ଜାମ୍ମୁ-କାଶ୍ମୀର ଏବଂ ଲଦାଖକୁ ନେଇ କ୍ରମାଗତ ଭାବେ ପ୍ରଚାର କରାଯାଉଥିବା ଅସତ୍ୟ ଓ ଭ୍ରାନ୍ତ ଦାବିର ଅତ୍ୟନ୍ତ ଅନନ୍ୟ ଏବଂ କଡ଼ା ଶୈଳୀରେ ଜବାବ ଦେଇଛି ଭାରତର ବୈଦେଶିକ ମନ୍ତ୍ରଣାଳୟ । ବୈଦେଶିକ ମନ୍ତ୍ରଣାଳୟର ସ୍ୱତନ୍ତ୍ର ‘ଫ୍ୟାକ୍ଟ ଚେକ୍’ ୱିଙ୍ଗ୍ ନିଜର ଆଧିକାରିକ ସୋସିଆଲ୍ ମିଡିଆ ଆକାଉଣ୍ଟ ‘ଏକ୍ସ’ ଏବଂ ଇନ୍ଷ୍ଟାଗ୍ରାମ୍ରେ ଏକ ଲୋକପ୍ରିୟ କାର୍ଟୁନ୍ ‘ସାଉଥ୍ ପାର୍କ’ ର ଭାଇରାଲ୍ ମୀମ୍ (Meme) ଶେୟାର କରିଛନ୍ତି।
![]()
ଏହି ମୀମ୍ରେ ଲେଖାଅଛି— *”ମୁଁ ତୁମକୁ ଏହି କଥା ଆଉ କେତେ ଥର ବୁଝାଇବାକୁ ପଡ଼ିବ?”* (How many times do I have to explain this to you?)। ଏହା ମାଧ୍ୟମରେ ମନ୍ତ୍ରଣାଳୟ ସ୍ପଷ୍ଟ କରିଛି ଯେ, ଜାମ୍ମୁ-କାଶ୍ମୀର ଓ ଲଦାଖ ଭାରତର ଅବିଚ୍ଛେଦ୍ୟ ଅଙ୍ଗ ଏବଂ ଏଥିରେ କୌଣସି ଦ୍ୱିମତ ନାହିଁ।
ସୋସିଆଲ୍ ମିଡିଆର ଭ୍ରାନ୍ତ ଦାବିକୁ ସମ୍ପୂର୍ଣ୍ଣ ଖାରଜ
ସୂଚନା ଅନୁଯାୟୀ, ନିକଟରେ ଏକ ଅସାଧୁ ସୋସିଆଲ୍ ମିଡିଆ ଆକାଉଣ୍ଟ ପକ୍ଷରୁ ଦାବି କରାଯାଇଥିଲା ଯେ ଜାମ୍ମୁ-କାଶ୍ମୀର ଏବଂ ଲଦାଖ ଭାରତର ଅଙ୍ଗ ନୁହଁନ୍ତି ଏବଂ ଏହା ଜାତିସଂଘ ପ୍ରସ୍ତାବ ଅଧୀନରେ ବିବାଦୀୟ ଅଞ୍ଚଳ। ଏହାସହ ପାକିସ୍ତାନ ଅଧିକୃତ କାଶ୍ମୀର (PoJK) ରେ ଚାଲିଥିବା ତଥାକଥାତ ନିର୍ବାଚନକୁ ‘ନିରପେକ୍ଷ’ ବୋଲି ଦର୍ଶାଇବାକୁ ଚେଷ୍ଟା କରାଯାଇଥିଲା।
ବୈଦେଶିକ ମନ୍ତ୍ରଣାଳୟ ଏହି ସମସ୍ତ ଅପପ୍ରଚାରକୁ ସମ୍ପୂର୍ଣ୍ଣ ପ୍ରତ୍ୟାଖ୍ୟାନ କରି ସ୍ପଷ୍ଟ ଶବ୍ଦରେ କହିଛି:
View this post on Instagram
ଅବିଚ୍ଛେଦ୍ୟ ଅଙ୍ଗ : ଜାମ୍ମୁ-କାଶ୍ମୀର ଏବଂ ଲଦାଖର ସମ୍ପୂର୍ଣ୍ଣ କେନ୍ଦ୍ରଶାସିତ ଅଞ୍ଚଳ ଯେଉଁଥିରେ ପାକିସ୍ତାନ ଦ୍ୱାରା ବେଆଇନ ଭାବେ ଅଧିକୃତ ଅଞ୍ଚଳ (PoJK) ସାମିଲ ରହିଛି ,ତାହା ଭାରତର ଅବିଚ୍ଛେଦ୍ୟ ଏବଂ ଅବିଭାଜ୍ୟ ଅଙ୍ଗ।
ପାକିସ୍ତାନର ‘ପ୍ରହସନ ନିର୍ବାଚନ’ : ପାକିସ୍ତାନ ନିଜ ଅଧିକୃତ ଅଞ୍ଚଳରେ ଯେଉଁ ନିର୍ବାଚନ କରୁଛି, ତାହା କେବଳ ଏକ ‘ଦେଖାଣିଆ ପ୍ରହସନ’ (Cosmetic Exercise)। ନିଜର ବେଆଇନ କବ୍ଜା ଏବଂ ମାନବାଧିକାର ଉଲ୍ଲଂଘନରୁ ବିଶ୍ୱର ଧ୍ୟାନ ହଟାଇବା ପାଇଁ ପାକିସ୍ତାନ ଏହିପରି ଭ୍ରାନ୍ତ ନାଟକ କରୁଛି।
PoJK ରେ ଜନଆନ୍ଦୋଳନ ପାକିସ୍ତାନୀ ଶୋଷଣର ପରିଣାମ
ପାକିସ୍ତାନ ଅଧିକୃତ କାଶ୍ମୀର (PoJK) ର ରାୱଲାକୋଟ, ମୀରପୁର ଏବଂ ଅନ୍ୟାନ୍ୟ ସହରଗୁଡ଼ିକରେ ସାଧାରଣ ନାଗରିକ ଓ ସୁରକ୍ଷା ବାହିନୀ ମଧ୍ୟରେ ଚାଲିଥିବା ରକ୍ତାକ୍ତ ସଂଘର୍ଷ ଏବଂ ଜନଆନ୍ଦୋଳନ ପ୍ରସଙ୍ଗରେ ମଧ୍ୟ ବୈଦେଶିକ ମନ୍ତ୍ରଣାଳୟ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି।
ମନ୍ତ୍ରଣାଳୟ ପ୍ରକାଶ କରିଛି ଯେ, “ପାକିସ୍ତାନ ଅଧିକୃତ ଅଞ୍ଚଳରେ ଆଜି ଯେଉଁ ବ୍ୟାପକ ବିଦ୍ରୋହ ଓ ପ୍ରତିବାଦ ଦେଖିବାକୁ ମିଳୁଛି, ତାହା ଇସଲାମାବାଦ ପ୍ରଶାସନ ଦ୍ୱାରା ଦଶନ୍ଧି ଦଶନ୍ଧି ଧରି କରାଯାଉଥିବା ଆର୍ଥିକ ଶୋଷଣ, ମୌଳିକ ଅଧିକାରରୁ ବଞ୍ଚିତ କରିବା ଏବଂ ପ୍ରଶାସନିକ ଦମନଲୀଳାର ପ୍ରତ୍ୟକ୍ଷ ପରିଣାମ।”

ନୂଆ ‘ଡିଜିଟାଲ୍ କୂଟନୀତି’କୁ ପ୍ରଶଂସା
ସାଧାରଣତଃ ପ୍ରତିରକ୍ଷା ଓ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଅତ୍ୟନ୍ତ ଗାମ୍ଭୀର୍ଯ୍ୟପୂର୍ଣ୍ଣ ଏବଂ ଆନୁଷ୍ଠାନିକ ଭାଷାରେ ବିବୃତି ଜାରି କରାଯାଇଥାଏ। ମାତ୍ର ବୈଦେଶିକ ମନ୍ତ୍ରଣାଳୟର ‘MEA Fact Check’ ଆକାଉଣ୍ଟ ପକ୍ଷରୁ ମୀମ୍ (Meme) ବ୍ୟବହାର କରି ପାକିସ୍ତାନର ଅପପ୍ରଚାରର ପୋଲ୍ ଖୋଲିବା ଏବଂ ଭାରତୀୟ ପକ୍ଷକୁ ସ୍ପଷ୍ଟ କରିବା ନୂତନ ଯୁଗର ‘ଡିଜିଟାଲ୍ କୂଟନୀତି’ ର ଏକ ବଡ଼ ଉଦାହରଣ ଭାବେ ଗ୍ରହଣ କରାଯାଉଛି।
ସୋସିଆଲ୍ ମିଡିଆରେ ଭାରତୀୟ ବ୍ୟବହାରକାରୀମାନେ ବୈଦେଶିକ ମନ୍ତ୍ରଣାଳୟର ଏହି ଚିତ୍ତାକର୍ଷକ ଏବଂ କଠୋର ଶୈଳୀକୁ ଭୂୟସୀ ପ୍ରଶଂସା କରୁଛନ୍ତି।


