କଂଗ୍ରେସ ନେତା କହିଲେଣି ଭୋଟ୍ ଚୋରୀ ଅଭିଯୋଗ ଶୁଣିବାକୁ ଭଲ ଲାଗୁଥାଇ ପାରେ କିନ୍ତୁ ଏହାକୁ ନେଇ ଅର୍ଥ ଓ ସମୟ ବରବାଦ କରିବାର କିଛି ଅର୍ଥ ନାହିଁ । ଏଣେ ରାହୁଲ ଗାନ୍ଧୀଙ୍କୁ ଯେତେବେଳେ ‘ଭୋଟ ଚୋରୀ’ ମାମଲାକୁ କୋର୍ଟକୁ ନେବା ବିଷୟରେ ପଚରାଯାଏ, ସେ ଏହାକୁ ଏଡ଼ାଇବାକୁ ଚେଷ୍ଟା କରନ୍ତି। ଏପର୍ଯ୍ୟନ୍ତ ସେ ସତ୍ୟପାଠ ମଧ୍ୟ ଦାଖଲ କରିନାହାନ୍ତି। ଏଣେ ‘ଆନ୍ଦୋଳନଜୀବୀ’ ଭାବେ ପରିଚିତ ସଲିମ ଓରଫ ଯୋଗେନ୍ଦ୍ର ଯାଦବ ଫୁଟାଣି ମାରିବାକୁ ଯାଇ ଏକ ଇଂରାଜୀ ୱେବସାଇଟକୁ ସାକ୍ଷାତକାର ଦେବା ବେଳେ ‘ଭୋଟ ଚୋରୀ’ ମାମଲାରେ ରାହୁଲ ଗାନ୍ଧୀଙ୍କୁ ବେନକାବ କରିଦେଇଛନ୍ତି। ‘ଦି ଓ୍ୱାୟାର’ ସହ କଥାବାର୍ତ୍ତାରେ ସେ ଯାହା କହିଛନ୍ତି, ତାହା ସ୍ପଷ୍ଟ କରୁଛି ଯେ କଂଗ୍ରେସ ନେତା ରାହୁଲଙ୍କ ପାଖରେ ଅଭିଯୋଗ ପ୍ରମାଣିତ କରିବା ପାଇଁ କୌଣସି ନିର୍ଭରଯୋଗ୍ୟ ପ୍ରମାଣ ନାହିଁ। ସବୁ କଥା କେବଳ ହାଓ୍ୱା-ହାଓ୍ୱା।
ଯାଦବଙ୍କ କଥାରୁ ଏହା ମଧ୍ୟ ଜଣାପଡ଼ୁଛି ଯେ ରାହୁଲ ଗାନ୍ଧୀଙ୍କର ଏହି ତୁଛା ଗପ ଆଗାମୀ ଦିନରେ ଆହୁରି ଜୋରଦାର ହୋଇପାରେ। କିନ୍ତୁ କୌଣସି ପରିସ୍ଥିତିରେ ସେ ଏହି ମାମଲାକୁ କୋର୍ଟକୁ ନେବେ ନାହିଁ କି ସତ୍ୟପାଠ ଦାଖଲ କରିବାର କୌଣସି ସମ୍ଭାବନା ନାହିଁ। ଗତ କିଛି ଦିନ ଧରି ରାହୁଲ ଗାନ୍ଧୀ ତଥାକଥିତ ‘ଭୋଟ ଚୋରୀ’ ପ୍ରସଙ୍ଗକୁ ଜୋରଦାର ଭାବେ ଉଠାଉଛନ୍ତି । ରାହୁଲ ତାଙ୍କ ଭାଷଣରେ ଏହାର ତୁଳନା ହାଇଡ୍ରୋଜନ ବୋମା ସହିତ କରି ସାରିଛନ୍ତି ।
ରାହୁଲ ଗାନ୍ଧୀ ଯେତେବେଳେ ଅଭିଯୋଗ କରନ୍ତି, ନିର୍ବାଚନ ଆୟୋଗ ତାହାର ଜବାବ ଦେଇଥାଏ। କିଛି ମାମଲାରେ ତାଙ୍କୁ ସତ୍ୟପାଠ ଦାଖଲ କରିବାକୁ କୁହାଯାଇଛି। ସାମ୍ବାଦିକ ସମ୍ମିଳନୀରେ ଯେତେବେଳେ ଜଣେ ସାମ୍ବାଦିକ ତାଙ୍କୁ ପଚାରିଲେ ଯେ, ସେ ଏହି ମାମଲାକୁ ଅଦାଲତକୁ ନେବେ ନା ନାହିଁ । ଉତ୍ତରରେ ରାହୁଲ ଏମିତି କଥା କହିଥିଲେ ଯାହା କେବଳ ସେ ହିଁ କହିପାରିବେ । ସେ କହିଲେ ଯେ, ବିରୋଧୀ ଦଳ ନେତା ହିସାବରେ ମୋ କାମ ବିରୋଧ କରିବା । ମୋ କାମ ଗଣତନ୍ତ୍ରକୁ ବଂଚାଇବା ନୁହେଁ । ଅବଶ୍ୟ ଗଣତନ୍ତ୍ରକୁ ବଂଚାଇବା କଥା ତାଙ୍କ ପାଟିରୁ ଖସି ଯାଇପାରିଥାଏ କିନ୍ତୁ ବିରୋଧୀ କେମିତି ମୌକା ଛାଡ଼ିବେ ?
ଆପଣଙ୍କୁ ଲାଗି ପାରେ ଯେ,ଏତେବଡ଼ ମାମଲାରେ ଏହା ହିଁ ଯୁକ୍ତିଯୁକ୍ତ ସମାପ୍ତି ହୋଇପାରେ । ଯଦି ରାହୁଲ ଗାନ୍ଧୀଙ୍କୁ ଲାଗୁଛି ଯେ ନିର୍ବାଚନ ଆୟୋଗ ତାଙ୍କ କଥା ଶୁଣୁନାହିଁ, ତେବେ ସେ କୋର୍ଟକୁ ଯାଆନ୍ତୁ। କିନ୍ତୁ ସେ କୋର୍ଟକୁ ଯିବା କଥା ଉଠାଉ ନାହାନ୍ତି । କାରଣ କୋର୍ଟ ପ୍ରମାଣ ଓ ସାକ୍ଷୀ ମାଗେ, କିନ୍ତୁ ତାଙ୍କ ପାଖରେ କେବଳ ମନଗଢ଼ା କାହାଣୀ ଅଛି। ତେବେ ଏବେ ପ୍ରଶ୍ନ ଉଠୁଛି, ଏହି ସମସ୍ତ କାର୍ଯ୍ୟର ଉଦ୍ଦେଶ୍ୟ କ’ଣ?
ଏହି ଉଦ୍ଦେଶ୍ୟ ବୁଝିବା ପାଇଁ ରାହୁଲ ଗାନ୍ଧୀଙ୍କ ତଥାକଥିତ ପରାମର୍ଶଦାତା ଯୋଗେନ୍ଦ୍ର ଯାଦବଙ୍କର ଏକ ଭାଇରାଲ ବୟାନ ଦେଖନ୍ତୁ। ଯୋଗେନ୍ଦ୍ର ‘ଦି ଓ୍ୱାୟାର’ ସହ କଥାବାର୍ତ୍ତାରେ ଭୋଟ ଚୋରୀ ପ୍ରସଙ୍ଗରେ କହିଛନ୍ତି, “ଆପଣ ଅଦାଲତକୁ ଯାଆନ୍ତୁ,ସତ୍ୟପାଠ ଦାଖଲ କରନ୍ତୁ,ଏଭଳି କହିବାର କିଛି ଅର୍ଥ ନାହିଁ କାରଣ ଏମିତି କିଛି ହେବାର ନାହିଁ’’ ସେ ଆଗକୁ କହିଛନ୍ତି, “ଭୋଟ ଚୋରୀର କଥା ତୃଣମୂଳସ୍ତରରେ ପହଂଚି ସାରିଛି । ସାଧାରଣ ଲୋକେ କହୁଛନ୍ତି ଯେ ହଁ ଭାଇ, ମାମଲା ତ ଗୋଳମାଳିଆ… ଲୋକଙ୍କର ମତ ଏହି ପ୍ରସଙ୍ଗ ସହ ଯୋଡ଼ି ହେଉଛି।
ଯୋଗେନ୍ଦ୍ରଙ୍କ ବୟାନରୁ ଏହା ସ୍ପଷ୍ଟ ହେଉଛି ଯେ ରାହୁଲ ଗାନ୍ଧୀ କୌଣସି ସତ୍ୟର କ୍ରାନ୍ତିକାରୀ ଲଢ଼େଇ ଲଢ଼ୁନାହାନ୍ତି, ବରଂ ସେ ରାଜନୈତିକ ହାଓ୍ୱାବାଜୀ ଜରିଆରେ ଲୋକଙ୍କୁ ଉସୁକାଇବାକୁ ଚେଷ୍ଟା କରୁଛନ୍ତି। ଆଖପାଖର ଦେଶଗୁଡ଼ିକରେ ଗତ କିଛି ବର୍ଷରେ ଯେଉଁ ପରିସ୍ଥିତି ସୃଷ୍ଟି ହୋଇଛି, ତାହାଦ୍ୱାରା ଭାରତରେ ତାଙ୍କର ସମର୍ଥକଙ୍କ ଗୋଟିଏ ଶ୍ରେଣୀ ଖୁସି ଅଛନ୍ତି।
ତାଙ୍କର ବୟାନ ଦର୍ଶାଉଛି ଯେ ରାହୁଲ ଗାନ୍ଧୀ ଓ ତାଙ୍କ ଦଳର ପାଖରେ ଏହି ଅଭିଯୋଗଗୁଡ଼ିକୁ ପ୍ରମାଣ କରିବା ପାଇଁ କୌଣସି ନିର୍ଭରଯୋଗ୍ୟ ତଥ୍ୟ ନାହିଁ। ସମସ୍ତ ଚେଷ୍ଟା କେବଳ ଏକ ହାଓ୍ୱା ସୃଷ୍ଟି କରିବା ପାଇଁ। ରାହୁଲ ଗାନ୍ଧୀ ନିଜ ଟ୍ୱିଟରେ ଜେନଜେଡ଼ ଭଳି ଶବ୍ଦ କାହିଁକି ବ୍ୟବହାର କରୁଛନ୍ତି, ଏହା ମଧ୍ୟ ଲୋକଙ୍କୁ ସ୍ପଷ୍ଟ ବୁଝାପଡ଼ୁଛି।
ରାହୁଲ ଗାନ୍ଧୀ କେତେବେଳେ ନୋଟବନ୍ଦୀକୁ ‘ଜନସାଧାରଣ ବିରୋଧୀ’ କହି ତ କେତେବେଳେ ରାଫେଲ ଚୁକ୍ତିକୁ ‘ଚୌକିଦାର ଚୋର ହୈ’ କହି ଦୁର୍ନୀତି ପ୍ରମାଣ କରିବାକୁ ଚେଷ୍ଟା କରିଛନ୍ତି। ପ୍ରଭାବ ନାମରେ ନା ତ ନୋଟବନ୍ଦୀ ନିର୍ବାଚନୀ ଫଳାଫଳରେ ମୋଦୀ ସରକାରକୁ କ୍ଷତି ପହଞ୍ଚାଇଛି, ନା ରାଫେଲ କୌଣସି ଲହରୀ ସୃଷ୍ଟି କରିଛି। ଏବେ ‘ଭୋଟ ଚୋରୀ’ ଅଭିଯୋଗର ମଧ୍ୟ ସେହି ଦଶା ହେବାକୁ ଯାଉଛି ।
ଜନତା ମଧ୍ୟରେ ଏହି ପ୍ରସଙ୍ଗକୁ ନେଇ କୌଣସି ଆନ୍ଦୋଳନ, ଧାରଣା କିମ୍ବା ରୋଷ ନାହିଁ। ଜନତା କେଉଁଠି ବି ରାସ୍ତାକୁ ଓହ୍ଲାଇ ନାହାନ୍ତି, କେବଳ କିଛି କଂଗ୍ରେସ ସମର୍ଥକ ସୋସିଆଲ ମିଡ଼ିଆରେ ହ୍ୟାସଟ୍ୟାଗ ଚଳାଉଛନ୍ତି। ମୈଦାନରେ ନୀରବତା ରହିଛି ଏବଂ ଏହି ନୀରବତା ରାହୁଲ ଗାନ୍ଧୀଙ୍କ ଅଭିଯୋଗର ବିଶ୍ୱସନୀୟତା ଉପରେ ପ୍ରଶ୍ନ ଉଠାଉଛି।
ରାହୁଲ ଗାନ୍ଧୀ ବାରମ୍ବାର ଏହି ନିରାଧାର ଅଭିଯୋଗ ଜରିଆରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଛବିକୁ କଳଙ୍କିତ କରିବାକୁ ଚେଷ୍ଟା କରିଛନ୍ତି, କିନ୍ତୁ ଏସବୁରେ ରାହୁଲଙ୍କ ନିଜର ରାଜନୈତିକ ବିଶ୍ୱସନୀୟତା ଉପରେ ପ୍ରଶ୍ନ ଉଠୁଛି।
ଲୋକଙ୍କୁ ଲାଗୁଛି ଯେ ରାହୁଲ ଗାନ୍ଧୀଙ୍କ ପାଖରେ କୌଣସି ନିର୍ଭରଯୋଗ୍ୟ ପ୍ରମାଣ ବା ତଥ୍ୟ ନାହିଁ। କାରଣ ଯଦି ଜନତା ରାହୁଲ ଗାନ୍ଧୀଙ୍କ କଥା ବିଶ୍ୱାସ କରୁଥାନ୍ତେ, , ତେବେ ଜନତା କ’ଣ ଚୁପ୍ ରହିଥାନ୍ତେ? ନିର୍ବାଚନ ଫଳାଫଳ କ’ଣ ଏଭଳି ଭାବେ ମୋଦୀ ଓ ବିଜେପି ସମର୍ଥନରେ ହୁଅନ୍ତା? ଏହି ସମସ୍ତ ଅଭିଯୋଗ ଯୋଗୁଁ ନରେନ୍ଦ୍ର ମୋଦୀଙ୍କ ରାଜନୈତିକ ଲୋକପ୍ରିୟତା କମୁନାହିଁ, ବରଂ ରାହୁଲ ଗାନ୍ଧୀଙ୍କ ଭାବମୂର୍ତ୍ତି ଉପରେ ପ୍ରଶ୍ନଚିହ୍ନ ଲଗାଉଛି।
