ସଂସଦର ମୌସୁମୀ ଅଧିବେଶନରେ ବିରୋଧୀଙ୍କ ପ୍ରବଳ ହଙ୍ଗାମା ଓ ନାରାବାଜି ମଧ୍ୟରେ କେନ୍ଦ୍ର ସରକାର ଲୋକସଭାରେ ଦୁଇଟି ନୂଆ ବିଲ୍ ଆଗତ କରିବା ସହ ଏକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଆଇନକୁ ପାରିତ କରାଇଛନ୍ତି। ସୁପ୍ରିମ୍ କୋର୍ଟରେ ବିଚାରପତିଙ୍କ ସଂଖ୍ୟା ବୃଦ୍ଧି କରିବା ପାଇଁ ଆଗତ ‘ସୁପ୍ରିମ୍ କୋର୍ଟ (ବିଚାରପତିଙ୍କ ସଂଖ୍ୟା) ସଂଶୋଧନ ବିଲ୍, ୨୦୨୬’ ଲୋକସଭାରେ ଧ୍ୱନିମତରେ ପାରିତ ହୋଇଯାଇଛି। ଏହା ବ୍ୟତୀତ ଭାରତୀୟ ସାଂଖ୍ୟିକୀ ସଂସ୍ଥା (ISI) ଏବଂ ବ୍ୟାଙ୍କିଂ ପ୍ରମାଣ ସଂକ୍ରାନ୍ତୀୟ ଦୁଇଟି ନୂଆ ବିଲ୍ ଗୃହରେ ଉପସ୍ଥାପନ କରାଯାଇଛି।
![]()
ସୁପ୍ରିମ୍ କୋର୍ଟରେ ଜଜ୍ ସଂଖ୍ୟା ବଢ଼ି ୩୮ ହେବ
ଲୋକସଭାରେ ବିଲ୍ ପାରିତ ହେବା ପରେ ଏବେ ସୁପ୍ରିମ୍ କୋର୍ଟରେ ବିଚାରପତିଙ୍କ ସଂଖ୍ୟା ବୃଦ୍ଧି ପାଇବ।
- ନୂଆ ନିୟମ : ନୂତନ ଆଇନ ଅନୁଯାୟୀ, ମୁଖ୍ୟ ବିଚାରପତିଙ୍କୁ ବାଦ୍ ଦେଇ ଅନ୍ୟ ବିଚାରପତିଙ୍କ ସ୍ୱୀକୃତ ପଦବୀ ସଂଖ୍ୟା ୩୩ ରୁ ବଢ଼ି ୩୭ ହେବ।
- ସମୋଟ ସଂଖ୍ୟା : ମୁଖ୍ୟ ବିଚାରପତିଙ୍କୁ ମିଶାଇ ସର୍ବୋଚ୍ଚ ଅଦାଲତରେ ମୋଟ ବିଚାରପତିଙ୍କ ସଂଖ୍ୟା ୩୪ ରୁ ୩୮ କୁ ବୃଦ୍ଧି ପାଇବ।
- ମାମଲା ତ୍ୱରାନ୍ୱିତ ହେବ : ଦେଶର ସର୍ବୋଚ୍ଚ ଅଦାଲତରେ ବର୍ଷ ବର୍ଷ ଧରି ପଡ଼ିରହିଥିବା ହଜାର ହଜାର ମାମଲାର ଦ୍ରୁତ ନିଷ୍ପତ୍ତି ଏବଂ ସମ୍ବିଧାନ ପୀଠର ଗଠନ ପାଇଁ ବିଚାରପତିଙ୍କ ସଂଖ୍ୟା ବୃଦ୍ଧି ଅତ୍ୟନ୍ତ ଜରୁରୀ ଥିଲା।
ଆଗତ ହେଲା ‘ଭାରତୀୟ ସାଂଖ୍ୟିକୀ ସଂସ୍ଥା ବିଲ୍, ୨୦୨୬’

ସରକାର ଗୃହରେ ‘ଭାରତୀୟ ସାଂଖ୍ୟିକୀ ସଂସ୍ଥା ବିଲ୍, ୨୦୨୬’ ଉପସ୍ଥାପନ କରିଛନ୍ତି। ଏହି ବିଲ୍ର ମୁଖ୍ୟ ଲକ୍ଷ୍ୟ ହେଉଛି ISI କୁ ଏକ ଆଧୁନିକ ଆଇନଗତ ଢାଞ୍ଚା ପ୍ରଦାନ କରିବା। ଏହି ନୂତନ ଆଇନ କାର୍ଯ୍ୟକାରୀ ହେଲେ ସଂସ୍ଥାକୁ ଏକ କୋର୍ପୋରେଟ୍ ନିକାୟର ମାନ୍ୟତା ମିଳିବ ଏବଂ ଏହାର ପ୍ରଶାସନିକ ଓ ଶିକ୍ଷାଗତ ଭିତ୍ତିଭୂମି ଆହୁରି ସୁଦୃଢ଼ ହେବ। ଏଥିସହ ଭାରତର ରାଷ୍ଟ୍ରପତି ଏହି ସଂସ୍ଥାର ‘ଭିଜିଟର’ ଭାବେ ଦାୟିତ୍ୱ ତୁଲାଇବେ।
୧୮୯୧ ମସିହାର ବ୍ରିଟିଶ ଆଇନ ହଟିବ, ଆସିବ ନୂଆ ‘ବ୍ୟାଙ୍କିଂ ବିଲ୍’
- କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଲୋକସଭାରେ ‘ବ୍ୟାଙ୍କକାର ବହି ସାକ୍ଷ୍ୟ ବିଲ୍, ୨୦୨୬’ (Bankers’ Books Evidence Bill, 2026) ଆଗତ କରିଛନ୍ତି।
- ଏହି ଆଇନ ବ୍ରିଟିଶ ଅମଳର ୧୮୯୧ ମସିହାର ପୁରୁଣା ଆଇନର ସ୍ଥାନ ନେବ।
- ଡିଜିଟାଲ, ଅନ୍ଲାଇନ୍ ଏବଂ କ୍ଲାଉଡ୍-ବେସଡ୍ ବ୍ୟାଙ୍କିଂ ରେକର୍ଡଗୁଡ଼ିକୁ ଅଦାଲତରେ ଆଇନଗତ ଓ ବୈଧ ପ୍ରମାଣ ଭାବେ ଗ୍ରହଣ କରାଯିବ।
- ବ୍ୟାଙ୍କିଂ କାରବାର ସମ୍ପର୍କିତ ମାମଲାରେ ବିନା ଦୃଢ଼ କାରଣରେ ବ୍ୟାଙ୍କ ଅଧିକାରୀମାନଙ୍କୁ ସାକ୍ଷୀ ଭାବେ ବାରମ୍ବାର କୋର୍ଟକୁ ଡକାଯିବା ଉପରେ କଟକଣା ଲଗାଯିବ।
ବିରୋଧୀ ସାଂସଦମାନେ ଗୃହର ମଧ୍ୟଭାଗକୁ ଆସି ନାରାବାଜି ଓ ହଙ୍ଗାମା ଜାରି ରଖିଥିବା ସତ୍ତ୍ୱେ ସରକାର ଏହି ମହତ୍ତ୍ୱପୂର୍ଣ୍ଣ ବିଲ୍ଗୁଡ଼ିକୁ ଆଗତ ଓ ପାରିତ କରାଇ ନେଇଛନ୍ତି।


