୁଙ୍କ ପରମ୍ପରାକୁ ମଧ୍ୟ ଭୁଲିଗଲେ
ବିଜେଡି ଶାସନକାଳରେ ଶ୍ରୀଜଗନ୍ନାଥଙ୍କ ଅବହେଳା ପ୍ରସଙ୍ଗ
ଏକ ରାଜନୈତିକ ଅସ୍ତ୍ର ହୋଇ ବିଜେପିକୁ କ୍ଷମତାରେ ପହଞ୍ଚାଇଛି।
ଭକ୍ତଙ୍କ ଆଘାତକୁ ଆଗରେ ରଖି
“ଆମେ ଶ୍ରୀମନ୍ଦିରକୁ ସମ୍ମାନ ଦେବୁ” ବୋଲି
ରାଜ୍ୟବାସୀଙ୍କୁ ବିଜେପିଠାରୁ ନିର୍ବାଚନ ସମୟରେ ଆଶ୍ୱାସନ ମିଳିଥିଲା।
କିନ୍ତୁ କ୍ଷମତା ମିଳିବା ପରେ—
ସେହି ଶ୍ରୀମନ୍ଦିରକୁ ନେଇ ମନ୍ତ୍ରୀ ଓ ପ୍ରଶାସନ
ଏପରି ଅନ୍ଧ ହୋଇଗଲେ ଯେ
ଇନ୍ଦ୍ର–ଚନ୍ଦ୍ର ତ ଦୂର କଥା,
ମହାପ୍ରଭୁଙ୍କ ପରମ୍ପରାକୁ ମଧ୍ୟ ଭୁଲିଗଲେ।
ସଦ୍ବୁଦ୍ଧିର ଆବଶ୍ୟକତା
:max_bytes(150000):strip_icc()/_DSC0713_Snapseed_Darkroom-819d0b229974460e8141622c4494e2ed.jpg)
ଶାସନ କ୍ଷମତା ପାଇବା ପରେ ମନ୍ତ୍ରୀ ଓ ଅଧିକାରୀମାନେ ଯଦି ପରମ୍ପରା ଓ ଜନଭାବନାକୁ ଉପହାସ କରନ୍ତି, ତେବେ ତାହା ଗଣତନ୍ତ୍ର ଓ ସଂସ୍କୃତି ପାଇଁ ବିପଜ୍ଜନକ। ଶ୍ରୀଜଗନ୍ନାଥ କାହାରି ବ୍ୟକ୍ତିଗତ ସମ୍ପତ୍ତି ନୁହଁନ୍ତି, ସେ ହେଉଛନ୍ତି ସମଗ୍ର ବିଶ୍ୱର। ପ୍ରଶାସନର ଅହଙ୍କାର ଓ ବେପରୁଆ ମନୋଭାବ ଯୋଗୁଁ ଯଦି ମହାପ୍ରଭୁଙ୍କ ନୀତିକାନ୍ତି ଓ ସ୍ୱରୂପରେ ଆଞ୍ଚ ଆସେ, ତେବେ ଇତିହାସ କାହାକୁ କ୍ଷମା କରିବ ନାହିଁ। ଆଜିର ଦିନରେ ପ୍ରଭୁ ବଳୀୟାର ଭୂଜଙ୍କ ନିକଟରେ ଏତିକି ପ୍ରାର୍ଥନା- “ହେ ପ୍ରଭୁ, ଏହି ଶାସକ ଓ ପ୍ରଶାସକମାନଙ୍କୁ ସଦ୍ବୁଦ୍ଧି ଦିଅ, ଯେମିତି ସେମାନେ ନିଜର ଭୁଲ୍ ସୁଧାରି ପାରିବେ ଏବଂ ଶ୍ରୀମନ୍ଦିରର ଗାରିମା ଅକ୍ଷୁର୍ଣ୍ଣ ରହିବ।”
ହେ ପ୍ରଭୁ, ସଦ୍ବୁଦ୍ଧି ଦିଅ
ଏହା ଅଭିଯୋଗ ନୁହେଁ। ଏହା ଏକ ପ୍ରାର୍ଥନା।
ହେ ବଳିୟାର ଭୁଜ, ହେ କାଳିଆ ସାଆନ୍ତ,
ଯଦି ଏହା ଅଜ୍ଞାନ— ସଦ୍ବୁଦ୍ଧି ଦିଅ।
ଯଦି ଏହା ଅହଂକାର— ନମ୍ରତା ଦିଅ।
ଯଦି ଏହା ଅପରାଧ— ଭକ୍ତଙ୍କୁ ନୁହେଁ, ଦାୟୀମାନଙ୍କୁ ଦଣ୍ଡ ଦିଅ।
କାରଣ ତୁମେ ଭକ୍ତର ଭଗବାନ, ଗର୍ବଗଞ୍ଜନ ମଧ୍ୟ।
also read https://purvapaksa.com/heavy-cold-in-delhi/


