ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଲଗାମହୀନ ଅଧିକାରୀ ତଥା ଏହାର ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଏବେ ମୁଣ୍ଡ ବିନ୍ଧା ସାଜିଛନ୍ତି। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଅଧିକାରୀ ଓ ମନ୍ତ୍ରୀ ଶପଥ ନେଇଛନ୍ତି ଯେ ସେମାନଙ୍କୁ ଯେତେ ସମାଲୋଚନା କଲେ ବି ସେମାନେ ସୁଧୁରିବେ ନାହିଁ। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପିଲାଙ୍କ ପାଠପଢ଼ା ବହିରେ ବାରମ୍ବାର ଭୁଲ କରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ବଦନାମ କରିବାର ସୁପାରୀ ନେଇଛନ୍ତି।
“ପ୍ରଥମ ଶ୍ରେଣୀ ବହିରେ ଗୁରୁତର ତ୍ରୁଟି! ‘ଅ’ ପୂର୍ବରୁ ପଢ଼ାହେଉଛି ‘ଟ’, ଜାତୀୟ ସଙ୍ଗୀତରେ ‘ଉତ୍କଳ’ ହେଲା ‘ଉତ୍ତଲ’, ‘ବନ୍ଦେ ଉତ୍କଳ ଜନନୀ’ର ବି ବଦଳିଗଲା ସାହିତ୍ୟ! ପିଡିଏଫ୍ ପଠାଇ ଅଭିଭାବକଙ୍କ ଉପରେ ବୋଝ ଲଦିଲା ଶିକ୍ଷା ବିଭାଗ।”
ଯେଉଁ କୋମଳମତି ଶିଶୁଟି ପ୍ରଥମ ଥର ପାଇଁ ବିଦ୍ୟାଳୟର ଚୌକାଠରେ ପାଦ ଥାଉଛି, ଓଡ଼ିଆ ଭାଷା ଶିଖିବାକୁ ଚେଷ୍ଟା କରୁଛି… ତାକୁ ଯଦି ଆମେ ଓଡ଼ିଆ ବର୍ଣ୍ଣମାଳାର ପ୍ରଥମ ଅକ୍ଷର ‘ଅ’ ବଦଳରେ ‘ଟ’ ପଢ଼ାଇବା, ତେବେ ତାର ଭବିଷ୍ୟତ କୁଆଡ଼େ ଯିବ?
ଆଉ ସେତିକି ନୁହେଁ, ଯେଉଁ ଜାତୀୟ ସଙ୍ଗୀତ ଏବଂ ରାଜ୍ୟ ସଙ୍ଗୀତକୁ ଶୁଣିଲେ ଆମ ରକ୍ତ ଶିହରିତ ହୋଇଉଠେ, ଯାହା ଆମ ଜାତୀୟ ସ୍ବାଭିମାନର ପ୍ରତୀକ—ସେହି ସଙ୍ଗୀତର ବାନାନକୁ ବି ପାଠ୍ୟପୁସ୍ତକରେ ଭୁଲ୍ ଲେଖାଯାଇଛି!
ଏହା କୌଣସି ଗୁଜବ ନୁହେଁ। ରାଜ୍ୟ ଶିକ୍ଷା ବିଭାଗର ଏକ ବଡ଼ ଦାୟିତ୍ୱହୀନତାର ଚିତ୍ର ଆଜି ସାମ୍ନାକୁ ଆସିଛି। ‘ସମ୍ବାଦ’ ଖବରକାଗଜର ମୁଖ୍ୟ ପୃଷ୍ଠାରେ ପ୍ରକାଶିତ ଏହି ରିପୋର୍ଟ ଆଜି ସମଗ୍ର ରାଜ୍ୟର ଅଭିଭାବକ ଏବଂ ଶିକ୍ଷାବିତ୍ମାନଙ୍କୁ ସ୍ତବ୍ଧ କରିଦେଇଛି।
୧. ବର୍ଣ୍ଣମାଳାର ବିପର୍ଯ୍ୟୟ: ‘ଅ’ ବଦଳରେ ‘ଟ’ ରୁ ଆରମ୍ଭ!
ସାଧାରଣତଃ ଯୁଗ ଯୁଗରୁ ଆମ ଓଡ଼ିଶାରେ ଏବଂ ପ୍ରତ୍ୟେକ ଭାଷାରେ ବର୍ଣ୍ଣମାଳାର ଶିକ୍ଷା ସ୍ବରବର୍ଣ୍ଣ ‘ଅ’ ରୁ ଆରମ୍ଭ ହୋଇ ବ୍ୟଞ୍ଜନବର୍ଣ୍ଣ ‘ଳ’ କିମ୍ବା ‘କ୍ଷ’ ରେ ଶେଷ ହୋଇଥାଏ। ଆମେ ସମସ୍ତେ ବାଲ୍ୟକାଳରୁ ‘ଅ’, ‘ଆ’, ‘ଇ’, ‘ଈ’ ଶିଖି ବଡ଼ ହୋଇଛୁ।
ହେଲେ, ରାଜ୍ୟ ସରକାରଙ୍କ ଶିକ୍ଷା ବିଭାଗ ପକ୍ଷରୁ ପ୍ରଥମ ଶ୍ରେଣୀ ପାଇଁ ପ୍ରସ୍ତୁତ କରାଯାଇଥିବା ନୂଆ ବହି, ଯାହାର ନାମ ରଖାଯାଇଛି ‘ଝୁଲା-୧’ (Jhula-1)—ସେଥିରେ ବର୍ଣ୍ଣମାଳା ଆରମ୍ଭ ହୋଇଛି ‘ଟ’ ଅକ୍ଷରରୁ!
ଜଣେ କୋମଳମତି ଶିଶୁ ପ୍ରଥମେ ଶିଖୁଛି ‘ଟ’। ତା’ପରେ ପଢ଼ାଯାଉଛି ‘ଚ’, ‘ମ’, ‘ଗ’, ‘ର’। ଏହି ସବୁ ଶେଷ ହେବା ପରେ କାହିଁ କେଉଁଠି ଯାଇ ଅସଜଡ଼ା ଭାବେ ଆସୁଛି ‘ଅ’ ଏବଂ ‘ଆ’! ତା’ପରେ ପୁଣି ‘କ’ ଏବଂ ‘ଖ’।
ଶିକ୍ଷାଦାନର ଏ କି ପ୍ରକାର ଅଦ୍ଭୁତ ଏବଂ ହାସ୍ୟାସ୍ପଦ ବ୍ୟବସ୍ଥା? ଶିକ୍ଷକମାନେ ଅଭିଯୋଗ କରୁଛନ୍ତି ଯେ, ଯେତେବେଳେ ସେମାନେ ଶ୍ରେଣୀଗୃହରେ ‘ଟ’ ପରେ ‘ଅ’ ପଢ଼ାଉଛନ୍ତି, କୋମଳମତି ପିଲାମାନେ ଦ୍ୱନ୍ଦ୍ୱରେ ପଡ଼ୁଛନ୍ତି। ପିଲାମାନେ କହୁଛନ୍ତି—”ଏଇଟା ଏବେ ଆସିବନି, ‘ଛ’ କି ‘କ’ ପରେ ଆସିବ!” ଭାଷା ଶିକ୍ଷାର ମୂଳଦୁଆକୁ ଏଭଳି ଭାବେ ଦୋହଲାଇ ଦିଆଯାଇଛି।
୨. ଜାତୀୟ ସଙ୍ଗୀତ ଓ ରାଜ୍ୟ ସଙ୍ଗୀତକୁ ବି ଛାଡ଼ିଲେନି!
ତ୍ରୁଟି କେବଳ ବର୍ଣ୍ଣମାଳାରେ ସୀମିତ ରହିନାହିଁ। ବହିର ସୂଚୀପତ୍ର କିମ୍ବା ଆରମ୍ଭ ପୃଷ୍ଠାରେ ଛପାଯାଇଥିବା ଆମର ଜାତୀୟ ସଙ୍ଗୀତ ‘ଜନ ଗଣ ମନ’ ଏବଂ ରାଜ୍ୟ ସଙ୍ଗୀତ ‘ବନ୍ଦେ ଉତ୍କଳ ଜନନୀ’ ରେ ଯେଉଁ ଭୁଲ୍ କରାଯାଇଛି, ତାହା ଅକ୍ଷମଣୀୟ।
• ଜାତୀୟ ସଙ୍ଗୀତରେ ଭୁଲ୍: ଆମ ଜାତୀୟ ସଙ୍ଗୀତ ‘ଜନ ଗଣ ମନ’ରେ ଯେଉଁଠି ଆମ ପବିତ୍ର ମାଟି ‘ଉତ୍କଳ’ର ନାମ ରହିଛି, ସେଠାରେ ‘ଉତ୍କଳ’ ବଦଳରେ ଲେଖାଯାଇଛି “ଉତ୍ମଲ”!
• ରାଜ୍ୟ ସଙ୍ଗୀତରେ ଭୁଲ୍: କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ଅମର ସୃଷ୍ଟି ‘ବନ୍ଦେ ଉତ୍କଳ ଜନନୀ’ର ପ୍ରଥମ ଧାଡ଼ି “ଚାରୁ ହାସମୟୀ ଚାରୁ ଭାଷମୟୀ, ଜନନୀ ଜନନୀ ଜନନୀ… ଘନ ଘନ ବନଭୂମି ରାଜିତ ଅଙ୍ଗା”—ସେଥିରେ “ଘନ ଘନ ବନଭୂମି” ବଦଳରେ ଲେଖିଦିଆଯାଇଛି “ଘନ ବନଭୂମି”!
ଗୋଟିଏ ଶବ୍ଦ ଗାଏବ କରିଦିଆଯାଇଛି, ଜାତୀୟ ସଙ୍ଗୀତର ଶବ୍ଦକୁ ବିକୃତ କରିଦିଆଯାଇଛି! ସରକାରୀ ସ୍ତରରେ ପ୍ରକାଶିତ ପାଠ୍ୟପୁସ୍ତକରେ ଏଭଳି ସମ୍ବେଦନହୀନ ଭୁଲ୍ କେବଳ ଭାଷା ପ୍ରତି ଅବମାନନା ନୁହେଁ, ବରଂ ଜାତୀୟ ସ୍ବାଭିମାନ ପ୍ରତି ଏକ ବଡ଼ ଆଘାତ।
୩. ବହି ପହଞ୍ଚିନି, ଅଭିଭାବକଙ୍କ ଉପରେ ପିଡିଏଫ୍ (PDF) ବୋଝ!
ବର୍ତ୍ତମାନ ପ୍ରଶ୍ନ ଉଠୁଛି, ଏହି ବହି ପିଲାଙ୍କ ହାତରେ ପହଞ୍ଚିଲା କେମିତି?
ବାସ୍ତବିକତା ହେଉଛି, ପ୍ରଥମ ଶ୍ରେଣୀ ପିଲାଙ୍କ ପାଇଁ ଉଦ୍ଦିଷ୍ଟ ଏହି ‘ଝୁଲା-୧’ ବହି ଆଜି ପର୍ଯ୍ୟନ୍ତ କାଗଜ-କଲମ ଆକାରରେ, ଛପା ବହି ଭାବେ ବିଦ୍ୟାଳୟ କିମ୍ବା ଛାତ୍ରଛାତ୍ରୀଙ୍କ ପାଖରେ ପହଞ୍ଚି ନାହିଁ!
ଶିକ୍ଷା ବିଭାଗ କ’ଣ କଲା? ସେମାନେ ୧୨୧ ପୃଷ୍ଠାର ଏକ ପିଡିଏଫ୍ (PDF) ଫାଇଲ୍ ପ୍ରସ୍ତୁତ କରି ବିଦ୍ୟାଳୟ ଏବଂ ଅଭିଭାବକମାନଙ୍କ ହ୍ୱାଟ୍ସଆପ୍ ଗ୍ରୁପ୍କୁ ପଠାଇଦେଲେ। ଅଭିଭାବକମାନଙ୍କୁ ନିର୍ଦ୍ଦେଶ ଦିଆଗଲା ଯେ, ସେମାନେ ନିଜ ପଇସାରେ ବାହାର ଦୋକାନରୁ ଏହି ୧୨୧ ପୃଷ୍ଠାର ପିଡିଏଫ୍ ପ୍ରିଣ୍ଟ୍ଆଉଟ୍ ବା କଲର୍ କପି ବାହାର କରି ପିଲାଙ୍କୁ ପଢ଼ାଇବେ।
ଜଣେ ଅଭିଭାବକମାନେ ନିଜର ଦୁଃଖ ପ୍ରକାଶ କରି କହିଛନ୍ତି—”ସରକାର ମାଗଣା ବହି ଯୋଗାଇଦେବା କଥା। ହେଲେ ବହି ନ ଦେଇ ପିଡିଏଫ୍ ପଠାଉଛନ୍ତି। ବାହାରେ ୧୨୧ ପୃଷ୍ଠା ପ୍ରିଣ୍ଟ୍ କରିବାକୁ ଶହ ଶହ ଟଙ୍କା ଖର୍ଚ୍ଚ ହେଉଛି। ତା’ ସହିତ ପିଡିଏଫ୍ରେ ଭୁଲ୍ ଶବ୍ଦ, ଭୁଲ୍ ବ୍ୟାକରଣ ଛପାଯାଇଛି। ଯଦି ପିଡିଏଫ୍ ଦେଉଛନ୍ତି, ଅତିକମ୍ରେ ସେଥିରେ ତ୍ରୁଟି ସଂଶୋଧନ କରି ଦେଇପାରିଥାନ୍ତେ!”
୪. କୋଟି କୋଟି ଟଙ୍କାର ବଜେଟ୍, ବଡ଼ ବଡ଼ ବିଶେଷଜ୍ଞ… ତା’ପରେ ବି ଏତେ ବଡ଼ ଘୋଟାଲା?
ଏହି ବହିକୁ ତିଆରି କରିଛନ୍ତି କିଏ?
ଏହି ‘ଝୁଲା-୧’ ପାଠ୍ୟପୁସ୍ତକ ପ୍ରସ୍ତୁତ କରିଛି ଗଣଶିକ୍ଷା ବିଭାଗ, ଶିକ୍ଷକ ଶିକ୍ଷା ନିର୍ଦ୍ଦେଶାଳୟ ଏବଂ ରାଜ୍ୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ (SCERT)।
ଏହି ବହି କମିଟିରେ କେଉଁମାନେ ଥିଲେ ଜାଣନ୍ତି?
• ବିଷୟ ବିଶେଷଜ୍ଞ: ଡ. ନିରଞ୍ଜନ ମହାନ୍ତି
• ସମ୍ପାଦନା ମଣ୍ଡଳୀ: ପ୍ରଫୁଲ୍ଲ ପଣ୍ଡା, ସୁବାସ ଚନ୍ଦ୍ର ସାହୁ, ସନ୍ଦୀପ ବଳ, ଅଜିତ କୁମାର ସେଠୀ
• ମୁଖ୍ୟ ସଂଯୋଜକ: ଡ. ସବିତା ସାହୁ
• ସଂଯୋଜକ: ଭାରତୀ ଟୁଡୁ
• ସମୀକ୍ଷକ ମଣ୍ଡଳୀ: ଦୁର୍ଯ୍ୟୋଧନ ଦାସ, ସତ୍ୟନାରାୟଣ ମିଶ୍ର, ପ୍ରଶାନ୍ତ କୁମାର ରଥ
ଏତେ ବଡ଼ ବଡ଼ ଶିକ୍ଷାବିତ୍, ଗବେଷକ, ପ୍ରଫେସର ଏବଂ ବିଶେଷଜ୍ଞ ଥାଇ ବି ଏତେ ଗୁରୁତର ତ୍ରୁଟି ରହିଗଲା କିପରି? ରାଜ୍ୟ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଂଘର ସଭାପତି ବ୍ରହ୍ମାନନ୍ଦ ମହାପାତ୍ର ସିଧାସଳଖ ପ୍ରଶ୍ନ କରିଛନ୍ତି—”ଏତେ ବରିଷ୍ଠ ଏବଂ ଅଭିଜ୍ଞ ବ୍ୟକ୍ତି କମିଟିରେ ଥାଇ ବି ଏଭଳି ଗୁରୁଚଣ୍ଡାଳ ତ୍ରୁଟି କେମିତି ରହିଲା? ଏହା ଶିକ୍ଷା ବ୍ୟବସ୍ଥା ପ୍ରତି ଏକ ବଡ଼ ପ୍ରଶ୍ନବାଚୀ।”
ସରକାର ବିବାଦ ବଢ଼ିବା ପରେ କହିଥିଲେ ଯେ ଏକ ‘ସଂଶୋଧନ ନିର୍ଦ୍ଦେଶାବଳୀ’ ପଠାଯିବ, କିନ୍ତୁ ଆଜି ପର୍ଯ୍ୟନ୍ତ କୌଣସି ସଂଶୋଧନ ବିଦ୍ୟାଳୟ ନିକଟରେ ପହଞ୍ଚି ନାହିଁ। ଶିକ୍ଷକମାନେ ବାଧ୍ୟ ହୋଇ ଭୁଲ୍ ପାଠ ପଢ଼ାଉଛନ୍ତି କିମ୍ବା ଦ୍ୱନ୍ଦ୍ୱରେ ପଡ଼ୁଛନ୍ତି।
ପ୍ରାଥମିକ ଶିକ୍ଷା ହେଉଛି ଜଣେ ମଣିଷର ଜୀବନର ଭିତ୍ତିପ୍ରସ୍ତର। ପ୍ରଥମ ଶ୍ରେଣୀରୁ ଯଦି ଜଣେ ଶିଶୁ ଭୁଲ୍ ଅକ୍ଷର, ଭୁଲ୍ ସଙ୍ଗୀତ ଏବଂ ଭୁଲ୍ ବାନାନ ଶିଖିବ, ତେବେ ତାର ଭବିଷ୍ୟତ କ’ଣ ହେବ?
ପିଡିଏଫ୍ ପ୍ରିଣ୍ଟ୍ଆଉଟ୍ ବାହାର କରିବା ପାଇଁ ଗରିବ ଓ ମଧ୍ୟବିତ୍ତ ଅଭିଭାବକଙ୍କ ଉପରେ ବୋଝ ଲଦିଦେବା କ’ଣ ସରକାରଙ୍କ ‘ମାଗଣା ଓ ବାଧ୍ୟତାମୂଳକ ଶିକ୍ଷା’ ଅଧିକାରର ପ୍ରକୃତ ଉଦ୍ଦେଶ୍ୟ? ତେଣୁ ଶିକ୍ଷା ବିଭାଗ ତୁରନ୍ତ ଏହି ତ୍ରୁଟିପୂର୍ଣ୍ଣ ପାଠ୍ୟପୁସ୍ତକ ଓ ପିଡିଏଫ୍କୁ ପ୍ରତ୍ୟାହାର କରନ୍ତୁ, ଦୋଷୀ ବିଶେଷଜ୍ଞ ଓ ସଂଯୋଜକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ଏବଂ ସଠିକ୍, ଛପା ବହି ଶୀଘ୍ର ପ୍ରତ୍ୟେକ ଶିଶୁଙ୍କ ହାତରେ ପହଞ୍ଚାନ୍ତୁ।
AlsoRead; https://purvapaksa.com/pakistans-crocodile-tears-on-anniversary-of-abrogation-of-article-370/

