କେନ୍ଦ୍ରୀୟ ମନ୍ତ୍ରୀମଣ୍ଡଳ କେରଳର ନାମକୁ ଆଧିକାରିକ ଭାବେ ‘କେରଳମ୍’ କରିବା ପ୍ରସ୍ତାବକୁ ମଞ୍ଜୁରୀ ଦେଇଛି । କେନ୍ଦ୍ରମନ୍ତ୍ରୀ ଅଶ୍ୱୀନି ବୈଷ୍ଣୋବ ଏହା ସୂଚନା ଦେଇ କହିଛନ୍ତି ଯେ ଭାଷା ଆଧାରରେ ରାଜ୍ୟ ପୁନର୍ଗଠନ ହେବା ସମୟରୁ ‘କେରଳ’ ନାମକୁ ‘କେରଳମ୍’ କରିବାକୁ ଦାବି ହୋଇଆସୁଥିଲା । ବର୍ତ୍ତମାନ ମୋଦି କ୍ୟାବିନେଟ ସେହି ଦାବିକୁ ଅନୁମୋଦନ କରିଛି ।

ଏହି ସିଦ୍ଧାନ୍ତ ଆସନ୍ତା ବିଧାନସଭା ନିର୍ବାଚନ ପୂର୍ବରୁ ଗୁରୁତ୍ୱ ଅଧିଗ୍ରହଣ କରିଛି । କେରଳ ସରକାର ପକ୍ଷରୁ ପଠାଯାଇଥିବା ପ୍ରସ୍ତାବକୁ କେନ୍ଦ୍ରୀୟ ମନ୍ତ୍ରୀମଣ୍ଡଳ ମଞ୍ଜୁର କରିଛି । ଏହା ପୂର୍ବରୁ ୨୦୨୩ ଅଗଷ୍ଟ ମାସରେ କେରଳ ବିଧାନସଭା ସର୍ବସମ୍ମତିରେ ଏକ ପ୍ରସ୍ତାବ ପାସ୍ କରି କେନ୍ଦ୍ର ସରକାରଙ୍କୁ ପଠାଇଥିଲା ।
କେରଳର ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ ଦୀର୍ଘଦିନ ଧରି ଏହି ଦାବିକୁ ସମର୍ଥନ କରୁଥିଲେ । ତାଙ୍କ କହିବା ଅନୁଯାୟୀ ‘କେରଳମ୍’ ନାମଟି ମାଲାୟଲମ ଭାଷାର ମୂଳ ଉଚ୍ଚାରଣ ସହିତ ସମ୍ବନ୍ଧିତ ଏବଂ ରାଜ୍ୟର ସାଂସ୍କୃତିକ ପରିଚୟକୁ ଆହୁରି ଭଲ ଭାବେ ପ୍ରକାଶ କରେ ।
ଏହି ପ୍ରସଙ୍ଗରେ ରାଜୀବ ଚନ୍ଦ୍ରଶେଖର ମଧ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖି ରାଜ୍ୟର ନାମ ପରିବର୍ତ୍ତନ ପାଇଁ ଅନୁରୋଧ କରିଥିଲେ । ସେ ତାଙ୍କ ଚିଠିରେ ଉଲ୍ଲେଖ କରିଥିଲେ ଯେ ‘କେରଳମ୍’ ନାମ ରାଜ୍ୟର ଐତିହ୍ୟ, ସଂସ୍କୃତି ଓ ଭାଷା ସହ ଗଭୀର ଭାବରେ ଜଡିତ ।
ଜୁନ୍ ୨୦୨୪ରେ କେରଳ ବିଧାନସଭା ପୁନର୍ବାର ସର୍ବସମ୍ମତିରେ ଏକ ପ୍ରସ୍ତାବ ଗୃହୀତ କରି ସରକାରୀ ଦଲିଲରେ ରାଜ୍ୟର ନାମ ‘କେରଳ’ ପରିବର୍ତ୍ତେ ‘କେରଳମ୍’ କରିବାକୁ ଦାବି କରିଥିଲା । ଏହି ପ୍ରସ୍ତାବ ପରେ କେନ୍ଦ୍ର ସରକାର ଆବଶ୍ୟକୀୟ ସଂବିଧାନିକ ପ୍ରକ୍ରିୟା ଆରମ୍ଭ କରିଥିଲା ।
ବିଶ୍ଳେଷକମାନଙ୍କ ମତାନୁସାରେ ଏହା କେବଳ ଏକ ନାମ ପରିବର୍ତ୍ତନ ନୁହେଁ ବରଂ ଭାଷା ଓ ସାଂସ୍କୃତିକ ଅସ୍ମିତାକୁ ସମ୍ମାନ ଦେବାର ପଦକ୍ଷେପ । ଦେଶର ଅନ୍ୟାନ୍ୟ ରାଜ୍ୟମାନେ ମଧ୍ୟ ନିଜ ଭାଷା ଓ ଐତିହ୍ୟ ଅନୁଯାୟୀ ନାମ ପରିବର୍ତ୍ତନ କରିଥିବା ଦେଖାଯାଇଛି ।
ଏହି ନିଷ୍ପତ୍ତି ପରେ ସମସ୍ତ ସରକାରୀ ଦଲିଲ, ମାନଚିତ୍ର ଓ ପ୍ରଶାସନିକ ରେକର୍ଡରେ ‘କେରଳମ୍’ ନାମ ବ୍ୟବହାର ହେବାକୁ ପାରେ । ଆଗାମୀ ଦିନରେ ସଂସଦର ଅନୁମୋଦନ ସହ ସଂବିଧାନିକ ପରିବର୍ତ୍ତନ ସମ୍ପୂର୍ଣ୍ଣ ହେଲେ ଏହା ଆଧିକାରିକ ରୂପେ କାର୍ଯ୍ୟକାରୀ ହେବ । ସାରକଥା କେନ୍ଦ୍ରୀୟ ମନ୍ତ୍ରୀମଣ୍ଡଳର ଏହି ସିଦ୍ଧାନ୍ତ ରାଜ୍ୟର ଭାଷା ଓ ସାଂସ୍କୃତିକ ପରିଚୟକୁ ନୂତନ ସ୍ୱୀକୃତି ଦେବା ସହ ରାଜନୈତିକ ମହଳରେ ମଧ୍ୟ ଚର୍ଚ୍ଚାର ବିଷୟ ହୋଇଛି ।
also read https://purvapaksa.com/narendra-modi/


