ଉତ୍ତରଧିକାରୀକୁ ନେଇ ବିଜୁ ଜନତା ଦଳରେ ଚାଲିଥିବା ଶୀତଳ ଯୁଦ୍ଧ ଏବଂ ବିଜେପିରେ ଅସନ୍ତୋଷ, କଂଗ୍ରେସର ବୁଡ଼ିଯାଉଥିବା ଡଙ୍ଗାରେ ଆମ ରାଜ୍ୟର କିଛି ବରିଷ୍ଠ ରାଜନେତା ଆଉ ନିଜ ଭବିଷ୍ୟତକୁ ଦେଖିପାରୁ ନାହାନ୍ତି। ସେମାନେ ପ୍ରତିନିଧିତ୍ୱ କରୁଥିବା ଦଳରୁ ୨୦୨୯ରେ ଆଉ ଟିକଟ ଖଣ୍ଡେ ପାଇବେ କି ନାହି ସେ ନେଇ ଏମାନେ ଚିନ୍ତାରେ ଅଛନ୍ତି। ଆଉ କିଛି ନେତା ଟିକଟ ପାଇଲେ ବି ଜିତିପାରିବେ କି ନାହିଁ ତାକୁ ନେଇ ସନ୍ଦୀହାନ। ପୁଣି ଅନେକ ନେତା ଦଳ ଛାଡ଼ି ସ୍ୱାଧୀନଭାବେ ଲଢ଼ିବା ଲାଗି ସାହସ ଜୁଟାଇପାରୁ ନାହାନ୍ତି। ସବୁଠୁ ବଡ଼ କଥା ହେଲା ନିଜେ ସଞ୍ଚିଥିବା ଅର୍ଥକୁ ନିଜ ପାଇଁ ଖର୍ଚ୍ଚ କରିବାକୁ ଏହି ରାଜନେତାମାନେ ଆଉ ଚାହୁଁନାହାନ୍ତି। ଏଥିପାଇଁ ପର ଅର୍ଥରେ ପ୍ରହସନ କରିପାରୁଥିବା ନେତାମାନଙ୍କର ଏବେ ଉତ୍ତରାୟଣ ହେବାର ଅଭିଯାନ ଆରମ୍ଭ ହୋଇଛି। ୨୦୨୪ ନିର୍ବାଚନ ପୂର୍ବରୁ କିଛି ନେତାଙ୍କ ଦକ୍ଷିଣାୟନ ଅଧା ବାଟରେ ବାତିଲ ହୋଇଥିଲା। ଏଣୁ ଏବେ ଏ ନେତାଙ୍କର କ’ଣ ହେବ?
ଓଡ଼ିଆ ନେତାଙ୍କ ଆତ୍ମଶାନ୍ତି ଯୋଜନା
ଆପଣମାନେ ଭାବୁଥିବେ ଗତକାଲି ତ ପାର୍ଶ୍ୱ ପରିବର୍ତ୍ତନ ଏକାଦଶୀ ଥିଲା। ମହାପ୍ରଭୁ ଦକ୍ଷିଣ ପାର୍ଶ୍ୱକୁ କଡ଼ ବଦଳାଇଲେ। ପୁଣି ଏଇଟାତ ଜାନୁୟାରୀ ମାସ ନୁହେଁ କି ମକର ସଂକ୍ରାନ୍ତି ଏବେ ନାହିଁ। ପୁଣି ଉତ୍ତରାୟଣ କଥା କାହିଁକି? ଏହାର ଉତ୍ତର ହେଉଛି ମୁଁ ଆଜି ଯେଉଁ ଉତ୍ତରାୟଣ ବା ପାର୍ଶ୍ୱ ପରିବର୍ତ୍ତନ କଥା କହିବାକୁ ଯାଉଛି ତାହା କୌଣସି ପରମ୍ପରା, ଧର୍ମ ବା ଭଗବାନଙ୍କୁ କେନ୍ଦ୍ର କରି ପ୍ରସଙ୍ଗ ନୁହେଁ। ବରଂ ଆମ ରାଜନେତାଙ୍କ ସ୍ୱାର୍ଥ ପାଇଁ ଡଙ୍ଗା ପରିବର୍ତ୍ତନର ଏକ ଅଧ୍ୟାୟ। ଏହି ଅଧ୍ୟାୟରେ ବିଜେଡି ଶୀତଳ ଯୁଦ୍ଧରେ ହାରି ଯାଇଥିବା ପ୍ରୌଢ଼ ନେତାମାନେ ଅଛନ୍ତି। ପୁଣି କଂଗ୍ରେସର ଅସନ୍ତୁଷ୍ଟ ବରିଷ୍ଠ ନେତା। ଏମାନେ ଅନେକ ଦିନ ହେଲା ଓଡ଼ିଶା ରାଜନୀତିରେ ଅନେକ ଗୁରୁତ୍ୱପୂର୍ଣ୍ଣ ଆସନ, ପଦବୀ ମଣ୍ଡନ କରିଥିଲେ। ଅର୍ଥାତ୍ କ୍ଷମତାର ସ୍ୱାଦ ଚାଖି ସାରିଛନ୍ତି। କ୍ଷମତାକୁ ଉପଭୋଗ ବି କରିଛନ୍ତି। ଅନ୍ୟର ଦୁର୍ବଳତାରେ ନିଜର ଫାଇଦା ଉଠାଇବାର ମଜା ନେଇଛନ୍ତି। ତଥାପି ଅତୃପ୍ତ ଅଛନ୍ତି। ଆଉ ନିଜର ଅତୃପ୍ତ ଆତ୍ମାକୁ ଆଉଟିକେ ସୁଯୋଗ ଦେବା ପାଇଁ ଦଳ ଓ ସ୍ଥାନୀୟ ନେତାଙ୍କୁ ଛାଡ଼ି ସ୍ୱାଭିମାନ ଓ ରାଜ୍ୟର ସ୍ୱାର୍ଥକୁ ଦ୍ୱାହି ଦେଇ ଉତ୍ତରପ୍ରଦେଶର ଆଞ୍ଚଳିକ ଦଳ ମାଧ୍ୟମରେ ନୂଆ ସମୀକରଣ ସୃଷ୍ଟି କରିବାକୁ ଚାହୁଁଛନ୍ତି। ଏଥିଲାଗି ଆରମ୍ଭ ହୋଇଛି ସେମାନଙ୍କ ଉତ୍ତରାୟଣ।
ନବୀନ ଅଧିକ ଲାଭବାନ

ଏବେ ଉତ୍ତରାୟଣର ଅର୍ଥ ଆପଣମାନେ ବୁଝି ସାରିଥିବେ। ମୁଁ ଆପଣମାନଙ୍କୁ ନେତାଙ୍କ ଉତ୍ତର ମୁହାଁ ହେବା ପ୍ରସଙ୍ଗ କହୁଛି। ପୂର୍ବରୁ ଆମ ନେତାମାନେ ଦିଲ୍ଲୀ ଅଭିମୁଖୀ ହୋଇଛନ୍ତି। ପଶ୍ଚିମା ଅଭିମୁଖୀ ଓ ଦକ୍ଷିଣ ଅଭିମୁଖୀ ହୋଇଛନ୍ତି। ଏଣୁ ଏଥିରେ କିଛି ନୂଆ ନାହିଁ। କାରଣ ଓଡ଼ିଶା ରାଜନୀତିର ନିଅଁ ଏହିଭଳି ଭାବେ ମଜଭୁତ ହୋଇଛି। କେତେବେଳେ କେନ୍ଦ୍ରୀୟ ଦଳକୁ ବିପନ୍ନ କରିବା ପାଇଁ ଆଉ ଏକ ସମାନ୍ତରାଳ କେନ୍ଦ୍ରୀୟ ଦଳ ଓଡ଼ିଶା ନେତା ଖୋଜିଛନ୍ତି ତ କେତେବେଳେ ରାଜ୍ୟରେ ମେଣ୍ଟ କରି ଏ କେନ୍ଦ୍ରୀୟ ଦଳକୁ ପ୍ରତିହତ କରିଛନ୍ତି। ସେମାନଙ୍କ ମନରେ ଥିବା ରାଜ୍ୟ ପ୍ରତି ଭଲ ପାଇବା ତଥା ଲୋକଙ୍କ ପାଇଁ ସେମାନେ ନେଇଥିବା ପଦକ୍ଷେପ ଯୋଗୁ ଲୋକେ ବି ତାଙ୍କୁ ସଫଳତା ଦେଇଛନ୍ତି। ଏମିତି ସଫଳତା ଯେ ସେମାନେ ରାଜ୍ୟରେ କେବଳ ନିଜ ସ୍ଥିତି ମଜଭୁତ କରି ନାହାନ୍ତି ବରଂ ସରକାର ବି ଗଠନ କରିଛନ୍ତି। ରାଜେନ୍ଦ୍ର ନାରାୟଣ ସିଂହଦେଓଙ୍କ କଥା କହନ୍ତୁ କି ବିଜୟାନନ୍ଦ ପଟ୍ଟନାୟକ। ଅଥବା ଦିଲ୍ଲୀପ ରାୟ, ବିଜୟ ମହାପାତ୍ରଙ୍କ ଭଳି ଦୃଢ଼ ଅଣକଂଗ୍ରେସ ନେତାଙ୍କ ଦ୍ୱାରା ଆବିର୍ଭାବ ହୋଇଥିବା ନବୀନଙ୍କ ନେତୃତ୍ୱ। ଏମାନେ ସମସ୍ତେ ସରକାର ଗଢ଼ିଛନ୍ତି, ମନ୍ତ୍ରୀ ହୋଇଛନ୍ତି। ନବୀନ ତ ୨୪ ବର୍ଷ ଲଗାତାର ଶାସନ କରି ଭାରତ ବର୍ଷର ଦ୍ୱିତୀୟ ଦୀର୍ଘକାଳୀନ ଶାସନ କରିଥିବା ମୁଖ୍ୟମନ୍ତ୍ରୀଭାବେ ପରିଚିତ ହୋଇଛନ୍ତି।
ବିଭାଜନର ଦ୍ୱାରଦେଶରେ ବିଜେଡି

ହେଲେ ଏବେ ପରିସ୍ଥିତି ବଦଳିଛି। ନବୀନ ଶାସନରୁ ଅପସାରିତ ହେବା ପରେ ତାଙ୍କର ପାର୍ଷଦ ଆଉ ସବୁ ନେତାଙ୍କୁ ସନ୍ତୁଷ୍ଟ କରିପାରୁ ନାହାନ୍ତି। ପୁଣି ଅଘୋଷିତ ବା ଆତ୍ମଘୋଷିତ ଉତ୍ତରାଧିକାରୀ ଭାବେ ପରିଚିତ ଭୈରବ କାର୍ତ୍ତିକେୟନ ପାଣ୍ଡିଆନ୍ ନିଜର ଏକ ସ୍ୱତନ୍ତ୍ର ପାର୍ଷଦ ତିଆରି କରିବାକୁ ଉଦ୍ୟମ କରୁଛନ୍ତି। ଏପରିକି ତାଙ୍କ ପତ୍ନୀ ସୁଜାତା ଦଳର ମଙ୍ଗୁଆଳ ହେବା ଲାଗି ବି ଦାବିଦାର ହୋଇଥିବା କୁହାଯାଉଛି। ପରୋକ୍ଷରେ ପ୍ରସାରିତ ଭିଡିଓ ସବୁ ଏହାର ଗୋଟିଏ ଗୋଟିଏ ଉଦାହରଣ ବୋଲି ଆମ ମିଡିଆ ଜଗତରେ ଆଲୋଚନା ହେଉଛି। ଏ ଭିତରେ ନବୀନଙ୍କ ଅସୁସ୍ଥତା ଓ ଦଳର କୋର୍ ଟିମ୍ଙ୍କୁ ହତାଦର ଦଳ ଭିତରେ ଏକ ବିସ୍ଫୋରଣ ପରିସ୍ଥିତି ସୃଷ୍ଟି କରିଛି। ଏହାକୁ ଶୀତଳ ଯୁଦ୍ଧ କୁହାଯାଇପାରେ ବା ଗୃହଯୁଦ୍ଧ କିନ୍ତୁ ଏହା ସ୍ପଷ୍ଟ ଯେ ବିଜୁ ଜନତା ଦଳ ପରିବାରରେ ଆଉ ଶୃଙ୍ଖଳା, ଶାନ୍ତି ନାହିଁ। ଏହା ଗୋଷ୍ଠୀବାଦରେ ପରିଣତ ହୋଇଛି। ଅନେକ ଗୋଷ୍ଠୀ ରହିଛି କିନ୍ତୁ ଯାହା ଆଖିକୁ ଦିଶୁଛି ତାହା ହେଲା ପାଣ୍ଡିଆନ୍ ସପକ୍ଷ ଗୋଷ୍ଠୀ ବନାମ ପାଣ୍ଡିଆନ୍ ବିପକ୍ଷ ଗୋଷ୍ଠୀ। ଏଥିରେ ନବୀନ ପଟ୍ଟନାୟକ କେବଳ ନାମକୁ ମାତ୍ର। କିନ୍ତୁ ଅତୀତର ପରିସ୍ଥିତିକୁ ଯଦି ଦେଖାଯାଏ ନବୀନ ବି ପରୋକ୍ଷରେ ଏପରି ଗୋଷ୍ଠୀବାଦକୁ ପ୍ରଶ୍ରୟ ଦେଉଛନ୍ତି। ଯଦିଓ ପାଣ୍ଡିଆନ୍ଙ୍କୁ ସମର୍ଥନ କରୁଛନ୍ତି କିନ୍ତୁ ତାଙ୍କୁ ଉତ୍ତରାଧିକାରୀ ବୋଲି ଘୋଷଣା ନ କରି ଏପରି ଅସନ୍ତୋଷ, ଗୋଷ୍ଠୀବାଦକୁ ପ୍ରଶ୍ରୟ ଦେଉଛନ୍ତି, ଯାହା ବିଭାଜନର କାରଣ ହୋଇଛି। କିଛି ନେତାଙ୍କୁ ବହିଷ୍କାର କରାଯାଇଛି। ଆଉ କିଛି ସୁଯୋଗ ଅପେକ୍ଷାରେ ରହିଛନ୍ତି।
ଆରଏଲ୍ଡି ରାଜି ହେଲେ ବିଜେଡି ନେତା ମିଶିବେ

ଏହି ବିଭାଜନରେ ନିଜର ସ୍ୱାର୍ଥ ବଞ୍ଚାଇବା ଲାଗି ବିଜେଡିର କିଛି ପୂର୍ବତନ ନେତା ଏବେ ଏକାଠି ହୋଇଛନ୍ତି। ଯଦିଓ ସେମାନେ ଅନ୍ୟାନ୍ୟ ଦଳରେ ଏବେ ଅଛନ୍ତି କିନ୍ତୁ ସେଠାରେ ନିଜର ଭବିଷ୍ୟତ ଦେଖିପାରୁ ନାହାନ୍ତି। ଏଣେ ରାଜ୍ୟକୁ ପାଣ୍ଡିଆନ୍ଙ୍କଠାରୁ ବଞ୍ଚାଇବାର ବାହାନା ଦର୍ଶାଇ ସେମାନେ ଉତ୍ତର ପ୍ରଦେଶ ଗସ୍ତ କରି ବିଭିନ୍ନ ନେତାଙ୍କ ସହ ଭେଟୁଛନ୍ତି। ଏପରିକି ସେମାନେ ନିଜ ନାତି ବୟସର ନେତାଙ୍କ ଆଗରେ ନତମସ୍ତକ ହୋଇ ତାଙ୍କ ଆଶୀର୍ବାଦ ଭିକ୍ଷା କରୁଛନ୍ତି। ଏମିତି ଏକ ଘଟଣାରେ ଜଣେ ଓଡ଼ିଶା ନେତା ପ୍ରସନ୍ନ ପାଟଶାଣୀଙ୍କୁ ରାଷ୍ଟ୍ରୀୟ ଲୋକଦଳର ନେତାଙ୍କ ପାଖରେ ଦେଖିବାକୁ ମିଳିଥିଲା। ଅବଶ୍ୟ ତାଙ୍କଠାରୁ କିଛି ସୂଚନା ଆସି ନାହିଁ କିନ୍ତୁ ରାଷ୍ଟ୍ରୀୟ ଲୋକଦଳର ଶାଖା ଏଠାରେ ଖୋଲି ସାରିଛି। ବିଜେଡି ଅସନ୍ତୁଷ୍ଟଙ୍କ ମଞ୍ଚକୁ ସୁଦୃଢ଼ କରିବା ପାଇଁ ଏହା ଉଦ୍ଦିଷ୍ଟ ବୋଲି କୁହାଯାଉଛି। ଯଦି ତାଙ୍କ ପ୍ରସ୍ତାବରେ ଆରଏଲ୍ଡି ରାଜି ହୁଏ ତେବେ ଅନ୍ୟ ନେତାମାନେ ସେହି ଡଙ୍ଗାରେ ବସିବାକୁ ପ୍ରସ୍ତୁତ ବୋଲି ପ୍ରତିଶ୍ରୁତି ଦିଆଯାଇଥିବା ସୂଚନା ମିଳିଛି।
ସମାଜବାଦୀ ପାର୍ଟିକୁ ଯିବେ ଶ୍ରୀକାନ୍ତ!

ଠିକ୍ ସେହିଭଳି କଂଗ୍ରେସର ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ନେତା ଶ୍ରୀକାନ୍ତ ଜେନାଙ୍କୁ ଏବେ ଉତ୍ତରାଭିମୁଖେ ଯାତ୍ରା କରୁଥିବା ଦେଖିବାକୁ ମିଳୁଛି। ଲଗାତାର ଦୁଇଥର ସାଂସଦ ପ୍ରାର୍ଥୀଭାବେ ହାରିବା ପରେ ଶ୍ରୀକାନ୍ତ ଜେନା ଏବେ କଂଗ୍ରେସରେ ନିଜର ଭବିଷ୍ୟତ ଦେଖିପାରୁ ନାହାନ୍ତି। ଏଣୁ ସେ ଉତ୍ତର ପ୍ରଦେଶର ବିରୋଧୀ ଦଳ ସମାଜବାଦୀ ପାର୍ଟି ସହ ହାତ ମିଳାଇବାକୁ ଆତୁର ରହିଛନ୍ତି। ଉତ୍ତରପ୍ରଦେଶର ଜାତିଆଣ ରାଜନୀତିକୁ ଓଡ଼ିଶାରେ ଅଧିକ ପ୍ରସ୍ଫୁଟିତ କରିବାକୁ ଚାହିଁଛନ୍ତି। ଜାତି ଆଧାରରେ ରାଜନୀତିକୁ ଭାଗ କରି ନିଜେ କ୍ଷମତା ପାଇବେ ବୋଲି ଆଶା କରିଛନ୍ତି। ଏହିକ୍ରମରେ ସମାଜବାଦୀ ପାର୍ଟିର ମୁଖିଆ ଅଖିଳେଶ ଯାଦବ ଗତ ଏପ୍ରିଲ ୧୬ ତାରିଖରେ ଭୁବନେଶ୍ୱର ଆସି ଶ୍ରୀକାନ୍ତ ଜେନାଙ୍କୁ ଭେଟିବା ସହିତ ମିଳିତ ସାମ୍ବାଦିକ ସମ୍ମିଳୀ କରିସାରିଛନ୍ତି। କେବଳ ଓପଚାରିକ ଙୋଷଣାକୁ ଅପେକ୍ଷା।
ପରଜୀବୀ ଓଡ଼ିଆ ନେତା
ହେଲେ ସବୁଠାରୁ ବଡ଼ କଥା ହେଲା ଦିଲ୍ଲୀରୁ ନିୟନ୍ତ୍ରଣ ହେଉଥିବା ଏ ସରକାରୀ ଦଳର ନେତା ହୁଅନ୍ତୁ କି ସର୍ବପୂରାତନ କଂଗ୍ରେସର ବରିଷ୍ଠ ନେତା ବା ରାଜ୍ୟରେ ସର୍ବବୃହତ ଆଞ୍ଚଳିକ ଦଳର ବରିଷ୍ଠମାନେ ନିଜ ଗୋଡ଼ରେ ଠିଆ ହେବାକୁ ନେଇ ସନ୍ଦୀହାନ ରହିଛନ୍ତି। ରାଜନୀତିକ ସମାଲୋଚକଙ୍କ ମତରେ ଏଭଳି ବରିଷ୍ଠ ନେତାମାନେ ଏତେ ବର୍ଷ କ୍ଷମତା ଉପଭୋଗ କରିବା ପରେ ନିଜେ ଆଦର୍ଶକୁ ପ୍ରଚାର ପ୍ରସାର କରିବାରେ ବିଫଳ ହେଉଛନ୍ତି। ଆଜି ବି ସେମାନେ ପରର ଦୁର୍ବଳତାରୁ ଫାଇଦା ନେବାକୁ ଚାହିଁଛନ୍ତି। ଯେଉଁ କାରଣ ଲାଗି ଦଳ ତାଙ୍କୁ ଦୂରେଇଛି ସେହି କାରଣକୁ ଶକ୍ତି କରି ପୁଣିଥରେ ଆଉ ଏକ ଦଳକୁ ରାଜ୍ୟକୁ ଆଣିବାକୁ ଚାହିଁଛନ୍ତି। ଏହା କେତେ ସଫଳ ବା ବିଫଳ ହେବ ତାହା ଆକଳନ କରିବା ତ ଦୂରର କଥା କିନ୍ତୁ ଏଠାରେ ମୀରଜାଫର- ଇଷ୍ଟ୍ ଇଣ୍ଡିଆ କମ୍ପାନୀର ମେଣ୍ଟ କଥାକୁ ଆପଣମାନେ ମନେ ପକାଇପାରନ୍ତି। ଏଠି କିଏ ମୀରଜାଫର କିଏ ଇଷ୍ଟ୍ ଇଣ୍ଡିଆ କମ୍ପାନୀ ତାହା କହିବା ଆବଶ୍ୟକ ନାହିଁ।
Also readhttps://purvapaksa.com/new-bhubaneswar/
New bhubaneswar II ‘ନୂଆ ଭୁବନେଶ୍ୱର’ ନିର୍ମାଣ କାଳରେ ‘ପୁରୁଣା ପାଠ’ର ଆଲୋଚନା ଜରୁରୀ ହେବ ।

