ଅଙ୍ଗ ପ୍ରତିରୋପଣ କ୍ଷେତ୍ରରେ ସ୍ୱଚ୍ଛତା ଓ ସ୍ୱାସ୍ଥ୍ୟ ସେବାର ମାନ ବୃଦ୍ଧି କରିବା ପାଇଁ କେନ୍ଦ୍ର ସରକାର ଏକ ଐତିହାସିକ ପଦକ୍ଷେପ ଗ୍ରହଣ କରିଛନ୍ତି। ଏଣିକି ଦେଶର ସମସ୍ତ କିଡନୀ ପ୍ରତିରୋପଣ କରୁଥିବା ହସ୍ପିଟାଲଗୁଡ଼ିକୁ ସେମାନଙ୍କର ସଫଳତା ଏବଂ ବିଫଳତାର ସମସ୍ତ ତଥ୍ୟ ସାର୍ବଜନୀନ କରିବାକୁ ପଡ଼ିବ। ଏ ସମ୍ପର୍କରେ ‘ନ୍ୟାସନାଲ୍ ଅର୍ଗାନ ଆଣ୍ଡ ଟିସୁ ଟ୍ରାନ୍ସପ୍ଲାଣ୍ଟ ଅର୍ଗାନାଇଜେସନ’ (NOTTO) ପକ୍ଷରୁ ଦେଶର ସମସ୍ତ ପଞ୍ଜୀକୃତ ପ୍ରତିରୋପଣ କେନ୍ଦ୍ରଗୁଡ଼ିକୁ ଏକ କଡ଼ା ନିର୍ଦ୍ଦେଶନାମା ଜାରି କରାଯାଇଛି।

ୱେବସାଇଟ୍ରେ ଦେଖାଇବାକୁ ହେବ ସମ୍ପୂର୍ଣ୍ଣ ରିପୋର୍ଟ
ନୂତନ ନିର୍ଦ୍ଦେଶ ଅନୁଯାୟୀ, କିଡନୀ ପ୍ରତିରୋପଣ କରୁଥିବା ପ୍ରତ୍ୟେକ ହସ୍ପିଟାଲକୁ ନିଜର ଅଫିସିଆଲ୍ ୱେବସାଇଟ୍ର ହୋମ୍ ପେଜ୍ରେ ଏହି ଡାଟା ପ୍ରଦର୍ଶିତ କରିବାକୁ ହେବ। ଏଥିରେ ରୋଗୀଙ୍କ ବଞ୍ଚିବା ହାର , ମୃତ୍ୟୁ ସଂଖ୍ୟା, ଏବଂ ପ୍ରତିରୋପଣ ହୋଇଥିବା ଅଙ୍ଗ ଅଚଳ ହେବା ଭଳି ଦୀର୍ଘକାଳୀନ ଫଳାଫଳର ସମ୍ପୂର୍ଣ୍ଣ ବିବରଣୀ ରହିବ। ହସ୍ପିଟାଲଗୁଡ଼ିକୁ ଅପରେସନ୍ ପରେ ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ନେଇ ଡିସଚାର୍ଜ ସମୟ, ୬ ମାସ, ୧ ବର୍ଷ, ୩ ବର୍ଷ ଏବଂ ୫ ବର୍ଷର ଫଲୋ-ଅପ୍ ତଥ୍ୟ ‘ନ୍ୟାସନାଲ୍ ଟ୍ରାନ୍ସପ୍ଲାଣ୍ଟ ରେଜିଷ୍ଟ୍ରି’ରେ ଦାଖଲ କରିବାକୁ କୁହାଯାଇଛି।
ସାଂସଦଙ୍କ ଚିଠି ପରେ ନିଆଗଲା ନିର୍ଣ୍ଣୟ
ବିଜେପି ସାଂସଦ କ୍ୟାପଟେନ ବ୍ରିଜେଶ ଚୌଟା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟକୁ ଏକ ଚିଠି ଲେଖି କିଡନୀ ପ୍ରତିରୋପଣ ମାମଲାରେ ସ୍ୱଚ୍ଛତାର ଅଭାବ ଥିବା ଦର୍ଶାଇଥିଲେ। ସେ ଅଭିଯୋଗ କରିଥିଲେ ଯେ, ସାଧାରଣତଃ ସଫଳ ପ୍ରତିରୋପଣର ପ୍ରଚାର କରାଯାଏ, ମାତ୍ର ଅପରେସନ୍ ପରର ଜଟିଳତା ଓ ରୋଗୀଙ୍କ ମୃତ୍ୟୁର ତଥ୍ୟକୁ ଟ୍ରାକ୍ କରାଯାଏ ନାହିଁ। ଏହି କାରଣରୁ ରୋଗୀମାନେ ହସ୍ପିଟାଲ୍ ଚୟନ କରିବା ସମୟରେ କେଉଁଠାର ପ୍ରଦର୍ଶନ କେମିତି, ତାହା ଜାଣିପାରନ୍ତି ନାହିଁ।
ରୋଗୀ ପାଇବେ ସଠିକ୍ ନିଷ୍ପତ୍ତି ନେବାର ଅଧିକାର

ଏହି ନୂତନ ବ୍ୟବସ୍ଥା ଦ୍ୱାରା ରୋଗୀ ଏବଂ ସେମାନଙ୍କ ପରିବାର ବର୍ଗ ଅପରେସନ୍ ପୂର୍ବରୁ ସମ୍ପୃକ୍ତ ହସ୍ପିଟାଲର ସଫଳତା ରେକର୍ଡ ଦେଖି ସଠିକ୍ ନିଷ୍ପତ୍ତି ନେଇପାରିବେ। ଏହା ସହିତ ନିର୍ଦ୍ଦେଶ ଦିଆଯାଇଛି ଯେ, ଅଙ୍ଗ ଗ୍ରହଣ କରିବା ପୂର୍ବରୁ ରୋଗୀଙ୍କ ପରିବାରକୁ ଅପରେସନ୍ର ସମସ୍ତ ବିପଦ ଏବଂ ସମ୍ଭାବ୍ୟ ସଫଳତା ବିଷୟରେ ସମ୍ପୂର୍ଣ୍ଣ ସୂଚନା ଦେବା ସହ ସେମାନଙ୍କର ‘ଲିଖିତ ସମ୍ମତି’ ନେବା ବାଧ୍ୟତାମୂଳକ।
ସୂଚନାଯୋଗ୍ୟ ଯେ, ବର୍ତ୍ତମାନ ଦେଶରେ ପ୍ରାୟ ୮୨୪ଟି ଅଙ୍ଗ ପ୍ରତିରୋପଣ କେନ୍ଦ୍ର ‘NOTTO’ର ନେଟୱର୍କ ସହ ଜଡ଼ିତ ଅଛନ୍ତି ଏବଂ ଏହି ନୂତନ ନିୟମ ଦ୍ୱାରା ଚିକିତ୍ସା କ୍ଷେତ୍ରରେ ହସ୍ପିଟାଲଗୁଡ଼ିକର ଦାୟିତ୍ୱବୋଧ ଆହୁରି ବୃଦ୍ଧି ପାଇବ ବୋଲି ବିଶେଷଜ୍ଞମାନେ ମତ ପ୍ରକାଶ କରିଛନ୍ତି।
Also read : https://purvapaksa.com/india-to-reopen-for-bangladeshi-citizens-tourist-visas-to-resume-from-june-28/


