ପୋଲାଣ୍ଡରେ ଡ୍ରୋନ, ଏଷ୍ଟୋନିଆ ଉପରେ ଋଷୀୟ ଜେଟଗୁଡ଼ିକର ଉଡ଼ାଣଭରିବା, ରୋମାନିଆରେ ଡ୍ରୋନର ଅବଶେଷ ମିଳିବା ଏବଂ ଏବେ ନରୱେର ଅଭିଯୋଗ ଯେ ଚଳିତ ବର୍ଷ ୩ ଥର ଋଷୀୟ ଡ୍ରୋନ ତାର ବାୟୁସୀମା ଉଲ୍ଲଂଘନ କରିଛନ୍ତି, ଗୋଟିଏ ବଡ଼ ପ୍ରଶ୍ନ ଉଠାଉଛି । ତାହା ହେଲା ଋଷ ଏଭଳି କରି ବାକି ୟୁରୋପକୁ ଉସକାଉଛି ନା ଏସବୁ ନାଟୋର ନାଟ ? ଗତ ମାସରେ ୬ଟି ଦେଶ ଅଭିଯୋଗ କରିଛନ୍ତି ଯେ,ଋଷ ବାୟୁସେନା ବାରମ୍ବାର ସେମାନଙ୍କ ବାୟୁସୀମା ଉଲ୍ଲଘଂନ କରୁଛି। ତେବେ ସତ କ’ଣ ? ସତରେ ଋଷ ଡ୍ରୋନ୍ ଅନ୍ୟଦେଶକୁ ଜାଣିଶୁଣି ପଶୁଛନ୍ତି ନା ନାଟୋ ଏସବୁ କରୁଛି ?
ନରୱେ ସରକାର ମଙ୍ଗଳବାର କହିଛନ୍ତି ଯେ ଋଷ ୨୦୨୫ରେ ୩ ଥର ତାଙ୍କ ବାୟୁସୀମାର ଉଲ୍ଲଂଘନ କରିଛି। ଏକ ମିନିଟରୁ ଚାରି ମିନିଟ୍ ପର୍ଯ୍ୟନ୍ତ ଋଷୀୟ ଡ୍ରୋନ୍ ତାଙ୍କ ବାୟୂସୀମାରେ ଥିଲା ବୋଲି ନରୱେ କହିଛି । ତେବେ,ଏହା ସ୍ପଷ୍ଟ ହୋଇନାହିଁ ଯେ ଏହା ଜାଣିଶୁଣି କରାଯାଇଛି ନା ନାଭିଗେସନରେ ଭୁଲ ହେତୁ ଡ୍ରୋନ ଆସିଛି। ୧୦ ବର୍ଷରେ ପ୍ରଥମ ଥର ପାଇଁ ଏପରି ଘଟଣା ସାମ୍ନାକୁ ଆସୁଛି। ନରୱେର ପ୍ରଧାନମନ୍ତ୍ରୀ କହିଛନ୍ତି, କାରଣ ଯାହା ହେଉନା କାହିଁକି, ଏପରି ଜିନିଷ ଗ୍ରହଣୀୟ ନୁହେଁ। ଆମେ ଋଷୀୟ ଅଧିକାରୀମାନଙ୍କୁ ଏ ବିଷୟରେ ଜଣାଇ ଦେଇଛୁ।
କେଉଁ ଦେଶମାନେ ଅଭିଯୋଗ କରିଛନ୍ତି?
ଏଷ୍ଟୋନିଆ– ଋଷର ୩ଟି ମିଗ-୩୧ ଫାଇଟର ଜେଟ୍ ଭାଣ୍ଡଲୁ ଦ୍ୱୀପ ନିକଟରେ ସୀମା ଅତିକ୍ରମ କରି ଆସିଥିଲେ ଏବଂ ପ୍ରାୟ ୧୨ ମିନିଟ୍ ପର୍ଯ୍ୟନ୍ତ ଅଞ୍ଚଳରେ ଘୂରି ବୁଲିଥିଲେ।
ପୋଲାଣ୍ଡ– ଋଷୀୟ ଡ୍ରୋନ ଓ ମିସାଇଲ ବାରମ୍ବାର ପୋଲାଣ୍ଡର ଏୟାରସ୍ପେସ ଉଲ୍ଲଂଘନ କରୁଛି।
ରୋମାନିଆ– ରୁଷ ତରଫରୁ ଅନେକ ଡ୍ରୋନ ଆସିଛି। ଦଶନ୍ଧି ମଧ୍ୟରେ ଏହା ପ୍ରଥମ ଥର ଯେତେବେଳେ ରୁଷୀୟ ଡ୍ରୋନ ସୀମା ଅତିକ୍ରମ କରୁଛି। ତିନି ବର୍ଷ ଯୁଦ୍ଧ ଚାଲିଛି, କିନ୍ତୁ ଏପରି କେବେ ହୋଇନଥିଲା।
ଲାଟଭିଆ– ଏକ ଋଷୀୟ ଡ୍ରୋନ ବେଲାଋଷରୁ ଉଡ଼ାଣ ଭରି ଆସିଥିଲା ଏବଂ ଦେଶର ପୂର୍ବ ଭାଗରେ ରେଜେକନେ ଅଞ୍ଚଳରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏପରି ପ୍ରଥମ ଥର ହୋଇଛି ବୋଲି ଲାଟଭିଆ କହିଛି ।
ଏମିତି କାହିଁକି ହେଉଛି?
ପ୍ରକୃତରେ ୟୁରୋପରେ ଯେଉଁ ପରିସ୍ଥିତି ସୃଷ୍ଟି ହେଉଛି, ତାହା ହଠାତ୍ ଆସିନାହିଁ। ଗତକିଛି ମାସ ଧରି ଏହି ପରିସ୍ଥିତି ସୃଷ୍ଟି ହୋଇଛି । ଏହାର ଗୋଟିଏ କାରଣ ଏହା ମଧ୍ୟ ହୋଇପାରେ ଯେ, ୟୁକ୍ରେନ ସୀମା ସହିତ ଏହି ଦେଶଗୁଡିକଙ୍କ ସୀମା ଲାଗିଛି । କିନ୍ତୁ ଋଷର ଯୁଦ୍ଧ ବିମାନ ଭୁଲରେ ଏହି ଦେଶଙ୍କ ସୀମାକୁ ଆସିଯିବା ସହଜରେ ହଜମ ହେଉନି । ତେଣୁ ଆଶଙ୍କା କରାଯାଉଛି ଯେ,କେହି ହୁଏତ ଏସବୁ କରାଉଛି ଋଷକୁ ବଦନାମ କରିବାକୁ । ସାମରିକ ଓ ରାଜନୈତିକ ବିଶେଷଜ୍ଞ ଏହି ପ୍ରସଙ୍ଗକୁ ନେଇ ଦୁଇ ଭାଗରେ ବିଭକ୍ତ ଅଛନ୍ତି ।
ୟୁରୋପୀୟ ବିଶେଷଜ୍ଞମାନେ କହୁଛନ୍ତି ଯେ ଋଷ ବୋଧହୁଏ ୟୁରୋପକୁ ପରୀକ୍ଷା କରୁଛି। ପୁଟିନ ଦେଖିବାକୁ ଚାହୁଁଛନ୍ତି ଯେ ୟୁରୋପୀୟ ଦେଶ କିମ୍ବା ନାଟୋ କେତେ ଦୂର ପର୍ଯ୍ୟନ୍ତ ଏସବୁକୁ ସହିପାରୁଛନ୍ତି । ସେ ଏହା ମଧ୍ୟ ଦେଖିବାକୁ ଚାହୁଁଛନ୍ତି ଯେ ଅମେରିକା କେତେବେଳେ ନାଟୋ କିମ୍ବା ୟୁରୋପୀୟ ଦେଶମାନଙ୍କ ସମର୍ଥନରେ ଖୋଲାଖୋଲି ଆସିବ।
ଅନ୍ୟପକ୍ଷରେ ଏସୀୟ ବିଶେଷଜ୍ଞମାନେ କହୁଛନ୍ତି ଯେ ଏହା ୟୁରୋପର ଋଷକୁ ଉତ୍ତେଜିତ କରିବା ପାଇଁ ଚେଷ୍ଟା ହୋଇପାରେ। ଜାଣିଶୁଣି ଏପରି ଜିନିଷ ଦେଖାଯାଉଛି, ଯାହା ଦ୍ୱାରା ଋଷକୁ କଠୋର ନିଷ୍ପତ୍ତି ନେବାକୁ ଉସୁକାଯାଇପାରି। ଯେତେବେଳେ ଋଷ କଠୋର ନିଷ୍ପତ୍ତି ନେବ, ସମସ୍ତେ ମିଶି ଋଷ ଉପରେ ଆକ୍ରମଣ କରିବେ।
ଯୁଦ୍ଧର ବିପଦ କାହିଁକି ନାହିଁ?
ତେବେ କ’ଣ ନାଟୋ ଏବଂ ୟୁରୋପୀୟ ଦେଶମାନେ ମିଶି ପୁଟିନଙ୍କୁ ଫସାଇ ଯୁଦ୍ଧ କରାଇବାକୁ ଚାହୁଁଛନ୍ତି? ବିଶେଷଜ୍ଞମାନଙ୍କ ମତରେ, ଏପରି ଲାଗୁନାହିଁ। କାରଣ ସେମାନେ କେବେ ବି ସିଧାସିଧା ଯୁଦ୍ଧରେ ଓହ୍ଲାଇବାକୁ ଚାହିଁବେ ନାହିଁ। ଏହା ନିଶ୍ଚିତ ହୋଇପାରେ ଯେ ନାଟୋ ଏବଂ ୟୁରୋପୀୟ ଦେଶମାନେ ପୁଟିନଙ୍କ କାର୍ଯ୍ୟ ଉପରେ କଡ଼ା ନଜର ରଖୁଛନ୍ତି ଏବଂ ଆତ୍ମରକ୍ଷାର ରାସ୍ତା ଖୋଜୁଛନ୍ତି। ୟୁରୋପୀୟ ଦେଶମାନେ ପୁଟିନଙ୍କୁ ଏକାକୀ କରିବାକୁ ଚାହୁଁଛନ୍ତି, କିନ୍ତୁ ସେମାନେ ତାହା କରିପାରୁନାହାଁନ୍ତି। ଏହା ହିଁ ସେମାନଙ୍କ ଅସ୍ଥିରତାର କାରଣ।
Also Read https://purvapaksa.com/is-the-dog-census-going-well/
