ଭାରତୀୟ ଗଣତନ୍ତ୍ରର ଇତିହାସରେ ସାମ୍ବିଧାନିକ ପଦବୀରେ ଅଧିଷ୍ଠିତ ବ୍ୟକ୍ତିବିଶେଷଙ୍କ ବିରୋଧରେ ‘ମହାଭିଯୋଗ ପ୍ରସ୍ତାବ’ ବା ‘Impeachment Motion’ ଏକ ବ୍ରହ୍ମାସ୍ତ୍ର ସଦୃଶ। କିନ୍ତୁ ଯେତେବେଳେ ଏହି ଅସ୍ତ୍ରର ପ୍ରୟୋଗ କେବଳ ରାଜନୈତିକ ସ୍ୱାର୍ଥ ହାସଲ ପାଇଁ କରାଯାଏ, ସେତେବେଳେ ଗଣତନ୍ତ୍ରର ଗରିମା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୁଏ। ବର୍ତ୍ତମାନ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସର ସୁପ୍ରିମୋ ମମତା ବାନାର୍ଜୀ, ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ଯେଉଁ ମହାଭିଯୋଗ ପ୍ରସ୍ତାବ ଆଣିବାକୁ ନୋଟିସ୍ ଦେଇଛନ୍ତି, ତାହା ଦେଶର ରାଜନୈତିକ ମାହୋଲକୁ ଉଷ୍ମ କରିଦେଇଛି। ଏହି ପ୍ରସ୍ତାବରେ ଇଣ୍ଡି ମେଣ୍ଟର ଅନେକ ସହଯୋଗୀ ଦଳ ସ୍ୱାକ୍ଷର କରିଥିବାବେଳେ, ଏହା ଏକ ସାମ୍ବିଧାନିକ ସଙ୍କଟ ଅପେକ୍ଷା ଏକ ସୁସଂଗଠିତ ‘ରାଜନୈତିକ ଡ୍ରାମା’ ଭଳି ଅଧିକ ପ୍ରତୀୟମାନ ହେଉଛି।
ସଙ୍କଟର ମୂଳଦୁଆ: ଭୋଟର ତାଲିକା ଶୁଦ୍ଧିକରଣ ଓ ମମତାଙ୍କ ଭୟ
ପଶ୍ଚିମବଙ୍ଗ ରାଜନୀତିରେ ମମତା ବାନାର୍ଜୀଙ୍କ ସବୁଠୁ ବଡ଼ ଶକ୍ତି ହେଉଛି ତାଙ୍କର ସୁଦୃଢ଼ ଭୋଟ୍ ବ୍ୟାଙ୍କ। କିନ୍ତୁ ବର୍ତ୍ତମାନ ଏହି ଦୁର୍ଗରେ ଫାଟ ସୃଷ୍ଟି ହେବାକୁ ଯାଉଛି। ସୁପ୍ରିମୋକୋର୍ଟଙ୍କ କଡ଼ା ଆଭିମୁଖ୍ୟ ଏବଂ ହାଇକୋର୍ଟଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ବଙ୍ଗଳାରେ ଏବେ ଏସ୍ଆଇଆର ବା ଭୋଟର ତାଲିକା ଶୁଦ୍ଧିକରଣ ପ୍ରକ୍ରିୟା ଜୋରଦାର ଚାଲିଛି।
ଏହି ପ୍ରକ୍ରିୟାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଲକ୍ଷ ଲକ୍ଷ ବାଂଲାଦେଶୀ ଅନୁପ୍ରବେଶକାରୀ ଏବଂ ନକଲି ଭୋଟରଙ୍କ ନାମ ତାଲିକାରୁ ବାଦ୍ ଦେବା। ପ୍ରାୟ ଦୁଇ ଦଶନ୍ଧି ଧରି ବାଂଲାଦେଶୀ ଅନୁପ୍ରବେଶକାରୀମାନେ ଟିଏମସି ପାଇଁ ଏକ ସୁରକ୍ଷିତ ଭୋଟ୍ ବ୍ୟାଙ୍କ ଭାବେ କାମ କରିଆସୁଛନ୍ତି। ଯଦି ନିର୍ବାଚନ କମିଶନ ଏହି ତାଲିକାକୁ ସଂଶୋଧିତ କରନ୍ତି, ତେବେ ୨୦୨୬ ବିଧାନସଭା ନିର୍ବାଚନରେ ମମତାଙ୍କ ପାଇଁ କ୍ଷମତା ରକ୍ଷା କରିବା ଅତ୍ୟନ୍ତ କଷ୍ଟକର ହୋଇପଡ଼ିବ। ତେଣୁ ନିର୍ବାଚନ କମିଶନଙ୍କୁ ଆକ୍ରମଣ କରି ସେ ଜନତାଙ୍କ ଆଗରେ ନିଜକୁ ଜଣେ ‘ପୀଡ଼ିତା’ ଏବଂ କମିଶନଙ୍କୁ ଜଣେ ‘ଷଡ଼ଯନ୍ତ୍ରକାରୀ’ ଭାବେ ଉପସ୍ଥାପନ କରିବାକୁ ଚାହୁଁଛନ୍ତି।
କଂଗ୍ରେସର ବିଚିତ୍ର ସ୍ଥିତି: ବେଗାନୀ ଶାଦୀ ମେଁ ଅବଦୁଲ୍ଲା ଦିୱାନା
ଏହି ସମଗ୍ର ପ୍ରକ୍ରିୟାରେ କଂଗ୍ରେସର ଭୂମିକା ସବୁଠୁ ହାସ୍ୟାସ୍ପଦ। ପଶ୍ଚିମବଙ୍ଗରେ ମମତା ବାନାର୍ଜୀ କଂଗ୍ରେସକୁ କୌଣସି ଗୁରୁତ୍ୱ ଦିଅନ୍ତି ନାହିଁ। ଏପରିକି ଆସନ ବୁଝାମଣାରେ ମଧ୍ୟ କଂଗ୍ରେସକୁ କାଣିଚାଏ ସ୍ଥାନ ଦେବାକୁ ସେ ପ୍ରସ୍ତୁତ ନୁହନ୍ତି। ତଥାପି କଂଗ୍ରେସ ନେତାମାନେ ମହାଭିଯୋଗ ପ୍ରସ୍ତାବରେ ଟିଏମସିକୁ ସମର୍ଥନ ଦେଇ ନିଜ ଗୋଡ଼ରେ ନିଜେ କୁରାଢ଼ୀ ମାରିଛନ୍ତି।
ରାଜନୈତିକ ବିଶ୍ଳେଷକଙ୍କ ମତରେ, ଯଦି ସଂସଦରେ ଏହି ପ୍ରସଙ୍ଗରେ ଆଲୋଚନା ହୁଏ, ତେବେ କଂଗ୍ରେସର ପୁରୁଣା ପୋଥି ଖୋଲିବ। ନିଜ ଶାସନ କାଳରେ କଂଗ୍ରେସ କିଭଳି ଭାବେ ନିଜର ଆନୁଗତ୍ୟ ଲୋକଙ୍କୁ ସାମ୍ବିଧାନିକ ପଦବୀରେ ବସାଇ ନିର୍ବାଚନକୁ ପ୍ରଭାବିତ କରୁଥିଲା, ତାହା ବିଜେପି ପାଇଁ ଏକ ବଡ଼ ଅସ୍ତ୍ର ହେବ। କୁହାଯାଉଛି ଯେ, ରାହୁଲ ଗାନ୍ଧୀଙ୍କ ନେତୃତ୍ୱାଧୀନ କଂଗ୍ରେସ ଏବେ ‘ବେଜ୍ଜତି’କୁ ମଧ୍ୟ ଏକ ରାଜନୈତିକ ଅଳଙ୍କାର ଭାବେ ଗ୍ରହଣ କରିନେଇଛି।
ସାମ୍ବିଧାନିକ ବ୍ୟବସ୍ଥା ଓ ଇତିହାସର ଶିକ୍ଷା
ଭାରତୀୟ ସମ୍ବିଧାନ ଅନୁଯାୟୀ, ମୁଖ୍ୟ ନିର୍ବାଚନ କମିଶନରଙ୍କୁ ହଟାଇବା ପାଇଁ ସୁପ୍ରିମକୋର୍ଟର ବିଚାରପତିଙ୍କ ଭଳି କଠିନ ପ୍ରକ୍ରିୟା ପାଳନ କରିବାକୁ ପଡ଼େ। ସଂସଦର ଉଭୟ ଗୃହରେ ଦୁଇ-ତୃତୀୟାଂଶ ସଂଖ୍ୟାଗରିଷ୍ଠତା ବିନା ଏହା ଅସମ୍ଭବ। ବର୍ତ୍ତମାନର ସଂଖ୍ୟା ଗଣିତ ଅନୁଯାୟୀ, ବିରୋଧୀ ଦଳ ପାଖରେ ଏହି ସଂଖ୍ୟା ନାହିଁ।
ଅତୀତରେ କଂଗ୍ରେସ ସରକାର ଜଷ୍ଟିସ୍ ରଙ୍ଗନାଥ ମିଶ୍ର ଏବଂ ପରବର୍ତ୍ତୀ ସମୟରେ ଜଷ୍ଟିସ୍ ରଞ୍ଜନ ଗୋଗୋଇଙ୍କ ଭଳି ବ୍ୟକ୍ତିତ୍ୱଙ୍କୁ ମହାଭିଯୋଗର ଧମକ ଦେଇ ଚାପରେ ରଖିବାକୁ ଚେଷ୍ଟା କରିଥିଲା। କିନ୍ତୁ ଏଭଳି ପ୍ରୟାସ ସବୁବେଳେ ଗଣତନ୍ତ୍ରରେ ବିଫଳ ହୋଇଛି। ବର୍ତ୍ତମାନର ମୁଖ୍ୟ ନିର୍ବାଚନ କମିଶନରଙ୍କ ବିରୋଧରେ କୌଣସି ଠୋସ୍ ପ୍ରମାଣ ନ ଥାଇ କେବଳ ଭୋଟର ତାଲିକା ଶୁଦ୍ଧିକରଣକୁ ନେଇ ଅଭିଯୋଗ ଆଣିବା ସାମ୍ବିଧାନିକ ଦୃଷ୍ଟିକୋଣରୁ ଅତ୍ୟନ୍ତ ଦୁର୍ବଳ।
୨୦୨୬ର ରଣନୀତି: ନାଟକ ନା ନିବେଦନ?
ମମତା ବାନାର୍ଜୀ ଜଣେ ଚତୁର ରାଜନୀତିଜ୍ଞ। ସେ ଜାଣନ୍ତି ଯେ ଏହି ମହାଭିଯୋଗ ପ୍ରସ୍ତାବ ସଫଳ ହେବ ନାହିଁ। କିନ୍ତୁ ସେ ଏହାକୁ ଏକ ଅସ୍ତ୍ରଭାବେ ବ୍ୟବହାର କରି ପଶ୍ଚିମବଙ୍ଗର ଜନସାଧାରଣଙ୍କୁ ବାର୍ତ୍ତା ଦେବାକୁ ଚାହୁଁଛନ୍ତି ଯେ— “ଦେଖ, ଦିଲ୍ଲୀର ଶାସକ ତୁମର ଭୋଟ୍ ଦେବା ଅଧିକାର ଛଡ଼ାଇ ନେବାକୁ ଚେଷ୍ଟା କରୁଛନ୍ତି ଏବଂ ମୁଁ ତୁମ ପାଇଁ ଏକୁଟିଆ ଲଢୁଛି।”
କିନ୍ତୁ ସୁପ୍ରିମୋକୋର୍ଟଙ୍କ ନିକଟରେ ମମତାଙ୍କର ଏହି ‘ଭାବପ୍ରବଣତା କାର୍ଡ’ କାମ କରିନାହିଁ। ସୁପ୍ରିମୋକୋର୍ଟ ସ୍ପଷ୍ଟ କରିଛନ୍ତି ଯେ, ଯଦି କେହି ଭୋଟର ତାଲିକା ଶୁଦ୍ଧିକରଣ ପ୍ରକ୍ରିୟାରେ ବାଧା ସୃଷ୍ଟି କରନ୍ତି, ତେବେ କୋର୍ଟ କଠୋର ପଦକ୍ଷେପ ନେବେ।
ମମତା ବାନାର୍ଜୀଙ୍କ ଏହି ପଦକ୍ଷେପ ପଶ୍ଚିମବଙ୍ଗର ଆଭ୍ୟନ୍ତରୀଣ ସମସ୍ୟା ଯଥା— ଭ୍ରଷ୍ଟାଚାର, ମହିଳା ଅସୁରକ୍ଷା ଏବଂ ଅତ୍ୟଧିକ ମୁସଲିମ୍ ତୋଷଣ ରାଜନୀତିରୁ ଲୋକଙ୍କ ନଜର ହଟାଇବା ପାଇଁ ଏକ ପ୍ରୟାସ। ଷ୍ଟ୍ରେଟ୍ ଅଫ୍ ହର୍ମୁଜ୍ରେ ଯେପରି ଯୁଦ୍ଧ ଯୋଗୁଁ ତେଲ ସଙ୍କଟ ଦେଖାଦେଇଛି, ବଙ୍ଗଳାରେ ଠିକ୍ ସେହିପରି ‘ସତ୍ତା ସଙ୍କଟ’ ଯୋଗୁଁ ମମତା ବାନାର୍ଜୀ ନିର୍ବାଚନ କମିଶନଙ୍କ ସହ ଯୁଦ୍ଧ ଘୋଷଣା କରିଛନ୍ତି।
ଆଗାମୀ ଦିନରେ ଏହି ମହାଭିଯୋଗ ପ୍ରସ୍ତାବ କଂଗ୍ରେସ ପାଇଁ ‘ବୁମେରାଂ’ ସାବ୍ୟସ୍ତ ହେବ ନା ମମତାଙ୍କ ପାଇଁ ଏକ ରାଜନୈତିକ କବଚ ହେବ, ତାହା କେବଳ ସମୟ କହିବ। କିନ୍ତୁ ଭାରତୀୟ ସାମ୍ବିଧାନିକ ବ୍ୟବସ୍ଥାକୁ ଢାଲ କରି ନିଜର ଭୋଟ୍ ବ୍ୟାଙ୍କ ବଞ୍ଚାଇବା ପାଇଁ ଏଭଳି ହୀନ ପ୍ରୟାସ ଗଣତନ୍ତ୍ର ପାଇଁ ଶୁଭଙ୍କର ନୁହେଁ।
AlsoRead; https://purvapaksa.com/rebel-mlas-in-all-parties/


