ବଙ୍ଗୋପସାଗରରେ ଓଡ଼ିଶା ଉପକୂଳ ନିକଟରେ ବୁଡ଼ିଯାଇଥିବା ପାନାମା ପତାକାଧାରୀ ବିଶାଳ ମାଲବାହୀ ଜାହାଜ ‘ଏମ୍ଭି ଓସିଆନ୍ ୱିନର୍’ ର ନିଖୋଜ ୨୨ ଜଣ କ୍ରୁ ସଦସ୍ୟଙ୍କୁ ଉଦ୍ଧାର କରିବା ପାଇଁ ଚାଲିଥିବା ସପ୍ତାହବ୍ୟାପୀ ଅଭିଯାନ ଶେଷ ହୋଇଛି। ଦୀର୍ଘ ଦିନର ବ୍ୟାପକ ସର୍ଚ୍ଚ ଆଣ୍ଡ ରେସକ୍ୟୁ ଅପରେସନ୍ ପରେ ମଧ୍ୟ ସେମାନଙ୍କର କୌଣସି ସନ୍ଧାନ ନମିଳିବାରୁ ମେରିଟାଇମ୍ ରେସକ୍ୟୁ କୋଅର୍ଡିନେସନ୍ ସେଣ୍ଟର୍ ଏବଂ ଭାରତୀୟ ତଟରକ୍ଷୀ ବାହିନୀ ପକ୍ଷରୁ ଉଦ୍ଧାର କାର୍ଯ୍ୟକୁ ବନ୍ଦ କରାଯିବା ସହ ସମସ୍ତ ୨୨ ଜଣ ନାବିକଙ୍କୁ ମୃତ ବୋଲି ଧରି ନିଆଯାଇଛି। ଏହି ସାମୁଦ୍ରିକ ଦୁର୍ଘଟଣା ସମଗ୍ର ଅନ୍ତର୍ଜାତୀୟ ଜାହାଜ ଚଳାଚଳ କ୍ଷେତ୍ରରେ ଗଭୀର ଶୋକର ଛାୟା ଖେଳାଇ ଦେଇଛି।
/odishatv/media/media_files/2026/08/25/shipp-2026-08-25-12-20-18.jpg)
କିପରି ଘଟିଥିଲା ଏହି ସାମୁଦ୍ରିକ ଦୁର୍ଘଟଣା?
ମିଳିଥିବା ସୂଚନା ଅନୁସାରେ, ୨୮ ବର୍ଷ ପୁରୁଣା ଏହି ବିରାଟ କାର୍ଗୋ ଜାହାଜଟି ଓଡ଼ିଶାର ପାରାଦ୍ୱୀପ ବନ୍ଦରରୁ ପ୍ରାୟ ୭୨,୦୦୦ ଟନ୍ ଲୁହାପଥର ବୋଝେଇ କରି ସିଙ୍ଗାପୁର ଦେଇ ଚୀନ୍ ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲା।
- ଯୋଗାଯୋଗ ବିଚ୍ଛିନ୍ନ ଓ ଜଳମଗ୍ନ : ଅଗଷ୍ଟ ୨୨ ତାରିଖରେ ଓଡ଼ିଶା ଉପକୂଳରୁ ପ୍ରାୟ ୨୪୦ ରୁ ୨୯୦ ସାମୁଦ୍ରିକ ମାଇଲ୍ ଦୂର ଗଭୀର ସମୁଦ୍ରରେ ଥିବା ବେଳେ ଜାହାଜଟି ହଠାତ୍ ନିୟନ୍ତ୍ରଣ ହରାଇ ଗଭୀର ସମୁଦ୍ର ଗର୍ଭରେ ବୁଡ଼ିଯାଇଥିଲା।
- ୨୪ ଜଣ କର୍ମଚାରୀ ଥିଲେ ଉପସ୍ଥିତ : ଜାହାଜରେ ମୋଟ ୨୪ ଜଣ କ୍ରୁ ସଦସ୍ୟ ଥିଲେ, ଯେଉଁଥିରେ ଚୀନ୍, ମିଆଁମାର ଏବଂ ବାଂଲାଦେଶର ନାଗରିକ ସାମିଲ ଥିଲେ।
- ମାତ୍ର ଦୁଇ ଜଣଙ୍କୁ ମିଳିଥିଲା ଜୀବନଦାନ : ଦୁର୍ଘଟଣା ପରେ ସମୁଦ୍ରରେ ଭାସୁଥିବା ଏକ ଲାଇଫ୍ ରାଫ୍ଟ୍ ରୁ ନିକଟସ୍ଥ ଏକ ବାଣିଜ୍ୟିକ ଜାହାଜ ମାତ୍ର ଦୁଇ ଜଣ ଚୀନ ନାଗରିକଙ୍କୁ ଜୀବନ୍ତ ଉଦ୍ଧାର କରିବାରେ ସଫଳ ହୋଇଥିଲା। ଅନ୍ୟ ୨୨ ଜଣ ନାବିକ ସମୁଦ୍ରର ପ୍ରବଳ ଢେଉ ମଧ୍ୟରେ ନିଖୋଜ ହୋଇଯାଇଥିଲେ।
ଭାରତୀୟ ସେନା ଓ ତଟରକ୍ଷୀ ବାହିନୀର ବୃହତ୍ ଉଦ୍ଧାର ଅଭିଯାନ
ଦୁର୍ଘଟଣା ସମ୍ପର୍କରେ ଜରୁରୀକାଳୀନ ସଙ୍କେତ ମିଳିବା ମାତ୍ରେ ଭାରତ ପକ୍ଷରୁ ଯୁଦ୍ଧକାଳୀନ ଭିତ୍ତିରେ ଅପରେସନ୍ ଆରମ୍ଭ କରାଯାଇଥିଲା:
)
1. ଜାହାଜ ଓ ବିମାନ ମୁତୟନ : ଭାରତୀୟ ନୌସେନାର ପି-୮ଆଇ (P-8I) ସାମୁଦ୍ରିକ ସର୍ଭିଲାନ୍ସ ବିମାନ ଏବଂ ତଟରକ୍ଷୀ ବାହିନୀର ଉନ୍ନତ ଜାହାଜ ଆଇସିଜିଏସ୍ ବରାଦ (ICGS Varad), ଆଇସିଜିଏସ୍ ଅନମୋଲ ଓ ବିଜିତ୍ ସମେତ ଚୀନ୍ର ଦୁଇଟି ଉଦ୍ଧାରକାରୀ ଜାହାଜ ଏହି ଅଭିଯାନରେ ନିୟୋଜିତ ଥିଲେ।
2. ଖାଲି ଲାଇଫ୍ବୋଟ୍ ଜବତ : ଆକାଶମାର୍ଗରୁ ଯାଞ୍ଚ ସମୟରେ ‘ଏମ୍ଭି ଓସିଆନ୍ ୱିନର୍’ ର ଏକ ଜରୁରୀକାଳୀନ ବିକନ୍ ଏବଂ ଗୋଟିଏ ଖାଲି ଲାଇଫ୍ବୋଟ୍ ଠାବ କରାଯାଇଥିଲା, ମାତ୍ର ସେଥିରେ କୌଣସି ବ୍ୟକ୍ତି ନଥିଲେ।
3. ଉଦ୍ଧାର ପ୍ରକ୍ରିୟା ବନ୍ଦ : କ୍ରମାଗତ ପ୍ରତିକୂଳ ପାଗ, ପ୍ରବଳ ସାମୁଦ୍ରିକ ତରଙ୍ଗ ଏବଂ ସପ୍ତାହେ ଧରି କୌଣସି ଜୀବନ୍ତ ସଙ୍କେତ ନମିଳିବା ପରେ ଶେଷରେ ରେସକ୍ୟୁ ଅପରେସନ୍ ସମାପ୍ତ ଘୋଷଣା କରାଯାଇଛି।
ବଞ୍ଚିଥିବା ନାବିକ ଚୀନ୍ ପ୍ରତ୍ୟାବର୍ତ୍ତନ, ତଦନ୍ତ ଉପରେ ନଜର
ଉଦ୍ଧାର ହୋଇଥିବା ଦୁଇ ଚୀନ ନାବିକଙ୍କୁ ପ୍ରାଥମିକ ଚିକିତ୍ସା ଯୋଗାଇ ଦିଆଯିବା ସହ କୋଲକାତା ମାଧ୍ୟମରେ ସମସ୍ତ ଇମିଗ୍ରେସନ୍ ପ୍ରକ୍ରିୟା ଶେଷ କରି ସ୍ୱଦେଶ ଫେରାଇ ଦିଆଯାଇଛି। ଜାହାଜଟି କିଭଳି ପରିସ୍ଥିତିରେ ଏବଂ କେଉଁ କାରଣରୁ ବୁଡ଼ିଲା, ସେ ସମ୍ପର୍କରେ ତଥ୍ୟ ହାସଲ କରିବା ପାଇଁ ସେମାନଙ୍କ ବୟାନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହେବ।

ବିଶେଷଜ୍ଞଙ୍କ ପ୍ରାଥମିକ ଆକଳନ ଅନୁଯାୟୀ, ଓଡ଼ିଶାରେ ହୋଇଥିବା ପ୍ରବଳ ବର୍ଷା ଯୋଗୁଁ ଖୋଲା ସ୍ଥାନରେ ଥିବା ଲୁହାପଥର ଗୁଣ୍ଡ ଅତ୍ୟଧିକ ଆର୍ଦ୍ରତା ଶୋଷଣ କରିଥିଲା। ସମୁଦ୍ର ଭିତରେ ଏହା ‘କାର୍ଗୋ ଲିକ୍ୱିଫ୍ୟାକ୍ସନ୍’ ସୃଷ୍ଟି କରି ଜାହାଜର ଭାରସାମ୍ୟ ବିଗାଡ଼ି ଦେଇଥିବା ଆଶଙ୍କା କରାଯାଉଛି। ଏହା ସହିତ ୨୮ ବର୍ଷର ପୁରୁଣା ଜାହାଜର ବୈଷୟିକ ଦୁର୍ବଳତା ମଧ୍ୟ ଏହି ଦୁର୍ଘଟଣାର ଅନ୍ୟତମ କାରଣ ହୋଇପାରେ।
ଆଇନଗତ କାର୍ଯ୍ୟାନୁଷ୍ଠାନ ଓ ସୁରକ୍ଷା ନିୟମ ଉପରେ ପ୍ରଶ୍ନ
ଏତେ ବଡ଼ ସାମୁଦ୍ରିକ ଦୁର୍ଘଟଣା ଏବଂ ୨୨ ଜଣଙ୍କ ପ୍ରାଣହାନି ସତ୍ତ୍ୱେ ଏପର୍ଯ୍ୟନ୍ତ ସ୍ଥାନୀୟ ପୋଲିସ କୌଣସି ନିର୍ଦ୍ଦିଷ୍ଟ ଏଫ୍ଆଇଆର୍ ରୁଜୁ କରିନଥିବା ରିପୋର୍ଟ ସାମୁଦ୍ରିକ ବାଣିଜ୍ୟ ମହଲରେ ଚିନ୍ତା ବଢ଼ାଇଛି। ପାରାଦ୍ୱୀପ ବନ୍ଦର କର୍ତ୍ତୃପକ୍ଷ ଓ ନୌବାଣିଜ୍ୟ ନିର୍ଦ୍ଦେଶାଳୟ ଏହି ଘଟଣାର ଉଚ୍ଚସ୍ତରୀୟ ତଦନ୍ତ କରି ନିୟମ ଉଲ୍ଲଂଘନ କିମ୍ବା ଅବହେଳା ଥିଲା କି ନାହିଁ, ତାହାର ଯାଞ୍ଚ କରିବାକୁ ଦାବି ଜୋର ଧରିଛି।


