ଭାରତୀୟ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଚାଲିଥିବା ସ୍ୱତନ୍ତ୍ର ସଂଶୋଧନ ପ୍ରକ୍ରିୟା ‘ସ୍ପେଶାଲ ଇଣ୍ଟେନସିଭ୍ ରିଭିଜନ୍’ (SIR 3.0) ଅଧୀନରେ ପ୍ରକାଶିତ ଚିଠା ଭୋଟର ତାଲିକାରୁ ଏପର୍ଯ୍ୟନ୍ତ ୧୦ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରୁ ପ୍ରାୟ ୧.୧୨ କୋଟି ଭୋଟରଙ୍କ ନାମ ବାଦ୍ ପଡ଼ିଛି। ମୁଖ୍ୟତଃ ସ୍ଥାନାନ୍ତର, ମୃତ୍ୟୁ ଏବଂ ଅନୁପସ୍ଥିତି କାରଣରୁ ଏହି ନାମଗୁଡ଼ିକୁ ଭୋଟର ତାଲିକାରୁ ହଟାଯାଇଥିବା ନିର୍ବାଚନ ଆୟୋଗଙ୍କ ରିପୋର୍ଟରୁ ଜଣାପଡ଼ିଛି।
![]()
ଆନ୍ଧ୍ରପ୍ରଦେଶରେ ସର୍ବାଧିକ, ହରିୟାଣା ଓ ଓଡ଼ିଶା ପଛକୁ ପଛ
ସଂଖ୍ୟା ଦୃଷ୍ଟିରୁ ତେଲୁଗୁ ଦେଶମ୍ ପାର୍ଟି (TDP) ଶାସିତ ଆନ୍ଧ୍ରପ୍ରଦେଶରେ ସର୍ବାଧିକ ନାମ କଟିଛି। ଆନ୍ଧ୍ରର ମୋଟ ୪.୧୬ କୋଟି ଭୋଟରଙ୍କ ମଧ୍ୟରୁ ପ୍ରାୟ ୧୦ ଶତାଂଶ ଅର୍ଥାତ୍ ୪୪.୮୦ ଲକ୍ଷ ନାମ ବାଦ୍ ଦିଆଯାଇଛି। ଏଥିମଧ୍ୟରୁ ୨୨ ଲକ୍ଷରୁ ଅଧିକ ଭୋଟର ଅନୁପସ୍ଥିତ କିମ୍ବା ଅନ୍ୟତ୍ର ସ୍ଥାନାନ୍ତରିତ ହୋଇଥିବା ବେଳେ ୧୫.୨୨ ଲକ୍ଷ ଭୋଟରଙ୍କ ମୃତ୍ୟୁ ଘଟିସାରିଛି। ଆନ୍ଧ୍ରପ୍ରଦେଶ ପଛକୁ ବିଜେପି ଶାସିତ ହରିୟାଣାରେ ୩୩.୮ ଲକ୍ଷ (୧୬ ଶତାଂଶରୁ ଅଧିକ) ଭୋଟରଙ୍କ ନାମ ହଟାଯାଇଛି। ଏହି ସୂଚୀରେ ଓଡ଼ିଶା ମଧ୍ୟ ଆଗଧାଡ଼ିରେ ରହିଛି।
କେନ୍ଦ୍ରଶାସିତ ଅଞ୍ଚଳରେ ସର୍ବାଧିକ ହ୍ରାସ ହାର
ପ୍ରତିଶତ ହିସାବରେ କେନ୍ଦ୍ରଶାସିତ ଅଞ୍ଚଳ ଦାଦରା ଓ ନାଗର ହବେଳୀ ଏବଂ ଦମନ ଓ ଦିଉରେ ସର୍ବାଧିକ ୨୯ ଶତାଂଶ ଭୋଟରଙ୍କ ନାମ କଟିଛି। ଏହା ପଛକୁ ଅରୁଣାଚଳ ପ୍ରଦେଶରେ ୧୯ ଶତାଂଶ ଏବଂ ହରିୟାଣାରେ ୧୬ ଶତାଂଶ ନାମ ବାଦ୍ ପଡ଼ିଛି।
ଆଗକୁ ଆହୁରି ବଢ଼ିପାରେ ସଂଖ୍ୟା

ଏହି SIR 3.0 ପ୍ରକ୍ରିୟାରେ ଦେଶର ୧୯ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ମୋଟ ୩୬.୭୩ କୋଟି ଭୋଟର ସାମିଲ ଅଛନ୍ତି। ଆଗାମୀ ଦିନରେ ଏହି ବାଦ୍ ପଡ଼ିବା ସଂଖ୍ୟା ଆହୁରି ବୃଦ୍ଧି ପାଇବା ଆଶଙ୍କା କରାଯାଉଛି। କର୍ଣ୍ଣାଟକରୁ ପ୍ରାୟ ୮୦ ଲକ୍ଷ, ଝାଡ଼ଖଣ୍ଡରୁ ୪୪ ଲକ୍ଷ ଏବଂ ଦିଲ୍ଲୀ, ମୁମ୍ବାଇ, ବେଙ୍ଗାଲୁରୁ ଭଳି ବଡ଼ ସହରଗୁଡ଼ିକରୁ ମଧ୍ୟ ବହୁ ସଂଖ୍ୟାରେ ନାମ କଟିବା ସମ୍ଭାବନା ରହିଛି।
ଆୟୋଗଙ୍କ କାର୍ଯ୍ୟସୂଚୀ ଅନୁଯାୟୀ, ମହାରାଷ୍ଟ୍ର, ଦିଲ୍ଲୀ ଓ କର୍ଣ୍ଣାଟକ ଅଗଷ୍ଟ ୧୭ରେ ସେମାନଙ୍କ ଚିଠା ଭୋଟର ତାଲିକା ପ୍ରକାଶ କରିବେ। ସେହିପରି ସେପ୍ଟେମ୍ବରରୁ ଡିସେମ୍ବର ମଧ୍ୟରେ ଅନ୍ତିମ ଭୋଟର ତାଲିକା ପ୍ରକାଶ ପାଇବ। ନିଜର ଭୋଟର କାର୍ଡ ନାମ ଯାଞ୍ଚ କିମ୍ବା ଆବେଦନ ପାଇଁ ଭାରତୀୟ ନିର୍ବାଚନ ଆୟୋଗଙ୍କ ନାଗରିକ ସେବା ପୋର୍ଟାଲ (https://voters.eci.gov.in/) ପରିଦର୍ଶନ କରିପାରିବେ।


