ଆଉ କିଛିଦିନ ପରେ ଓଡ଼ିଶାର ରାଜନୀତି ଇତିହାସରେ ପ୍ରଥମ ବିଜେପି ସରକାରକୁ ଏକ ବର୍ଷ ପୂରିବ। ଜନତା ମୈଦାନରେ ଏହି ବର୍ଷପୂର୍ତ୍ତିକୁ ସ୍ମରଣୀୟ କରିବା ଲାଗି ଉତ୍ସବର ଆୟୋଜନ କରାଯାଇଛି। ସହି ଦିନ ୩୬୫ ପ୍ରକଳ୍ପର ଉଦ୍ଘାଟନ ସାଙ୍ଗକୁ ୩୬୫ ନୂଆ ପ୍ରକଳ୍ପର ଶିଳାନ୍ୟାସ ହେବ ବୋଲି ପ୍ରଶାସନିକ ସୂତ୍ରରୁ ସୂଚନା ମିଳିଛି।
୨୪ ବର୍ଷ ଧରି ଶାସନରେ ଥିବା ବିଜେଡି ସରକାରକୁ ଅପସାରଣ କରି କ୍ଷମତାସୀନ ହୋଇଥିବା ମୋହନ ମାଝୀଙ୍କ ଶାସନ କାଳ କିନ୍ତୁ ଅନେକ ଆଶଙ୍କା, ଆହ୍ୱାନ, ପରିଚାଳନାଗତ ତ୍ରୁଟି, ନେତାଙ୍କ ଅସନ୍ତୋଷ ଭିତରେ ଗତି କରିଛି। ଏପରିକି ସେ ସମୟରେ ଯେଉଁମାନେ ଅନେକ ଦୁର୍ନୀତିରେ ଲିପ୍ତ ଥିଲେ ବୋଲି ବିଜେପି ଅଭିଯୋଗ କରୁଥିଲା ସେହି ନେତା ଓ ଅଧିକାରୀ ଏବେ ଉଚ୍ଚ ପଦବୀରେ ଅଧିଷ୍ଠିତ।
ଯାହାଙ୍କୁ ଭଲ ଅଧିକାରୀ ବୋଲି କହି ନିଜ କୋଟେରୀକୁ ଅଣାଯାଇଥିଲା କିଛିଦିନର ବ୍ୟବଧାନରେ ତାଙ୍କୁ ବଦଳି କରିଛନ୍ତି ଓଡ଼ିଶା ଶାସନ। ଏହିସବୁ ପରିସ୍ଥିତି ଦେଖିଲେ ଲାଗୁଛି ଏବେବି ରାଜ୍ୟରେ ବିଜେଡି ସରକାର ଚାଲିଛି, କିନ୍ତୁ ନେତୃତ୍ୱ ନେଉଛନ୍ତି ମୋହନ ମାଝୀ। ଏ ବିଷୟକୁ ନେଇ ଆଜିର ଆଲୋଚନା।
୧୨ ଜୁନ୍, ୨୦୨୪ରେ ରାଜ୍ୟରେ ବିଜେଡି ଯୁଗ ଶେଷ ହୋଇଛି। ରାଜ୍ୟବାସୀ ନବୀନ ପଟ୍ଟନାୟକଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ କାଢ଼ି ବିରୋଧୀ ଦଳ ନେତା ଆସନରେ ବସାଇଛନ୍ତି। ଆଉ ବହୁମତ ପାଇବା ପରେ ରାଜ୍ୟର ମୁଖ୍ୟମନ୍ତ୍ରୀଭାବେ ମୋହନ ମାଝୀଙ୍କୁ ଗାଦିସୀନ କରିଛନ୍ତି ବିଜେପିର କେନ୍ଦ୍ରୀୟ ନେତୃତ୍ୱ। ଏ ଭିତରେ ଏକବର୍ଷ ବିତିଲାଣି। ହେଲେ ରାଜ୍ୟରେ ଦୁର୍ନୀତିଗ୍ରସ୍ତ ଅଧିକାରୀ, ନେତା ଓ ପୁଲିସ ଖୋଲାଖୋଲି ବୁଲୁଛନ୍ତି।
ଏବେବି ରାଜ୍ୟରେ ବିଜେଡି ଓ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରଭାବ ଅନୁଭୂତ ହେଉଛି। ଏବେବି ନବୀନ ଓ କୋଟେରୀଙ୍କ ପ୍ରଭାବରେ ଶାସନ କଳ ନିୟନ୍ତ୍ରିତ ହେଉଥିବା ଅଭିଯୋଗ ହେଉଛି। ଏସବୁ ଭିତରେ ବିଜେପି ସରକାର କରିଛନ୍ତି କ’ଣ ବୋଲି ଲୋକେ ପ୍ରଶ୍ନ ପଚାରିଲେଣି।
ପ୍ରଶ୍ନର ସମ୍ମୁଖୀନ ହୋଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯେଉଁ ବୟାନ ସବୁ ସାଧାରଣରେ ଦେଉଛନ୍ତି ତାହା ତାଙ୍କ ଅସହାୟତାକୁ ସ୍ପଷ୍ଟ କରୁଛି। ଜିଲ୍ଲାପାଳଙ୍କ ସମ୍ମିଳନୀ ହେଉ ବା ବିଡିଓ ଅଥବା ରାଜ୍ୟର ପୁଲିସ ଅଧିକାରୀଙ୍କ ସମ୍ମିଳନୀରେ ଏହା ସ୍ପଷ୍ଟ ହେଉଛି। ଶାସନର ଏକ ବର୍ଷ ପରେ ମଧ୍ୟ ସେହି ଅଧିକାରମାନଙ୍କ ପାଖରେ ସରକାରଙ୍କ ବାର୍ତ୍ତା ପହଞ୍ଚିପାରି ନାହିଁ ଫଳରେ ସେମାନଙ୍କୁ ଖୋଦ୍ ମୁଖ୍ୟମନ୍ତ୍ରୀ ‘ସେକାଳ ପଖାଳ’ କଥା କହିବାକୁ ବାଧ୍ୟ ହେଉଛନ୍ତି।
ଖାଲି ସେତିକି ନୁହେଁ ମୁଖ୍ୟମନ୍ତ୍ରୀଙ୍କ ସଫଳତାକୁ ଦର୍ଶାଇବା ଲାଗି ରାସ୍ତାକଡ଼ରେ ଯେଉଁ ହୋର୍ଡିଂସବୁ ଲଗାଯାଇଛି ସେଥିରେ ୨୫ ବର୍ଷ ବିଜେଡି ଶାସନ ବୋଲି କୁହାଯାଇଛି। ଗତକାଲି ପଲିଟିକାଲ ଭାଗବତରେ ମୁଁ ଏ ବିଷୟକୁ ଆପଣଙ୍କ ସାମ୍ନାକୁ ଆଣିଥିଲି। ଓବିସି ସଂରକ୍ଷଣକୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇବା ଲାଗି ଯେଉଁ ହୋର୍ଡିଂ, ପୋଷ୍ଟରସବୁ ଲଗାଯାଇଛି ସେଥିରେ ନବୀନଙ୍କ ୨୫ ବର୍ଷର ସରକାର ବୋଲି କୁହାଯାଇଛି।
ତଥ୍ୟ ଅନୁସାରେ ନବୀନ ୨୦୨୦ ମାର୍ଚ୍ଚ ୫ ତାରିଖରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ। ତାଙ୍କ ଶାସନ କାଳ ୫ଥରରେ ୧୨ ଜୁନ୍ ୨୦୨୪ ଯାଏ ଚାଲିଥିଲା। ଅର୍ଥାତ୍ ସମୁଦାୟ ୨୪ ବର୍ଷ ୯୮ ଦିନ ସେ ଶାସନ କରିଥିଲେ। ଏହା କିଭଳି ୨୫ ବର୍ଷ ହେଲା। ଏହା ସ୍ପଷ୍ଟ କରୁଛି ସେ ଏବେକାର ଶାସକ ଦଳ ଭାବି ନେଇଛି ଯେ ଏବେବି ବିଜେଡି ପ୍ରଭାବରେ ରାଜ୍ୟ ଶାସନ ଚାଲିଛି, ସତକଥା ନୁହେଁ କି?
ଏହାକୁ ସ୍ପଷ୍ଟଭାବେ କହିବା ପଛରେ ଅନେକ କାରଣ ରହିଛି। ଗୋଟି ଗୋଟି କରି ସବୁର ବିବରଣୀ ଏଠାରେ ରଖିବାକୁ ଚେଷ୍ଟା କରିବି।
କେହି ମାନୁ ବା ନ ମାନୁ ରାଜ୍ୟରେ ବିଜେପି ସଂଖ୍ୟା ଗରିଷ୍ଠତା ପାଇବା ପଛରେ ମୂଳ କାରଣ ଥିଲେ ବିଜେଡିର ମୁଖ୍ୟ ନବୀନ ପଟ୍ଟନାୟକଙ୍କ ଖାସ୍ ଲୋକ ଭୈରବ କାର୍ତ୍ତିକେୟ ପାଣ୍ଡିଆନ୍। ତାଙ୍କ ବିଷୟରେ ଆପଣ ଭଲଭାବେ ଜାଣିଛନ୍ତି। ରାଜ୍ୟ ଶାସନକୁ ନବୀନଙ୍କ ନାଁରେ ସେ ହାଇଜାକ୍ କରିଛନ୍ତି, ମୁଖ୍ୟମନ୍ତ୍ରୀଙ୍କୁ ନଜରବନ୍ଦୀ କରିଛନ୍ତି। ତାଙ୍କ କଥାରେ ମୁଖ୍ୟମନ୍ତ୍ରୀ ପରିଚାଳିତ ହେଉଛନ୍ତି, ସେ ହିଁ ବାସ୍ତବରେ ମୁଖ୍ୟମନ୍ତ୍ରୀ ବୋଲି ବିଜେପି ପୂର୍ବରୁ ଯେତେବେଳ ବିରୋଧି ଦଳରେ ଥିଲା ସେତେବେଳେ ଅନେକ ଅଭିଯୋଗ କରି ଆସିଛି।
ଏହି ଅଭିଯୋଗକୁ ଆଧାର କରି ପାଣ୍ଡିଆନ୍ ସରକାରୀ ଚାକିରି ଛାଡ଼ି ରାଜନୀତିରେ ପ୍ରବେଶ କରିଥିଲେ। ମୁଖ୍ୟମନ୍ତ୍ରୀଙ୍କ ତରଫରୁ ବିଭିନ୍ନ ଜିଲ୍ଲା ବୁଲି ଲୋକଙ୍କ ଅଭିଯୋଗ ସଂଗ୍ରହ କରୁଥିଲେ। କିନ୍ତୁ ଏହା ଏକ ଭୁଲ୍ ବାର୍ତ୍ତା ଓଡ଼ିଶାବାସୀଙ୍କୁ ଦେଇଥିଲା। ଆଉ ତାହାର ଜନକ ଥିଲା ବିରୋଧୀ ବିଜେପି।
ଏଥିଲାଗି ପାଣ୍ଡିଆନ୍ଙ୍କ ବିରୁଦ୍ଧରେ ଦୁର୍ନୀତି ଅଭିଯୋଗ ଆସିଥିଲା। ସେ ଅଣ ଓଡ଼ିଆ ଠିକାଦାର, ବ୍ୟବସାୟୀଙ୍କୁ ରାଜ୍ୟରେ ପ୍ରବେଶ କରାଇ ରାଜ୍ୟବାସୀଙ୍କ ସ୍ୱାର୍ଥକୁ ହଡ଼ପ କରୁଛନ୍ତି ବୋଲି ଅଭିଯୋଗ ହୋଇଥିଲା। ଖଣିରୁ ପାଣି, ଶାସନରୁ ପ୍ରଶାସନରେ ଅଣ ଓଡ଼ିଆଙ୍କ ପ୍ରଭାବ ବଢ଼ିଥିବା ଦର୍ଶାଇ ‘ଓଡ଼ିଆ ଅସ୍ମିତା’ର ବାର୍ତ୍ତା ଦେଇଥିଲା ବିଜେପି। ଏହି ବାର୍ତ୍ତା ଲୋକଙ୍କୁ ଧରିଥିଲା। ଆଉ ଲୋକେ ବିକଳ୍ପ ଖୋଜି ବିଜେପିକୁ ଭୋଟ୍ ଦେଇଥିଲେ।
ହେଲେ ଏ କ୍ଷମତା ଅକସ୍ମାତ ଥିଲା। କେନ୍ଦ୍ରୀୟ ନେତୃତ୍ୱ ବି ଏହା ଜାଣିଥିଲେ। ଏଣୁ ଯେତେବଳେ ମୁଖ୍ୟମନ୍ତ୍ରୀ ଚୟନ ହେଲା ସେତେବେଳେ ଅକସ୍ମାତ୍ ମୋହନ ମାଝୀଙ୍କ ନାଁ ଆସିଥିଲା। ଅର୍ଥାତ୍ ମୋହନଙ୍କ ନାଁ ନା ଚର୍ଚ୍ଚାରେ ଥିଲା, ନା ତାଙ୍କ ନାଁରେ ଭୋଟ୍ ମିଳିଥିଲା। ଅର୍ଥାତ୍ ସେ ହେଲେ ଅକସ୍ମାତ ମୁଖ୍ୟମନ୍ତ୍ରୀ।
ମୋହନ ଚରଣ ମାଝୀ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେବା ପୂର୍ବରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନିମନ୍ତ୍ରଣ କରିବା ଆଳରେ ତାଙ୍କ ଶୁଭେଚ୍ଛା କାମନା କରିଥିଲେ। ଏହା ଇଙ୍ଗିତ କରୁଛି ଯେ ମୋହନଙ୍କୁ ଚୟନ କରିବା ପଛରେ କେନ୍ଦ୍ରୀୟ ବିଜେପି ନେତାଙ୍କ ଉପରେ ନବୀନଙ୍କ ପ୍ରଭାବ ଥିଲା।
କେବଳ ସେତିକି ନ ଥିଲା ଗତବର୍ଷ ରଥଯାତ୍ରାବେଳେ ବିରୋଧୀ ଦଳ ନେତାଙ୍କୁ କେନ୍ଦ୍ରମନ୍ତ୍ରୀ ତଥା ଓଡ଼ିଶାର ମୁଖ୍ୟମନ୍ତ୍ରୀ ହେବା ଲାଗି ଦାବିଦାର ଥିବା ଧର୍ମେନ୍ଦ୍ର ପ୍ରଧାନ ତାଙ୍କୁ ଯେଉଁଭଳିଭାବେ ପାଛୋଟି ନେଇ ମୁଖ୍ୟମନ୍ତ୍ରୀଙ୍କ ପାଖରେ ବସାଇଲେ ତାହା ବି ରାଜ୍ୟ ଶାସନରେ ନବୀନଙ୍କ ପ୍ରଭାବକୁ ବୟାନ କରିଥିଲା। ଏହି ଗୋଟିଏ ଘଟଣା ନୁହେଁ, ୧୨ ଜୁନ ୨୦୨୪ରେ ମୋହନଙ୍କ ଶପଥ ଗ୍ରହଣ ଉତ୍ସବକୁ ନବୀନ ଆସିଥିଲେ। ସେତେବେଳେ ଧର୍ମେନ୍ଦ୍ର ଯେପରି ନବୀନଙ୍କୁ ପାଛୋଟି ନେଲେ ତାହା ରାଜ୍ୟବାସୀଙ୍କ ଦୃଷ୍ଟି କଟୁ କରିଥିଲା।
ଆଉ ଏକ ଗୁରୁତ୍ୱପୂର୍ଣ୍ଣ ବିନ୍ଦୁ ଏବେ ଆପଣଙ୍କୁ କହିବାକୁ ଯାଉଛି। ତାହା ହେଲା ନବୀନଙ୍କ ପାର୍ଷଦରେ ବେଶ୍ ଆସ୍ଥାଭାଜନ ରହିଥିବା ଅଧିକାରୀ ଓ ମନ୍ତ୍ରୀ। ସେମାନଙ୍କ ସୁରକ୍ଷିତ ଅବସ୍ଥିତିକୁ ବି ମୋହନଙ୍କ ସରକାର ଗ୍ୟାରେଣ୍ଟି ଦେଇଥିଲା। ପ୍ରଥମେ ଯେଉଁ ଅଧିକାରୀ କ୍ଷମତାର ଦୂରୁପୋଯୋଗ କରି ସମସ୍ତ ସରକାରୀ କାର୍ଯ୍ୟକୁ ଫାଇଭ୍-ଟି ନାମକ ଏକ କାର୍ଯ୍ୟକ୍ରମ ଜରିଆରେ ନିୟନ୍ତ୍ରଣ କରୁଥିଲେ ତାହାଙ୍କ ବାବଦରେ ଚୁପ୍ ରହିଲେ ମୁଖ୍ୟମନ୍ତ୍ରୀ। କ୍ଷମତା ଦଖଲ ନେବା ପୂର୍ବରୁ ପାଣ୍ଡିଆନ୍ ଓ ଫାଇଭ୍-ଟି ବାବଦରେ ଅନେକ କଥା କହୁଥିଲେ, ଅନେକ ଅଭିଯୋଗ କରିଥିଲେ। ହେଲେ କ୍ଷମତା ହାସଲ ପରେ ଚୁପ୍ ରହିବା କ’ଣ ବୟାନ କରୁଛି?
ଖାଲି ସେତିକି ନୁହେଁ ତାଙ୍କ ପତ୍ନୀ ସୁଜାତାଙ୍କ ସ୍ୱେଚ୍ଛାକୃତ ଅବସର ନେବା ବି ବିରଳ ଘଟଣାଭାବେ ଗ୍ରହଣ କରାଯାଏ। ନବୀନ ଓ ପାଣ୍ଡିଆନ୍ଙ୍କ ଦିଲ୍ଲୀ ଯିବା ଏବଂ ପରେ ତାଙ୍କ ଆବେଦନ ଗ୍ରହଣ ହୋଇଥିବା ଖବର ଆସିବାକୁ ସଂଯୋଗଭାବେ ଗ୍ରହଣ କରାଯାଏ। ଅର୍ଥାତ୍ ନବୀନଙ୍କ କେନ୍ଦ୍ରୀୟ ବିଜେପି ନେତାଙ୍କ ଉପରେ ପ୍ରଭାବ ରହି ଆସିଛି। କୌଣସି ଭାବେ ନବୀନ ଓ ତାଙ୍କ ଖାସ୍ ସହଯୋଗୀଙ୍କୁ ବିଜେପିର କେନ୍ଦ୍ରୀୟ ନେତୃତ୍ୱ ଅସନ୍ତୁଷ୍ଟ କରିବାକୁ ଚାହୁଁ ନାହାନ୍ତି।
ତାହା ହୋଇଥିଲେ ବିଜେପିର ଅଭିଯୁକ୍ତ ଅଧିକାରୀମାନେ ଉଚ୍ଚ ପଦବୀକୁ ସ୍ଥାନାନ୍ତର ହୋଇନଥାଆନ୍ତେ। ଉତ୍ତରପ୍ରଦେଶ ଭଳି ସକ୍ରିୟ ଏବଂ ଟାଣୁଆ ମୁଖ୍ୟମନ୍ତ୍ରୀ ହୋଇଥିଲେ ସେ ଅଧିକାରୀମାନେ ଆଜି ଆଇନର କାଠଗଡ଼ାରେ ଲଢ଼େଇ କରୁଥାଆନ୍ତେ।
ମୁଁ ଏଠି କିଛି ଆଇଏଏସ୍ ଓ ଆଇପିଏସ୍ ଅଧିକାରୀଙ୍କ କଥା କହିବି। ଯାହାଙ୍କ ନାଁରେ ଅନେକ ଦୁର୍ନୀତିର ଅଭିଯୋଗ ବିଜେପି ଯେତେବେଳେ ବିରୋଧୀ ଦଳରେ ଥିଲା ସେତେବେଳେ ଆଣିଥିଲା। ଏପରିକି ଏହି ଅଧିକାରୀମାନେ କ୍ଷମତାର ଦୁରୂପୋଯୋଗ କରି ତତ୍କାଳୀନ ସରକାରଙ୍କୁ ଭୋଟ୍ ଗୋଟାଇବା ଦିଗରେ ସହାୟତା କରୁଥିବା ଅଭିଯୋଗ ହୋଇଥିଲା।
ଏମାନଙ୍କ ମଧ୍ୟରେ ଥିଲେ ଆଇପିଏସ୍ ଅଧିକାରୀ ଡିଏସ୍ କୁଟ୍ଟେ, ଆଶୀଷ ସିଂହ, ରବିକାନ୍ତ, ମିତ୍ରଭାନୁ ମହାପାତ୍ରଙ୍କ ଭଳି ପୁଲିସ। ତତ୍କାଳୀନ ମୁଖ୍ୟମନ୍ତ୍ରୀଙ୍କ ଅଫିସରେ ଏମାନଙ୍କ ଅଖଣ୍ଡ କ୍ଷମତା ଥିଲା। ଯାହାଙ୍କ ବିରୁଦ୍ଧରେ ନିର୍ବାଚନ କମିଶନଙ୍କ ପାଖରେ ଅଭିଯୋଗ କରିଥିଲା ବିଜେପି। ହେଲେ କ୍ଷମତାକୁ ଆସିବା ପରେ ସେମାନଙ୍କୁ କେନ୍ଦ୍ରୀୟ ଡେପ୍ୟୁଟେସନରେ ଯିବାର ମାର୍ଗ ସହଜ କରିଥିଲା। ସମୟ ଏମିତି ଆସିଥିଲା ଯେ ଏହି ଆଇପିଏସ୍ମାନଙ୍କୁ ବିଏସ୍ଏଫରେ ନିଯୁକ୍ତି ମିଳିଥିଲା।
ତତ୍କାଳୀନ ସରକାରରେ ଖଣି ଓ ଖଣିଜ ପାଣ୍ଠି ଲୁଟ୍ ଏକ ସାଂଘାତିକ ଅଭିଯୋଗ ଥିଲା। ଏହି କାରବାରରେ ସୁନ୍ଦରଗଡ଼ର ତତ୍କାଳୀନ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ, କେନ୍ଦୁଝର ଜିଲ୍ଲାପାଳ ଆଶୀଷ ଠାକରେ। ଶ୍ରୀ ପବନ କଲ୍ୟାଣ ଗୋଟିଏ ବର୍ଷରେ ସୁନ୍ଦରଗଡ଼ ଡିଏମ୍ଏଫ୍ରୁ ୪ ହଜାର କୋଟି ଟଙ୍କା ଖର୍ଚ୍ଚ କରିବା ବିରୋଧୀ ଦଳଙ୍କ ଚକ୍ଷୁ କଟୁ ହୋଇଥିଲା। ସେହିପରି ୬ ବର୍ଷ ଧରି କେନ୍ଦୁଝର ଜିଲ୍ଲାପାଳ ରହିବାର ରେକର୍ଡ ନିର୍ବାହ କରି ଡିଏମଏଫ୍ ପାଣ୍ଠିକୁ ବିଜେଡିର ପ୍ରଚାର ପ୍ରସାର ପାଇଁ ବିନଯୋଗ କରିଥିଲେ ଆଶୀଷ ଠାକରେ।
ଆଉ ଚାଉଳ ଦୁର୍ନୀତିର ମାଷ୍ଟର ମାଇଣ୍ଡ ବୋଲି ଅଭିଯୋଗ ଥିବା ବୀର ବିକ୍ରମ ସିଂହ ଯାଦବ ଆଜି ସୁନାପିଲା ସାଜିଛନ୍ତି। ଗତ ରଥଯାତ୍ରା ପହଣ୍ଡି ସମୟରେ ସାରା ଓଡ଼ିଶାକୁ ନିନ୍ଦିତ କରିଥିବା ଏହି ଯାଦବ ଏବେ କେନ୍ଦ୍ରୀୟ ଡେପ୍ୟୁଟେସନରେ। ଏହି ତାଲିକାରେ ଥିବା ହେମନ୍ତ କୁମାର ଶର୍ମା, ଭୂପିନ୍ଦର ସିଂହ ପୁନିଆଁ, ଭିନିଲକ୍ରିଷ୍ଣାଙ୍କ ଭଳି ଅନେକ ଆଇଏଏସ୍ ଅଧିକାରୀ ଏବେ ବି ପୂର୍ବପରି ଅଖଣ୍ଡ କ୍ଷମତା ଉପଭୋଗ କରି ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ବଦ୍ନାମ କରିବା ପାଇଁ ଭିତିରିଆ ଉଦ୍ୟମରେ ଅଛନ୍ତି।
କ୍ଷମତା ପୂର୍ବରୁ ବିଜେପିର ଆଚରଣ ଓ ଏବେ ଯେଉଁ ଆଚରଣ ତାହା ସ୍ପଷ୍ଟ କରୁଛି ଯେ ବିଜେଡି ଓ ବିଜେଡି ଅନୁଗତ ଅଧିକାରୀଙ୍କ ପ୍ରତି ରାଜ୍ୟ ବିଜେପିର ନରମ ଆଚରଣ ରହିଛି। ଏହା କେନ୍ଦ୍ରୀୟ ପ୍ରଭାବ ହୋଇଥାଇପାରେ, କିନ୍ତୁ ଯେଉଁ କେନ୍ଦ୍ରୀୟ ପ୍ରଭାବରେ ସେ ରାଜ୍ୟର ମୁଖ୍ୟମନ୍ତ୍ରୀ ହୋଇଛନ୍ତି, ସେଠାରେ କେନ୍ଦ୍ରୀୟ ପ୍ରଭାବରେ ହିଁ ରାଜ୍ୟ ସରକାରଙ୍କ ଫାଇଲ ଚାଲିବା ସ୍ୱାଭାବିକ। କିନ୍ତୁ ଏହାଦ୍ୱାରା ରାଜ୍ୟ ଆଗକୁ ବଢ଼ିବ କି? ୨୦୩୬ରେ ବିକଶିତ ଓଡ଼ିଶାର ସ୍ୱପ୍ନ ରାଜ୍ୟରେ ପୂରଣ ହୋଇପାରିବ କି? ୨୦୪୭ରେ ବିକଶିତ ଭାରତ ପାଇଁ ଓଡ଼ିଶା ଗ୍ରୋଥ ଇଞ୍ଜିନ୍ ହେବାରେ ସକ୍ଷମ ହେବ କି? ନା ଗୁଜରାଟ, ଆନ୍ଧ୍ର, ଉତ୍ତରପ୍ରଦେଶ ହିଁ ଦେଶର ବିକାଶ ଇଞ୍ଜିନ୍ ହେବେ ଓ ଓଡ଼ିଶା କେବଳ ସେଠାର କିଛି ନେତାଙ୍କ ଦ୍ୱାରା ପୁଣି ଏକ ନିର୍ବାଚନକୁ ଅପେକ୍ଷା କରିବ?
Also readhttps://purvapaksa.com/feroze-gandhi-the-unknown-face-of-gandhi-dynasty/